Unknown

 

 

 

 

 

 

 

 

 

 

 

କର୍ମଯୋଗୀ

ଡକ୍ଟର ରାଜେନ୍ଦ୍ର ପ୍ରସାଦ

 

 

 

 

 

 

 

 

 

 

ଓଡ଼ିଶାର ଲବ୍‌ଧପ୍ରତିଷ୍ଠ କବି

ଶ୍ରୀଯୁକ୍ତ ରାଧାମୋହନ ଗଡ଼ନାୟକ

କରକମଳେଷୁ...

 

‘‘ଆମ ଦେଶରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କୁ ମୁଁ ଯଦି ବିଷ ଦିଏ, ସେ ତାହା ଅକୁଣ୍ଠ ଚିତ୍ତରେ ଗ୍ରହଣ କରିବେ । ସେ ହେଉଛନ୍ତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ।’’

 

–ମହାତ୍ମା ଗାନ୍ଧୀ

 

‘‘ରାଜେନ୍ଦ୍ର ପ୍ରସାଦ ହେଉଛନ୍ତି ବୁଦ୍ଧଦେବଙ୍କର ଉପଯୁକ୍ତ ଦାୟାଦ । ତାଙ୍କୁ ଦୟା, ତ୍ୟାଗ ଓ ପ୍ରେମର ଅବତାର କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ପାଣ୍ଡିତ୍ୟ, ଅନୁଭୂତି, ଦୂରଦୃଷ୍ଟି, ସୃଜନଶୀଳ ଚିନ୍ତାବଳରେ ସେ ସମଗ୍ର ଦେଶର ଅଭିଭାବକ ହୋଇପାରିବେ, ଏଥିରେ ସନ୍ଦେହର ଅବକାଶ ନାହିଁ ।’’

 

–ସରୋଜିନୀ ନାଇଡ଼ୁ

 

‘‘ଆମେ ବେଳେ ବେଳେ ଭୁଲ କରିଥାଉ । ଆମର ପଦଚ୍ୟୁତି ଘଟିଥାଏ । ଭୁଲରେ ମଧ୍ୟ କେତେ କଥା କହିଥାଉ; କିନ୍ତୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ କେବେହେଲେ ଭୁଲ କରନ୍ତି ନାହିଁ । କାର୍ଯ୍ୟକଳାପ ଓ କଥାବାର୍ତ୍ତାରେ ତାଙ୍କ ପରି ସଂଯତ ଲୋକ ବିରଳ । ସେ ଯାହା କହନ୍ତି ଓ କରନ୍ତି, ସେଥିରେ ଶେଷପର୍ଯ୍ୟନ୍ତ ଅଟଳ ରହିବା ତାଙ୍କର ଏକ ପ୍ରଧାନ ବିଶେଷତ୍ଵ ।’’

 

–ଜବାହରଲାଲ ନେହରୁ

 

‘‘ଡକ୍ଟର ରାଜେନ୍ଦ୍ର ପ୍ରସାଦ ହେଉଛନ୍ତି ନମ୍ରତାର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରେ ଭାରତୀୟ ଆତ୍ମାର ସ୍ପର୍ଶ ରହିଛି । ତାଙ୍କର ସାଧୁତା, ଧୈର୍ଯ୍ୟ ଓ ସ୍ଥୈର୍ଯ୍ୟ ଏକାନ୍ତ ବିରଳ । ତାଙ୍କ ପ୍ରାଣରେ ଦେଶ ଓ ଜାତିର ପ୍ରାଣ ଯଥାର୍ଥେ ପ୍ରତିବିମ୍ବିତ ।’’

 

–ସର୍ବପଲ୍ଲୀ ଡକ୍ଟର ରାଧାକୃଷ୍ଣନ୍

 

‘‘ରାଜେନ୍ଦ୍ର ପ୍ରସାଦ ତାଙ୍କ ତ୍ୟାଗପୂତ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଅଛନ୍ତି । ତାଙ୍କ ମହନୀୟ ମାନବକିତା, ସମସ୍ୟା ସମାଧାନ କରିବାର ବିଚକ୍ଷଣ ଶକ୍ତି, ସାରଲ୍ୟ ଓ ସାଧୁତା, କେବଳ ତାଙ୍କୁ କାହିଁକି, ସମଗ୍ର ଦେଶକୁ କରିଛି ଧନ୍ୟ ।’’

 

–ଗୋପାଳସ୍ଵାମୀ ଆୟଙ୍ଗାର

 

‘‘ବର୍ତ୍ତମାନ ବିଶ୍ଵ-ପରିସ୍ଥିତିକୁ ସୁଧାରିବା ପାଇଁ ରାଜେନ୍ଦ୍ର ପ୍ରସାଦଙ୍କ ଦାନ ଅନବଦ୍ୟ । ସେ ଜଣେ ସ୍ୱନାମଧନ୍ୟ ଆଇନଜୀବୀ ଓ ସ୍ଵାଧୀନତାସଂଗ୍ରାମର ବିକ୍ରମଶାଳୀ ଯୋଦ୍ଧା । ତାଙ୍କର ପ୍ରାବୀଣ୍ୟ ଓ ଜ୍ଞାନର ପରିପୂର୍ତ୍ତି ଯଥାର୍ଥେ ପ୍ରଶଂସନୀୟ ।’’

 

–ଆଇଜେନ୍‌ ହାୱାର

Image

 

ନିଜ କଥା

 

ଏଇ ଅଳ୍ପଦିନ ତଳର କଥା । ପୂଜା ଅବକାଶରେ ଦେଖାହେଲା ମୋର ଜଣେ ନାଟ୍ୟକାର ବନ୍ଧୁଙ୍କ ସହିତ । ଖୁବ୍‍ ସମ୍ଭାଷଣବ୍ୟଞ୍ଜକ ସ୍ଵରରେ ସେ ମୋତେ ପଚାରିଲେ– ‘‘ବୀରବାବୁ ! ବର୍ତ୍ତମାନ ଆପଣଙ୍କର କ’ଣ ଲେଖା ଚାଲିଛି’’ ମୁଁ ଉତ୍ତର ଦେଇଥିଲି– ‘‘ଖଣ୍ଡିଏ ଜୀବନୀ ।’’ ସେ ସଙ୍ଗେ ସଙ୍ଗେ ସ୍ଵର ପରିବର୍ତ୍ତନ କରି କହିଥିଲେ– ‘‘ଜୀବନୀ ସାଧାରଣତଃ ଦ୍ଵିତୀୟ ଶ୍ରେଣୀର ଲେଖକ (2nd grade writer) ଲେଖିଥାନ୍ତି । ଆପଣ ତ ସମାଲୋଚକ, ଏପରି ନିକୃଷ୍ଟ କାର୍ଯ୍ୟରେ ହାତ ଦେଉଛନ୍ତି କାହିଁକି ?’’

 

ଜଣେ ପ୍ରତିଷ୍ଠିତ ନାଟ୍ୟକାରଙ୍କଠାରୁ ଏପରି ଏକ ମନ୍ତବ୍ୟ ମୁଁ ଆଦୌ ଆଶାକରି ନ ଥିଲି-। ସେ ଯାହାହେଉ, ଆମ ସାହିତ୍ୟରେ ଲେଖକ ଓ ପାଠକ ସାଧାରଣତଃ ଜୀବନୀ ଲେଖିବା ଓ ପଢ଼ିବାକୁ ଅଗ୍ରାଧିକାର ଦେଇ ନ ଥାନ୍ତି, ଏହା ଅତ୍ୟନ୍ତ ପରିତାପର ବିଷୟ; କିନ୍ତୁ ଜୀବନୀ ଲେଖିବା ଅତି ଅୟାସସାଧ୍ୟ । ମାତ୍ର ଖଣ୍ଡିଏ ଜୀବନୀ (ଶାନ୍ତିର ଶହୀଦ ଲାଲବାହାଦୂର) ପ୍ରଣୟନ ପରେ ଏହା ମୋର ବ୍ୟକ୍ତିଗତ ଅଭିମତ । ଏଥିପାଇଁ ଅଧିକ ପରିମାଣରେ ବାସ୍ତବିକ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣ ଦରକାର । ଏହା ଅତିରଞ୍ଜିତ କିମ୍ବା ଇତିବୃତ୍ତାତ୍ମକ ଉପାଖ୍ୟାନ ନୁହେଁ; ବରଂ ଏହା ବ୍ୟକ୍ତିବିଶେଷଙ୍କ ଜୀବନତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ, ସମ୍ୟକ୍‍ ନିରୂପଣ ଓ ମନୋବୈଜ୍ଞାନିକ ଅଧ୍ୟୟନ । ଜୀବନକୁ ବହୁ ଶ୍ରେଣୀରେ ବିଭକ୍ତ କରାଯାଇପାରେ; ଯଥା– ଆତ୍ମୀୟଜୀବନୀ, ଲୋକପ୍ରିୟଜୀବନୀ, ବିଦ୍‍ବତ୍ତାପୂର୍ଣ୍ଣ ଜୀବନୀ, ମନୋବୈଜ୍ଞାନିକ ତଥା ବ୍ୟାଖ୍ୟାତ୍ମକ ଜୀବନୀ ଓ ବ୍ୟଙ୍ଗାତ୍ମକ ଜୀବନୀ ।

 

ଲେଖକର ତତ୍କାଳୀନ ସାହିତ୍ୟ, ରାଜନୀତି ଇତ୍ୟାଦିରେ ଗଭୀର ଅନୁପ୍ରବେଶ ଥିଲେ ଜୀବନୀ ପ୍ରାମାଣିକ ହୋଇପାରେ । ପୁନଶ୍ଚ ଜୀବନୀ ଅନ୍ଧସ୍ତାବକତା କିମ୍ବା କଳ୍ପନାବିଳାସ ନୁହେଁ । ଏହା ନିଛକ ସତ୍ୟ ଉପରେ ଆଧାରିତ ହେବା ଉଚିତ ।

 

ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଜୀବନୀ ଅନ୍ୟ ନେତୃବୃନ୍ଦଙ୍କ ଜୀବନୀ ପରି ସେତେ ରୋମାଞ୍ଚକର ଘଟଣାବହୁଳ ନୁହେଁ–ଏହା ଏକ ନିରଳସ, ଧର୍ମପରାୟଣ ସାଧକଙ୍କ ଜୀବନୀ । ଏଥର ସ୍ଵାଧୀନତା ଆନ୍ଦୋଳନର ଇତିହାସ ପ୍ରକାରାନ୍ତରେ ଲିପିବଦ୍ଧ । ଏହାକୁ ପ୍ରାମାଣିକ କରିବା ପାଇଁ ମୁଁ ଯତ୍‍ପରୋନାସ୍ତି ଚେଷ୍ଟାକରିଛି ।

 

ଶେଷରେ ଫ୍ରେଣ୍ଡସ୍‍ ପବ୍ଲିଶର୍ସର ସତ୍ଵାଧିକାରୀ ମୋର ବନ୍ଧୁ ଶ୍ରୀ ସହଦେବ ପ୍ରଧାନ ଆଗ୍ରହ ସହକାରେ ଏହି ପୁସ୍ତକ ପ୍ରକାଶନର ଦାୟିତ୍ଵ ବହନ କରିଥିବାରୁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି ।

 

ମହାବିଷୁବ ସଂକ୍ରାନ୍ତି, ୧୯୬୭

ଲେଖକ

ଅଲଣାହାଟ

 

Image

 

ସୂଚୀପତ୍ର

 

୧.

ବାଲ୍ୟଜୀବନ, ଶିକ୍ଷା ଓ ଓକିଲାତି

୨.

ରାଜନୀତିକ ଜୀବନ

୩.

ଲବଣ ସତ୍ୟାଗ୍ରହ

୪.

ଗୋଲଟେବୁଲ ବୈଠକ ଓ କଂଗ୍ରେସ ସଂଗଠନ

୫.

ଖାଦ୍ୟ ଓ କୃଷିମନ୍ତ୍ରୀ ଡକ୍ଟର ରାଜେନ୍ଦ୍ର ପ୍ରସାଦ

୬.

କଂଗ୍ରେସ ସଭାପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ

୭.

ବିଧାନ ପରିଷଦର ନେତା ଡକ୍ଟର ରାଜେନ୍ଦ୍ର ପ୍ରସାଦ

୮.

ସ୍ଵାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି

୯.

ଜନନେତା ଡକ୍ଟର ରାଜେନ୍ଦ୍ର ପ୍ରସାଦ

Image

 

ବାଲ୍ୟଜୀବନ, ଶିକ୍ଷା ଓ ଓକିଲାତି

 

ବିହାରର ଶରନ୍‌ ଜିଲ୍ଲାରେ ଜିରାଦଇ ବୋଲି ଗୋଟିଏ ଗାଁ । ୧୮୮୪ ମସିହା ଡିସେମ୍ବର ୩ ତାରିଖରେ ସେହି ଗାଁରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ରାଜେନ୍ଦ୍ର ପ୍ରସାଦ । ତାଙ୍କ ପିତାଙ୍କ ନାମ ମହାଦେବ ସହାୟ । ତିନି ଭାଇଙ୍କ ମଧ୍ୟରେ ସେ ଥିଲେ ସବୁଠାରୁ ସାନ । ତାଙ୍କ ଜନ୍ମର ଠିକ୍‍ ବର୍ଷକ ପରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିଷ୍ଠା କରାଯାଇଥିଲା । ସେତେବେଳେ ଇଂରେଜ ସରକାର ଦେଶର ଶିଳ୍ପବିକାଶ ଓ ପରିବହନ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେଉଥାନ୍ତି । କଲିକତା, ବମ୍ବେ ଓ ଅହମଦାବାଦରେ ଯଥାକ୍ରମେ ଝୋଟ, ଲୁଗା ଓ ସୂତା କଳମାନ ଗଢ଼ିଉଠୁଥାଏ । ଦେଶବାସୀ ଶିଳ୍ପ-ବିପ୍ଳବର ପ୍ରାଥମିକ ପ୍ରଭାବ ଅନୁଭବ କରୁଥାନ୍ତି; କିନ୍ତୁ କୁଟୀର-ଶିଳ୍ପର ବିଲୋପ ସାଧନ ପାଇଁ ସରକାରଙ୍କର ପରୋକ୍ଷ ଚେଷ୍ଟା ଚାଲିଥାଏ । ବିଶେଷ କରି ବିଶ୍ଵବିଖ୍ୟାତ ଭାରତୀୟ ବୟନଶିଳ୍ପର ଉତ୍ପାଦନ ଓ ରପ୍ତାନି ଉପରେ ଶୁଳ୍‍କ ବସାଇ ତାହାର ବିଲୋପ ସାଧନ କରିବା ପାଇଁ ବ୍ରିଟିଶ ସରକାର ପ୍ରବଳ ଉଦ୍ୟମ ଚଳାଇଥାନ୍ତି । ଏହାଦ୍ଵାରା ଶିଳ୍ପୀ-ପରିବାର ବେକାର ହୋଇ ଦୁଃଖକଷ୍ଟରେ ଜୀବନଯାପନ କରୁଥାନ୍ତି । ଉତ୍ତର-ଭାରତର ବଙ୍ଗଳା, ବିହାର ଓ ଅନ୍ୟାନ୍ୟ ପ୍ରଦେଶମାନରେ ଜମିଦାରୀ ପ୍ରଥାର ପ୍ରବର୍ତ୍ତନ କରାଯିବାଦ୍ଵାରା ଗ୍ରାମ୍ୟ ଅର୍ଥନୀତିରେ ଅବ୍ୟବସ୍ଥା ଦେଖାଦେଇଥାଏ । ପ୍ରକୃତ ଋଷୀମାନେ ଜମିଦାରମାନଙ୍କଦ୍ଵାରା ଅତ୍ୟାଚାରିତ ହେଉଥାନ୍ତି । ପୂର୍ବପରି ଗ୍ରାମମାନଙ୍କରେ ପଞ୍ଚାୟତ ସଂସ୍ଥା ବଳବତ୍ତର ନ ଥାଏ; ତେଣୁ ଗ୍ରାମର ସଂଘବଦ୍ଧ ଜୀବନ କ୍ରମେ ଦୁର୍ବଳ ହୋଇପଡ଼ିଥାଏ । ଏଣେ ଗ୍ରାମବାସୀମାନଙ୍କୁ ବିଦେଶକୁ ରପ୍ତାନି ନିମନ୍ତେ ବିଭିନ୍ନ ଅର୍ଥକାରୀ ଫସଲ ଉତ୍ପନ୍ନ କରିବା ପାଇଁ ଉତ୍ସାହ ଦିଆଯାଉଥାଏ । ଦେଶସାରା ମୁଦ୍ରଣ ଯନ୍ତ୍ର ବସାଯିବାଦ୍ଵାରା ବହୁ ପତ୍ରପତ୍ରିକା ପ୍ରକାଶ ପାଉଥାଏ । କଲିକତା, ବମ୍ବେ ଓ ମାନ୍ଦ୍ରାଜଠାରେ ବିଶ୍ଵବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇ ବହୁ ସ୍କୁଲ ଜରିଆରେ ଇଂରେଜୀ ଶିକ୍ଷାର ଭୁୟସୀ ପ୍ରସାର ଚାଲିଥାଏ । ମ୍ୟାଠ୍‌ଲେଙ୍କର ଶିକ୍ଷାନୀତି ପୂର୍ଣ୍ଣଭାବରେ ଅନୁସୃତ ହେଉଥାଏ । ଏହା ଫଳରେ ତତ୍‍କାଳୀନ ସମାଜରେ ଦେଖାଦେଇଥାଏ ବୈପ୍ଳବିକ ପରିବର୍ତ୍ତନର ସୂଚନା । ବଙ୍ଗଳାରେ ରାଜା ରାମମୋହନ ରାୟ ଓ ସ୍ଵାମୀ ବିବେକାନନ୍ଦଙ୍କର ପ୍ରସାରୀ ପ୍ରଭାବ ଓ ବିଶ୍ଵକବି ରବୀନ୍ଦ୍ରନାଥଙ୍କର ଭାବବ୍ୟଞ୍ଜକ ତଥା ରହସ୍ୟବାଦୀ ଲେଖା ଦେଶବାସୀଙ୍କ ମନରେ ଦେଉଥାଏ ଅଭିନବ ଚେତନାର ସ୍ପର୍ଶ । ବଙ୍ଗଳା ସବୁଦିଗରୁ ହୋଇଥାଏ ସମଗ୍ର ଦେଶର ପଥପ୍ରଦର୍ଶକ । ବମ୍ବେରେ ଗୋପାଳକୃଷ୍ଣ ଗୋଖଲେ, ଲୋକମାନ୍ୟ ତିଳକ, ମହାଦେବ ରାଣାଡ଼େ ପ୍ରମୁଖ ଜାତୀୟବାଦୀ ନେତୃବୃନ୍ଦ ଶିକ୍ଷା, ସଂସ୍କୃତି ଓ ସାମାଜିକ ପୁନରୁତ୍‍ଥାନ ତଥା ବିକାଶ ପାଇଁ ସେମାନଙ୍କର ଉଦ୍ୟମ ଅବ୍ୟାହତ ରଖିଥାନ୍ତି । ସ୍ଵାମୀ ଦୟାନନ୍ଦଙ୍କର ଆର୍ଯ୍ୟସମାଜ ପ୍ରତିଷ୍ଠା ହିନ୍ଦୁଧର୍ମର ପୁନର୍ବିକାଶ ପାଇଁ କ୍ରମେ କ୍ଷେତ୍ର ପ୍ରସ୍ତୁତ କରୁଥାଏ । ଏହି ପରସ୍ଥିତିରେ ବହୁ ବୁଦ୍ଧିଜୀବୀଙ୍କର ସହାୟତା ଓ ସହଯୋଗରେ ଜାତୀୟ ଆନ୍ଦୋଳନ ପାଇଁ ସୃଷ୍ଟି ହେଉଥାଏ ଏକ ଅପରାଜେୟ ନେତୃତ୍ଵ ।

 

ଓଡ଼ିଶା ପରି ବିହାର ହେଉଛି ପ୍ରାଚୀନ ଶିକ୍ଷା ଓ ସଂସ୍କୃତିର ଅନ୍ୟତମ ଜନ୍ମପୀଠ । ବୌଦ୍ଧ, ଜୈନଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ଓ ମହାବୀର ସେହି ପ୍ରଦେଶରେ ଜନ୍ମଗ୍ରହଣ କରି ପ୍ରାଚ୍ୟ-ଜଗତକୁ କରିଥିଲେ ନୂତନ ଆଲୋକରେ ଉଦ୍‍ଭାସିତ । ପାଟଳିପୁତ୍ର ଓ ନାଳନ୍ଦା ପ୍ରାଚ୍ୟ ସଂସ୍କୃତି ଓ ଶିକ୍ଷାର ଥିଲା ଏକ ଆଦର୍ଶ ବାଣୀପୀଠ । ଏକାଦଶ ଶତାବ୍ଦୀରେ ବିହାର ମୁସଲମାନ ଶାସନାଧୀନ ହେଲା । ଶେରଶାହ ହେଉଛନ୍ତି ଆଧୁନିକ ପାଟନାର ପ୍ରତିଷ୍ଠାତା । ଅଷ୍ଟାଦଶ ଶତାବ୍ଦୀର ପ୍ରାରମ୍ଭରୁ ବିହାରର ପ୍ରାକୃତିକ ସମ୍ପଦ, ଅଫିମ ଓ ନୀଳଚାଷ ତଥା ସୂକ୍ଷ୍ମ ବୟନଶିଳ୍ପ ଇଂରେଜମାନଙ୍କର ଲୋଲୁପଦୃଷ୍ଟି ଆକର୍ଷଣ କରିଥାଏ; କିନ୍ତୁ ଏଠା ଚାଷୀମାନଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡ଼ୁଥାଏ । ଶାସନଦୃଷ୍ଟିରୁ ବଙ୍ଗ, ବିହାର ଓ ଓଡ଼ିଶା ଥାଏ ଗୋଟିଏ ଅଞ୍ଚଳରେ ସୀମାବଦ୍ଧ । ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଭାଷାରେ, ‘‘ରାଜନୈତିକ ଓ ସାମାଜିକ ଦୃଷ୍ଟିକୋଣରୁ ବିହାର ଥିଲା ସମସ୍ତଙ୍କ ପଛରେ । ବଙ୍ଗଳାର ପ୍ରଭାବରେ ଏହାର ସ୍ଵାତନ୍ତ୍ର୍ୟ କ୍ରମେ ନିଷ୍ପ୍ରଭ ହୋଇ ଆସୁଥିଲା ।’’

 

ରାଜେନ୍ଦ ପ୍ରସାଦଙ୍କର ପୂର୍ବପୁରୁଷମାନେ ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଆସି ବିହାରରେ ବସବାସ କରୁଥିଲେ । ବିହାରର ଶରନ୍‍ ଜିଲ୍ଲା ଏକ ଅନୁର୍ବର ଅଞ୍ଚଳ; କିନ୍ତୁ ଏହି ଜିଲ୍ଲାରେ ସବୁଠାରୁ ବେଶି ଲୋକ ବାସ କରନ୍ତି । ଜନଗଣନାରୁ ଜଣାଯାଏ ଯେ ଏଇ ଜିଲ୍ଲାର ପ୍ରତି ବର୍ଗମାଇଲରେ ୧୩୦୪ ଜଣ ହେଉଛନ୍ତି ସ୍ଥାୟୀବାସିନ୍ଦା । ରାଜେନ୍ଦ୍ର ପ୍ରସାଦଙ୍କର ପୂର୍ବପୁରୁଷମାନେ ପ୍ରଥମେ ଶିକ୍ଷକ ଓ ପରେ ଷ୍ଟେଟ୍‍ ମ୍ୟାନେଜରରୂପେ କାର୍ଯ୍ୟ କରୁଥିଲେ । ତାଙ୍କ ପରିବାରରେ ଚଉଧରଲାଲ ଥିଲେ ସବୁଠାରୁ ଆଗୁଆ ଓ ଟାଣୁଆ ଲୋକ । କାୟସ୍ଥ ପରିବାରର ସମସ୍ତ ପାରମ୍ପରିକ ଗୁଣ ତାଙ୍କରିଠାରେ ନିହିତ ଥିଲା । ସେ ଏକାଧାରରେ ଥିଲେ ବିଦ୍ଵାନ ଓ ସୁଶାସକ । ବିହାରର ତତ୍‍କାଳୀନ ଏକ ବଡ଼ କରଦ ରାଜ୍ୟର ସେ ଥିଲେ ଦେୱାନ । ସେହି ରାଜ୍ୟର ରାଜା ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କୁ ଖଣ୍ଡିଏ ଛୋଟିଆ ଜମିଦାରୀ ଦେଇଥିଲେ; ଯେଉଁଥିରୁ କି ବାର୍ଷିକ ପାଞ୍ଚ, ଛଅ ହଜାର ଟଙ୍କା ମିଳୁଥିଲା-

 

ରାଜେନ୍ଦ୍ର ପ୍ରସାଦଙ୍କର ପିତା ମୁନ୍‍ସି ମହାଦେବ ସହାୟ ପାର୍ସି ଓ ସଂସ୍କୃତ ଭାଷାରେ ଜଣେ ପଣ୍ଡିତ ଥିଲେ । କୁସ୍ତି–କସରତ୍ ଓ କୃଷିକର୍ମ କରିବା ସଙ୍ଗେ ସଙ୍ଗେ ରୋଗୀମାନଙ୍କର ବିନା ମୂଲ୍ୟରେ ଆୟୁର୍ବେଦୀୟ ଚିକିତ୍ସା ମଧ୍ୟ କରୁଥିଲେ । ପ୍ରସାଦଜୀଙ୍କର ମାତା ଭାରି ଧର୍ମପରାୟଣା ଥିଲେ । ବାଲ୍ୟକାଳରୁ ସେ ପୁଅକୁ ବହୁ ପୌରାଣିକ ଗଳ୍ପ କହିବାଦ୍ଵାରା ଖୁବ୍‍ ସ୍ୱଳ୍ପ ବୟସରୁ ରାଜେନ୍ଦ୍ରଙ୍କ ମନରେ ଧର୍ମଭାବ ଓ ଦେଶମାତୃକା ପ୍ରତି ଶ୍ରଦ୍ଧାର ବୀଜ ବପିତ ହୋଇଥିଲା । ୧୯୧୦ରେ ସେ ଇହଲୀଳା ସମ୍ବରଣ କଲେ । ତେଣୁ ପ୍ରସାଦଜୀଙ୍କର ବିଧବା ଭଉଣୀ ଭଗବତୀଙ୍କ ଉପରେ ପରିବାରର ସମସ୍ତେ ଦାୟିତ୍ଵ ପଡ଼ିଲା । ଭଗବତୀଙ୍କର ଡାକ ନାମ ଥିଲା ଫୁଭାଜୀ । ତାଙ୍କୁ ପରିବାରର ସମସ୍ତେ ସ୍ନେହ ଓ ଭକ୍ତି କରୁଥିଲେ । ବଡ଼ଭାଇ ମହେନ୍ଦ୍ରଙ୍କ ତତ୍ତ୍ଵାବଧାନରେ ରାଜେନ୍ଦ୍ରଙ୍କର ଶିକ୍ଷାରମ୍ଭ ହୋଇଥିଲା । ରାଜେନ୍ଦ୍ରଙ୍କର ଅସାଧାରଣ ବୁଦ୍ଧିମତ୍ତାର ପରିଚୟ ପାଇ ମହେନ୍ଦ୍ର ତାଙ୍କୁ ସବୁଦିଗରୁ ଉତ୍ସାହିତ କରିଥିଲେ । ପାରିବାରିକ ଘନଘଟାରୁ ଦୂରରେ ରହି ରାଜେନ୍ଦ୍ର କିପରି ଉନ୍ନତ ଜୀବନ ଗଢ଼ିବେ, ତାହା ହିଁ ଥିଲା ବଡ଼ଭାଇଙ୍କର ଲକ୍ଷ୍ୟ ।

 

ବାପୁଜୀଙ୍କ ସମ୍ପର୍କରେ ଆସିବା ପର୍ଯ୍ୟନ୍ତ ରାଜେନ୍ଦ୍ର ପ୍ରସାଦ ବଡ଼ଭାଇଙ୍କୁ ନ ପଚାରି ପ୍ରାୟ କୌଣସି କାର୍ଯ୍ୟ କରୁ ନ ଥିଲେ । କାରଣ ସେ ଜାଣିଥିଲେ ଯେ ବଡ଼ଭାଇଙ୍କର ସ୍ନେହ ତାଙ୍କ ପ୍ରତି ଥିଲା ଅତୁଟ । ଜମିଦାରୀର ପରିଚାଳନା ଭଲଭାବେ ନ ହୋଇପାରିବାରୁ ରାଜେନ୍ଦ୍ରଙ୍କର ପରିବାର ସାମୟିକ ଅର୍ଥାଭାବର ସମ୍ମୁଖୀନ ହେଉଥିଲେ । ତେବେ ସୁଦ୍ଧା ଧର୍ମଭାବ ଓ ଭଗବାନଙ୍କ ପ୍ରତି ଆସ୍ଥା ପରିବାରରୁ ଅପସରି ଯାଇ ନ ଥିଲା ।

 

ଜିରାଦଇ ଗାଁଟି ଛୋଟ ହେଲେ କ’ଣ ହେବ, ଅର୍ଥନୀତିଦୃଷ୍ଟିରୁ ସର୍ବଦା ଥିଲା ଆତ୍ମନିର୍ଭରଶୀଳ । କୃଷକ ଓ ଶିଳ୍ପୀ ପରିବାର ଗ୍ରାମରେ ଜାତି ଓ ଧର୍ମଗତ ସଂହତି ରକ୍ଷା କରିଥିଲେ-। ବିଶେଷ କରି ହିନ୍ଦୁ ଓ ମୁସଲମାନମାନେ ପରିସ୍ପର ମଧ୍ୟରେ ଭ୍ରାତୃଭାବ ରଖି ଚଳୁଥିଲେ-। କୌଣସି ମନୋମାଳିନ୍ୟ ହେଲେ ପଞ୍ଚାୟତର ସିଦ୍ଧାନ୍ତକୁ ଚୂଡ଼ାନ୍ତ ବୋଲି ଧରିନେଉଥିଲେ । ରାଜେନ୍ଦ୍ର ପ୍ରସାଦ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି ଯେ ତାଙ୍କ ଗ୍ରାମରେ ମଦ୍ୟପାନ ବିରଳ ଥିଲା । କାୟସ୍ଥମାନଙ୍କ ମନରେ ଧାରଣା ଥିଲା ଯେ ମଦ୍ୟପାନ କଲେ କୁଷ୍ଠରୋଗ ହୁଏ । ଗ୍ରାମବାସୀମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରୁଥିଲେ ଓ ସେମାନଙ୍କର ଜୀବନକୁ ବିଳାସବ୍ୟସନ ଛୁଇଁ ନ ଥିଲା ।

 

ଗାଁରେ କୌଣସି ସ୍କୁଲ ନ ଥିଲା । ତେଣୁ ତାଙ୍କର ପ୍ରାଥମିକ ଶିକ୍ଷା ପାଇଁ ଜଣେ ମୌଲବୀଙ୍କୁ ନିଯୁକ୍ତ କରାଯାଇଥିଲା । ଏହି ମୌଲବୀଙ୍କ ମକ୍‍ତବ (ଶ୍ରେଣୀ)ରେ ସେ ଉର୍ଦ୍ଦୁ ଓ ଫାର୍ସି ଶିକ୍ଷା କରିଥିଲେ ଓ ଅନ୍ୟ ଜଣେ ଶିକ୍ଷକଙ୍କଠାରୁ ତାଙ୍କୁ ହିନ୍ଦୀ ଓ ଗଣିତ ଶିକ୍ଷା କରିବାକୁ ପଡ଼ିଥିଲା । ଶରନ୍‍ ଜିଲାରେ ସେତେବେଳେ ଥିଲା ମାତ୍ର ତିନୋଟି ଉଚ୍ଚ ଇଂରାଜୀ ବିଦ୍ୟାଳୟ; କିନ୍ତୁ ବର୍ତ୍ତମାନ ସେହି ଜିଲ୍ଲାରେ ଶହେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ଖୋଲା ଯାଇଅଛି । ପ୍ରାଥମିକ ଶିକ୍ଷା ସମାପ୍ତି ପରେ ରାଜେନ୍ଦ୍ରଙ୍କୁ ତାଙ୍କ ଗ୍ରାମଠାରୁ ୨୩ ମାଇଲ ଦୂରରେ ଅବସ୍ଥିତ ଛାପ୍ରା ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ନାମ ଲେଖାଇବାକୁ ପଡ଼ିଥିଲା । ତାଙ୍କ ଅଧ୍ୟବସାୟ ଓ ଅସାଧାରଣ ଧୀଶକ୍ତିବଳରେ ସେ ମାତ୍ର ଗୋଟିଏ ବର୍ଷରେ ଦୁଇଟି ଶ୍ରେଣୀର ପାଠ ଶେଷ କରି ପାରିଥିଲେ; ତେଣୁ ତାଙ୍କୁ ପ୍ରଥମ ବର୍ଷ ଡବଲ ପ୍ରମୋସନ ମିଳିଥିଲା । ପ୍ରତି ଶ୍ରେଣୀରେ ସେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ । ୧୯୦୨ ମସିହାରେ କଲିକତା ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ମାଟ୍ରିକ୍ୟୁଲେସନ୍‍ ପରୀକ୍ଷାରେ ସେ ସର୍ବୋଚ୍ଚ ସ୍ଥାନ ଅଧିକାର କରିପାରିଥିଲେ । ସେତେବେଳେ ଆସାମ, ବଙ୍ଗଳା, ବିହାର ଓ ବର୍ମା ଇତ୍ୟାଦି ପ୍ରଦେଶ ପାଇଁ କଲିକତାରେ ଗୋଟିଏ ମାତ୍ର ବିଶ୍ଵବିଦ୍ୟାଳୟ ଥିଲା ।

 

ମାତ୍ର ୧୩ ବର୍ଷ ବୟସରେ ରାଜବଂଶୀ ଦେବୀଙ୍କ ସହିତ ରାଜେନ୍ଦ୍ରଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ସେତେବେଳେ ଜ୍ୟୋତିଷମାନେ ତାଙ୍କର ଜାତକ ଦେଖି ଭବିଷ୍ୟତରେ ରାଜେନ୍ଦ୍ରଙ୍କର ରାଜପଦବୀ ଲାଭର ସୂଚନା ଦେଇଥିଲେ । ଯେହେତୁ ସେ ଥିଲେ ରକ୍ଷଣଶୀଳ ଓ ଗୁରୁଜନମାନଙ୍କ ପ୍ରତି ସର୍ବଦା ବାଧ୍ୟ; ତେଣୁ ସେ ଏ ବିବାହର ବର୍ଷକ କରିବାକୁ ଅଦୌ ସାହସ କରିପାରି ନ ଥିଲେ । କିନ୍ତୁ ପରବର୍ତ୍ତୀ ଜୀବନରେ ସେ ଏହି ବିବାହକୁ କଣ୍ଢେଇ-ବିବାହ ସହିତ ତୁଳନା କରିଥିଲେ । ବିବାହର ବର୍ଷକ ପରେ ରାଜବଂଶୀ ଦେବୀ ଶ୍ଵଶୁରଘରକୁ ଆସିଥିଲେ ସତ; କିନ୍ତୁ ରାଜେନ୍ଦ୍ରଙ୍କର ବୈବାହିକ ଜୀବନ ଛାତ୍ରଜୀବନରେ ଆଦୌ ଅନ୍ତରାୟ ସୃଷ୍ଟି କରି ନ ଥିଲା । ଏହି ଜୀବନର ପରିସମାପ୍ତି ପର୍ଯ୍ୟନ୍ତ ସେ ନିଜକୁ ସାଂସାରିକ ଜଞ୍ଜାଳରେ ଜଡ଼ାଇବାକୁ ଆଦୌ ଚେଷ୍ଟା କରି ନ ଥିଲେ । ବିବାହର ଦଶ ବର୍ଷ ପରେ ତାଙ୍କର ପ୍ରଥମ ପୁତ୍ର ଜାତ ହୋଇଥିଲା ।

 

ରାଜେନ୍ଦ୍ରଙ୍କ ପରିବାର ଥିଲେ ସବୁଠାରୁ ବେଶି ରକ୍ଷଣଶୀଳ । ତାଙ୍କ ଘରେ ସ୍ତ୍ରୀମାନଙ୍କୁ ଅସୂର୍ଯ୍ୟଂପଶ୍ୟା ହୋଇ ରହିବାକୁ ପଡ଼ୁଥିଲା । ଘରର ବୋହୁମାନେ କେବଳ ପୁରୁଷ ଲୋକଙ୍କ ଆଗରେ କାହିଁକି, ବୟସ୍କା ସ୍ତ୍ରୀମାନଙ୍କ ଆଗରେ ପର୍ଦ୍ଦା ନ ଦେଲେ ଯିବାଆସିବା କରୁ ନ ଥିଲେ । ଦିନବେଳେ ସ୍ତ୍ରୀ ପୁରୁଷକୁ ସାକ୍ଷାତ କରିବା ମନା ଥିଲା । ରାଜବଂଶୀଙ୍କୁ ଥରେ ହଇଜା ହେଲା; ତାଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲା । ତେବେ ସୁଦ୍ଧା ଯୁବକ ରାଜେନ୍ଦ୍ରଙ୍କୁ ତାଙ୍କ ସହିତ ସାକ୍ଷାତ କରିବାକୁ ପରିବାରର ଗୁରୁଜନମାନେ ଅନୁମତି ଦେଇ ନ ଥିଲେ । ସ୍ତ୍ରୀ ପୁରୁଷଠାରୁ ଅଧିକାଂଶ ସମୟ ଭିନ୍ନ ରହିବା ଏକ ସମ୍ମାନଜନକ ବ୍ୟବସ୍ଥା ବୋଲି ସେମାନେ ଭାବୁଥିଲେ; କିନ୍ତୁ ଜାତୀୟ ଆନ୍ଦୋଳନର ଠିକ୍ ଅବ୍ୟବହିତ ପରେ ନାରୀମାନେ କ୍ରମେ ପୁରୁଷମାନଙ୍କ ସହିତ ପିକେଟିଂ ଇତ୍ୟାଦିରେ ଯୋଗ ଦେଇଥିଲେ ।

 

ଛାତ୍ରଜୀବନର ପରିସମାପ୍ତି ପରେ ରାଜେନ୍ଦ୍ର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ । ଅତ୍ୟଧିକ କର୍ମବ୍ୟସ୍ତତା ଯୋଗୁଁ ସେ ପରିବାରର ଭଲମନ୍ଦ ବୁଝିବାକୁ ସମୟ ଦେଇ ପାରୁ ନ ଥିଲେ-। ବରଂ କର୍ମମୟ ଏକାନ୍ତ ଜୀବନଯାପନ କରିବାକୁ ସେ ଅଧିକ ପସନ୍ଦ କରୁଥିଲେ । ତାଙ୍କ ଆତ୍ମଜୀବନୀରେ ସେ ଉଲ୍ଲେଖ କରିଛନ୍ତି, ‘‘ମୁଁ କେବଳ ଛୁଟିଦିନମାନଙ୍କରେ ଘରେ ଲୋକମାନଙ୍କ ସହିତ ମିଶିବାର ସୁଯୋଗ ପାଇଥାଏ । ମୋ ବିବାହ ପ୍ରାୟ ୪୫ ବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ମୋ ସ୍ତ୍ରୀ ମୋ ପାଖରେ ବେଶି ଦିନ ରହିବାର ସୁଯୋଗ ପାଇ ନ ଥିଲେ । ଅତି ବେଶି ହେଲେ ମାତ୍ର କେତୋଟି ମାସ ସେ ମୋ ପାଖରେ ରହିଥିଲେ । କଲିକତାରେ ମୁଁ ଯେତେବେଳେ ଓକିଲାତି କରୁଥିଲି, ସେତେବେଳେ ଏକୁଟିଆ ରହୁଥିଲି । ଯେତେବେଳେ ପାଟନାରେ ଅବସ୍ଥାନ କଲି, ସେତେବେଳେ ମାତ୍ର କେତୋଟି ଦିନ ପାଇଁ ପିଲାଛୁଆଙ୍କୁ ମୋ ପାଖରେ ରଖିଥିଲି । ଯେତେବେଳେ ଅସହଯୋଗ ଆନ୍ଦୋଳନରେ ଯୋଗଦେଲି, ପିଲାଛୁଆଙ୍କ ସହିତ ପ୍ରାୟ ମୋର ସମ୍ପର୍କ ନ ଥିଲା । କର୍ମ-ଜଞ୍ଜାଳଯୋଗୁଁ ବ୍ୟକ୍ତିଗତ ସ୍ଵାର୍ଥପ୍ରତି ମୁଁ ଆଦୌ ଦୃଷ୍ଟିଦେଇ ପାରୁ ନ ଥିଲି ।’’

 

ଏହା ସତ୍ତ୍ୱେ ରାଜେନ୍ଦ୍ର ପ୍ରସାଦ ଥିଲେ ଅତ୍ୟନ୍ତ ଶିଶୁପ୍ରିୟ । ପଣ୍ଡିତ ନେହରୁଙ୍କ ପରି ସେ ଶିଶୁଙ୍କୁ ସବୁଠାରୁ ବେଶି ଭଲ ପାଉଥିଲେ । ତାଙ୍କର ସମୁଦାୟ ନାତିନାତୁଣୀଙ୍କର ସଂଖ୍ୟା ଥିଲା ପନ୍ଦର । ସେ ସେମାନଙ୍କ ସହିତ ଏତେ ନିର୍ବିଘ୍ନରେ ମିଶୁଥିଲେ ଯେ ବୟସର ବ୍ୟବଧାନ ତାଙ୍କୁ ଭୁଲିଯିବାକୁ ପଡ଼ୁଥିଲା । ରାଜବଂଶୀଙ୍କର ବେଶ-ପରିପାଟୀ ଓ ଚଳଣୀ ଅତି ସରଳ ଥିଲା । ସ୍ଵାମୀଙ୍କୁ ସକ୍ରିୟ ରାଜନୀତି ଓ ସମାଜସେବା କରିବା ପାଇଁ ପରୋକ୍ଷରେ ସେ ଦେଉଥିଲେ ଅନୁପ୍ରେରଣା । ବାପୁଜୀଙ୍କ ଆଦର୍ଶବାଦ ଉପରେ ତାଙ୍କର ଦୃଢ଼ବିଶ୍ଵାସ ଥିଲା । ତେଣୁ ସାବରମତୀ ଆଶ୍ରମରେ ବିଭିନ୍ନ ସେବାମୂଳକ କାର୍ଯ୍ୟରେ ଲିପ୍ତ ରହି ସେ ତାଙ୍କର ପୌଢ଼ ଜୀବନ ଅତିବାହିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଥାଇ ମଧ୍ୟ ସେ ନିଜ କାମ ପାଇଁ ଚାକରର ସାହାଯ୍ୟ ନେଉ ନ ଥିଲେ । ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିବାରୁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା; କିନ୍ତୁ ଅନଶନ କରିବାରୁ ଇଂରେଜ ସରକାର ତାଙ୍କୁ କାରାମୁକ୍ତ କରିଦେଇଥିଲେ ।

 

ଶିକ୍ଷା

 

ସମଗ୍ର ବିଶ୍ୱବିଦ୍ୟାଳୟରେ ମ୍ୟାଟ୍ରିକ୍ୟୁଲେସନ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ପାଶ କଲା ପରେ, କଲିକତାସ୍ଥ ପ୍ରେସିଡ଼େନ୍ସି କଲେଜରେ ରାଜେନ୍ଦ୍ର ପ୍ରସାଦଙ୍କର ଉଚ୍ଚଶିକ୍ଷା ଆରମ୍ଭ ହୋଇଥିଲା । ବିହାରର ଗୋଟିଏ ସାନ ସହରରୁ ଯାଇ ଭାରତର ବୃହତ୍ତମ ନଗରୀ କଲିକତାରେ ତାଙ୍କୁ ପ୍ରଥମେ ଚଳିବାରେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । କଲେଜରେ ନାମ ଲେଖାଇଲା ପରେ ମଧ୍ୟ ସେ ବିହାରୀ ଅଚକନ୍, ପାଇଜାମା ଓ ଟୋପି ପିନ୍ଧୁଥିଲେ । ତେଣୁ ତାଙ୍କୁ ପ୍ରଥମେ ଛାତ୍ରବନ୍ଧୁମାନେ ମୁସଲ୍‍ମାନ୍ ବୋଲି ଭାବୁଥିଲେ । କଲିକତାର ଦୈନନ୍ଦିନ ପରିବର୍ତ୍ତନଶୀଳ ପରିପ୍ରେକ୍ଷୀ ତାଙ୍କ ଛାତ୍ରଜୀବନରେ ଆଦୌ ପ୍ରଭାବ ପକାଇ ପାରି ନ ଥିଲା । କଲେଜଶିକ୍ଷା ପାଇଁ କଲିକତା ଆଗମନ ପୂର୍ବରୁ ତାଙ୍କର ସବୁଠାରୁ ପ୍ରିୟ ଓ ପୂଜ୍ୟ ଶିକ୍ଷକ ରସିକଲାଲ ରାୟ ତାଙ୍କୁ ଉପଦେଶ ଛଳରେ କହିଥିଲେ– ‘‘ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଯେଉଁ କଠିନ ପରିଶ୍ରମ ଦରକାର, କଲିକତାର ଲୋଭନୀୟ ପରିବେଶ ପ୍ରଭାବରେ ସେଥିରୁ ଆଦୌ ନିବର୍ତ୍ତିବ ନାହିଁ । କଲିକତା ଏକ ବିରାଟ ନଗରୀ । ସେଠାରେ ବହୁତ ଚିତ୍ତବିନୋଦନ ତଥା ବିଭ୍ରାନ୍ତିକର ବ୍ୟବସ୍ଥା ରହିଛି, ଯାହା କି ଆଦର୍ଶ ଛାତ୍ରଜୀବନର ପରିପନ୍ଥୀ । ତୁମେ ଏ ସବୁଥିରୁ ନିଜକୁ ଦୂରରେ ରଖିବ ।’’ ଗୁରୁଙ୍କର ଏହି ଉପଦେଶ ରାଜେନ୍ଦ୍ର ପ୍ରସାଦଙ୍କୁ ଛାତ୍ରଜୀବନର ଥିଲା ପ୍ରଧାନ ନିୟାମକ ।

 

କଲିକତାରେ ପହଞ୍ଚିବାର ଠିକ୍ ଅବ୍ୟବହିତ ପରେ ସେ ମେଲେରିଆ ଜ୍ଵରରେ ପୀଡ଼ିତ ହୋଇପଡ଼ିଥିଲେ । ତେଣୁ ତାଙ୍କୁ ଆରୋଗ୍ୟ ପାଇଁ ବହୁ କୁଇନାଇନ ଖାଇବାକୁ ପଡ଼ିଥିଲା । ଜ୍ଵର ଭଲ ହେଲା ସତ; କିନ୍ତୁ କୁଇନାଇନର ଅପପ୍ରଭାବ ତାଙ୍କୁ ଆଜୀବନ ଅଙ୍ଗେ ଲିଭାଇବାକୁ ପଡ଼ିଥିଲା-। ତାହା ଉଲ୍ଲେଖ କରି ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି–‘‘ଜ୍ଵରରୁ ଆରୋଗ୍ୟଲାଭ କରିବାକୁ ମୋତେ ଯେ କେତେ କୁଇନାଇନ ଖାଇବାକୁ ପଡ଼ିଥିଲା, ତାହା ଭଗବାନ ଜାଣନ୍ତି । ପଚିଶ ବର୍ଷ ପରେ ଜଣେ ହୋମିଓପ୍ୟାଥିକ୍‍ ଡାକ୍ତର କହିଥିଲେ ସେ ମୋର ଶ୍ୱାସରୋଗର କାରଣ ହେଉଛି ଛାତ୍ରଜୀବନରେ ଅତ୍ୟଧିକ କୁଇନାଇନ ସେବନ ।’’

 

ସେତେବେଳେ ପ୍ରେସିଡ଼େନ୍‌ସି କଲେଜ ଭାରତର ଅନ୍ୟତମ ଖ୍ୟାତନାମା କଲେଜରୂପେ ପରିଗଣିତ ହେଉଥିଲା । ସେଥିରେ ଡକ୍ଟର ଜେ. ସି. ଘୋଷ, ଡକ୍ଟର ପି. ସି. ରାୟ, ପି. କେ. ରାୟ, ବି. ଏନ୍. ସେନ୍ ଓ ମିଷ୍ଟର ପର୍ସିଭାଲାଙ୍କ ପରି ଖ୍ୟାତନାମା ଶିକ୍ଷାବିତଗଣ ଅଧ୍ୟାପନା କରୁଥିଲେ । ରାଜେନ୍ଦ୍ର ପ୍ରସାଦଙ୍କର ବିଜ୍ଞାନ ପ୍ରତି ଗଭୀର ଶ୍ରଦ୍ଧା ଥିଲା; କିନ୍ତୁ ସେ ଗଣିତରେ ଦୁର୍ବଳ ଥିବାରୁ ବିଜ୍ଞାନ ନ ନେଇ କଳା ନେଇଥିଲେ । ୧୯୫୫ ମସିହାରେ ସେହି କଲେଜର ଶତବାର୍ଷିକୀ ଉତ୍ସବରେ ପୌରୋହିତ୍ୟ କରି ସେ କହିଥିଲେ ଯେ ତାଙ୍କ ପରବର୍ତ୍ତୀ ଜୀବନରେ ସେ ଜନସାଧାରଣଙ୍କର ସେବା ପାଇଁ ଯେଉଁ ସୁଯୋଗ ପାଇଛନ୍ତି, ତାହା ପଛରେ ରହିଛି ଏହି କଲେଜର ତତ୍‍କାଳୀନ ଅଧ୍ୟାପକମାନଙ୍କର ଗଭୀର ଅନୁପ୍ରେରଣା ଓ ମହନୀୟ ଶିକ୍ଷା ।

 

ବିଶ୍ଵବିଦ୍ୟାଳୟରେ ରାଜେନ୍ଦ୍ର ପ୍ରସାଦ ସବୁ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ ଓ ପ୍ରତି ବର୍ଷ ବିଭିନ୍ନ ପ୍ରକାର ବୃତ୍ତି ପାଉଥିଲେ; ତେଣୁ ଘରୁ ଆସୁଥିବା ଟଙ୍କା ଉପରେ ତାଙ୍କୁ ପ୍ରାୟ ନିର୍ଭର କରିବାକୁ ପଡ଼ୁ ନ ଥିଲା । ଏଣେ ଜମିଦାରୀର ପରିଚାଳନାଗତ ବିଭ୍ରାଟ ଯୋଗୁଁ ବେଳେ ବେଳେ ତାଙ୍କ ପିତା ଧାର କରି ଟଙ୍କା ପଠାଉଥିଲେ । ଛାତ୍ରଜୀବନରେ କେବଳ ପୁସ୍ତକକୀଟ ହୋଇ ରହିବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ତାଙ୍କର ସରଳ ଓ ମେଳାପୀ ବ୍ୟବହାର ଯୋଗୁଁ ସେ ଛାତ୍ର ଓ ଶିକ୍ଷକ– ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ତେଣୁ କଲେଜ ୟୁନିୟନର ସେକ୍ରେଟାରୀରୂପେ ବାରମ୍ବାର ନିର୍ବାଚିତ ହୋଇଥିଲେ । ଇଂରାଜୀ-ସାହିତ୍ୟରେ ତାଙ୍କର ଗଭୀର ଅନୁପ୍ରବେଶ ଥିଲା । ଥରେ ତାଙ୍କର ଇଂରାଜୀ ଖାତା ଦେଖି ପରୀକ୍ଷକ ମନ୍ତବ୍ୟ ଦେଇ ଲେଖିଥିଲେ ଯେ ପରୀକ୍ଷାର୍ଥୀ ପରୀକ୍ଷକଙ୍କଠାରୁ ଅଧିକ ଇଂରାଜୀ ଜାଣେ । ଏଥିରୁ ରାଜେନ୍ଦ୍ର ପ୍ରସାଦ କିପରି ମେଧାବୀ ଛାତ୍ର ଥିଲେ, ସହଜରେ ଜଣାପଡ଼େ । ବ୍ୟବହାର ଓ ଚାଲିଚଳନରେ ଅତି ସରଳ ଥିଲେ ମଧ୍ୟ ତାଙ୍କର ମାନସିକ ଦୃଢ଼ତା ଥିଲା ଯଥେଷ୍ଟ । ଛାତ୍ରଜୀବନରୁ ସଂକୀର୍ଣ୍ଣ ଜାତିପ୍ରଥାର ସେ ବିରୋଧ କରୁଥିଲେ । ସେତେବେଳେ ଡକ୍ଟର ଗଣେଶ ପ୍ରସାଦ ୟୁରୋପରୁ ଫେରିଥାନ୍ତି । ଗୋରା ଦେଶରୁ ଫେରିଥିବାରୁ ନିୟମାନୁଯାୟୀ ତାଙ୍କର ପଞ୍ଚଗବ୍ୟ କରିବାର କଥା; କିନ୍ତୁ ସେ ତାହା କରିବାକୁ ରାଜି ହୋଇ ନ ଥିଲେ । ତେଣୁ ତାଙ୍କୁ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଓ ଶେଷରେ ତାଙ୍କୁ ଜାତିରୁ ବାସନ୍ଦ କରାଯାଇଥିଲା । ତାଙ୍କ ସହିତ ବସି ଜାତିର ଅନ୍ୟ କୌଣସି ବ୍ୟକ୍ତି ଭୋଜନ କରିବା ମନା ଥିଲା; କିନ୍ତୁ ଯୁବକ ରାଜେନ୍ଦ୍ର ପ୍ରସାଦ ପ୍ରଥମେ ତାହା ଅବମାନନା କରିଥିଲେ । ତେଣୁ ତାଙ୍କୁ ଜାତିରୁ ବହିଷ୍କାର କରିବାର ଧମକ ଦିଆଯାଇଥିଲା । ପରେ କାୟସ୍ଥ ଜାତିର ଅନେକ ପ୍ରଗତିଶୀଳ ଯୁବକ ରାଜେନ୍ଦ୍ରଙ୍କର ଅନୁସୃତ ନୀତିକୁ ସମର୍ଥନ କରିବାରୁ ଜାତିଆଣ ମନୋଭାବାପନ୍ନ ଉଗ୍ରପନ୍ଥୀମାନେ ପରାସ୍ତ ହୋଇଥିଲେ ।

 

ସେତେବେଳେ ବଙ୍ଗଳା ଶିକ୍ଷା, ସଂସ୍କୃତି ଓ ରାଜନୈତିକ ଚେତନାର ଥିଲା କେନ୍ଦ୍ରସ୍ଥଳୀ । ରାଜା ରାମମୋହନ ରାୟ, ସ୍ଵାମୀ ବିବେକାନନ୍ଦ, ବିଶ୍ୱକବି ରବୀନ୍ଦ୍ରନାଥ ଓ କେଶବଚନ୍ଦ୍ର ସେନଙ୍କର ଆବିର୍ଭାବ ଓ ବିଭିନ୍ନ କ୍ଷେତ୍ରରେ ସସ୍କାରମୂଳକ କାର୍ଯ୍ୟ କେବଳ ଭାରତରେ କାହିଁକି; ଏସିଆ, ୟୁରୋପ ଓ ଆମେରିକା ମହାଦେଶରେ ଚମକ ସୃଷ୍ଟି କରିପାରିଥିଲା । ଦେଶବାସୀଙ୍କର ଆର୍ଥନୀତିକ ଓ ସାମାଜିକ ଜୀବନ ଚଞ୍ଚଳ ହୋଇ ଉଠିଥିଲା । ରାମମୋହନ ରାୟ ଓ କେଶବଚନ୍ଦ୍ର ସେନଙ୍କ ଦ୍ଵାରା ପ୍ରବର୍ତ୍ତିତ ସଂସ୍କାର ହିନ୍ଦୁ ମାନଙ୍କର ସ୍ଵଧର୍ମନିଷ୍ଠା ଓ ଅନ୍ଧାନୁସରଣ ବିରୁଦ୍ଧାଚରଣ କରିଥିଲା । ସ୍ଵାମୀ ବିବେକାନନ୍ଦଙ୍କର ଶକ୍ତି ଓ କର୍ମ ସମ୍ବନ୍ଧୀୟ ପ୍ରଚାର ପରୋକ୍ଷରେ ଏହାର ହୋଇଥିଲା ସହାୟକ । ସ୍ଵାମୀଜୀଙ୍କର ପ୍ରଥମ ଓ ପ୍ରଧାନ ଉପଦେଶ ଥିଲା–‘‘ଯଦି ଦୁନିଆରେ କିଛି ପାପ ଥାଏ, ତାହା ଦୁର୍ବଳତା ବିନା ଅନ୍ୟ କିଛି ନୁହେଁ । ଏହି ଦୁର୍ବଳତାକୁ ଦୂର କରିବାକୁ ପଡ଼ିବ; କାରଣ ଦୁର୍ବଳତା ହେଉଛି ମୃତ୍ୟୁର ପ୍ରଥମ ସୋପାନ । ଯେ କୌଣସି ପଦାର୍ଥ, ତୁମର ଯଦି ମାନସିକ, କାୟିକ ଓ ଅଧ୍ୟାତ୍ମିକ ଦୁର୍ବଳତା ଆଣିଦିଏ, ତାହାହେଲେ ତାକୁ ହଳାହଳ ତୁଲ୍ୟ ବର୍ଜନ କର । ସତ୍ୟ ହେଉଛି ଏକାଧାରରେ ଶକ୍ତି, ପାବନତା ଓ ଜ୍ଞାନ ।’’ ରବୀନ୍ଦ୍ରନାଥ ମଧ୍ୟ ପ୍ରାଚୀନ ଭାରତୀୟ ପରମ୍ପରା, ସଂସ୍କୃତି ଓ ଶିକ୍ଷାର ବିକାଶ ପାଇଁ ଗଠନମୂଳକ ଚେଷ୍ଟା କଲେ । ୧୯୦୫ରେ ‘ବଙ୍ଗବିଚ୍ଛେଦ’ ଭାରତରେ ଅନ୍ୟ ଏକ ରାଜନୈତିକ ଝଞ୍ଜାର ସୂତ୍ରପାତ କରିଥିଲା । ସୁରେନ୍ଦ୍ରନାଥ ବାନାର୍ଜୀ, ବପିନବହାରୀ ପାଲ ସେମାନଙ୍କର ନିର୍ଭୟ ଚିତ୍ତତା ଓ ଓଜସ୍ଵିନୀ ବକ୍ତୃତା ବଳରେ ଏହାର ପ୍ରତିରୋଧ କରିଥିଲେ । ମାତୃଭୂମିର ବହୁ ଉପାସକ ତତ୍‍କାଳୀନ ସରକାରଙ୍କ ବିରୁଦ୍ଧରେ ମୁଣ୍ଡଟେକି ଉଠିଥିଲେ । ବୈପ୍ଳବିକ ଚିନ୍ତାଧାରାର ପରିପ୍ରକାଶ ପାଇଁ ବି.ଦତ୍ତଙ୍କର ସମ୍ପାଦକତ୍ଵରେ ଆତ୍ମପ୍ରକାଶ କରିଥିଲା ମାସିକ ପତ୍ରିକା ‘ଯୁଗାନ୍ତର’ । ଅରବିନ୍ଦ ଘୋଷଙ୍କର ‘ବନ୍ଦେମାତରମ୍’ ଦେଶବାସୀଙ୍କ ମନରେ ସ୍ୱଦେଶୀ ଆନ୍ଦୋଳନର ବୀଜବପନ କରିଥିଲା । ଏଥିପାଇଁ ଅରବିନ୍ଦଙ୍କୁ ୧୯୦୬ ଓ ୧୯୧୦ ମସିହାରେ ତିନି ଥର କାରାବରଣ କରିବାକୁ ପଡ଼ିଥିଲା । ୧୯୦୮ ମସିହାରେ ସେ ଦୀର୍ଘ ଏକ ବର୍ଷ କାରାଜୀବନ ଯାପନ କରିଥିଲେ । ୧୯୧୦ ମସିହାରେ ସେ ପଣ୍ଡିଚେରୀ ଯାଇ ସେଠାରେ ଆଶ୍ରମ ସ୍ଥାପନ କରି ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ ।

 

ଗୋରା ସରକାରଙ୍କ ବିରୁଦ୍ଧରେ ଦେଶସାରା କ୍ରମେ ଅଶାନ୍ତି ଘନୀଭୂତ ହୋଇ ଉଠିଲା । ଦେଶର ନେତୃବୃନ୍ଦ ସରକାରଙ୍କ ବିରୁଦ୍ଧରେ ସଂଗ୍ରାମ ପାଇଁ ସ୍ଵଦେଶୀ ଆନ୍ଦୋଳନକୁ ଅମୋଘ ଅସ୍ତ୍ରରୂପେ ବ୍ୟବହାର କଲେ । ବିଦେଶୀ ତିଆରି ଜିନିଷ ବର୍ଜନ କରାଗଲା । ବଙ୍ଗଳାରେ ଏହି ଆନ୍ଦୋଳନ ଦାବାଗ୍ନି ପରି ବ୍ୟାପିଗଲା । ଛାତ୍ର ରାଜେନ୍ଦ୍ର ପ୍ରସାଦଙ୍କ ମନରେ ଏହି ଆନ୍ଦୋଳନ ଏପରି ଗଭୀର ରେଖାପାତ କରିଥିଲା ଯେ ସେହିଦିନୁ ସେ ଆଉ ବିଦେଶୀ ଜିନିଷ ବ୍ୟବହାର କରିବେ ନାହିଁ ବୋଲି ଶପଥ ଗ୍ରହଣ କରିଥିଲେ ଓ ଶେଷଜୀବନ ପର୍ଯ୍ୟନ୍ତ ତାହା ବଜାୟ ରଖିଥିଲେ । କ୍ରମେ ଗଠନମୂଳକ କାମ ଆଡ଼କୁ ତାଙ୍କ ମନ ଢଳିପଡ଼ିଥିଲା । ସ୍ଵାମୀ ବିବେକାନନ୍ଦଙ୍କର ଜନୈକ ସମସାମୟିକ କର୍ମୀ ଶ୍ରୀ ସତୀଶଚନ୍ଦ୍ର ମୁଖାର୍ଜୀଙ୍କର ରଚନାତ୍ମକ କାର୍ଯ୍ୟ ତାଙ୍କ ମନକୁ ଅଧିକ ଆକର୍ଷଣ କଲା । ଛାତ୍ରସମାଜର ଚାରିତ୍ରିକ ବିକାଶ ପାଇଁ ସେ ‘ଡନ୍‍ ସୋସାଇଟି’ ନାମରେ ଏକ ଅନୁଷ୍ଠାନ ଗଢ଼ିଥିଲେ । ଏଥିପାଇଁ ତାଙ୍କୁ ଶ୍ରୀ ଏନ୍.ଏନ୍. ରାୟ, ଭଉଣୀ ନିବେଦିତା ଇତ୍ୟାଦି ସକ୍ରିୟ ସାହାଯ୍ୟ ଓ ସମର୍ଥନ କରିଥିଲେ । ଏହି ଅନୁଷ୍ଠାନରେ ରାଜେନ୍ଦ୍ର ପ୍ରସାଦ ଥିଲେ ଅନ୍ୟତମ ସଭ୍ୟ । ଅନୁଷ୍ଠାନର ବିଭିନ୍ନ ବିକାଶମୂଳକ କ୍ରିୟାକଳାପ ଓ ସମାଜସେବୀମାନଙ୍କର ନିୟମିତ ବକ୍ତୃତା ସମାଜସେବାଲାଗି କ୍ରମେ ତାଙ୍କର ଆସକ୍ତି ବଢ଼ାଇଥିଲା । କଲିକତାର ବିଭିନ୍ନ ଅନୁଷ୍ଠାନରେ ଥିବା ବିହାରୀ ଛାତ୍ରମାନଙ୍କୁ ନେଇ ସେ ‘ବିହାରୀ କ୍ଲବ୍’ ନାମରେ ଗୋଟିଏ କ୍ଳବ ଗଢ଼ିଥିଲେ । ୧୯୦୬ ମସିହାରେ ସେ ପାଟନାଠାରେ ବିହାରୀ ଛାତ୍ର ସମ୍ମିଳନୀର ପ୍ରଥମ ଅଧିବେଶନ ଡାକିଥିଲେ । ଏହାଦ୍ଵାରା ଛାତ୍ରସମାଜରେ ଗଠନମୂଳକ ମନୋଭାବ ବୃଦ୍ଧି ପାଇଥିଲା ଓ ପରସ୍ପର ମଧ୍ୟରେ ଭାବବିନିମୟ ସହଜ ହୋଇପଡ଼ିଥିଲା ।

 

୧୯୦୬ ମସିହାରେ ରାଜେନ୍ଦ୍ର ପ୍ରସାଦ କଲିକତା ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ବି. ଏ. ପାଶ କରିଥିଲେ । ସାଧାରଣ ସ୍ତରର ସରକାରୀ ଚାକିରୀ ତାଙ୍କ ପସନ୍ଦକୁ ଆସି ନ ଥିଲା; କିନ୍ତୁ ଆଇ.ସି.ଏସ୍. ଚାକିରି ପାଇଁ ତାଙ୍କର ଯଥେଷ୍ଟ ମୋହ ଓ ଆସକ୍ତି ଥିଲା । ଏହି ଚାକିରିରେ ପ୍ରବେଶ କରିବା ପୂର୍ବରୁ ଲଣ୍ଡନରେ ଏକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ପଡ଼ୁଥିଲା । ଲଣ୍ଡନ ଯାଇ ଏହି ପରୀକ୍ଷାରେ ଯୋଗଦେବାକୁ ସେ ସ୍ଥିର କରିଥିଲେ । ତାଙ୍କର ଭାଇ ଓ ଅନେକ ବନ୍ଧୁ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ । ଅନେକେ ମଧ୍ୟ ଆର୍ଥିକ ସାହାଯ୍ୟ ଦେବାକୁ ସ୍ଵୀକୃତି ଦେଇଥିଲେ; କିନ୍ତୁ ପରିବାରର ମୁଖିଆ ଲୋକେ ଏହି ପ୍ରସ୍ତାବକୁ ଆଦୌ ସମର୍ଥନ କରି ନ ଥିଲେ । ‘ବାପା ଅତିଶୟ ବେମାର’–ଏହି ମର୍ମରେ ଟେଲିଗ୍ରାମ ପଠାଇ ତାଙ୍କୁ କଲିକତାରୁ ଡକାଇ ନିଆଯାଇଥିଲା । ପିତା ତାଙ୍କୁ ଆଦୌ ବିଦେଶକୁ ଛାଡ଼ିଦେବେ ନାହିଁ ବୋଲି ଶେଷ ସିଦ୍ଧାନ୍ତ ଜଣାଇଦେଲେ ଓ ଘରେ ସମସ୍ତେ କାନ୍ଦିବାକୁ ଲାଗିଲେ । ରାଜେନ୍ଦ୍ର ଥିଲେ ଅତ୍ୟନ୍ତ ବାଧ୍ୟ । ସେ କେବେହେଲେ ଗୁରୁଜନଙ୍କର କଥା ଅମାନ୍ୟ କରି ସେମାନଙ୍କ ମନରେ ଆଘାତ ଦେଉ ନ ଥିଲେ, ତେଣୁ ସେ ତାଙ୍କର ସେହି ଆକର୍ଷଣୀୟ ସିଦ୍ଧାନ୍ତରୁ କ୍ଷାନ୍ତ ହୋଇଥିଲେ ।

 

ଓକିଲାତି

 

୧୯୦୮ ମସିହାରେ ସେ ଏମ୍.ଏ. ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ତାଙ୍କ ଛାତ୍ରଜୀବନର ଉଜ୍ଵଳ ପରମ୍ପରା ବଜାୟ ରଖିଥିଲେ । ତା ପରେ ମୁଜାଫରପୁର କଲେଜରେ ତାଙ୍କୁ କିଛିଦିନ ଆଧ୍ୟାପକ ହେବାକୁ ପଡ଼ିଥିଲା; କିନ୍ତୁ ତାଙ୍କୁ ଶିକ୍ଷକତା ଭଲ ଲାଗିଲା ନାହିଁ । ବଡ଼ଭାଇଙ୍କ ନିର୍ଦ୍ଦେଶକ୍ରମେ ସେ ଅଧ୍ୟାପନା କାର୍ଯ୍ୟ ଛାଡ଼ି ଆଇନ କଲେଜରେ ନାମ ଲେଖାଇଲେ । ଆଇନ-ବିଦ୍ୟାରେ କୃତିତ୍ଵ ସହକାରେ ଡିଗ୍ରୀ ହାସଲ କଲା ପରେ ୧୯୧୧ ମସିହାରେ ସେ କଲିକତା ହାଇକୋର୍ଟରେ ଓକିଲାତି ଆରମ୍ଭ କଲେ । ପାଟନାରେ ହାଇକୋର୍ଟ ଖୋଲିବାରୁ ତାଙ୍କୁ କଲିକତା ଛାଡ଼ି ପାଟନା ଆସିବାକୁ ପଡ଼ିଲା । ଆଇନ-ବ୍ୟବସାୟୀ ହିସାବରେ ତାଙ୍କର ଖୁବ୍‍ ସୁନାମ ଥିଲା । ଏହି ବ୍ୟବସାୟରୁ ମାସିକ ଅନ୍ୟୁନ ପନ୍ଦର ହଜାର ଟଙ୍କା ସେ ରୋଜଗାର କରୁଥିଲେ । କିଛିଦିନ ଦକ୍ଷତାର ସହ ଓକିଲାତି କଲାପରେ ଥରେ ସେ କଲିକତା ଯାଇଥାନ୍ତି । ନବପ୍ରତିଷ୍ଠିତ ଭାରତ ସେବକ ସମାଜର ନୂତନ ତଥା ପ୍ରବୀଣ ସଭ୍ୟ ସଂଗ୍ରହ କରିବା ପାଇଁ ସେତେବେଳେ କଲିକତା ଆସିଥାନ୍ତି ଗୋପାଳକୃଷ୍ଣ ଗୋଖଲେ । ସେଇଠି ରାଜେନ୍ଦ୍ର ପ୍ରସାଦ ତାଙ୍କୁ ସାକ୍ଷାତ କରିଥିଲେ । କଥାବାର୍ତ୍ତା ଛଳରେ ଗୋଖଲେ ତାଙ୍କୁ କହିଥିଲେ–‘‘ଦେଶ ବର୍ତ୍ତମାନ ଆପଣଙ୍କ ପରି ଲୋକ ଚାହେଁ । ଆସନ୍ତୁ, ଭାରତ ସେବକ ସମାଜରେ ଯୋଗଦାନ କରନ୍ତୁ ।’’ ଏହି ନିବେଦନ ଚିନ୍ତାଶୀଳ ରାଜେନ୍ଦ୍ରଙ୍କ ମନରେ ଯଥେଷ୍ଟ ଆଲୋଡ଼ନ ସୃଷ୍ଟି କରିଥିଲା । ଗୋଟିଏ ଦିଗରେ ପରିବାରର ଆକର୍ଷଣ, ଅର୍ଥାଗମର ମୋହ ଓ ବିରାଟ ଉଜ୍ଜ୍ଵଳ ଭବିଷ୍ୟତ; ଆଉ ଅନ୍ୟ ଦିଗରେ ସ୍ଵଦେଶର ଅଭ୍ୟୁତ୍‍ଥାନ ପାଇଁ ନିରଳସ, ନିସ୍ଵାର୍ଥପର ସେବା ଓ ସାଧନା–ଏହି ଦୁଇ ଆହ୍ୱାନର ସମ୍ମୁଖୀନ ହୋଇ ସେ କିଛିଦିନ ପାଇଁ କୌଣସି ମୀମାଂସା କରିପାରି ନ ଥିଲେ । ପୁନଶ୍ଚ ଏଣେ ନିଜ ଜମିଦାରୀରୁ ଆୟ କ୍ରମେ କମିଆସିବାରୁ ଘରେ ସମସ୍ତଙ୍କର ଆଶାଭରସା ତାଙ୍କରିଠାରେ କେନ୍ଦ୍ରୀଭୂତ ହୋଇଥିଲା । ଏହିପରି ପରିସ୍ଥିତି ତାଙ୍କୁ ଖୁବ୍ ସାହସିକତାର ସହ ମୁକାବିଲା କରିବାକୁ ପଡ଼ିଥିଲା । ପାଖ ଘରେ ରହୁଥିବା ବଡ଼ଭାଇଙ୍କୁ ସେ ତାଙ୍କର ସେବକ ସମାଜରେ ଯୋଗଦେବା ସିଦ୍ଧାନ୍ତ ମୌଖିକଭାବରେ ନ ଜଣାଇ ଲିଖିତ ଅନୁରୋଧ ଜଣାଇ ଅନୁମତି ମାଗିଥିଲେ । ସେହି ଚିଠିରେ ସେ ଲେଖିଥିଲେ–‘‘ଦେଶସେବା ବ୍ୟତୀତ ମୋ ମନରେ ବର୍ତ୍ତମାନ ଆଉ କୌଣସି ବାସନା ନାହିଁ । ଧନର ଲାଳସା କିମ୍ବା ଦାରିଦ୍ର୍ୟର ଘନଘଟା ମୋତେ ମୋ ସିଦ୍ଧାନ୍ତରୁ ନିବର୍ତ୍ତାଇ ପାରିବ ନାହିଁ-। ପରିବାର ମୋ ଉପରେ ଆଉ ନିର୍ଭର କରିବା ଉଚିତ ନୁହେଁ ।’’

 

ଭାଇ ସେ ଚିଠିଟି ପଢ଼ି କାନ୍ଦିବାକୁ ଲାଗିଲେ । ଦୁଇ ଭାଇଙ୍କ ମଧ୍ୟରେ କୌଣସି ସିଦ୍ଧାନ୍ତ ଗ୍ରହଣ କରାଯାଇ ପାରିଲା ନାହିଁ । ମା’ଙ୍କୁ ପଚାରିଲେ । ମା’ ମଧ୍ୟ ଦୁଃଖରେ ନୀରବ ରହିଲେ; କିନ୍ତୁ ଘରର ପରିଚାଳିକା ଭଉଣୀ ଭଗବତୀ ଏହି ପ୍ରସ୍ତାବରେ ଆଦୌ ରାଜି ହେଲେ ନାହିଁ । ସେ କହିଲେ–‘‘ତୁ ବିଦେଶକୁ ଯିବାକୁ କହି ଥରେ ଏହିପରି ଅଶାନ୍ତି ସୃଷ୍ଟି କରିଥିଲୁ । ପିତାଜୀ ଏହା ଶୁଣି ରୋଗାକ୍ରାନ୍ତ ହୋଇପଡ଼ିଥିଲେ; କିନ୍ତୁ ପୁଣି ଏ କଥା ଶୁଣିଲେ ସେ ଆଉ ବଞ୍ଚିବେ ନାହିଁ ।’’ ଏହା କହି ସେ କାନ୍ଦିବାକୁ ଲାଗିଲେ । ଏପରି ପରିସ୍ଥିତିର ତୀବ୍ର ଦଂଶନ ରାଜେନ୍ଦ୍ରଙ୍କୁ ତାଙ୍କ ଦୃଢ଼ ସିଦ୍ଧାନ୍ତରୁ ଓହରାଇ ଆଣିଥିଲା ।

 

କଲିକତା ହାଇକୋର୍ଟର ଜଜ୍ ଶ୍ରୀ ଆଶୁତୋଷ ଓ ମୁଖାର୍ଜୀ, ଖ୍ୟାତନାମା ଓକିଲ ଖାଁ ବାହାଦୁର୍ ଶାମ୍‍ସୁଲ୍ ହୁଦା, ଡକ୍ଟର ରାସବିହାରୀ ଘୋଷ ପ୍ରମୁଖ ରାଜେନ୍ଦ୍ର ପ୍ରସାଦଙ୍କୁ ଆଇନଜୀବୀ ହିସାବରେ ଉଚ୍ଚ ପ୍ରଶଂସା କରୁଥିଲେ । ଶ୍ରୀ ଆଶୁତୋଷ ମୁଖାର୍ଜୀ ଯେତେବଳେ କଲିକତା ବିଶ୍ୱବିଦ୍ୟାଳୟର କୁଳପତି ହେଲେ, ସେତେବେଳେ ସେ ରାଜେନ୍ଦ୍ର ପ୍ରସାଦଙ୍କୁ କଲିକତା ଆଇନ କଲେଜର ଅଧ୍ୟାପକରୂପେ ନିଯୁକ୍ତି ଦେଇଥିଲେ । ଡକ୍ଟର ରାସବିହାରୀ ଘୋଷ ରାଜେନ୍ଦ୍ର ପ୍ରସାଦଙ୍କର ମେଧା ଓ ଅଧ୍ୟବସାୟକୁ ପ୍ରଶଂସା କରି କହିଥିଲେ–“You will go very far’’ । ଡକ୍ଟର ଘୋଷଙ୍କର ଭକ୍ତି ଦିନେ ସତ୍ୟରେ ପରିଣତ ହୋଇଥିଲା । ଆଇନଜୀବୀ ହିସାବରେ ରାଜେନ୍ଦ୍ର ପ୍ରସାଦଙ୍କୁ ଜଜ୍ ଓ ମହକିଲମାନେ ସର୍ବଦା ସ୍ନେହ ଓ ଭକ୍ତି କରୁଥିଲେ; କାରଣ ଆଇନଶାସ୍ତ୍ରରେ ତାଙ୍କର ଅସାଧାରଣ ପାଣ୍ଡିତ୍ୟ, ଜେରାରେ ବିଜ୍ଞାନସମ୍ମତ ଯୁକ୍ତି ଓ ସାଧୁତା ଇତ୍ୟାଦି ବହୁ ସଦ୍‍ଗୁଣ ଥିଲା । ଅର୍ଥଲାଳସାରେ ମହକିଲମାନଙ୍କୁ ସେ ଆଦୌ ହଇରାଣ କରୁ ନ ଥିଲେ । ଆତ୍ମଜୀବନୀରେ ତାହା ଉଲ୍ଲେଖ କରି ସେ ଲେଖିଛନ୍ତି–‘‘ଉପଯୁକ୍ତ ଜେରା ନ ହୋଇପାରୁଥିବା ମୋକଦ୍ଦମା ମୁଁ ଆଦୌ ଗ୍ରହଣ କରୁ ନ ଥିଲି; ବରଂ ମହକିଲମାନଙ୍କୁ ସେପରି ମୋକଦ୍ଦମା ଦାଏର୍ ନ କରିବାକୁ ଉପଦେଶ ଦେଉଥିଲି ।’’

 

୧୯୧୫ ମସିହାରେ ରାଜେନ୍ଦ୍ର ପ୍ରସାଦ ଆଇନରେ ପ୍ରଥମ ଶ୍ରେଣୀରେ ଏମ୍. ଏ. ପାଶ କଲେ । ପାଟନା ହାଇକୋର୍ଟରେ ମଧ୍ୟ ଆଡ଼୍‌ଭୋକେଟ୍ ହିସାବରେ ସେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଅଧ୍ୟୟନ ଓ ନିଜ ଆଇନ-ବ୍ୟବସାୟରେ ବ୍ୟସ୍ତ ରହୁଥିଲେ-। ଆଇନଶାସ୍ତ୍ରରେ ତାଙ୍କର ଅଗାଧ ପାଣ୍ଡିତ୍ୟଯୋଗୁଁ ଏଲାହାବାଦ ବିଶ୍ଵବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟର ଉପାଧି ମିଳିଥିଲା । ପରୋପକାର ପାଇଁ ଦାନ କରିବାରେ ସେ ଥିଲେ ମୁକ୍ତହସ୍ତ । ମଣିଷର ପ୍ରବୃତ୍ତି ଓ ଆସକ୍ତି ପରିସ୍ଥିତି ଚାପରେ କିୟତ୍‍କାଳ ପାଇଁ ଦବିଯାଇପାରେ; କିନ୍ତୁ ସମୟ ଓ ସୁବିଧା ପାଇଲେ ସେ ପୁଣି ହୋଇଉଠେ ଉଜ୍ଜୀବିତ । ସେହିପରି ରାଜେନ୍ଦ୍ର ପ୍ରସାଦଙ୍କର ପରିଶୁଦ୍ଧ ବାସନା– ଦେଶମାତୃକାର ସେବା କ୍ରମେ ସମୟ ଓ ସୁଯୋଗ ପାଇ ଉଜ୍ଜୀବିତ ହୋଇଉଠିଲା । କ୍ରମେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବାକୁ ସେ ଆଗଭର ହୋଇ ବାହାରି ପଡ଼ିଲେ ।

Image

 

ରାଜନୀତିକ ଜୀବନ

 

୧୯୦୬ ମସିହାରେ କଲିକତାଠାରେ ଦାଦାଭାଇ ନରୋଜୀଙ୍କ ସଭାପତିତ୍ଵରେ ଜାତୀୟ କଂଗ୍ରେସର ଏକ ମହତ୍ତ୍ଵପୂର୍ଣ୍ଣ ଅଧିବେଶନ ବସିଥାଏ । ସେତେବେଳକୁ ରାଜେନ୍ଦ୍ର ପ୍ରସାଦ ବି.ଏ. ପାଶ କରିସାରିଥାନ୍ତି । ସ୍ଵେଚ୍ଛାସେବୀରୂପେ ଅଧିବେଶନରେ କାମ କରିବାର ସୁଯୋଗ ତାଙ୍କୁ ମିଳିଥାଏ; କିନ୍ତୁ ଆଜି ପରି ଜାତୀୟ କଂଗ୍ରେସ ଏତେ ବିସ୍ତୃତ ଓ ଶକ୍ତିଶାଳୀ ନ ଥାଏ । ଏହି କଂଗ୍ରେସର ଇତିହାସ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ ୧୮୮୫ ମସିହାରୁ ୧୯୦୦ ମସିହା ପର୍ଯ୍ୟନ୍ତ ଏହାର ରାଜନୀତିକ ଗୁରୁତ୍ଵ ସେତେ ନ ଥିଲା । ଗାନ୍ଧିଜୀ ପ୍ରଥମ ଥର ପାଇଁ କଂଗ୍ରେସର ୧୯୦୧ ମସିହା ଅଧିବେଶନରେ ଯୋଗଦେଇଥିଲେ । ଦକ୍ଷିଣ–ଆଫ୍ରିକାର ଭାରତୀୟମାନଙ୍କ ସମ୍ବନ୍ଧରେ ଏକ ପ୍ରସ୍ତାବ ଅନୁମୋଦିତ କରାଇବାପାଇଁ ତାଙ୍କୁ ମାତ୍ର ପାଞ୍ଚ ମିନିଟ ସମୟ ଦିଆଯାଇଥିଲା; କିନ୍ତୁ ଗାନ୍ଧୀଜୀଙ୍କ ଇଚ୍ଛାମତେ ପ୍ରସ୍ତାବଟି ଅନୁମୋଦିତ ହୋଇପାରି ନ ଥିଲା । ସେଥିରେ ବହୁ ଅନାବଶ୍ୟକ ତଥା ଭ୍ରମାତ୍ମକ ବିଷୟ ସ୍ଥାନ ପାଇବାରୁ ସେ ମର୍ମାହତ ହୋଇପଡ଼ିଥିଲେ । କ୍ରିୟାଶୀଳତା ତଥା ଦୃଢ଼ ସିଦ୍ଧାନ୍ତର ଅଭାବଯୋଗୁଁ କଂଗ୍ରେସ ଏକ ନିଷ୍କ୍ରିୟ ଅନୁଷ୍ଠାନ ହୋଇପଡ଼ିବ ବୋଲି ସେ ଆଶଙ୍କା ପ୍ରକାଶ କରିଥିଲେ । ମହାରାଷ୍ଟ୍ରର ତୁଙ୍ଗନେତା, ବାସ୍ତବବାଦୀ ବାଳଗଙ୍ଗାଧର ତିଳକ, ବଙ୍ଗଳାର ତତ୍କାଳୀନ ମହାନ ବିପ୍ଳବୀ ଅରବିନ୍ଦ ଘୋଷ କଂଗ୍ରେସର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନ ଥିଲେ । ତାଙ୍କ ମତରେ ସେତେବେଳେ ଜାତୀୟ କଂଗ୍ରେସ ଥିଲା ପରାଧୀନ ଭାରତର ଆଶା ଓ ଆକାଙ୍‍କ୍ଷା ପ୍ରକାଶର ଏକ ଆନୁଷ୍ଠାନିକ ମାଧ୍ୟମସ୍ଵରୂପ । ତେଣୁ ସେମାନେ ଏହି କଂଗ୍ରେସ କରିଆରେ ବ୍ରିଟିଶ ସରକାର ବିରୁଦ୍ଧରେ ସଂଘବଦ୍ଧ ଆନ୍ଦୋଳନ କରିବାକୁ ପ୍ରୟାସ କରିଥିଲେ; କିନ୍ତୁ ଫିରୋଜସାହ ମେହେଟ୍ଟା, ଗୋପାଳକୃଷ୍ଣ ଗୋଖଲେ ଓ ସୁରେନ୍ଦ୍ର ନାଥ ବାନାର୍ଜୀ ପ୍ରମୁଖ ଏତେ ଶୀଘ୍ର ଏପରି ପଦକ୍ଷେପକୁ ପସନ୍ଦ କରି ନ ଥିଲେ । କଂଗ୍ରେସର ଏହି ଅଧିବେଶନରେ ସ୍ଥିର କରାଯାଇଥିଲା ଯେ ଜାତୀୟ କଂଗ୍ରେସଦ୍ଵାରା ବ୍ରିଟିଶ ସରକାରଙ୍କ ନିକଟରେ ଦେଶବାସୀଙ୍କର ‘ସ୍ଵରାଜ’ ଦାବୀ ଉପସ୍ଥାପିତ ହେବ । ଯେ ପର୍ଯ୍ୟନ୍ତ ଭାରତବାସୀ ତାଙ୍କର ରାଜନୀତିକ ଅଧିକାର ନ ପାଇଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କର ବିଶ୍ରାମ ନାହିଁ । ବିଦେଶୀ ଜିନିଷ ବର୍ଜନ ଏଥିପାଇଁ ଏକ ଅସ୍ତ୍ରରୂପେ ବ୍ୟବହାର କରାଯିବାର ସ୍ଥିର କରାଗଲା ।

 

ରାଜେନ୍ଦ୍ର ପ୍ରସାଦ କଂଗ୍ରେସର ଏହି ଅଧିବେଶନରେ ସରୋଜିନୀ ନାଇଡ଼ୁ, ପଣ୍ଡିତ ମାଲବ୍ୟ ଓ ଏମ୍. ଏ. ଜିନ୍ନା ପ୍ରମୁଖ ନେତୃବୃନ୍ଦଙ୍କର ଓଜସ୍ଵିନୀ ବକ୍ତୃତା ଶୁଣିବାର ସୁଯୋଗ ପାଇଥିଲେ । କଂଗ୍ରେସର ପରବର୍ତ୍ତୀ ଅଧିବେଶନ ସୁରାଟଠାରେ ବସିଲା । ତିଳକଙ୍କ ସମେତ କେତେକ ନେତା ବିପ୍ଲବ ଜରିଆରେ ଦେଶର ସ୍ଵାଧୀନତା ହାସଲ କରିବାକୁ ଚାହିଁଲେ । ସ୍ଵଦେଶୀ ଆନ୍ଦୋଳନକୁ ଅଧିକ କ୍ରିୟାଶୀଳ କରିବାକୁ ସେ ଦାବୀ କଲେ । ‘କେଶରୀ’ରେ ତିଳକଙ୍କର ନିୟମିତ ଲେଖା ଜରିଆରେ ମହାରାଷ୍ଟ୍ରରେ ସ୍ଵଦେଶୀ ଆନ୍ଦୋଳନ ଅଧିକ ବଳବତ୍ତର ହୋଇଉଠିଲା । ତାଙ୍କର ଏହି ପ୍ରକାର ବିଦ୍ରୋହାତ୍ମକ ଲେଖାଯୋଗୁଁ ତାଙ୍କୁ ନିରବଚ୍ଛିନ୍ନ ଅଠର ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା । କଂଗ୍ରେସର ସୁଧାରବାଦୀ ସଭ୍ୟଙ୍କ ପରିପୋଷିତ ନୀତି–‘Petition, Protest and Prayer’ କୁ ସେ ସମାଲୋଚନା କରୁଥିଲେ । ସେ ସ୍ଥିର କରିଥିଲେ ଯେ ସଂଗଠିତ ଗଣଦାବୀ ଦ୍ଵାରା ହିଁ ବ୍ରିଟିଶ ସରକାରଙ୍କ ଉପରେ ଯଥେଷ୍ଟ ଚାପ ପକାଯାଇ ପାରିବ; କିନ୍ତୁ କଂଗ୍ରେସର ଅନ୍ୟତମ ନେତା ଅରବିନ୍ଦ ଘୋଷ ଥିଲେ ତାଙ୍କ ମଧ୍ୟରେ ଟିକିଏ ଉଗ୍ରପନ୍ଥୀ । ସଶସ୍ତ୍ର ବିପ୍ଳବ ବିନା ଦେଶର ସ୍ଵାଧୀନତା ହାସଲ କରାଯାଇ ପାରିବ ନାହିଁ ବୋଲି ସେ ବିଶ୍ଵାସ କରୁଥିଲେ ଓ ତାହା ମୁକ୍ତକଣ୍ଠରେ ଦେଶବାସୀଙ୍କୁ ଜଣାଇ ଦେଇଥିଲେ; ତେଣୁ ତାଙ୍କୁ ୧୯୦୮ରୁ ୧୯୧୦ ମସିହା ମଧ୍ୟରେ ତିନି ଥର କାରାବରଣ କରିବାକୁ ପଡ଼ିଥିଲା ।

 

ବର୍ଷକ ପରେ ମାଣିକତୋଳା ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯାଇ ସ୍ପଷ୍ଟବାଦୀ ବାଳଗଙ୍ଗାଧର ତିଳକଙ୍କୁ ଦୀର୍ଘ ଆଠ ବର୍ଷ ପାଇଁ କାରାଦଣ୍ଡ ଆଦେଶ ହୋଇଥିଲା । ପଞ୍ଜାବକେଶରୀ ଲାଲାଜୀଙ୍କୁ ମଧ୍ୟ ନିର୍ବାସନ-ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ସେହି ସମୟକୁ ଭାରତରେ ଜାତୀୟ ଆନ୍ଦୋଳନ ପାଇଁ ବୀଜବପନର ଉପଯୁକ୍ତ ସମୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଠିକ୍ ସେହି ସମୟରେ ରାଜେନ୍ଦ୍ର ପ୍ରସାଦ କଂଗ୍ରେସରେ ଯୋଗ ଦେଇଥିଲେ ଓ ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟରୂପେ ନିର୍ବାଚିତ ହୋଇଥିଲେ । ତିଳକ, ଲଜ୍‍ପତ ରାୟ ପ୍ରମୁଖ ନେତୃବର୍ଗଙ୍କର ଅନୁପସ୍ଥିତି ସେତେବେଳେ ଜାତୀୟ କଂଗ୍ରେସକୁ କିୟଦାଂଶରେ ନିଷ୍କ୍ରିୟ କରି ପକାଇଥିଲା । ୧୯୧୨ ମସିହାରେ କଂଗ୍ରେସର ବାଙ୍କିପୁର ଅଧିବେଶନରେ ଜବାହରଲାଲ ନେହରୁଙ୍କ ସମତେ ବହୁ ଉଚ୍ଚଶିକ୍ଷିତ କଂଗ୍ରେସ ସଭ୍ୟ ଯୋଗ ଦେଇଥିଲେ ମଧ୍ୟ ୧୯୧୪ ମସିହା ପର୍ଯ୍ୟନ୍ତ ଜାତୀୟ କଂଗ୍ରେସରେ ସେପରି କିଛି ପରିବର୍ତ୍ତନ ପରିଲିକ୍ଷିତ ହୋଇନଥିଲା । ଏଣେ ପୃଥିବୀ ମହାସମର ଆରମ୍ଭ ହେବାରୁ ଗୋରା ସରକାରଙ୍କ ପ୍ରତି ଜନସାଧାରଣଙ୍କର ବିଦ୍ଵେଷ ବୃଦ୍ଧି ପାଇବାକୁ ଲାଗିଲା; କିନ୍ତୁ ପ୍ରଭୁଭକ୍ତ ରାଜାରାଜୁଡ଼ାମାନେ ଚାନ୍ଦା ଉଠାଇ ଯୁଦ୍ଧ ପାଇଁ ବ୍ରିଟିଶ ସରକାରଙ୍କୁ ସାହାଯ୍ୟ ଦେବାକୁ ଲାଗିପଡ଼ିଲେ । ଧନ ଓ ଜନ ଉଭୟ ସାହାଯ୍ୟ ପାଇଁ ଲୋକଙ୍କ ଉପରେ ସରକାରୀ ଚାପ ପଡ଼ିଲା । ସୈନ୍ୟମାନଙ୍କର ଖାଦ୍ୟପଦାର୍ଥର ଚାହିଦା କ୍ରମେ ବଢ଼ିବାରୁ ଜିନିଷପତ୍ରର ଦରଦାମ ସେହି ଅନୁଯାୟୀ ବୃଦ୍ଧି ପାଇବାକୁ ଲାଗିଲା । ଲୋକେ ଅଭାବ ଓ ଅଶାନ୍ତିରେ କାଳାତିପାତ କଲେ । ସତ୍ୟସମ୍ବାଦ ଓ ଅଭିମତ ପ୍ରକାଶ କରିବାକୁ ସୁଯୋଗ ଦିଆଗଲା ନାହିଁ । ଏ ଦିଗରେ ଯେଉଁମାନେ ନିର୍ଭୟମନା ହେଲେ, ସେମାନଙ୍କୁ ଭାରତରକ୍ଷା ଆଇନ ବଳରେ ଗିରଫ୍ କରାଯାଇ କାରାଦଣ୍ଡରେ ଦଣ୍ଡିତ କରାଗଲା । ଏହିପରି ଅନ୍ତର୍ଦାହୀ ପରସ୍ଥିତିର ସମ୍ମୁଖୀନ ହୋଇ ଜାତୀୟ କଂଗ୍ରେସର ସୁଧାରବାଦୀ ସଭ୍ୟଗୋଷ୍ଠୀ ଆଶାଜନକ ଭାବେ ଅଗ୍ରଗତି କରି ପାରି ନଥିଲେ । ୧୯୧୪ ମସିହାର ଠିକ୍ ମଧ୍ୟଭାଗରେ ବାଳଗଙ୍ଗାଧର ତିଳକ କାରାମୁକ୍ତ ହୋଇ ତାଙ୍କର କର୍ମକ୍ଷେତ୍ରରେ ଯୋଗଦେଲେ । ଦୀର୍ଘ କାରାଦଣ୍ଡ ଭୋଗିଥିଲେ ମଧ୍ୟ ତାଙ୍କର ମାନସିକ ଦୃଢ଼ତା ଓ ସିଦ୍ଧାନ୍ତରେ ସେ ଥିଲେ ଅଟଳ । ବନ୍ଦୀଜୀବନରେ ଭଗବତ୍ ଗୀତାର ସେ ଯେଉଁ ଭାଷ୍ୟ ରଚନା କରିଥିଲେ, ତାହା ଭାରତୀୟ ସାହିତ୍ୟର ଏକ ଅମୂଲ୍ୟ ସମ୍ପଦ । ସେଥିରେ ସେ ଫଳପ୍ରାପ୍ତିର ଆଶା ନ ରଖି ସାହସିକତା ସହକାରେ କର୍ମ କରିଯିବାର ମହତ୍ତ୍ଵ ପ୍ରତିପାଦନ କରିଅଛନ୍ତି ଓ ଆଦର୍ଶ ସାମାଜିକ ତଥା ରାଜନୀତିକ ଜୀବନ ଉପରେ ଆଲୋକପତ କରିଅଛନ୍ତି ।

 

୧୯୧୫ ମସିହା ଫେବୃୟାରୀ ମାସରେ ଗୋଖଲେଙ୍କର ମୃତ୍ୟୁ ହେବାରୁ ତାଙ୍କର ନିର୍ଦ୍ଧାରିତ କର୍ମଯୋଜନା ପୂରଣ କରିବାର ଦାୟିତ୍ଵ ବାଳଗଙ୍ଗାଧର ତିଳକଙ୍କ ଉପରେ ପଡ଼ିଲା । ବ୍ରିଟିଶ ସରକାର ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରିବା ପାଇଁ ମୁସଲମାନମାନଙ୍କୁ ସ୍ଵତନ୍ତ୍ର ନର୍ବାଚନ ମଣ୍ଡଳୀ ଗଢ଼ିବାର ସ୍ଵତନ୍ତ୍ର ସୁବିଧା ଦେଲେ । ପ୍ରଥମେ କିଛିଦିନ ପାଇଁ ସରକାରଙ୍କର ଏହି କୂଟନୀତି ଫଳପ୍ରସୂ ହୋଇ ପାରି ନଥିଲା । ସେହି ବର୍ଷ ଉଭୟେ କଂଗ୍ରେସ ଓ ମୁସଲିମ୍ ଲିଗ୍ ସେମାନଙ୍କର ବାର୍ଷିକ ଅଧିବେଶନ ବମ୍ବେଠାରେ ଆୟୋଜନ କରିଥିଲେ । ସିଦ୍ଧାନ୍ତ ହେଲା ଯେ ହିନ୍ଦୁ ଓ ମୁସଲମାନ ଉଭୟେ ସରକାରଙ୍କ ବିରୁଦ୍ଧରେ ମିଳିତ କାର୍ଯ୍ୟାନୁଷ୍ଠାନ କରିବେ । ତଦନୁଯାୟୀ ସ୍ଵାୟତ୍ତଶାସନ ଦାବି କରାଗଲା । ଏହି ଅବସରରେ ରାଜେନ୍ଦ୍ର ପ୍ରସାଦ ପ୍ରଥମ ଥର ପାଇଁ ଗାନ୍ଧିଜୀଙ୍କୁ ସାକ୍ଷାତ କରିଥିଲେ । ଦକ୍ଷିଣ-ଆଫ୍ରିକାରୁ ଖୁବ୍ ଅଳ୍ପଦିନ ପୂର୍ବରୁ ବାପୁଜୀ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ତାଙ୍କ ପ୍ରତି ଭାରତୀୟ ଜନତାର ଶ୍ରଦ୍ଧା ଓ ସମ୍ମାନ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଥାଏ; କିନ୍ତୁ ସେତେବେଳେ ଜାତୀୟ କଂଗ୍ରେସରେ ତିଳକଙ୍କର ପ୍ରତିଷ୍ଠା ଥାଏ ସର୍ବାଧିକ ।

 

ବାପୁଜୀଙ୍କର ଜନସେବାମୂଳକ କାର୍ଯ୍ୟ ଓ ସତ୍ୟାଗ୍ରହ ଆନ୍ଦୋଳନ ପ୍ରତି ଜନସାଧାରଣଙ୍କର ଆସ୍ଥା କ୍ରମେ ଦୃଢ଼ୀଭୂତ ହେଉଥାଏ । ପ୍ରଥମେ ଚମ୍ପାରନ୍‍ର ନୀଳଚାଷୀମାନଙ୍କ ଉପରେ ଗୋରାମାନଙ୍କର ଅମାନୁଷିକ ଅତ୍ୟାଚାର ଗାନ୍ଧିଜୀଙ୍କର ଦୃଷ୍ଟି ଆକର୍ଷଣ କଲା । ୧୯୧୭ ମସିହା ଅପ୍ରେଲ ମାସରେ ସେ ସେଥିପାଇଁ ଦୁଃସାହସିକ ପଦକ୍ଷେପ ଗ୍ରହଣ କଲେ । ସତ୍ୟାଗ୍ରହ ବଳରେ ଚାଷୀମାନଙ୍କର ନ୍ୟାଯ୍ୟ ଦାବୀ ପୂରଣ ହେଲା । ତେଣୁ ସତ୍ୟାଗ୍ରହକୁ ସେ ଜାତୀୟ ଆନ୍ଦୋଳନରେ ପ୍ରୟୋଗ କରିବାକୁ ସ୍ଥିର କଲେ । ଗାନ୍ଧିଜୀଙ୍କର ଚମ୍ପାରନ୍ ଯାତ୍ରା ଓ କୃଷକମାନଙ୍କ ପାଇଁ ସଂଗଠିତ କାର୍ଯ୍ୟକଳାପ ରାଜେନ୍ଦ୍ର ପ୍ରସାଦଙ୍କ ମନରେ ଅବିସ୍ମରଣୀୟ ପ୍ରଭାବ ପକାଇ ପାରିଥିଲା ।

 

ଚମ୍ପାରନ୍‌ର ନୀଳଚାଷ ବିହାରୀ ଚାଷୀମାନଙ୍କ ପ୍ରତି ଏକ ଅଭିଶାପ କହିଲେ ଅତ୍ୟୁକ୍ତି ହେବ ନାହିଁ । ସପ୍ତଦଶ ଶତାବ୍ଦୀରେ ଇଷ୍ଟ-ଇଣ୍ଡିଆ କମ୍ପାନୀ ଏହି ନୀଳ ରପ୍ତାନି କରିବାର ଦାୟିତ୍ଵ ପ୍ରଥମେ ଗ୍ରହଣ କରିଥିଲେ; କାରଣ ସେତେବେଳେ ବିଦେଶୀ ବଜାରରେ ଏହାର ଚାହିଦା ଥିଲା ସବୁଠାରୁ ବେଶି । ବିଦେଶୀ ବଜାରକୁ ଚା ଓ ନୀଳ ଭାରତ ଏକଚାଟିଆ ଭାବେ ରପ୍ତାନି କରୁଥିଲା । ଗୋରାମାନଙ୍କର ଲୋଲୁପ-ଦୃଷ୍ଟିରୁ ଏହା ରକ୍ଷା ପାଇପାରି ନଥିଲା । କିପରି ଅଧିକ ଅର୍ଥ ଉପାର୍ଜ୍ଜନ କରିବେ, ସେଥିପାଇଁ ଚମ୍ପାରନ୍ ଓ ତାହାର ଆଖପାଖ ଅଞ୍ଚଳରେ ସେମାନେ ବହୁ ନୀଳକାରଖାନା ବସାଇଲେ । ଚାଷୀମାନଙ୍କୁ ଶସ୍ତା ଦରରେ ନୀଳ ଯୋଗାଇବା ପାଇଁ ବାଧ୍ୟ କରାଗଲା ।

 

ଏହାଦ୍ଵାରା ଚାଷୀମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳିଲା ନାହିଁ । ଗୋରାମାନେ ଚମ୍ପାରନ୍ ଅଞ୍ଚଳରେ ବହୁ ଜମି ପଟ୍ଟା ନେଇ ଚାଷୀମାନଙ୍କୁ ନୀଳଚାଷ କରିବାକୁ ବାଧ୍ୟ କଲେ । ତେଣୁ ଚାଷୀମାନଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହେଲା, କାରଣ ନୀଳଚାଷ ଅଧିକ ପରିଶ୍ରମସାପେକ୍ଷ । ତଦନୁଯାୟୀ ସେମାନଙ୍କୁ ପାରିଶ୍ରମିକ ମିଳୁ ନ ଥିଲା । ଗୋରାମାନଙ୍କର ଦୟା ଉପରେ ପାରିଶ୍ରମିକର ପରିମାଣ ନିର୍ଭର କରୁଥିଲା; ତେଣୁ ଏହି ଚାଷ ପାଇଁ ସେମାନେ ଅସମ୍ମତି ପ୍ରକାଶ କରୁଥିଲେ । ଏହି ବିଷୟରେ ଅନୁଧ୍ୟାନ କରିବା ପାଇଁ ଏକ କମିଶନ ବସିଥିଲା । ଏହି କମିଶନ ନିକଟରେ ଚାଷୀମାନେ ସାକ୍ଷ୍ୟ ଦେଇ କହିଥିଲେ–‘‘ଆମ୍ଭମାନଙ୍କର ମୁଣ୍ଡ କଟିଗଲେ ମଧ୍ୟ ଆମେ ନୀଳଚାଷ କରିବାକୁ ରାଜି ନୋହୁଁ । ଯଦି ଏହି ଚାଷ କରିବାକୁ ବାଧ୍ୟ କରାଯାଏ, ତାହାହେଲେ ଯେଉଁ ଦେଶରେ ଏହି ଚାଷ ନ ହେଉଛି, ସେ ଦେଶକୁ ଆମେ ଚାଲିଯିବାକୁ ପ୍ରସ୍ତୁତ । ଆମକୁ ବନ୍ଧୁକ ଗୁଳିରେ ମାରିଦିଅ, କିନ୍ତୁ ନୀଳଚାଷ କରିବାକୁ କୁହ ନାହିଁ ।’’ ଏଥିରୁ ଚାଷୀମାନଙ୍କର ତତ୍‍କାଳୀନ ଦୁରବସ୍ଥା ସହଜରେ ଅନୁମେୟ । ବ୍ରିଟିଶ ସରକାରଙ୍କ ନିକଟରେ ଆପତ୍ତି-ଅଭଯୋଗ ହେଲେ ମଧ୍ୟ ଚାଷୀମାନଙ୍କର ଉନ୍ନତିକଳ୍ପେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଉ ନ ଥିଲା । ଗୋରାମାନଙ୍କ ଅତ୍ୟାଚାର ପ୍ରତି ଜିଲ୍ଲା କର୍ତ୍ତୃପକ୍ଷ ବିମୁଖ ରହୁଥିଲେ; କାରଣ ସେମାନେ ମଧ୍ୟ ଥିଲେ ସେହି ଗୋଷ୍ଠୀର ଅନ୍ତର୍ଭୁକ୍ତ । ଚାଷୀମାନେ ଗୋରାମାନଙ୍କର କଥା ଅମାନ୍ୟ କଲେ ସେମାନଙ୍କୁ ଗୁଳି କରି ଦିଆଯାଉଥିଲା । ପ୍ରାୟ ୯୬ ହଜାର ଏକର ଜମିରେ ନୀଳଚାଷ କରାଯାଉଥିଲା ।

 

୧୯୧୦ ମସିହାରେ ଜର୍ମାନୀରେ କୃତ୍ରିମ ରଙ୍ଗ ଉଦ୍ଭାବନ ଯୋଗୁଁ ଦେଶ ବଜାରରେ ନୀଳର ଚାହିଦା କ୍ରମେ କମିଆସିଲା । ଶତକରା ଟ୪୦ଙ୍କା ଲେଖାଏଁ ଦର ମଧ୍ୟ କମିଗଲା । ବ୍ୟବସାୟରେ କ୍ଷତି ହେବ ଜାଣି ଗୋରାମାନେ ଛୋଟ ଚାଷୀମାନଙ୍କଠାରୁ ଅଧିକ ହାରରେ ଖଜଣା ଆଦାୟ କଲେ । କିନ୍ତୁ ଗରିବ ଚାଷୀମାନଙ୍କର ଆପତ୍ତି ଅରଣ୍ୟ-ରୋଦନରେ ପରିଣତ ହେଲା; ବରଂ ସେମାନଙ୍କ ଘର ଲୁଟ୍ କରାଯାଇ କଠିନ ଦଣ୍ଡବିଧାନ କରାଗଲା । ‘ବେଟିହା’ କରଦ ରାଜ୍ୟର ରାଜାଙ୍କର ମୃତ୍ୟୁ ହୋଇଯିବାରୁ ରାଣୀଙ୍କୁ ପାଗଳିନୀ ବୋଲି ମିଥ୍ୟା ଘୋଷଣା କରି ସରକାର ଜଣେ ଗୋରା ନୀଳଚାଷୀଙ୍କୁ ସେହି ରାଜ୍ୟର ପରିଚାଳକ ହିସାବରେ ନିଯୁକ୍ତ କଲେ । ଏହାଦ୍ଵାରା ଚାଷୀମାନଙ୍କ ଉପରେ ଅତ୍ୟାଚାର ଅକଥନୀୟ ହୋଇଉଠିଲା ।

 

ଲକ୍ଷ୍ନୌଠାରେ ବସିଥିବା କଂଗ୍ରେସ ଅଧିବେଶନରେ ରାଜକୁମାର ଶୁକ୍ଳ ନାମରେ ଜଣେ ଚାଷୀ ପ୍ରଥମେ ଏହି ପ୍ରଶ୍ନ ଉତ୍‍ଥାପନ କଲେ । ବିଶେଷ କରି ଲୋକମାନ୍ୟ ତିଳକ ଓ ମଦନମୋହନ ମାଲବ୍ୟଙ୍କୁ ଏହାର ବିହିତ ପ୍ରତିକାର କରିବାକୁ ସେ ଅନୁରୋଧ କଲେ; କିନ୍ତୁ ସେମାନେ ରାଜନୀତିକ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଏଥିପ୍ରତି ଦୃଷ୍ଟି ଦେଇ ପାରି ନଥିଲେ । ତା ପରେ ଶ୍ରୀ ଶୁକ୍ଳ ଗାନ୍ଧିଜୀଙ୍କ ନିକଟରେ ଏହି ଅଭିଯୋଗ ଉପସ୍ଥାପନ କଲେ । ୧୯୧୭ ମସିହା ଅପ୍ରେଲ ୭ ତାରିଖରେ ଗାନ୍ଧିଜୀ ପ୍ରକୃତ ଅବସ୍ଥା ଅନୁଧ୍ୟାନ କରିବାକୁ କଲିକତାରୁ ପାଟନା ଅଭମୁଖେ ଯାତ୍ରା କରିଥିଲେ । ପାଟନାରେ ପହଞ୍ଚିବା ପରେ ସେ ସିଧାସଳଖ ରାଜେନ୍ଦ୍ର ପ୍ରସାଦଙ୍କ ଘରକୁ ଯାଇଥିଲେ; କିନ୍ତୁ ଗାନ୍ଧୀଜୀଙ୍କର ଆଗମନ ବିଷୟ ରାଜେନ୍ଦ୍ର ପ୍ରସାଦଙ୍କୁ ପୂର୍ବରୁ ଜଣା ନ ଥିଲା । ତେଣୁ ସେ ସେତେବେଳେ ପାଟନାରେ ଉପସ୍ଥିତ ନ ଥିଲେ । ତାଙ୍କର ଚାକର ଗାନ୍ଧିଜୀଙ୍କୁ ଜଣେ ସାଧାରଣ ମହକିଲ ବୋଲି ଭାବି ବାହାର ଘରେ ତାଙ୍କ ରହିବାର ବ୍ୟବସ୍ଥା କରିଥିଲା । ସେହିଦିନ ରାତିଟି ସେଠାରେ ଅବସ୍ଥାନ କଲା ପରେ ଗାନ୍ଧିଜୀ ତହିଁ ଆରଦିନ ତାଙ୍କର ବିଲାତର ସହପାଠୀ ମଜ୍‍ହ୍ରୁଲ୍‍ ହକ୍‍ଙ୍କ ସହିତ ଆଳାପ–ଆଲୋଚନା କରିଥିଲେ । ହକ୍ ତାଙ୍କୁ ଚମ୍ପାରନ୍ ନ ଯାଇ ମୁଜାଫରପୁର ଯାଇ ସେଠାରେ ପ୍ରଥମେ କମିଶନର ଓ ଗୋରା ନୀଳଚାଷୀ ସଂଘର ସଭ୍ୟମାନଙ୍କ ସହିତ ଆଲୋଚନା କରିବାକୁ କହିଥିଲେ । ବନ୍ଧୁଙ୍କ ନିର୍ଦ୍ଦେଶ ଅନୁଯାୟୀ ଗାନ୍ଧିଜୀ ସେହିଦିନ ମୁଜାଫରପୁର ଯାତ୍ରା କଲେ । ସେଠାରେ ଅଧ୍ୟାପକ ଜେ. ବି. କୃପାଳିନୀ ଓ ଅଧ୍ୟାପକ ଏନ. ଆର୍, ମାଲ୍‍କାନୀଙ୍କର ସାହାଯ୍ୟ ଓ ସାହଚର୍ଯ୍ୟ ତାଙ୍କୁ ମିଳିଥିଲା । ବାପୁଜୀଙ୍କର ଆଗମନ ଖବର ପାଇ ତହିଁଆରଦିନ ରାଜେନ୍ଦ୍ର ପ୍ରସାଦ ଯାଇ ସେଠାରେ ପହଞ୍ଚିଥିଲେ ।

 

ଗାନ୍ଧିଜୀ କମିଶନର ସାହେବଙ୍କୁ ସାକ୍ଷାତ କଲେ; କିନ୍ତୁ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମ୍ଭବପର ହେଲା ନାହିଁ । କମିଶନର ଗାନ୍ଧିଜୀଙ୍କର ଉଦ୍ଦେଶ୍ୟ ଜାଣିପାରି ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଶୀଘ୍ର ମୁଜାଫରପୁର ଛାଡି ଚାଲିଯିବାକୁ ଆଦେଶ ଦେଲେ । ଯଦି ସେ ଏହି ଆଦେଶ ଅବମାନନା କରନ୍ତି, ତାହାହେଲେ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଧମକ ମଧ୍ୟ ଦେଲେ; କିନ୍ତୁ ନିର୍ଭୀକମନା ଗାନ୍ଧିଜୀ ସେଥିରେ ଆଦୌ ବିଚଳିତ ହୋଇ ପଡ଼ି ନ ଥିଲେ । ପରିଣତି ଯାହା ହେଉ ନା କାହିଁକି, ସେ ସହଜରେ ମୁଜାଫରପୁର ଛାଡ଼ୁନାହାନ୍ତି ବୋଲି କମିଶନରଙ୍କୁ ଜଣାଇଦେଲେ । ତା ପରେ ସେ ନୀଳଚାଷୀ ସଂଘର ସଭ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ପରିଣତି ମଧ୍ୟ ଅନୁରୂପ ହେଲା । ତାଙ୍କର ଆଲୋଚନାକୁ ସଂଘ ଅନଧିକାର ହସ୍ତକ୍ଷେପ ବୋଲି ଘୋଷଣା କଲେ । ଅପ୍ରେଲ ୧୫ ତାରିଖରେ ସେ ଚାଷୀମାନଙ୍କର ପ୍ରକୃତ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ମୋତିହାରି ଯାତ୍ରା କଲେ । ସେଠାରେ ସ୍ଥାନୀୟ ଓକିଲମାନେ ତାଙ୍କୁ ଯଥେଷ୍ଟ ସାହାଯ୍ୟ ଓ ସହାନୁଭୂତି ଦେଖାଇଥିଲେ । ୧୬ ତାରିଖରେ ନିକଟସ୍ଥ ଗୋଟିଏ ଗ୍ରାମକୁ ଯିବା ସମୟରେ ଭାରତୀୟ ଦଣ୍ଡବିଧି ଆଇନର ୧୪୪ ଧାରା ଅନୁଯାୟୀ ତୁରନ୍ତ ତାଙ୍କୁ ସେହି ଜିଲ୍ଲା ଛାଡ଼ି ଚାଲିଯିବାକୁ ନୋଟିସ ଦିଆଗଲା । ସେହି ନୋଟିସରେ ଉଲ୍ଲେଖ ଥିଲା ଯେ ତାଙ୍କର ଉପସ୍ଥିତି ଜିଲ୍ଲାରେ ଗଣ୍ଡଗୋଳ ସୃଷ୍ଟି ତଥା ଜୀବନହାନିର କାରଣ ହୋଇପାରେ; କିନ୍ତୁ ଗାନ୍ଧିଜୀ ଉତ୍ତରରେ ଜଣାଇଦେଲେ ଯେ ଚାଷୀମାନଙ୍କର ବର୍ତ୍ତମାନ ଅବସ୍ଥା ଅନୁଧ୍ୟାନ ବ୍ୟତୀତ ତାଙ୍କର ଅନ୍ୟ କୌଣସି ଉଦ୍ଦେଶ୍ୟ ନାହିଁ । ମୋତିହାରିରେ ଗାନ୍ଧିଜୀ କିଛିଦିନ ଅବସ୍ଥାନ କଲେ ।

 

ସେହି ରହଣିକାଳ ମଧ୍ୟରେ କିପରି ବହୁସଂଖ୍ୟକ ଚାଷୀ ଗାନ୍ଧିଜୀଙ୍କ ସହିତ ସାକ୍ଷାତ କରିପାରିବେ, ତାହାର ଗୁରୁଦାୟିତ୍ଵ ରାଜେନ୍ଦ୍ର ପ୍ରସାଦଙ୍କ ଉପରେ ପଡ଼ିଥିଲା । ଅପ୍ରେଲ ୧୮ ତାରିଖରେ ଗାନ୍ଧିଜୀଙ୍କୁ ଏକ ସମନଦ୍ଵାରା ତାଙ୍କର କାର୍ଯ୍ୟକଳାପଯୋଗୁଁ ବିହିତ ଦଣ୍ଡାଦେଶ ଯେ କାହିଁକି ନ ହେବ, ତାହା ଜଣାଇ ଦିଆଗଲା । ଏହି ଅବସରରେ ମଜ୍‍ହ୍ରୁଲ୍‍ ହକ, ରାଜେନ୍ଦ୍ର ପ୍ରସାଦ, ଅନୁଗ୍ରହ ନାରୟଣ ସିହ୍ନା, ଶମ୍ଭୁଶରଣ ପ୍ରମୁଖ ମୋତିହାରି ଅଞ୍ଚଳର ଲୋକମାନଙ୍କୁ ସଂଗଠିତ କରିବାକୁ ଲାଗିପଡ଼ିଲେ । ଗାନ୍ଧିଜୀଙ୍କ ସହିତ ଦରକାର ପଡ଼ିଲେ ସେମାନେ ମଧ୍ୟ ଜେଲ ଯିବାକୁ ପ୍ରସ୍ତୁତ ରହିଲେ । ଗାନ୍ଧିଜୀ ବଡ଼ଲାଟଙ୍କୁ ଏକ ଚିଠି ଲେଖି ଜଣାଇଦେଲେ ଯେ ତାଙ୍କୁ ଲୋକସେବା କରିବାରେ ବାଧା ଦିଆଯାଉଛି । ବଡ଼ଲାଟ ଏହି ପ୍ରତିବାଦପତ୍ର ପାଇଲାମାତ୍ରେ ଗାନ୍ଧିଜୀଙ୍କ ଉପରୁ ସମସ୍ତ ପ୍ରକାର କଟକଣା ଉଠାଇନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ବାପୁଜୀଙ୍କୁ ଚାଷୀମାନଙ୍କ ଅବସ୍ଥା ଅନୁଧ୍ୟାନ କରିବାରେ ଆଉ କୌଣସି ପ୍ରକାର ବାଧା ଦିଆଯାଇ ନ ଥିଲା । ଏହାଦ୍ଵାରା ଗ୍ରାମାଞ୍ଚଳରେ ଏକ ଉନ୍ମାଦନା ଖେଳିଯାଇଥିଲା । ମାଜିଷ୍ଟ୍ରେଟ୍ ଓ କମିଶନରଙ୍କ ବିରୁଦ୍ଧରେ ମଧ୍ୟ ଲୋକେ ତାଙ୍କ ଆଗରେ ଆପତ୍ତି–ଅଭିଯୋଗ କରିବାକୁ ଦ୍ଵିଧା କରି ନ ଥିଲେ । ଚାରି ହଜାର ଚାଷୀଙ୍କର ଆପତ୍ତି-ଅଭିଯୋଗ ଲିଖିତ ଆକାରରେ ସଂଗ୍ରହ କରାଯାଇଥିଲା ।

 

ମୋତିହାରିରୁ ଫେରି ଲାଟସାହେବଙ୍କ ଅନୁରୋଧକ୍ରମେ ସେ ତାଙ୍କୁ ଜୁନ୍ ୪ ତାରିଖରେ ରାଞ୍ଚିଠାରେ ସାକ୍ଷାତ କରିଥିଲେ । ଚାଷୀମାନଙ୍କର ଦୁରବସ୍ଥା ବିଷୟ ଆଲୋଚିତ ହୋଇଥିଲା । ତଦନ୍ତ ପାଇଁ ଜୁନ୍ ୧୦ ତାରିଖରେ ଗୋଟିଏ କମିଟି ଗଢ଼ାଗଲା । ଏଥିରେ ଗାନ୍ଧିଜୀ ସଭ୍ୟ ରହିଲେ-। ଇତ୍ୟବସରରେ ରାଜେନ୍ଦ୍ର ପ୍ରସାଦ ଓ ବ୍ରଜକିଶୋର ବାବୁଙ୍କର ଅକ୍ଲାନ୍ତ ପରିଶ୍ରମ ଓ ତତ୍ତ୍ଵାବଧାନରେ ୮୫୦ଟି ଗ୍ରାମର ୮ହଜାର ଚାଷୀଙ୍କଠାରୁ ଲିଖିତ ଦାବୀ ସଂଗ୍ରହ କରାଯାଇଥିଲା । ଅଗଷ୍ଟ ୧୬ ତାରିଖରେ କମିଟି ତାଙ୍କର ତଦନ୍ତ ଶେଷ କରିଥିଲେ । ତା ପରେ ରାଜେନ୍ଦ୍ର ପ୍ରସାଦଙ୍କ ହସ୍ତରେ ଅବଶିଷ୍ଟ ଦାୟିତ୍ଵ ନ୍ୟସ୍ତ କରି ଗାନ୍ଧିଜୀ ଅହମଦାବାଦ ଯାତ୍ରା କଲେ । ସେପ୍‍ଟେମ୍ବର ୨୨ ତାରିଖରେ ରିପୋର୍ଟ ପ୍ରଣୟନ କରିବାକୁ ପୁଣି ତାଙ୍କୁ ରାଞ୍ଚି ଆସିବାକୁ ପଡ଼ିଥିଲା । ଅତୀତର ଦୁଃଖଦାୟକ ଘଟଣାର ପୁନରାବୃତ୍ତି କରିବା ଗାନ୍ଧିଜୀଙ୍କର ଲକ୍ଷ୍ୟ ନ ଥିଲା । କାରଣ ସେ ଭଲଭାବରେ ଜାଣିଥିଲେ ଯେ ଏହାଦ୍ଵାରା କିଛି ଫଳପ୍ରାପ୍ତି ହେବ ନାହିଁ; ତେଣୁ ସେ ଭବିଷ୍ୟତ କର୍ମପନ୍ଥା ଉପରେ ଅଧିକ ଜୋର ଦେଉଥିଲେ । ଗରିବ ଚାଷୀମାନଙ୍କୁ ନୀଳଚାଷ କରିବାକୁ ବାଧ୍ୟବାଧକତା, ଖଜଣା ବୃଦ୍ଧି ଇତ୍ୟାଦି ବହୁ ଆନୁଷଙ୍ଗିକ ବିଷୟରେ ଆଲୋକପାତ କରିବା ଥିଲା ତାଙ୍କର ଲକ୍ଷ୍ୟ । ତେଣୁ କେତେକ ଆପୋଷ–ଆଲୋଚନାରେ ସେ ରାଜି ହୋଇଥିଲେ । ୧୯୧୮ ମସିହା ମେ ପହିଲାରେ କମିଟିଙ୍କ ସୁପାରିସ ବଳବତ୍ତର ହେଲା । ଅତ୍ୟଧିକ ଖଜଣା ଆଦାୟ, ଅନିଚ୍ଛୁକ ଚାଷୀଙ୍କୁ ବାଧ୍ୟବାଧକତା ଉପରେ ବିଶେଷ କରି କଟକଣା ଜାରି କରାଗଲା । ତେବେ ସୁଦ୍ଧା ଲୋକେ ପୂରା ସନ୍ତୁଷ୍ଟ ହେଲେ ନାହିଁ । ଚାଷୀମାନେ ଦେଇଥିବା ଅଧିକା ଖଜଣା ଫେରସ୍ତ ପାଇବାକୁ ଦାବୀ କଲେ । ବାପୁଜୀଙ୍କ ପ୍ରବର୍ତ୍ତନାରେ କମିଟି ମଧ୍ୟ ସେଥିରେ ରାଜି ହେଲେ । କ୍ରମେ ଗୋରା ଚାଷୀମାନଙ୍କର କର୍ତ୍ତୃତ୍ଵ କମିଆସିଲା । ପୃଥିବୀ ମହାସମରର ଅବସାନ ହେବାରୁ ବିଦେଶରେ ନୀଳର ଚାହିଦା ମଧ୍ୟ କମିଗଲା । ତେଣୁ ଏହି ଶିଳ୍ପ ପ୍ରତି ଗୋରାମାନଙ୍କର ମୋହ ଏକପ୍ରକାର ତୁଟିଗଲା କହିଲେ ଚଳେ ।

 

ଚମ୍ପାରନ୍‌ରେ ଚାଷୀମାନଙ୍କର ଅଭୂତପୂର୍ବ ବିଜୟ ଅନୁନ୍ନତ ବିହାର ପ୍ରଦେଶରେ ଗଣଚେତନାର ସୂତ୍ରପାତ କଲା । ୧୯୧୧ ମସିହାରୁ ବିହାର–ଓଡ଼ିଶା ଗୋଟିଏ ପ୍ରଦେଶ ହୋଇ ରହିଲେ । ତା ପରେ ବିହାରର ଚାଷୀମାନଙ୍କୁ ସଂଗଠିତ କରିବା ପାଇଁ ରାଜେନ୍ଦ୍ର ପ୍ରସାଦ ସେମାନଙ୍କ ସହିତ ନିରବଚ୍ଛିନ୍ନଭାବେ ବ୍ୟକ୍ତିଗତ ସଂପର୍କ ସ୍ଥାପନ କରିଥିଲେ । ଏହାଦ୍ଵାରା ନିରକ୍ଷର ଚାଷୀମାନଙ୍କ ମନରୁ ଅଯଥା ଭୟ ଓ ଭ୍ରାନ୍ତି କ୍ରମେ ଦୂରୀଭୂତ ହୋଇଥିଲା । ଗାନ୍ଧିଜୀ ମଧ୍ୟ ସମସ୍ତଙ୍କୁ ସାବଧାନ କରାଇଦେଇଥିଲେ ଯେ ସେମାନଙ୍କର ସଂଗ୍ରାମ ବ୍ୟକ୍ତିଗତଭାବେ ଗୋରାମାନଙ୍କ ବିରୁଦ୍ଧରେ ନୁହେଁ; ସେମାନଙ୍କର ଅନ୍ୟାୟ ନୀତି ବିରୁଦ୍ଧରେ । କର୍ମୀମାନେ ସର୍ବଦା ନିର୍ଭୟମନା ହେବା ଉଚିତ । ଯଦି ପ୍ରୟୋଜନ ପଡ଼େ, ସେମାନେ ସର୍ବୋଚ୍ଚ ତ୍ୟାଗ ଓ କାରାବରଣ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ଉଚିତ । ଏହି ଆହ୍ଵାନରେ ରାଜେନ୍ଦ୍ର ପ୍ରସାଦ ଅନୁପ୍ରାଣିତ ହୋଇ ଗାନ୍ଧିଜୀଙ୍କ ନିର୍ଦ୍ଧାରିତ ପନ୍ଥା ଅନୁସରଣ କରିବେ ବୋଲି ଜଣାଇଦେଲେ । ଅନ୍ୟ କର୍ମୀମାନେ ଅନୁରୂପ ସ୍ୱୀକୃତି ଜଣାଇଲେ । ସେତେବେଳେ ଗାନ୍ଧିଜୀ ଖୁସି ହୋଇ କହିଥିଲେ–‘‘ବର୍ତ୍ତମାନ ଆମ୍ଭେମାନେ ବିଜୟୀ । ଜନସାଧାରଣଙ୍କ କାମ ବିଶ୍ରାମକାଳୀନ ପେଷା ନ ହୋଇ ତ୍ୟାଗପୂତ କର୍ମରୂପେ ବିବେଚିତ ହେବା ଉଚିତ ।’’

 

ପୂର୍ବରୁ ରାଜେନ୍ଦ୍ର ପ୍ରସାଦ ଖାଦ୍ୟପେୟ ଦୃଷ୍ଟିରୁ ଅତୀବ ରକ୍ଷଣଶୀଳ ଥିଲେ । ବ୍ରାହ୍ମଣ ନ ରାନ୍ଧିଲେ ସେ ଖାଉ ନ ଥିଲେ । ଜାତି-ବର୍ଣ୍ଣ-ନିର୍ବିଶେଷରେ ଗ୍ରାମବାସୀମାନଙ୍କ ସହିତ ସଂପର୍କ ସ୍ଥାପନ କରିବାରେ ଏହା ଏକପ୍ରକାର ବାଧା ସୃଷ୍ଟି କଲା । କର୍ମୀମାନଙ୍କ ସଂଘବଦ୍ଧ ଜୀବନରେ ଏହା ହେଲା ଏକ ଅନ୍ତରାୟ । ଗାନ୍ଧିଜୀଙ୍କ ଉପଦେଶ– ‘‘କର୍ମୀମାନଙ୍କ ମଧ୍ୟରେ ଜାତିଆଣ ମନୋଭାବ ରହିବା ଉଚିତ ନୁହେଁ’’ ରାଜେନ୍ଦ୍ର ପ୍ରସାଦଙ୍କ ମନରେ ପ୍ରଭାବ ପକାଇଥିଲା । ତେଣୁ ସେ ତାଙ୍କର ପୂର୍ବ ମନୋଭାବକୁ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲେ । ଆଭିଜାତ୍ୟପୂର୍ଣ୍ଣ ପୋଷାକ–ପରିଚ୍ଛଦ ମଧ୍ୟ ତାଙ୍କୁ ଛାଡ଼ିବାକୁ ପଡ଼ିଥିଲା । ହାତରେ ଲୁଗାସଫା, ବାସନଧୂଆ ଆଦି କରିବାକୁ ତାଙ୍କ ମନରେ ଆଉ ବିକାର ଆସିଲା ନାହିଁ । କ୍ରମେ ତାଙ୍କ ଜୀବନରୁ ଭୋଗ-ବିଳାସର ସତ୍ତା ଲୋପ ପାଇଲା ।

 

ଗୋରାଚାଷୀଙ୍କର ଉପଦ୍ରବରୁ ଚମ୍ପାରନ୍‍ର ଚାଷୀମାନେ ରକ୍ଷା ପାଇଲେ ସତ; କିନ୍ତୁ ଦାରିଦ୍ର୍ୟ ଓ ଅଶିକ୍ଷା ସେମାନଙ୍କ ସମ୍ମୁଖରେ ବଡ଼ ଶତ୍ରୁ ହୋଇ ଛିଡ଼ାହେଲା । ଗାନ୍ଧିଜୀ ଏହା ଜାଣି ଅଧିକ ବିଚଳିତ ହୋଇ ପଡ଼ିଲେ । ୧୯୧୭ ମସିହା ନଭେମ୍ବର ମାସରେ ଗୋଟିଏ ସେବାଦଳ ସହିତ ସେ ଚମ୍ପାରନ୍ ଅଭିମୁଖେ ଯାତ୍ରା କଲେ । ସେହି ସେବାଦଳରେ ତାଙ୍କୁ ସହାୟତା କରିଥିଲେ କସ୍ତୂରୀବା ଗାନ୍ଧୀ, ଦେବଦାସ ଗାନ୍ଧୀ, ଅବନ୍ତୀକା ବାଈ, ଗୋଖଲେ, ମହାଦେବ ଦେଶାଇ, ନରହରି ପାରିଖ୍ ପ୍ରମୁଖ । ସେଠାରେ ଚାଷୀମାନଙ୍କର ଆର୍ଥନୀତିକ ଅବସ୍ଥା ଥିଲା ଅତି ଶୋଚନୀୟ । ଜନୈକ ଭୂମିହୀନ ଶ୍ରମିକର ହାରାହାରି ଦୈନିକ ପାରିଶ୍ରମିକ ୧୦ ପଇସାରୁ ବେଶି ନ ଥିଲା । ସ୍ତ୍ରୀ ଓ ବାଳକମାନେ ଯଥାକ୍ରମେ ଦୈନିକ ୬ ପଇସା ଓ ୩ ପଇସା ଲେଖାଏଁ ପାରିଶ୍ରମିକ ପାଉଥିଲେ । ସ୍ତ୍ରୀମାନଙ୍କର ଖଣ୍ଡକରୁ ଦୁଇ ଖଣ୍ଡ ଶାଢ଼ୀ ନ ଥିଲା । ଗାନ୍ଧିଜୀ ସ୍ଥିର କଲେ ଯେ ଶିକ୍ଷାର ଅଭାବ ମୁଖ୍ୟତଃ ସେ ଅଞ୍ଚଳକୁ ଅନୁନ୍ନତ କରିଅଛି । ତେଣୁ ପ୍ରଥମେ ୬ଟି ଗ୍ରାମରେ ଓ ପରେ ଅନ୍ୟ ଗ୍ରାମମାନଙ୍କରେ ସେ ପ୍ରାଥମିକ ସ୍କୁଲ ଖୋଲିବାର ବ୍ୟବସ୍ଥା କରିଥିଲେ । ଏହିପରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଗାନ୍ଧିଜୀ ଅହିଂସା ଉପାୟରେ ଚମ୍ପାରନ୍‍ର ଚାଷୀମାନଙ୍କର ସମସ୍ୟା ସମାଧାନ କରିଥିଲେ । ତାଙ୍କର ମହୌଷଧି ସତ୍ୟାଗ୍ରହକୁ ପ୍ରଥମ ଥର ପାଇଁ ପ୍ରୟୋଗ କରି ସେ ଏଇଠାରେ ହିଁ ବିଜୟୀ ହୋଇଥିଲେ ।

 

ଚମ୍ପାରନ୍‌ରେ ହିଁ ଆଇନ-ଅମାନ୍ୟ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ତା ପରେ ଗାନ୍ଧିଜୀ ଚାଷୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିରୋଧ କରିବା ପାଇଁ ଖଇରା ଯାତ୍ରା କଲେ । ସେଠାରେ ଚାଷୀମାନଙ୍କଠାରୁ ସରକାର ଅତ୍ୟଧିକ କର ଆଦାୟ କରୁଥିଲେ । ଚାଷୀମାନଙ୍କୁ ସଂଗଠିତ କରାଗଲା । ଅହିଂସା ଉପାୟରେ ଆନ୍ଦୋଳନ ଆରମ୍ଭ ହେଲା । ଶେଷରେ ସରକାରଙ୍କର ଅନ୍ୟାୟ ଦାବୀ ପ୍ରତ୍ୟାହୃତ ହେଲା । ଦ୍ଵିତୀୟ ଥର ପାଇଁ ସତ୍ୟାଗ୍ରହ ଏହିଠାରେ ଜୟଯୁକ୍ତ ହେଲା । ଏହାଦ୍ଵାରା ଗାନ୍ଧିଜୀଙ୍କ ପ୍ରତି ରାଜେନ୍ଦ୍ର ପ୍ରସାଦଙ୍କର ଅନୁରକ୍ତି ବଢ଼ିବାକୁ ଲାଗିଲା । ଏହିଠାରୁ ହିଁ ତାଙ୍କ ନିଷ୍ଠାପର ରାଜନୈତିକ ଜୀବନର ହେଲା ଅୟମାରମ୍ଭ ।

 

ମହାଯୁଦ୍ଧର ଅବ୍ୟବହିତ ପରେ ଜିନିଷପତ୍ରର ଦରଦାମ ଅଚାନକଭାବେ ବଢ଼ିଚାଲିଲା । ଲୋକଙ୍କର ଆର୍ଥିକ ଅବସ୍ଥା କ୍ରମେ ଖରାପଆଡ଼କୁ ଗତି କଲା; କିନ୍ତୁ ନେତୃବୃନ୍ଦଙ୍କର ସାହାଯ୍ୟ ଓ ସାହଚର୍ଯ୍ୟରେ ଦେଶରେ ରାଜନୀତିକ ଚେତନା ବଳବତ୍ତର ହୋଇ ଉଠିଲା । ‘ସ୍ଵାଧୀନତା ଆମର ଜନ୍ମଗତ ଅଧିକାର’–ଏହି ମନ୍ତ୍ରରେ ଲୋକମାନ୍ୟ ତିଳକ ସମଗ୍ର ଦେଶକୁ କଲେ ଅଭିମନ୍ତ୍ରିତ । ତାଙ୍କର ଯୁଗାନ୍ତକାରୀ ସିଦ୍ଧାନ୍ତରେ ଯୁବ-ସଂପ୍ରଦାୟ ଉଦ୍‍ବୁଦ୍ଧ ହୋଇ ଉଠିଥିଲେ । ଇତ୍ୟବସରରେ ‘ମଣ୍ଟେଗୁ–ଚେମସ୍‍ଫୋର୍ଡ଼–ସଂସ୍କାର’ ବଳବତ୍ତର ହେଲା । ସ୍ୱାୟତ୍ତଶାସନର ଅଧିକାର ମିଳିଲା; କିନ୍ତୁ ପୂର୍ଣ୍ଣମାତ୍ରାରେ ନୁହେଁ । ଏହାକୁ କେତେକ ଉଗ୍ରପନ୍ଥୀ ସଭ୍ୟ ନୈରାଶ୍ୟଜନକ ବୋଲି ବର୍ଣ୍ଣନା କରିଥିଲେ; କିନ୍ତୁ ବାସ୍ତବବାଦୀ ରାଜେନ୍ଦ୍ର ପ୍ରସାଦ ଏପରି ଉଗ୍ର ମତବାଦକୁ ଆଦୌ ପସନ୍ଦ କରି ନ ଥିଲେ । ଯୁଦ୍ଧର ଅବସାନ ଘଟିଲା ସତ; ତଥାପି ଭାରତରକ୍ଷା ଆଇନ ରହିଲା ବଳବତ୍ତର ।

 

ଆଭ୍ୟନ୍ତରୀଣ ବନ୍ଦୀମାନଙ୍କୁ ଖଲାସ କରାଯାଇ ନ ଥିଲା । ସାର୍ ରାଓଲଟ୍ ସିଡ଼୍‍ନିଙ୍କ ଅଧ୍ୟକ୍ଷତାରେ ବସିଥିବା କମିଟି ମଧ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ । ଏହାଦ୍ଵାରା ଦେଶସାରା ଅଶାନ୍ତି ବ୍ୟାପିଯାଇଥିଲା । ଲୋକେ ଏହି କମିଟିର ରିପୋର୍ଟକୁ ‘Black Bill’ ଓ ‘Lawless Laws’ ବୋଲି କହିବାକୁ ଲାଗିଲେ । ଗାନ୍ଧିଜୀ ଏହାର ତୀବ୍ର ବିରୋଧ କରି ବଡ଼ଲାଟଙ୍କ ନିକଟକୁ ପତ୍ର ଲେଖିଥିଲେ; କିନ୍ତୁ କିଛି ସୁଫଳ ମିଳି ନ ଥିଲା । ତାଙ୍କର ଆହ୍ଵାନକ୍ରମେ ୧୯୧୯ ମସିହା ଅପ୍ରେଲ ୬ ତାରିଖରେ ଦେଶବ୍ୟାପୀ ହରତାଳ ପାଳନ କରାଯାଇଥିଲା । ଲୋକମାନଙ୍କର ମାନସିକ ଦୃଢ଼ତା ଆଣିବା ପାଇଁ ଅନଶନ, ମିଳିତ ପ୍ରାର୍ଥନା ଓ ପ୍ରତିବାଦ-ସଭାମାନ କରାଯାଇଥିଲା । ଦିଲ୍ଲୀରେ ଏହି ହରତାଳ ସବୁଠାରୁ ବେଶି ସଫଳ ହୋଇଥିଲା । ହିନ୍ଦୁ ଓ ମୁସଲମାନମାନଙ୍କର ଏକ ମିଳିତ ଶୋଭାଯାତ୍ରା ଉପରକୁ ଗୁଳି ଚାଲିବାରୁ ବିଶିଷ୍ଟ ହିନ୍ଦୁ ଧର୍ମବିଶାରଦ ସ୍ଵାମୀ ସାରଦାନନ୍ଦଙ୍କର ମୃତ୍ୟୁ ଘଟିଲା । ଦେଶସାରା ବାତ୍ୟା ପରି ଏହି ଆନ୍ଦୋଳନ ବ୍ୟାପିଗଲା । ବ୍ରିଟିଶ ସରକାର ବିବ୍ରତ ହୋଇପଡ଼ିଲେ । ସଭା-ସମିତି ଉପରେ କଟକଣା ଜାରି କରାଗଲା; କିନ୍ତୁ ଏହାଦ୍ଵାରା ଲୋକଙ୍କର ପ୍ରତିଜ୍ଞା ଦୃଢ଼ତର ହେଲା । ଆନ୍ଦୋଳନକୁ ଦମନ କରିବା ପୋଲିସ କର୍ମଚାରୀଙ୍କ ପକ୍ଷରେ ସମ୍ଭବପର ନ ହେବାରୁ ସୈନ୍ୟବାହିନୀର ସାହାଯ୍ୟ ନିଆଗଲା । ସ୍ଵତଃପ୍ରବୃତ୍ତ ହୋଇ ବହୁସ୍ଥାନରେ ଲୋକେ ମୃତ୍ୟୁବରଣ କଲେ । ରାଜେନ୍ଦ୍ର ପ୍ରସାଦ ପାଟନାରେ ଏହି ଆନ୍ଦୋଳନ ଅତି ସଂଗଠିତଭାବେ ପରିଚାଳନା କରିଥିଲେ; ତେଣୁ କେଉଁଠାରେ ଶାନ୍ତିଭଙ୍ଗ ହୋଇ ନ ଥିଲା । ବାପୁଜୀଙ୍କ ନିର୍ଦ୍ଧାରିତ ଅହିଂସା ବ୍ରତ ପାଳନ ଓ ସତ୍ୟାଗ୍ରହ କମିଟିର ନୀତି-ନିୟମ ମାନିବା ପାଇଁ ସେ ପ୍ରତିଜ୍ଞାବଦ୍ଧ ହୋଇଥିଲେ ।

 

ପଞ୍ଜାବରେ ଏହି ଆନ୍ଦୋଳନ ସବୁଠାରୁ ବେଶି ଭୟଙ୍କର ରୂପ ନେଇଥିଲା । ସରକାରଙ୍କର ଏହି ବିଲ୍‍ର ପ୍ରତିବାଦ କରି ଜାଲିଆନାୱାଲାବାଗ୍‍ଠାରେ ଏକ ପାଚେରୀଘେରା ପାର୍କରେ ବହୁଲୋକ ମିଳିତ ହୋଇ ସରକାରୀ ନୀତିର ସମାଲୋଚନା କରିଥିଲେ । ଜେନେରାଲ ଡାୟାର୍‍ଙ୍କ ଅଧ୍ୟକ୍ଷତାରେ ସୈନ୍ୟବାହିନୀ ପାର୍କର ଦ୍ଵାର ବନ୍ଦକରି ଅମାନୁଷିକଭାବେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏଥିରେ ୩୭୯ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ଓ ୧୨୦୦ ଜଣ ଆହତ ହୋଇଥିଲେ । ଶାସକ ଓ ଶାସିତଙ୍କ ସଂପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଥିଲା । ଲୋକେ ଆନ୍ଦୋଳନର ତାତ୍ପର୍ଯ୍ୟ ହୃଦୟଙ୍ଗମ କରି କଂଗ୍ରେସ ଅନୁଷ୍ଠାନକୁ ଦୃଢ଼ୀଭୂତ କଲେ । ଅହିଂସାଧର୍ମ ପାଳନ ଓ କାରାବରଣ ପ୍ରତି ତାଙ୍କର ଭୟ କ୍ରମେ କମିଆସିଲା । ରାଜେନ୍ଦ୍ର ପ୍ରସାଦ ସିଦ୍ଧାନ୍ତ କଲେ ଯେ ଏହି ଆନ୍ଦୋଳନରେ ସେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ୧୯୨୦ ମସିହା ଅପ୍ରେଲ ମାସରେ ସେ ଅସହଯୋଗ ଆନ୍ଦୋଳନରେ ଯୋଗଦେବାକୁ ଦୃଢ଼ପ୍ରତିଜ୍ଞ ବୋଲି ପାଟନାଠାରେ ଘୋଷଣା କଲେ । ପାରିବାରିକ ଅସୁବିଧା ସତ୍ତ୍ୱେ ଏହି ଦୃଢ଼ ପ୍ରତିଜ୍ଞାରୁ ଓହରି ଆସିବା ତାଙ୍କ ପକ୍ଷରେ ସମ୍ଭବପର ହୋଇପାରି ନ ଥିଲା ।

 

ସେହି ବର୍ଷ ଅଗଷ୍ଟ ମାସରେ ସେ ବିହାର ରାଜନୈତିକ ସମ୍ମିଳନୀରେ ସଭାପତିତ୍ଵ କରି ବିହାରରେ ଅସହଯୋଗ ଆନ୍ଦୋଳନର ଏକ ସୁପରିକଳ୍ପିତ ଖସଡ଼ା ତିଆରି କରିଥିଲେ । ସମ୍ମିଳନୀ ତରଫରୁ ଏଥିପାଇଁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିଲା । ତିଳକ ଓ ଗାନ୍ଧିଜୀଙ୍କର ପ୍ରଭାବ ଲୋକମାନଙ୍କ ଉପରେ ସେ ସମୟରେ ଥିଲା ସବୁଠାରୁ ବେଶି । ଦୁଇ ନେତାଙ୍କର ନୀତି ଓ ଆଦର୍ଶରେ ବହୁ ସାମ୍ୟ ପରିଲକ୍ଷିତ ହେଉଥିଲା । ଦୁଇ ନେତାଙ୍କର ଅଭ୍ୟାସ ଓ ଆଚରଣ ଥିଲା ଅତି ସରଳ । ଜନତା–ଜନାର୍ଦ୍ଦନ ପ୍ରତି ଦୁଇ ନେତାଙ୍କର ସ୍ନେହ ଥିଲା ଅତୁଟ । ଓକିଲାତି ଥିଲା ଦୁଇ ଜଣଙ୍କର ବ୍ୟାବସାୟିକ ଶିକ୍ଷା । ତେଣୁ ସେମାନଙ୍କର ଯୁକ୍ତିସମ୍ବଳିତ ବକ୍ତୃତା ଲୋକଙ୍କ ମନରେ ଆସ୍ଥା ଆରୋପ କରି ପାରୁଥିଲା । ଏସବୁ ସତ୍ତ୍ୱେ ଉଭୟଙ୍କର ରାଜନୀତିକ ମାର୍ଗ ଥିଲା ଭିନ୍ନ । ତିଳକଙ୍କ ମତରେ– ରାଜନୀତିରୁ ଦୋଷ ବାଛିବା ସମୀଚୀନ ନୁହେଁ, ଏଥିରେ ସମସ୍ତେ ଭାଗ ନେଇପାରିବେ । କେବଳ ସାଧୁସନ୍ଥଙ୍କ ପାଇଁ ଏହା ଅଭିପ୍ରେତ ନୁହେଁ । ମୋଟ ଉପରେ ଗାନ୍ଧିଜୀ ବୁଦ୍ଧଙ୍କ ନୀତି ପ୍ରତି ଆସକ୍ତ ଥିଲାବେଳେ ତିଳକ ଶ୍ରୀକୃଷ୍ଣଙ୍କ ନୀତି ପ୍ରତି ଥିଲେ ଅଧିକ ଆସକ୍ତ । ରାଜନୀତିରେ ସତ୍ୟାଗ୍ରହର ପ୍ରୟୋଗକୁ ତିଳକ ଆଦୌ ପସନ୍ଦ କରୁ ନ ଥିଲେ ମଧ୍ୟ ଗାନ୍ଧିଜୀଙ୍କ ପରିକଳ୍ପିତ ଆନ୍ଦୋଳନ ପଥରେ ଅନ୍ତରାୟ ସୃଷ୍ଟି କରିବା ତାଙ୍କର ଲକ୍ଷ୍ୟ ନ ଥିଲା । ୧୯୨୦ ମସିହା ଜୁଲାଇ ମାସରେ ଗାନ୍ଧିଜୀଙ୍କ ପାଖକୁ ଏହି ମର୍ମରେ ଉଲ୍ଲେଖ କରି ସେ ଲେଖିଥିଲେ–‘‘ମୁଁ ଆପଣଙ୍କ ଅନ୍ଦୋଳନରେ ଆଦୌ ପ୍ରତିବନ୍ଧକ ସୃଷ୍ଟି କରିବି ନାହିଁ । ଆପଣ ସଫଳକାମ ହୁଅନ୍ତୁ; ଏହାହିଁ ମୋର କାମନା । ଯଦି ଆପଣଙ୍କ ଆନ୍ଦୋଳନ ଲୋକପ୍ରିୟ ହେବ, ତାହାହେଲେ ମୁଁ ପୂର୍ଣ୍ଣ ସମର୍ଥନ ଜଣାଇବି ।’’ ଗାନ୍ଧିଜୀଙ୍କ ନୀତିର ବିରୋଧ କରିବାକୁ ତିଳକ ଆଉ ବେଶି ଦିନ ରହିଲେ ନାହିଁ । ସେହି ବର୍ଷ ଅଗଷ୍ଟ ପହିଲା ଦିନ ସେ ଇହଲୀଳା ସମ୍ବରଣ କଲେ । ମୃତ୍ୟୁପୂର୍ବରୁ ତାଙ୍କର ଶେଷ ବାକ୍ୟ ଥିଲା– ‘‘The long day’s task is done and I must sleep.’’

 

ତିଳକଙ୍କ ମୃତ୍ୟୁ ପରେ ଗାନ୍ଧିଜୀ ଅପ୍ରତିଦ୍ଵନ୍ଦୀଭାବେ ତାଙ୍କର ନେତୃତ୍ଵ ବିସ୍ତାର କରିବା ପାଇଁ ସୁଯୋଗ ପାଇଲେ । ୧୯୨୦ ମସିହା ସେପ୍‍ଟେମ୍ବର ମାସରେ କଂଗ୍ରେସର ଏକ ସ୍ଵତନ୍ତ୍ର ଅଧିବେଶନରେ ତାଙ୍କ ନିର୍ଦ୍ଧାରିତ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୃହୀତ ହୋଇଗଲା । ଏହାପରେ ରାଜେନ୍ଦ୍ର ପ୍ରସାଦ ପାରିବାରିକ ଓ ବ୍ୟାବସାୟିକ ସମସ୍ତ ଜଞ୍ଜାଳ ତୁଟାଇଦେଇ ‘‘ସରକାରୀ ସ୍କୁଲ କଲେଜ-ଛାଡ଼-ଆନ୍ଦୋଳନ’’ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଇଂରାଜୀ ଭାଷା ପ୍ରତି ଅତିରିକ୍ତ ଆସକ୍ତ ନ ହୋଇ ଆଞ୍ଚଳିକ ଭାଷାରେ ଶିକ୍ଷାର ସୂତ୍ରପାତ କରିବା ପାଇଁ ବିହାରରେ ଛାତ୍ରଆନ୍ଦୋଳନ ତେଜି ଉଠିଥିଲା । ସେହି ଆନ୍ଦୋଳନର ସଂଗଠକ ଥିଲେ ଦୃଢ଼ମନା ରାଜେନ୍ଦ୍ର ପ୍ରସାଦ । ଶେଷରେ ପାଟନାଠାରେ ଏକ ଜାତୀୟ କଲେଜ ପ୍ରତିଷ୍ଠା କରାଗଲା । ସେହି କଲେଜରେ ସର୍ବପ୍ରଥମେ ରାଜେନ୍ଦ୍ର ପ୍ରସାଦ ଅଧ୍ୟକ୍ଷତା କରିଥିଲେ । ଅର୍ଥକାରୀ ଆଇନ ବ୍ୟବସାୟ ପରେ ଅବୈତନିକ ଅଧ୍ୟକ୍ଷତା ତାଙ୍କ ବ୍ୟକ୍ତିଗତ ଜୀବନକୁ ଅଧିକ ସରଳ କରିଥିଲା ସତ; କିନ୍ତୁ ମନରେ ତିଳେ ହେଲେ ହୀନଭାବ ସଞ୍ଚାର କରିପାରି ନ ଥିଲା । ଏହି ଜାତୀୟ କଲେଜକୁ ଛାତ୍ର ଯୋଗାଇବା ପାଇଁ କାଳବିଳମ୍ବ ନ କରି ୫୦ଟି ମାଧ୍ୟମିକ ସ୍କୁଲ ଓ ଦୁଇଶହଟି ପ୍ରାଥମିକ ଜାତୀୟ ବିଦ୍ୟାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଥିଲା । ଗାନ୍ଧିଜୀ ଏକ ଜାତୀୟ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ଚାନ୍ଦା ଆଦାୟ କରିଥିଲେ । ମୌଲାନା ହକ୍ ମଧ୍ୟ ତାଙ୍କୁ ଏ ଦିଗରେ ଯଥେଷ୍ଟ ସାହାଯ୍ୟ କରିଥିଲେ । ପାଟନାରେ ଥିବା ତାଙ୍କର ବିରାଟ ବାସଭବନ ‘ସଦାକତ୍ ମଞ୍ଜିଲ’କୁ ବିଶ୍ଵବିଦ୍ୟାଳୟ ଉଦ୍ଦେଶ୍ୟରେ ସେ ଦାନ କରିଥିଲେ । ପରେ ଏହି ଗୃହ ‘ସଦାକତ୍ ଆଶ୍ରମ’ ନାମରେ ନାମିତ ହୋଇଥିଲା । ରାଜେନ୍ଦ୍ର ପ୍ରସାଦ ଦୀର୍ଘ ୨୫ ବର୍ଷ ସେଠାରେ ଅବସ୍ଥାନ କରିଥିଲେ । ଜାତୀୟ କଲେଜକୁ ମଧ୍ୟ ସେହିଠାକୁ ଉଠାଇ ନିଆଯାଇଥିଲା । ଛାତ୍ରମାନଙ୍କ ରହିବା ପାଇଁ ତାଳପତ୍ରରେ ଛୋଟ ଛୋଟ ଘରମାନ ତିଆରି କରାଯାଇଥିଲା ।

 

୧୯୨୦ ମସିହା ଡିସେମ୍ବର ମାସରେ ନାଗପୁରଠାରେ କଂଗ୍ରେସର ଏକ ଗୁରୁତ୍ଵପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଜିନ୍ନା ପ୍ରଭୃତି ନେତାମାନେ ଗାନ୍ଧିଜୀଙ୍କର ଅସହଯୋଗ ଆନ୍ଦୋଳନ ପ୍ରତି ସମର୍ଥନ ଜଣାଇଲେ । ସ୍ଵରାଜପ୍ରାପ୍ତି ହିଁ କଂଗ୍ରେସର ମୁଖ୍ୟ ଲକ୍ଷ୍ୟରୂପେ ସ୍ଥିରୀକୃତ ହେଲା । ବହୁ ନୂତନ ଓ ପ୍ରବୀଣ ବ୍ୟକ୍ତି କଂଗ୍ରେସର ସଭ୍ୟଶ୍ରେଣୀ ଅନ୍ତର୍ଭୁକ୍ତ ହେଲେ । କଂଗ୍ରେସର ନିର୍ଦ୍ଧାରିତ କାର୍ଯ୍ୟନିର୍ଘଣ୍ଟ ବିଷୟରେ ବିସ୍ତୃତଭାବେ ପ୍ରଚାର ଓ ପ୍ରସାର କରାଗଲା । ଏଥପାଇଁ ରାଜେନ୍ଦ୍ର ପ୍ରସାଦଙ୍କୁ ସମଗ୍ର ବିହାର ଗସ୍ତ କରିବାକୁ ପଡ଼ିଥିଲା । ସ୍ଵରାଜ ପାଣ୍ଠି ପାଇଁ ମଧ୍ୟ ଦେଶର ସବୁ ପ୍ରାନ୍ତରୁ ଚାନ୍ଦା ସଂଗ୍ରହ କରାଯାଇଥିଲା । ରାଜେନ୍ଦ୍ର ପ୍ରସାଦଙ୍କୁ ତାଙ୍କର ଏହି ଗସ୍ତକ୍ରମରେ ବହୁ ଦୁଃଖକଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଥିଲା । ସେ ତାଙ୍କ ଆତ୍ମ-ଜୀବନୀରେ ଲେଖିଛନ୍ତି–ଥରେ ଏହି ଗସ୍ତକ୍ରମରେ ଯାଇ ବାଘ ଭୟରେ ରାସ୍ତାକଡ଼ରେ ପଡ଼ିଥିବା ଗୋଟିଏ ଭଙ୍ଗା ମଟରଗାଡ଼ି ଭିତରେ ଭୋକଉପାସରେ ତାଙ୍କୁ ଗୋଟିଏ ରାତି କଟାଇବାକୁ ପଡ଼ିଥିଲା ।

 

କଂଗ୍ରେସ ଜରିଆରେ ଜନଜାଗରଣ ଆଣିବା ପାଇଁ ରାଜେନ୍ଦ୍ର ପ୍ରସାଦ ‘ଦେଶ’ ନାମରେ ଗୋଟିଏ ସାପ୍ତାହିକ ପତ୍ରିକା ପ୍ରକାଶ କରିଥିଲେ । ଏହାର ପ୍ରସାର ମଧ୍ୟ ଆଶାନୁରୂପ ହୋଇଥିଲା । ଏହା ବ୍ୟତୀତ ‘ସର୍ଚ୍ଚଲାଇଟ୍’ ନାମକ ଗୋଟିଏ ପାକ୍ଷିକ ଇଂରେଜୀ ପତ୍ରିକାର ମଧ୍ୟ ସେ ସହସମ୍ପାଦକରୂପେ କାର୍ଯ୍ୟ କରୁଥିଲେ । ଏହିପରି ତାଙ୍କୁ ଏକାଧିକ ଅନୁଷ୍ଠାନରେ କାର୍ଯ୍ୟ କରିବାକୁ ପଡ଼ୁଥିଲା ।

 

କଂଗ୍ରେସର ଉଦ୍ଦେଶ୍ୟ ବିଷୟରେ ଆଶାନୁରୂପ ପ୍ରଚାର ଓ ପ୍ରସାର ହେବାରୁ ଶ୍ରେଣୀ-ନିର୍ବିଶେଷରେ ସମସ୍ତଙ୍କର ସମର୍ଥନ ମିଳିଲା । ବ୍ରିଟିଶ ସରକାର ଏହା ଉପଲବ୍‍ଧି କରି ବିବ୍ରତ ହୋଇ ପଡ଼ିଲେ । ଦୃଢ଼ହସ୍ତରେ କଂଗ୍ରେସ ଆନ୍ଦୋଳନକୁ ଦମନ କରିବା ପାଇଁ ସିଦ୍ଧାନ୍ତ ଗ୍ରହଣ କରାଗଲା । ତଦନୁଯାୟୀ ୩୦ ହଜାର କଂଗ୍ରେସକର୍ମୀଙ୍କୁ କାରାବରଣ କରିବାକୁ ପଡ଼ିଲା । ସଭା ଓ ଶୋଭାଯାତ୍ରା ଉପରେ ନିଷେଧାଜ୍ଞା ଜାରି କରାଗଲା । ୧୯୨୧ ମସିହା ଅପ୍ରେଲ ମାସରେ ଲର୍ଡ଼ ଚେମ୍‍ସଫୋର୍ଡ଼ଙ୍କ ସ୍ଥାନରେ ଲର୍ଡ଼ ରିଡ଼ିଂ ବଡ଼ଲାଟ୍ ହୋଇ ଆସିଲେ । ସେ ପୂର୍ବରୁ ଆମେରିକାର ରାଷ୍ଟ୍ରଦୂତ ଓ ବ୍ରିଟେନ୍‍ର ଚିଫ୍ ଜଷ୍ଟିସ୍‍ରୂପେ କାର୍ଯ୍ୟ କରିଥିଲେ । ତେଣୁ ଭାରତବାସୀ ଆଶା କରିଥିଲେ ତାଙ୍କଠାରୁ କିଛି ନ୍ୟାୟବିଚାର ମିଳିବ ବୋଲି; କିନ୍ତୁ ମିଠାକଥା ଛଡ଼ା ଦେଶବାସୀ ତାଙ୍କଠାରୁ ଅନ୍ୟ କିଛି ପାଇ ନ ଥିଲେ । ଜନସାଧାରଣଙ୍କର ଦାବୀ ହୃଦୟଙ୍ଗମ ନ କରି ଆନ୍ଦୋଳନକୁ ଦମନ କରିବା ହିଁ ହେଲା ତାଙ୍କର ନୀତି । ୧୯୨୧ ମସିହା ସେପ୍‍ଟେମ୍ବର ମାସରେ ମୁସଲ୍‍ମାନମାନଙ୍କ ପାଇଁ ଧର୍ମଗତ ସମାଦେଶ ଦାବୀ କରାଯାଇ କ୍ରମେ ‘ପଂତୁଆ’ ନାମକ ଅନ୍ୟ ଏକ ଆନ୍ଦୋଳନ ତେଜିଉଠିଲା । ଭାରତରେ ମୁସଲ୍‍ମାନମାନଙ୍କ ଧର୍ମଗୁରୁଙ୍କ ନିର୍ଦ୍ଦେଶମତେ କୌଣସି ମୁସଲ୍‍ମାନ୍ ସରକାରଙ୍କ କାର୍ଯ୍ୟକଳାପରେ ସାହାଯ୍ୟ କଲେ ନାହିଁ । ଏଥିପାଇଁ ମୌଲାନା ମହମ୍ମଦ ଅଲି ଓ ମୌଲାନା ସଉକତ୍ ଅଲିଙ୍କ ସମେତ ବହୁ ମୁସଲ୍‍ମାନ ନେତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା ।

 

ହିନ୍ଦୁ ଓ ମୁସଲ୍‌ମାନମାନଙ୍କର ଏହି ମିଳିତ ଗଣ-ଆନ୍ଦୋଳନର ଆଶୁ ଅବସାନ ପାଇଁ ବ୍ରିଟିଶ ସମ୍ରାଟଙ୍କର ସେହି ବର୍ଷ ଡିସେମ୍ବର ମାସରେ ଭାରତ ଗସ୍ତର ଏକ ମସୁଧା କରାଗଲା । କାରଣ ସରକାର ଭାବିଲେ ଯେ ସମ୍ରାଟଙ୍କ ଆଗମନ ଦ୍ଵାରା ଲୋକଙ୍କ ହୃଦୟରେ ସ୍ଵତଃ ରାଜଭକ୍ତି ଉଦ୍ରେକ ହେବ ଓ କେହି ଆନ୍ଦୋଳନରେ ଭାଗ ନେବେ ନାହିଁ । ଗାନ୍ଧିଜୀ ଏହା ଜାଣି ସମ୍ରାଟ୍‌ଙ୍କ ଗସ୍ତକ୍ରମ ବନ୍ଦ ରଖିବାପାଇଁ ବଡ଼୍‍ଲାଟଙ୍କୁ ଚିଠି ଲେଖି ଜଣାଇଲେ ଯେ ଲୋକଙ୍କର ସମ୍ରାଟ୍‌ଙ୍କ ବିରୁଦ୍ଧରେ କୌଣସି ବ୍ୟକ୍ତିଗତ ଆକ୍ରୋଶ ନାହିଁ ସତ; କିନ୍ତୁ ସମୟଦୃଷ୍ଟିରୁ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇବାକୁ ପ୍ରସ୍ତୁତ ହୋଇ ନ ପାରନ୍ତି । ଗାନ୍ଧିଜୀଙ୍କର ଏହି ନିର୍ଦ୍ଦେଶ ପ୍ରତି ସରକାର କର୍ଣ୍ଣପାତ କରି ନ ଥିଲେ । ୧୭ ତାରିଖରେ ସମ୍ରାଟ୍ ବମ୍ବେରେ ଆସି ପହଞ୍ଚିଲେ । ତାଙ୍କ ଅଭ୍ୟର୍ଥନାରେ କେହି ଯୋଗ ନ ଦେବାପାଇଁ କଂଗ୍ରେସ ତରଫରୁ ଘୋଷଣା କରାଗଲା । ଏହା ବହୁଭାବରେ ସଫଳ ହୋଇଥିଲେ ମଧ୍ୟ ମୁଷ୍ଟିମେୟ ରାଜଭକ୍ତ ଓ ଅସହଯୋଗୀମାନଙ୍କ ମଧ୍ୟରେ ଗୋଳମାଳ ଲାଗି ୧୫ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିଲା ଓ ତିନି ଶହ ଜଣ ଆହତ ହୋଇଥିଲେ । ଗାନ୍ଧିଜୀ ଏହା ଜାଣି ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ ଓ ତାହାର ପ୍ରତିବାଦ କରି ବମ୍ବେଠାରେ ଅନଶନ ଆରମ୍ଭ କରିଦେଲେ । ଏହା ଫଳରେ ସ୍ଥାନୀୟ ଲୋକଙ୍କ ଉପରେ ଏକ ଗୁରୁ ନୈତିକ ଚାପ ପଡ଼ିଲା । ସଭା-ସମିତିରେ ଶାନ୍ତି-ଶୃଙ୍ଖଳାରକ୍ଷା ପାଇଁ ସେବକ ଦଳମାନ ଗଢ଼ାଗଲା । ସେବକମାନେ ଅହିଂସା ଓ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ତ କାର୍ଯ୍ୟ କରିବାକୁ ଶପଥ ନେଲେ । ସରକାର ଏହି ଦଳଗୁଡ଼ିକୁ ନ୍ୟାୟସଙ୍ଗତ ଅନୁଷ୍ଠାନ ନୁହଁନ୍ତି ବୋଲି ଘୋଷଣା କଲେ ଓ ବହୁ ସେବକଙ୍କୁ ବନ୍ଦୀ କରାଗଲା । ରାଜେନ୍ଦ୍ର ପ୍ରସାଦ ଏହି ଦଳରେ ସଭ୍ୟଶ୍ରେଣୀଭୁକ୍ତ ହେଲେ; କନ୍ତୁ ତାଙ୍କୁ ବନ୍ଦୀ କରାଯାଇ ପାରି ନଥିଲା ।

 

ଅହମଦାବାଦ କଂଗ୍ରେସରେ ଦେଶସାରା ସତ୍ୟାଗ୍ରହ ଆରମ୍ଭ କରିବା ପ୍ରସ୍ତାବ ଗୃହୀତ ହେଲା । ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ଗାନ୍ଧୀଜୀଙ୍କୁ ସର୍ବୋଚ୍ଚ କ୍ଷମତା ଦିଆଗଲା । ଫେବୃଆରୀ ୪ ତାରିଖରେ ଗାନ୍ଧିଜୀ ସତ୍ୟାଗ୍ରହ ଆରମ୍ଭ କଲେ ଓ ଦେଶସାରା ଆଇନ-ଅମାନ୍ୟ ଆନ୍ଦୋଳନ ଚାଲୁରଖିବାକୁ ନିର୍ଦ୍ଦେଶ ଦେଲେ । ସମଗ୍ର ଭାରତରେ ଏହି ଆନ୍ଦୋଳନ ଘନେଇ ଉଠିଲା । ଉତ୍ତରପ୍ରଦେଶର କେତେକ ଗ୍ରାମରେ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ନିରସ୍ତ୍ର ଜନତା ଉପରେ ପୁଲିସ ତରଫରୁ ନିର୍ଦ୍ଦୟଭାବେ ଗୁଳି ଚାଲିଲା । ଉତ୍ୟକ୍ତ ଜନତା ଥାନାମାନ ପୋଡ଼ିଦେଲେ । ଏହାଦ୍ୱାରା ପ୍ରାୟ ୨୨ ଜଣ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ । ଏ ସମ୍ବାଦ ପାଇ ଗାନ୍ଧିଜୀ ଅତ୍ୟନ୍ତ ମର୍ମାହତ ହୋଇପଡ଼ିଲେ । ଲୋକେ ଅସହଯୋଗ ଆନ୍ଦୋଳନ ପରିଚାଳନା କରିବା ପାଇଁ ଉପଯୁକ୍ତ ହୋଇନାହାନ୍ତି ଭାବି, ସେ ସେହି ଆନ୍ଦୋଳନ କିଛି ଦିନ ପାଇଁ ପ୍ରତ୍ୟାହାର କରିନେଲେ । ସତ୍ୟାଗ୍ରହ ଓ ଅହିଂସାର ମହତ୍ତ୍ଵ ଲୋକେ ନ ବୁଝିଲାଯାଏ ଆନ୍ଦୋଳନ ଲକ୍ଷ୍ୟଚ୍ୟୁତ ହେବ ବୋଲି ସେ ଅଭିମତ ଦେଲେ; କିନ୍ତୁ ଏହା କଂଗ୍ରେସକର୍ମୀମାନଙ୍କ ଉପରେ ଏକପ୍ରକାର ମିଶ୍ର ପ୍ରଭବ ପକାଇଥିଲା ।

 

ଏହି ସମୟରେ ରାଜେନ୍ଦ୍ର ପ୍ରସାଦ ‘ବର୍ଦ୍ଦୋଳୀ’ ଠାରେ ଅବସ୍ଥାନ କରୁଥାନ୍ତି; କାରଣ ସେଠାରେ କଂଗ୍ରେସର କାର୍ଯ୍ୟ-ନିର୍ବାହିକା କମିଟିର ଅଧିବେଶନ ବସିଥାଏ । ଗାନ୍ଧିଜୀଙ୍କର ଅପ୍ରତ୍ୟାଶିତବେ ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହାର ସିଦ୍ଧାନ୍ତ ଖବର ପାଇ ସେ ବ୍ୟତିବ୍ୟସ୍ତ ହୋଇ ପଡ଼ିଲେ । ସେ ଅନୁଭବ କଲେ ଯେ ଲୋକଙ୍କର ହିଂସାତ୍ମକ କାଣ୍ଡ ଯୋଗୁଁ ଏପରି ଏକ ସିଦ୍ଧାନ୍ତ ସେତେ ସମୀଚୀନ ନୁହେଁ; ବରଂ ଏହା ଜନଜାଗରଣର ପଥ ରୁଦ୍ଧ କରିଦେବ ଓ କ୍ରମେ ପରିକଳ୍ପିତ ଆନ୍ଦୋଳନ ବିଶୃଙ୍ଖଳି ହୋଇ ପଡ଼ିବ ।

 

ନିଷ୍ଠାପର କର୍ମୀ ହିସାବରେ ଗାନ୍ଧିଜୀ ରାଜେନ୍ଦ୍ର ପ୍ରସାଦଙ୍କୁ ସବୁଠାରୁ ବେଶି ଭଲ ପାଉଥିଲେ । ତେଣୁ ସେ ତାଙ୍କର ସେହି ସିଦ୍ଧାନ୍ତ ପରେ ରାଜେନ୍ଦ୍ର ପ୍ରସାଦଙ୍କର ମତାମତ ଲୋଡ଼ିଥିଲେ । ରାଜେନ୍ଦ୍ର ପ୍ରସାଦ ପ୍ରଥମେ ଗାନ୍ଧିଜୀଙ୍କର ସିଦ୍ଧାନ୍ତକୁ ଗ୍ରହଣ କରିଥିଲେ; କିନ୍ତୁ ପରେ ସେ ତାଙ୍କର ଭୁଲ ବୁଝିପାରିଥିଲେ । ତା ପରେ ଦିଲ୍ଲୀଠାରେ ନିଖିଳ ଭାରତ କଂଗ୍ରେସ କମିଟିର ଅଧିବେଶନରେ ଗାନ୍ଧିଜୀ ତାଙ୍କର ସେହି ଆନ୍ଦୋଳନ ପ୍ରତ୍ୟାହାର କରିନେବାର କାରଣ ବୁଝାଇଥିଲେ ଓ କହିଥିଲେ ଯେ ଯଦି ସେ ସେହିପରି କରି ନ ଥାନ୍ତେ ତା’ହେଲେ ଆଦର୍ଶ ଅହିଂସା ଆନ୍ଦୋଳନ ହିଂସାର ବିଭୀଷିକାଦ୍ଵାରା କବଳିତ ହୋଇଥାନ୍ତା । କଂଗ୍ରେସ ଆନ୍ଦୋଳନ କିପରି ଦୃଢ଼ ଓ ନିଷ୍କଳୁଷ ହେବ, ସେଥିପାଇଁ ସେ ଏକ ବିସ୍ତୃତ କର୍ମସୂଚୀ ତିଆରି କରିଥିଲେ ଓ କଂଗ୍ରେସ ସଭ୍ୟସଂଖ୍ୟା କିପରି ୧୦ ଲକ୍ଷକୁ ବୃଦ୍ଧି ପାଇବ, ତାହାର ମଧ୍ୟ ଏକ ଯୋଜନା ତିଆରି କରିଥିଲେ । କିପରି ଖଦୀର ପ୍ରଚାର ଓ ପ୍ରସାର ହେବ, ଅଧିକ ସଂଖ୍ୟାରେ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ, ଦଳିତ ଜାତିଙ୍କୁ ସଂଗଠିତ କରାଯାଇ ସେମାନଙ୍କର ସାମାଜିକ ଓ ନୈତିକ ମାନ ଅଭିବୃଦ୍ଧି ହେବ ଇତ୍ୟାଦି ମଧ୍ୟ ତାଙ୍କ ଯୋଜନାର ପର୍ଯ୍ୟାୟଭୁକ୍ତ ହୋଇଥିଲା । ସର୍ବସମ୍ମତିକ୍ରମେ ଏହି କର୍ମସୂଚୀ କମିଟିରେ ଗୃହୀତ ହେଲା; କିନ୍ତୁ ଅଧିକାଂଶ ସଭ୍ୟ ଆଇନ-ଅମାନ୍ୟ ଆନ୍ଦୋଳନକୁ ପୁନଶ୍ଚ ଚାଲୁକରିବା ପାଇଁ ଦାବୀ କଲେ ।

 

ସେହି ବର୍ଷ ମାର୍ଚ୍ଚ ୧୦ ତାରିଖରେ ହଠାତ୍ ଗାନ୍ଧିଜୀଙ୍କୁ ବନ୍ଦୀ କରାଯାଇ ଅହମଦାବାଦ ଜେଲକୁ ପଠାଇ ଦିଆଗଲା ଓ ଦୀର୍ଘ ୬ ବର୍ଷ କାରାଦଣ୍ଡରେ ଦଣ୍ଡିତ କରଯାଇଥିଲା । ଗାନ୍ଧିଜୀଙ୍କ ପ୍ରତି ଏପରି କଠିନ ଦଣ୍ଡାଦେଶ ଶୁଣି ରାଜେନ୍ଦ୍ର ପ୍ରସାଦ ଦୁଃଖରେ ବିହ୍ୱଳ ହୋଇପଡ଼ିଥିଲେ । ତାଙ୍କ ଜୀବନର ଦିଗ୍‍ଦର୍ଶକ ଗାନ୍ଧିଜୀଙ୍କର ବିଚ୍ଛେଦ ତାଙ୍କର ଆବେଗଭରା ହୃଦୟରେ ଏକ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା ।

 

ଅହମଦାବାଦରେ କିଛି ଦିନ ଅବସ୍ଥାନ ପରେ ବିମର୍ଷ ମନରେ ରାଜେନ୍ଦ୍ର ପ୍ରସାଦ ପାଟନାସ୍ଥିତ ସଦାକତ୍ ଆଶ୍ରମକୁ ଫେରିଆସିଥିଲେ । ନିଜେ ମଧ୍ୟ କାରାବରଣ କରିବାକୁ ସେ ଥିଲେ ସର୍ବଦା ପ୍ରସ୍ତୁତ । ନୈରାଶ୍ୟଭରା ହୃଦୟରେ ସେ ସମସ୍ତଙ୍କୁ କହୁଥିଲେ–‘‘ଗାନ୍ଧିଜୀ ଜେଲରେ ରହିଲା ପରେ ଆମେ ଆଉ ବାହାରେ ରହି ଲାଭ କଣ ?’’ ଗାନ୍ଧିଜୀ ଜେଲକୁ ଗଲା ପୂର୍ବରୁ ତାଙ୍କୁ କହିଥିଲେ–‘‘ଗଠନମୂଳକ କାମ କରିଯାଅ । ଲୋକମାନଙ୍କୁ ସତ୍ୟାଗ୍ରହ ଆନ୍ଦୋଳନ ପାଇଁ ଉପଯୁକ୍ତ ତାଲିମ ଦିଅ ।’’ ଗୁରୁଦେବଙ୍କର ଏହି ଆଜ୍ଞାକୁ ସେ ଅକ୍ଷରେ ଅକ୍ଷରେ ମାନିଥିଲେ । ବିହାର କଂଗ୍ରେସ କମିଟି ଜରିଆରେ ସେ ପ୍ରଦେଶରେ ଗଠନମୂଳକ କାର୍ଯ୍ୟ ଆରମ୍ଭ କରିଥିଲେ । ଜାତୀୟ ଶିକ୍ଷା ଓ ଖଦୀର ଅଭିବୃଦ୍ଧି ପାଇଁ ଜିଲ୍ଲା କଂଗ୍ରେସ କମିଟି ଜରିଆରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

 

ଗାନ୍ଧିଜୀଙ୍କର ଶନୈପନ୍ଥା ନୀତିକୁ ସେତେବେଳେ ମହାରାଷ୍ଟ୍ରର କେତକ ନେତାଙ୍କ ସମେତ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଓ ମୋତିଲାଲ ପଣ୍ଡିତ ପ୍ରମୁଖ ଅଦୌ ପସନ୍ଦ କରୁ ନ ଥିଲେ । ଅନେକେ ମଧ୍ୟ ଗାନ୍ଧିଜୀଙ୍କ ଅନୁସୃତ ନୀତି ଉପରୁ ଆସ୍ଥା ତୁଟାଇ ବସିଲେ । ସେହି ବର୍ଷ ନଭେମ୍ବର ମାସରେ ‘‘ଖିଲାଫତ୍ ଆନ୍ଦୋଳନ’’ ର ଅବସାନ ଘଟିଥିଲା । ମୁସଲ୍‍ମାନମାନେ ବ୍ରିଟିଶ ସରକାରଙ୍କର ବିରୋଧ କରିବାରେ ହିନ୍ଦୁମାନଙ୍କୁ ଆଉ ପୂର୍ବଭଳି ସାହାଯ୍ୟ–ସହଯୋଗ କଲେ ନାହିଁ-। ସରକାରଙ୍କର ପରୋକ୍ଷ ପ୍ରଚେଷ୍ଟାରେ ବରଂ ହିନ୍ଦୁ-ମୁସଲ୍‌ମାନମାନଙ୍କ ମଧ୍ୟରେ ବୈରଭାବର ସୂତ୍ରପାତ ହେଲା । ମୁଲତାନରେ ସାମ୍ପ୍ରଦାୟିକ ଗଣ୍ଡଗୋଳ ତେଜି ଉଠିଲା । ରାଜେନ୍ଦ୍ର ପ୍ରସାଦ ହାକିମ୍ ଆଜମଲ ଖାଁ ଓ ପଣ୍ଡିତ ମଦନମୋହନ ମାଲବ୍ୟଙ୍କ ସହିତ ମୁଲ୍‌ତାନ ଯାଇ ସେଠାକାର ଜିଲ୍ଲା ମାଜିଷ୍ଟ୍ରେଟ ଇମର୍ଶନଙ୍କ ସହିତ ସାକ୍ଷାତ୍‌ କରିଥିଲେ; କିନ୍ତୁ ହିନ୍ଦୁ-ମୁସଲ୍‍ମାନ ମୈତ୍ରୀ ସ୍ଥାପନ ପାଇଁ ଇମର୍ଶନ୍ ଆଦୌ ତତ୍ପରତା ପ୍ରକାଶ କରି ନ ଥିଲେ । ଅମୃତସରଠାରେ ମଧ୍ୟ ଅନୁରୂପ ସାଂପ୍ରଦାୟିକ ଗଣ୍ଡଗୋଳ ଦେଖାଦେଇଥିଲା ।

 

୧୯୨୪ ମସିହା ଜାନୁଆରୀ ମାସରେ ଦେଶର ସାମ୍ପ୍ରଦାୟିକ ଗଣ୍ଡଗୋଳର ସମ୍ମୁଖୀନ ହେବା ପାଇଁ କଂଗ୍ରେସ ମହଲରେ ଗାନ୍ଧିଜୀଙ୍କର ପରାମର୍ଶ ଲୋଡ଼ା ପଡ଼ିଲା । ସେତେବେଳେ ପୁନାରେ ଗାନ୍ଧିଜୀଙ୍କ ତଳପେଟରେ ଅସ୍ତ୍ରୋପଚାର ହୋଇଥାଏ । ରାଜେନ୍ଦ୍ର ପ୍ରସାଦ ତାଙ୍କୁ ଡାକ୍ତରଖାନାରେ ସାକ୍ଷାତ୍ କଲେ । ଗାନ୍ଧଜୀ ରାଜେନ୍ଦ୍ର ପ୍ରସାଦଙ୍କୁ କହିଲେ ଯେ ସ୍ଵାସ୍ଥ୍ୟଦୃଷ୍ଟିରୁ ନିକଟ ଭବିଷ୍ୟତରେ ସେ କାରାମୁକ୍ତ ହୋଇପାରନ୍ତି; କିନ୍ତୁ ସେଥିଯୋଗୁଁ ସେ ଆନନ୍ଦିତ ନୁହନ୍ତି । ସତକୁ ସତ ଫେବୃଆରୀ ୫ ତାରିଖରେ ତାଙ୍କୁ କାରାମୁକ୍ତ କରାଗଲା । ପୂର୍ବପରି ଅପ୍ରେଲ ମାସଠାରୁ ସେ ‘‘Young India’’ ର ସଂପାଦନ ଦାୟିତ୍ଵ ଗ୍ରହଣ କଲେ । ସେହି ପତ୍ରିକା ମାଧ୍ୟମରେ ସାଂପ୍ରଦାୟିକ ଗଣ୍ଡଗୋଳ ଯୋଗୁଁ ଗଭୀର ଦୁଃଖପ୍ରକାଶ କରି ସେ ବହୁ ପ୍ରବନ୍ଧ ଲେଖିଥିଲେ । ଜନସାଧାରଣ ଓ କେତେକ କ୍ଷେତ୍ରରେ ଶପଥ ନେଇଥିବା କଂଗ୍ରେସ କର୍ମୀମାନେ ଅହିଂସାକୁ ବିଶ୍ୱାସ କରୁ ନ ଥିବାରୁ ସେ କ୍ଷୁବ୍‌ଧ ହୋଇ ପଡ଼ିଥିଲେ ।

 

ସାଂପ୍ରଦାୟିକ ବାଦବିସମ୍ବାଦର ପ୍ରତିବାଦ ଜଣାଇ ୧୯୨୪ ମସିହାରେ ଗାନ୍ଧିଜୀ ୨୧ ଦିନିଆ ଅନଶନ ଆରମ୍ଭ କଲେ; କିନ୍ତୁ ଏହାର ପୂର୍ଣ୍ଣ ଅବସାନ ହେଲା ନାହିଁ । ବରଂ ହିନ୍ଦୁ ଓ ମୁସଲ୍‍ମାନ ଏହି ଦୁଇ ସଂପ୍ରଦାୟ ପରସ୍ପର ଆସ୍ଥାନ ଦୃଢ଼ କରିବାକୁ ଲାଗିଲେ । ଗୟାଠାରେ ହିନ୍ଦୁ ମହାସଭାର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ରାଜେନ୍ଦ୍ର ପ୍ରସାଦ ସ୍ଵାଗତ କମିଟିର ଅଧ୍ୟକ୍ଷରୂପେ ନିର୍ବାଚିତ ହେଲେ ଓ ମହାସଭାର ସଭାପତିରୁପେ ନିର୍ବାଚିତ ହେଲେ ପଣ୍ଡିତ ମଦନମୋହନ ମାଲବ୍ୟ । ସେତେବେଳେ ସାଂପ୍ରଦାୟିକ ଅନୁଷ୍ଠାନମାନଙ୍କରେ କଂଗ୍ରେସ ସଭ୍ୟମାନଙ୍କୁ ଅଂଶଗ୍ରହଣ କରିବା ପାଇଁ ବାରଣ କରାଯାଉ ନ ଥିଲା । ରାଜେନ୍ଦ୍ର ପ୍ରସାଦ ମଧ୍ୟ ହିନ୍ଦୁ ମହାସଭାର ଭବିଷ୍ୟତ ବିଷୟରେ ଧାରଣା କରିପାରି ନ ଥିଲେ; କିନ୍ତୁ ‘ସଂଗଠନ’ ଓ ‘ଶୁଦ୍ଧି’ ଜରିଆରେ ମହାସଭାର ଭବିଷ୍ୟତ ଭିନ୍ନ ରୂପରେଖ ନେଇଥିଲା ।

 

କ୍ରମେ କଂଗ୍ରେସଦଳ ମଧ୍ୟରେ ସନ୍ଦେହ ଓ ନୈରାଶ୍ୟଜନିତ ମତଭିନ୍ନତା ଦେଖାଦେଇଥିଲା । ଗାନ୍ଧିଜୀଙ୍କର ସତ୍ୟାଗ୍ରହ ପ୍ରତ୍ୟାହୃତ ହେବା ଦିନଠାରୁ ଏହାର ବୀଜବପିତ ହୋଇଥିଲା । ସରକାର ସେହିଦିନଠାରୁ କଂଗ୍ରେସ ନେତୃବର୍ଗଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି କରିବା ପାଇଁ ଥିଲେ ଚେଷ୍ଟିତ । ଲୋଭନୀୟ ଚାକିରି ଦେଇ ଅନେକ କର୍ମୀଙ୍କୁ କଂଗ୍ରେସ ସଂଗଠନରୁ ବାହାର କରି ନିଆଯାଇଥିଲା । ଗାନ୍ଧିଜୀଙ୍କର ଗଠନମୂଳକ କାର୍ଯ୍ୟକ୍ରମର ମନ୍ଥରତା ଅନେକ ପ୍ରଗତିବାଦୀ କର୍ମୀଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା । ସେମାନେ ଚାହିଁଥିଲେ, ସରକାର–ବିରୋଧୀ ଆନ୍ଦୋଳନ ସାମୟିକ ମନ୍ଥର ନ ହୋଇ ବରଂ ଦିନକୁ ଦିନ ଗତିଶୀଳ ହେବା ଉଚିତ । ସେମାନେ ଆହୁରି ଯୁକ୍ତି ବାଢ଼ିଲେ ଯେ ନିର୍ବାଚନରେ କଂଗ୍ରେସ କର୍ମୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବା ଦରକାର । ଗୟାଠାରେ ବସିଥିବା କଂଗ୍ରେସ ଅଧିବେଶନର ସଭାପତି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ ଏଥିପାଇଁ ଗୋଟିଏ ସ୍ଵତନ୍ତ୍ର କାର୍ଯ୍ୟକ୍ରମର ଚିଠା ତିଆରି କଲେ; କିନ୍ତୁ ଏଥିରେ ଦଳର ପୂର୍ଣ୍ଣ ସମର୍ଥନ ତାଙ୍କୁ ମିଳିଲା ନାହଁ । ତେଣୁ କଂଗ୍ରେସ ସଭାପତି ପଦରୁ ସେ ଇସ୍ତଫା ଦେଇ ‘ସ୍ଵରାଜ’ ନାମରେ ଏକ ନୂତନ ଦଳ ଗଢ଼ିଥିଲେ । ଏହିପରି କ୍ରମେ କଂଗ୍ରେସ ଏକାଧିକ ଦଳରେ ବିଭକ୍ତ ହେଲା । ଉଗ୍ରପନ୍ଥୀମାନେ ଗାନ୍ଧିଜୀଙ୍କ ନେତୃତ୍ୱକୁ ଅବମାନନା କଲେ; କିନ୍ତୁ ରାଜଗୋପାଳାଚାରୀ, ବଲ୍ଲଭଭାଇ ପଟେଲ, ଜବାହରଲାଲ ନେହରୁ ଓ ରାଜେନ୍ଦ୍ର ପ୍ରସାଦ ପ୍ରମୁଖ ନେତୃବୃନ୍ଦ ଗାନ୍ଧୀଜୀଙ୍କ ନୀତି ଓ ଆଦର୍ଶରେ ସର୍ବଦା ଥିଲେ ଅନୁରକ୍ତ । ସରକାରଙ୍କ ପ୍ରଦତ୍ତ ଚାକିରିର ପ୍ରଲୋଭନ ଓ ପଦବୀଲୋଭ ସେମାନଙ୍କ ନିକଟରେ ହାର ମାନିଥିଲା । ଦେଶବନ୍ଧୁ ଦାସଙ୍କର ନୀତି ରାଜେନ୍ଦ୍ର ପ୍ରସାଦଙ୍କ ହୃଦୟରେ ଆଦୌ ରେଖାପାତ କରିପାରି ନ ଥିଲା । ତେଣୁ ପରେ ସେ ରାଜେନ୍ଦ୍ରଙ୍କୁ ପ୍ରଶଂସା କରି କହିଥିଲେ–‘‘ଆପଣ ଜଣେ ଏକନିଷ୍ଠ ଗାନ୍ଧୀବାଦୀ । ଦେଶରେ ଗାନ୍ଧୀବାଦର ନିରବଚ୍ଛିନ ପ୍ରସାର ପାଇଁ ଆପଣଙ୍କର ମହତ୍ ଉଦ୍ୟମ ଯଥାର୍ଥତଃ ପ୍ରଶଂସନୀୟ ।’’

 

କଂଗ୍ରେସର ଉଗ୍ରପନ୍ଥୀ ଓ ସୁଧାରବାଦୀଙ୍କ ମଧ୍ୟରେ କଥାବାର୍ତ୍ତା ପରେ ସ୍ଵରାଜ ପାର୍ଟିର ସଭ୍ୟମାନଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସୁଯୋଗ ଦିଆଯାଇଥିଲା ଓ ୧୯୨୩ ମସିହାରେ ବସିଥିବା କୋକନଡ଼ା କଂଗ୍ରେସରେ ଏହା ଗୃହୀତ ହୋଇଯାଇଥିଲା । ମୋତିଲାଲ ନେହରୁ ଓ ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ଵରେ ସ୍ଵରାଜ ପାର୍ଟି ନର୍ବାଚନରେ ଲଢ଼ିଲେ ଓ କେନ୍ଦ୍ର ବ୍ୟବସ୍ଥାପକ ସଭା ପାଇଁ ୪୫ଟି ସ୍ଥାନରେ ନିର୍ବାଚିତ ହେଲେ । ତା ପରେ ୧୯୨୪ ମସିହାରେ ବେଲଗାଓଁଠାରେ କଂଗ୍ରେସ ଅଧିବେଶନ ବସିଲା । ଏଥିରେ ସଭାପତିତ୍ଵ କରିଥିଲେ ନିଜେ ଗାନ୍ଧିଜୀ । କଂଗ୍ରେସରେ ସାଂଗଠନିକ ଏକତାଦୃଷ୍ଟିରୁ ସେ ସ୍ଵରାଜ ପାର୍ଟିର ସିଦ୍ଧାନ୍ତକୁ ସମାଲୋଚନା କରି ନ ଥିଲେ; ପରନ୍ତୁ ନିଜ ଅନୁଚରଙ୍କ ଜରିଆରେ ଦେଶସାରା ଗଠନମୂଳକ କାର୍ଯ୍ୟ କିପରି ଦ୍ରୁତଗତିରେ ଚାଲିବ, ସେଥିପାଇଁ ଅଧିକ ସେ ସ୍ଵକୀୟ ବ୍ୟଗ୍ରତା ପ୍ରକାଶ କରିଥିଲେ ।

 

ରାଜେନ୍ଦ୍ର ପ୍ରସାଦ ଦଳର ଆଭ୍ୟନ୍ତରୀଣ ଅବ୍ୟବସ୍ଥାରୁ ସବୁବେଳେ ଦୁରରେ ରହୁଥିଲେ । ତାଙ୍କର ମନ ଅନବରତ ଗଠନମୂଳକ କାର୍ଯ୍ୟକ୍ରମରେ ଲିପ୍ତ ଥିଲା; କାରଣ ସେ ହୃଦୟଙ୍ଗମ କରିଥିଲେ ସେ ଅନାଟନ, ଅଶିକ୍ଷା ପ୍ରଭୃତି ସମସ୍ୟା କେବଳ ଗଠନମୂଳକ କାର୍ଯ୍ୟଦ୍ଵାରା ହିଁ ସମାଧାନ କରାଯାଇପାରିବ । ନିର୍ବାଚିତ ହୋଇ ବ୍ୟବସ୍ଥାପକ ସଭାରେ ବସିଲେ ଏହାର ସମାଧାନ ଅସମ୍ଭବ । ତେଣୁ ସେ ରାଜଗୋପାଳାଚାରୀଙ୍କ ସହିତ ଦେଶର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ବୁଲି କଂଗ୍ରେସ କର୍ମୀମାନଙ୍କୁ ଗଠନମୂଳକ କାର୍ଯ୍ୟମାନ କରିବାକୁ ପ୍ରବର୍ତ୍ତାଇଥିଲେ । ମୁଖ୍ୟତଃ ଖଦୀର ପ୍ରଚାର ଓ ଜାତୀୟ ଶିକ୍ଷାର ପ୍ରସାର ଥିଲା ତାଙ୍କ ପ୍ରବର୍ତ୍ତନାର ଅଙ୍ଗୀଭୂତ । ଏଥିପାଇଁ ରାଜେନ୍ଦ୍ର ପ୍ରସାଦ ନିଜେ ୧୬ ଲକ୍ଷ ଟଙ୍କା ଚାନ୍ଦା ସଂଗ୍ରହ କରିଥିଲେ । ବିହାରରେ ବହୁ ପ୍ରତିବନ୍ଧକର ସମ୍ମୁଖୀନ ହେଲେ ମଧ୍ୟ ସେ ତାଙ୍କର ଏହି ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବଜାୟ ରଖିଥିଲେ । ପୂର୍ବରୁ ଆସାମର ଲୋକେ ବହୁପରିମାଣରେ ଅଫିମ ସେବନ କରୁଥିଲେ । କଂଗ୍ରେସ କର୍ମୀମାନେ ଲୋକଙ୍କୁ ଏହି ନିଶା–ରାକ୍ଷସୀ କବଳରୁ ରକ୍ଷା କରିବା ପାଇଁ ଏକ ଅଭିଯାନ ଆରମ୍ଭ କରି ଦେଇଥିଲେ; କିନ୍ତୁ ତତ୍କାଳୀନ ସରକାର ଏହାକୁ ବରଦାସ୍ତ କରି ନ ଥିଲେ । ଏହାର ଆଶୁ ଅବସାନ ପାଇଁ ଆସାମର ବହୁ କଂଗ୍ରେସ ଦପ୍ତର ପୋଡ଼ିଦିଆଯାଇଥିଲା ଓ କର୍ମୀମାନଙ୍କୁ ବନ୍ଦୀ କରାଯାଇଥିଲା । ଏହି ଅବସରରେ ରାଜେନ୍ଦ୍ର ପ୍ରସାଦ ପଣ୍ଡିତ ମାଲବ୍ୟଙ୍କ ସହିତ ଆସାମ ଯାତ୍ରା କରିଥିଲେ । ମାଲବ୍ୟଜୀ ଆସାମର ସମସ୍ତ ସହର ଓ ରାଜେନ୍ଦ୍ର ପ୍ରସାଦ ବହୁ ପଲ୍ଲୀଅଞ୍ଚଳ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ ଓ କର୍ମୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ସେ ସମୟରେ ବିହାରର ସାନ୍ତାଳ ପ୍ରଗନାରେ ମଧ୍ୟ ସରକାରଙ୍କର ଦମନଲୀଳା ଚାଲୁରହିଥିଲା । ଏପରି କି ଲୋକମାନେ କଂଗ୍ରେସକର୍ମୀଙ୍କୁ ସାକ୍ଷାତ୍‍ କରିବାକୁ ଭୟ କରୁଥିଲେ । ରାଜେନ୍ଦ୍ର ପ୍ରସାଦ ନିଜେ ସାନ୍ତାଳ ପ୍ରଗନା ଯାଇ ଜେଲରେ ଥିବା କଂଗ୍ରେସକର୍ମୀମାନଙ୍କୁ ସାକ୍ଷାତ୍‍ କରିଥିଲେ ଓ ସେହି ଅଞ୍ଚଳରେ ଅସ୍ପୃଶ୍ୟତା ନିବାରଣ ତଥା ଖଦୀର ପ୍ରଚାର ପାଇଁ ଏକ ସ୍ଵତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଇଥିଲେ ।

 

କ୍ରମେ ମ୍ୟୁନିସିପାଲିଟି ଇତ୍ୟାଦି ସ୍ଵାୟତ୍ତ ସଂସ୍ଥାମାନଙ୍କରେ କଂଗ୍ରେସ କର୍ମୀମାନେ ପ୍ରତିଦ୍ଵନ୍ଦ୍ୱିତା କରି ନିର୍ବାଚିତ ହେଲେ । ବଲ୍ଲଭଭାଇ ପଟେଲ ଅହମଦାବାଦ ମ୍ୟୁନିସିପାଲିଟିର ଓ ଜବାହରଲାଲ ନେହରୁ ଏଲାହାବାଦ ମ୍ୟୁନିସିପାଲିଟିର ଯଥାକ୍ରମେ ଚେୟାରମ୍ୟାନ ନିର୍ବାଚିତ ହେଲେ । ତା ପରେ ରାଜେନ୍ଦ୍ର ପ୍ରସାଦଙ୍କ ପାଳି ପଡ଼ିଲା । ସହରବାସୀଙ୍କର ବିପୁଳ ସମର୍ଥନ ପାଇ ପାଟନା ମ୍ୟୁନିସିପାଲିଟିର ସେ ହେଲେ ସଭାପତି । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ପାଟନା ସହରର ରାସ୍ତାଘାଟ ଇତ୍ୟାଦିରେ ଆଶାଜନକ ଉନ୍ନତି ସାଧିତ ହୋଇଥିଲା । ଝାଡ଼ୁଦାରମାନଙ୍କର ବସତି ତଥା ବେତନ, ସହରରେ ଦୁଗ୍‍ଧ ଯୋଗାଣ, ଜଳନିଷ୍କାସନ, ପାନୀୟ ଜଳ ଯୋଗାଣରେ ମଧ୍ୟ ସେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଆଣିପାରିଥିଲେ; କିନ୍ତୁ ମ୍ୟୁନିସିପାଲିଟିର ଆୟ ଖୁବ୍ କମ୍‍ ଥିବାରୁ ତାଙ୍କୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଜବାହରଲାଲ ମଧ୍ୟ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ; କିନ୍ତୁ ଅହମଦାବାଦ ମ୍ୟୁନିସିପାଲିଟିକୁ ନୁତନ ରୂପରେଖ ଦେବାରେ ବଲ୍ଲଭଭାଇ ପଟେଲଙ୍କୁ ଉପରୋକ୍ତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ି ନ ଥିଲା । କାରଣ ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ସହରବାସୀମାନେ ମୁକ୍ତହସ୍ତରେ ଦାନ କରିଥିଲେ । ଯେହେତୁ ମ୍ୟୁନିସିପାଲିଟିର ଟିକସ ବୃଦ୍ଧି ରାଜ୍ୟ ସରକାରଙ୍କର ଅନୁମତିସାପେକ୍ଷ ଥିଲା; ତେଣୁ ପଟେଲଙ୍କୁ ଏଥିପାଇଁ ସହରବାସୀଙ୍କଠାରୁ ଚାନ୍ଦା ସଂଗ୍ରହ କରିବାକୁ ପଡ଼ିଥିଲା ।

 

ମତାନ୍ତର ଯୋଗୁଁ ସ୍ଵରାଜ ପାର୍ଟି କ୍ରମେ ଦୁର୍ବଳ ହୋଇପଡ଼ିଲା । ୧୯୨୬ ମସିହା ନିର୍ବାଚନରେ ଲଜ୍‌ପତ ରାୟଙ୍କ ନେତୃତ୍ଵରେ ‘ଜାତୀୟବାଦୀଦଳ’ କେନ୍ଦ୍ର ବ୍ୟବସ୍ଥାପକ ସଭାରେ ସଂଖ୍ୟାଗରିଷ୍ଠତା ହାସଲ କଲେ । ନେତୃବୃନ୍ଦଙ୍କର ପ୍ରଚେଷ୍ଟା ସତ୍ତ୍ୱେ ହିନ୍ଦୁ, ମୁସଲ୍‍ମାନ ସଂପର୍କ ଅଧିକ ତିକ୍ତ ହୋଇଉଠିଲା । ଦେଶସାରା ସାଂପ୍ରଦାୟିକ ଗଣ୍ଡଗୋଳ ମଧ୍ୟ ତେଜିଉଠିଲା । ଗୋହତ୍ୟା ଓ ମସ୍‌ଜିଦ ଆଗରେ ବାଜା ବଜାଇ ହିନ୍ଦୁମାନଙ୍କର ଶୋଭାଯାତ୍ରା ଉପରେ ମୁଖ୍ୟତଃ ଥିଲା ଏହା ଆଧାରିତ । ଅବଶ୍ୟ ଏଥିରେ ଗୋରା ସରକାରଙ୍କର ଲୁପ୍ତହସ୍ତ କାର୍ଯ୍ୟ କରୁଥିଲା । ତେଣୁ ନେତୃବୃନ୍ଦଙ୍କ ପ୍ରଚେଷ୍ଟାରେ ଏହି ବିବାଦର ସାମୟିକ ଅବସାନ ହେଉଥିଲେ ମଧ୍ୟ ସମୟ ଓ ସୁବିଧା ପାଇ ତାହା ପୁନଶ୍ଚ ତେଜି ଉଠୁଥିଲା । ୧୯୧୭ ମସିହାରେ ମୁସଲିମ୍‍ ଲିଗ୍ ଓ କଂଗ୍ରେସ ସଭ୍ୟଙ୍କର ଏକ ମିଳିତ ଦଳ ସାଂବିଧାନିକ ସଂସ୍କାର ପାଇଁ ବଡ଼ଲାଟ ମଣ୍ଟେଗୁଙ୍କୁ ସାକ୍ଷାତ୍ କରିଥିଲେ; କିନ୍ତୁ ସରକାରଙ୍କର ଦୃଢ଼ ମନୋବୃତ୍ତି ଓ କେତେକ ସଭ୍ୟଙ୍କର ନିଷ୍କ୍ରିୟତା ଯୋଗୁଁ କୌଣସି ସୁଫଳ ମିଳି ନ ଥିଲା । ଅସହଯୋଗ ଆନ୍ଦୋଳନକୁ ଆଳ କରି ଏମ୍.ଏ.ଜିନ୍ନା ୧୯୨୦ ମସିହାରେ କଂଗ୍ରେସରୁ ଇସ୍ତଫା ଦେଲେ ଓ ମୁସଲ୍‍ମାନମାନଙ୍କର ସ୍ଵାର୍ଥବିଜଡ଼ିତ କାର୍ଯ୍ୟରେ ଲିପ୍ତ ରହିଲେ । ୧୯୨୬ ମସିହାରେ ଜନୈକ ଧର୍ମାନ୍ଧ ମୁସଲ୍‌ମାନଦ୍ୱାରା ସ୍ଵାମୀ ସାରଦାନନ୍ଦ ନିହତ ହେଲେ । ହିନ୍ଦୁ-ମୁସଲ୍‍ମାନ ଐକ୍ୟର ଅନ୍ୟତମ ପୁରୋଧା ମହମ୍ମଦ ଅଲ୍ଲି ଏହି ହତ୍ୟାକାଣ୍ଡର ପ୍ରତିବାଦ କଲେ ନାହିଁ । ଏହିପରି କେତେକ ଘଟଣା ହିନ୍ଦୁ-ମୁସଲ୍‍ମାନ ଐକ୍ୟ ପ୍ରତିଷ୍ଠା ଅସମ୍ଭବ ହୋଇପଡ଼ିଲା ।

 

ବହୁ ସାଂପ୍ରଦାୟିକ ଅବ୍ୟବସ୍ଥାର ସମ୍ମୁଖୀନ ହେଲେ ମଧ୍ୟ କର୍ମୀମାନଙ୍କର ଅହିଂସା ଉପରୁ ଆସ୍ଥା ତୁଟି ନ ଥିଲା । ଲୋକେ ଏହାକୁ ଆନ୍ଦୋଳନର ଅମୋଘ ଅସ୍ତ୍ରରୁପେ ବ୍ୟବହାର କରୁଥିଲେ । ଗୁଜୁରାଟର ବର୍ଦ୍ଧୋଳି ଅଞ୍ଚଳର ଚାଷୀମାନଙ୍କଠାରୁ ଶତକରା ଟ୨୨୧ଙ୍କା ଲେଖାଏଁ ଅଧିକା ଖଜଣା ଆଦାୟ କରିବାକୁ ସରକାର ସ୍ଥିର କଲେ । କୃଷକ-ନେତା ବଲ୍ଲଭଭାଇଙ୍କ ନେତୃତ୍ଵରେ ଚାଷୀମାନେ ସଂଗଠିତ ହେଲେ । ଅହିଂସା ଉପାୟରେ ସରକାରଙ୍କ ଅନ୍ୟାୟ ନୀତିର ତୀବ୍ର ପ୍ରତିରୋଧ କରାଗଲା । ଦୃଢ଼ମନା ପଟେଲଙ୍କର ନେତୃତ୍ଵ ସମକ୍ଷରେ ସରକାରଙ୍କ ଗୁଳିଗୁଳା ହାର ମାନିଲା । ଟିକସହାର ଟ୨୨୧ରୁ କମିଲା ଟ୫୧କୁ । ସମଗ୍ର ଦେଶର ଲୋକେ ପଟେଲଙ୍କ ଦୃଢ଼ପ୍ରତିଜ୍ଞାର ଭୁୟସୀ ପ୍ରଶଂସା କଲେ । ଲେକସାଧାରଣଙ୍କ ନେତା ବା ‘ସର୍ଦ୍ଦାର’ ବୋଲି ତାଙ୍କୁ ଆଖ୍ୟା ମିଳିଲା ।

 

ଏହି ଅବସରରେ ରାଜେନ୍ଦ୍ର ପ୍ରସାଦ ଜାତୀୟ ଶିକ୍ଷା କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଥାନ୍ତି । ଦେଶାତ୍ମବୋଧ ଚିନ୍ତାଧାରା ନେଇ ଛାତ୍ରମାନେ ସ୍କୁଲକଲେଜ ପରିତ୍ୟାଗ କରନ୍ତୁ, ଏହା ହିଁ ଥାଏ ତାଙ୍କର ଲକ୍ଷ୍ୟ; ତେଣୁ ତାଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ୁଥାଏ । କାଳର କୁଟିଳଗତି ସମକ୍ଷରେ ମଣିଷର ପ୍ରଚେଷ୍ଟା ସ୍ଥିତି ହରାଇ ବସିବା ସ୍ଵାଭାବିକ । ସେହି ନ୍ୟାୟରେ ରାଜେନ୍ଦ୍ର ପ୍ରସାଦଙ୍କର ଅତିନ୍ଦ୍ର ପ୍ରଚେଷ୍ଟା ଜାତୀୟ ବିଶ୍ଵ-ବିଦ୍ୟାଳୟର ଲକ୍ଷ୍ୟ ସାଧନା କରି ପାରି ନ ଥିଲା । ଲୋକସାଧାରଣଙ୍କଠାରୁ ଆର୍ଥିକ ସାହାଯ୍ୟ ଓ ସହାନୁଭୂତି କ୍ରମେ ହ୍ରାସ ପାଇବାରୁ ବିଶ୍ୱ-ବିଦ୍ୟାଳୟ ଅଧୀନରେ ପରିଚାଳିତ ବହୁ ସ୍କୁଲକୁ ବନ୍ଦ କରିଦିଆଗଲା; କିନ୍ତୁ ଉତ୍ତୀର୍ଣ୍ଣ ହୋଇଥିବା କୃତୀ ଛାତ୍ରମାନେ ଜାତୀୟ ଆନ୍ଦୋଳନରେ କ୍ରମେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କଲେ । ତା ପରେ ସମାଜର ଅନ୍ୟ ସମସ୍ୟା ରାଜେନ୍ଦ୍ର ପ୍ରସାଦଙ୍କର ଦୃଷ୍ଟି ଆକର୍ଷଣ କଲା–ତା ହେଉଛି ଲୋକଙ୍କର ଦୁଃଖ-ଦାରିଦ୍ର୍ୟ ଦୂରୀକରଣ । ଅନିୟୋଜିତ ଲୋକଶକ୍ତିର ଫଳପ୍ରସୂ ବିନିଯୋଗଦ୍ଵାରା ତାହା ସମ୍ଭବପର ବୋଲି ସେ ହୃଦୟଙ୍ଗମ କଲେ । ତେଣୁ ତାଙ୍କୁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ମାର୍ଗ ଅନୁସରଣ କରିବାକୁ ପଡ଼ିଥିଲା । ‘‘କୁଟି ଖାଅ କାଟି ପିନ୍ଧ’’–ଏହି ଆଦର୍ଶରେ ସେ ଲୋକମାନଙ୍କୁ କଲେ ଅନୁପ୍ରାଣିତ । ବିହାରରେ ଅବହେଳିତ ବୟନଶିଳ୍ପର ପୁନର୍ବିକାଶ ପାଇଁ ସେ ତନ୍ତୁବାୟ–ଅଧ୍ୟୁଷିତ ଅଞ୍ଚଳରେ ବୁଲି ଅଦ୍ୟମ ଉଦ୍ୟମ କରିଥିଲେ । ଏଥପାଇଁ ‘ତିଳକ ସ୍ଵରାଜ ପାଣ୍ଠି’ ରୁ ତାଙ୍କୁ ସାହାଯ୍ୟ ମିଳିଥିଲା; କିନ୍ତୁ ତାଙ୍କ ପ୍ରଚେଷ୍ଟାଦ୍ଵାରା ଆଶାଜନକ ସୁଫଳ ମିଳି ନ ଥିଲା । ତାଲିମ୍‌ପ୍ରାପ୍ତ ଶିକ୍ଷକ ଅଭାବ, ଏହାର କାରଣମାନଙ୍କ ମଧ୍ୟରୁ ଥିଲା ଅନ୍ୟତମ ।

 

ଖଦୀର ଆଦର ଓ ଉତ୍ପାଦନ କିପରି ବୃଦ୍ଧି ପାଇବ ସେଥିଯୋଗୁଁ ମଧ୍ୟ ରାଜେନ୍ଦ୍ର ପ୍ରସାଦ ଆନୁଷ୍ଠାନିକଭାବେ ଚେଷ୍ଟା କରିଥିଲେ । ୧୯୨୫ ମସିହାରେ ନିଖିଳ ଭାରତ ଚରଖା ସଂଘ ଗଠନ କରାଯାଇଥିଲା । ବିହାର ପାଇଁ ରାଜେନ୍ଦ୍ର ପ୍ରସାଦ ଏହାର ଏଜେଣ୍ଟରୂପେ ନିଯୁକ୍ତି ପାଇଥିଲେ । ଖଦୀ-ଶିକ୍ଷକମାନଙ୍କୁ ବୈଷୟିକ ଶିକ୍ଷା ଦେବା ପାଇଁ ପ୍ରଦେଶର ବିଭିନ୍ନ ସ୍ଥାନରେ ତାଲିମ କେନ୍ଦ୍ରମାନ ଖୋଲାଯାଇଥିଲା । ନୂତନ ବିକ୍ରୀକେନ୍ଦ୍ର ଓ ପ୍ରଦର୍ଶନୀ ଜରିଆରେ ଖଦୀର ପ୍ରଚାର ବ୍ୟବସ୍ଥା ମଧ୍ୟ ଅବଲମ୍ବନ କରାଯାଇଥିଲା । ବ୍ୟକ୍ତିଗତଭାବେ ରାଜେନ୍ଦ୍ର ପ୍ରସାଦ ଖଦୀ ଉତ୍ପାଦନ ଓ ବିକ୍ରୀକେନ୍ଦ୍ରଗୁଡ଼ିକ ତଦାରଖ କରୁଥିଲେ । ପରେ ସେ ମତ ଦେଇଥିଲେ ସେ କାର୍ଯ୍ୟନିର୍ବାହୀକା ଜ୍ଞାନ ଅଭାବରୁ ଖଦୀର ଉତ୍ପାଦନ ଓ ବିକ୍ରି ଆଶାଜନକ ହେଉନାହିଁ । ଆସାମ ଓ ଆନ୍ଧ୍ରକୁ ଯାଇ ଖଦି-କାର୍ଯ୍ୟକ୍ରମକୁ ସଂଗଠିତ କରିବା ଦାୟିତ୍ଵ ତାଙ୍କ ଉପରେ ପଡ଼ିଥିଲା । ବ୍ୟକ୍ତିଗତ ଜ୍ଞାନ ଓ ବିଭିନ୍ନ ପରିସ୍ଥିତି ଅନୁଧ୍ୟାନ ପରେ ତାଙ୍କ ବକ୍ତୃତାମାଳାର ସଂକଳନ ‘Economics of Khadi’ ପ୍ରକାଶ ପାଇଥିଲା । ବହୁ ଘାତ-ପ୍ରତିଘାତ ପରେ ତାଙ୍କରି ଉଦ୍ୟମରେ ବିହାର ଖଦୀମୂଲ୍ୟ ଓ ବୟନପରାକାଷ୍ଠା ଦୃଷ୍ଟିରୁ ସମଗ୍ର ଭାରତରେ ପ୍ରସିଦ୍ଧି ଲାଭ କରିପାରିଥିଲା ଓ ଏହି ଶିଳ୍ପ ଜରିଆରେ ବହୁବ୍ୟକ୍ତିଙ୍କର ଅନ୍ନସଂସ୍ଥାନ କରାଯାଇ ପାରିଥିଲା ।

 

ରାଜେନ୍ଦ୍ର ପ୍ରସାଦ ଅତୀବ ମେଳାପୀ ଓ ମିଷ୍ଟଭାଷୀ ଥିଲେ । ବନ୍ଧୁମାନଙ୍କର ଅନୁରୋଧ ରକ୍ଷା କରିବାକୁ ସେ କେବେହେଲେ ପଛାଉ ନ ଥିଲେ । ତାଙ୍କର ପ୍ରିୟବନ୍ଧୁ, ହରିପ୍ରସାଦ ସିହ୍ନାଙ୍କ ବିରୁଦ୍ଧରେ ଲଣ୍ଡନର ପ୍ରିଭିକାଉନ୍‍ସିଲରେ ଏକ ବଡ଼ଧରଣର ମୋକଦ୍ଦମା ରୁଜୁ ହୋଇଥିଲା । ବନ୍ଧୁଙ୍କର ଅନୁରୋଧ ରକ୍ଷାକରି ସେ ଇଂଲଣ୍ଡ ଯିବାକୁ ସମ୍ମତ ହୋଇଥିଲେ । ବିଦେଶଯାତ୍ରା ପୂର୍ବରୁ ତାଙ୍କୁ ବିଲାତି ପୋଷାକ ପରିଧାନ କରିବା ପାଇଁ ବନ୍ଧୁମାନେ ଅନୁରୋଧ କରିଥିଲେ । ଜନ୍ମଭୂଇଁର ପରିପାଟୀ ଉପେକ୍ଷା କରିବା ଜାତୀୟବାଦୀ ରାଜେନ୍ଦ୍ର ପ୍ରସାଦଙ୍କ ପକ୍ଷରେ ସମ୍ଭବପର ହୋଇ ନ ଥିଲା । ଆତ୍ମଜୀବନୀରେ ସେ ଉଲ୍ଲେଖ କରିଛନ୍ତି–‘‘ବିଲାତ ଯିବା ପୂର୍ବରୁ ମୋର ଦୃଗ୍‍ଭଙ୍ଗୀ ଓ ଅଭ୍ୟାସ ହଠାତ୍ ବଦଳାଇବା ସମ୍ଭବପର ହୋଇ ନ ଥିଲା ।’’ ସେ ଥିଲେ ନିରାମିଷାଶୀ; ତେଣୁ ବିଲାତରେ ତାଙ୍କର ଭାବୀ ଖାଦ୍ୟ-ବ୍ୟବସ୍ଥା ତାଙ୍କୁ ବିବ୍ରତ କରି ପକାଇଥିଲା । ତେବେ ତାଙ୍କର ଉପଯୁକ୍ତ ଖାଦ୍ୟ ଓ ପାନୀୟର ସୁବନ୍ଦୋବସ୍ତ କରିବା ପାଇଁ ସେ ତାଙ୍କ ଚାକର ଗୋବର୍ଦ୍ଧନକୁ ସଙ୍ଗରେ ନେବାକୁ ବାଧ୍ୟ ହୋଇଥିଲେ । ସାବରମତୀରେ ଗାନ୍ଧିଜୀଙ୍କଠାରୁ ଆର୍ଶୀବାଦ କାମନା କରି ୧୯୨୮ ମସିହା ମାର୍ଚ୍ଚ ମାସରେ ସେ ଇଂଲଣ୍ଡ ଯାତ୍ରା କରିଥିଲେ । ଲଣ୍ଡନରେ ସେହି ମୋକଦ୍ଦମା ସଂକ୍ରାନ୍ତରେ ତାଙ୍କୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ପାଠାଗାରକୁ ଯାଇ ଆଇନବହି ପଢ଼ିବା ଓ ବଡ଼ ବଡ଼ ଓକିଲମାନଙ୍କ ସହିତ ପରାମର୍ଶ କରିବାରେ ତାଙ୍କର ସେଠାରେ ବହୁ ସମୟ ବ୍ୟୟିତ ହୋଇଥିଲା । ସଂପୃକ୍ତ ମୋକଦ୍ଦମା ପାଇଁ ରାଜେନ୍ଦ୍ର ପ୍ରସାଦଙ୍କ ତରଫରୁ ପନ୍ଦର ହଜାର ପୃଷ୍ଠା-ସମ୍ବଳିତ ନଥି ଦାଖଲ କରାଯାଇଥିଲା । ଲଣ୍ଡନର ବୟୋଜ୍ୟେଷ୍ଠ କାଉନ୍‌ସେଲ୍ ‘ଉପ୍‍ଜନ୍’ ଧୈର୍ଯ୍ୟସହକାରେ ଏଗୁଡ଼ିକ ପଢ଼ି, ତାହାର ଏକ ସଂକ୍ଷିପ୍ତ ଚିଠା ତିଆରି କରିଥିଲେ ଓ ରାଜେନ୍ଦ୍ର ପ୍ରସାଦଙ୍କର ଆଇନଜ୍ଞାନ ତଥା ଯୁକ୍ତି ଅବତାରଣାର ଭୂୟସୀ ପ୍ରଶଂସା ନ କରି ରହିପାରି ନ ଥିଲେ । ତାଙ୍କୁ ଆଇନ ବ୍ୟବସାୟ ନ ଛାଡ଼ିବାକୁ ମଧ୍ୟ ସେ ଅନୁରୋଧ କରିଥିଲେ । ଶେଷରେ ଦୁଇ ତରଫର ଉଦ୍ୟମରେ ମୋକଦ୍ଦମାର ଫଇସଲା ହୋଇଯାଇଥିଲା । ତେଣୁ ରାଜେନ୍ଦ୍ର ପ୍ରସାଦଙ୍କୁ ବିଲାତରେ ପ୍ରାୟ ଏକ ମାସ ରହିବାର ସୁଯୋଗ ମିଳିଲା । ଏହି ରହଣୀ ସମୟ ମଧ୍ୟରେ ଅହିଂସାର ପୂଜାରୀ ଭାବରେ ବିଲାତର ଯୁଦ୍ଧବିରୋଧୀ ବ୍ୟବସ୍ଥା ଓ ବିଭିନ୍ନ ରାଜନୈତିକ ଦଳର କାର୍ଯ୍ୟକଳାପ ସଂପର୍କରେ ସେ ଅନୁଧ୍ୟାନ କରିଥିଲେ । ସେତେବେଳେ ବିଲାତରେ ଗାନ୍ଧିଜୀଙ୍କର ଅନ୍ୟ ଜଣେ ବନ୍ଧୁ Dr. Standonathଙ୍କ ଉଦ୍ୟମରେ ଯୁଦ୍ଧବିରୋଧୀ ପ୍ରଚାର ଖୁବ୍ ଜୋରସୋରରେ ଚାଲିଥାଏ । ଗ୍ରାଜ୍‍ ଯାଇ ରାଜେନ୍ଦ୍ର ପ୍ରସାଦ ତାଙ୍କୁ ସାକ୍ଷାତ କରିଥିଲେ । ଗୋଟିଏ ହୋଟେଲରେ ଯୁଦ୍ଧବିରୋଧୀ ସଭାର ଆୟୋଜନ କରାଯାଇଥିଲା; କିନ୍ତୁ ଯୁଦ୍ଧଖୋର ସଂପ୍ରଦାୟଙ୍କ ସାହାଯ୍ୟ ଓ ସହଯୋଗରେ ଗୋଳମାଳ ଆରମ୍ଭ ହୋଇଗଲା । ରାଜେନ୍ଦ୍ର ପ୍ରସାଦଙ୍କ ସମେତ ବହୁଶ୍ରୋତା ଓ ବକ୍ତା ଆଘାତ ପାଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । ପ୍ରସାଦଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

 

ତା ପରେ ସେ ୟୁରୋପରେ ଗାନ୍ଧୀ–ଦର୍ଶନର ପ୍ରଧାନ ପ୍ରଚାରକ ରୋମାନ୍‌ ରୋଲାଣ୍ଡଙ୍କୁ ମଧ୍ୟ ସାକ୍ଷାତ୍‍ କରିଥିଲେ । ପରିଶେଷରେ ହଲାଣ୍ଡ ଯାଇ ସେଠାରେ ସେ ଏକ ଯୁଦ୍ଧବିରୋଧୀ ଯୁବମେଳାରେ ଯୋଗ ଦେଇଥିଲେ ଓ ସେହି ବର୍ଷ ସେପ୍‍ଟେମ୍ବର ଦ୍ଵିତୀୟ ସପ୍ତାହରେ ଭାରତ ଫେରିଆସି ପ୍ରଥମେ ଅହମଦାବାଦ ଯାଇ ଗାନ୍ଧିଜୀଙ୍କୁ ସାକ୍ଷାତ୍ କରିଥିଲେ । ପରେ ନିଜର ପାଶ୍ଚାତ୍ୟ ଅନୁଭୂତି ବର୍ଣ୍ଣନା କଲାବେଳେ ସେ ବିଲାତ ଓକିଲମାନଙ୍କର ବିବେକ-ଶକ୍ତି, ଅଧ୍ୟୟନଶୀଳତା ଓ ସଂହତି–ଜ୍ଞାନକୁ ପ୍ରଶଂସା ନ କରି ରହିପାରି ନ ଥିଲେ । ସେମାନଙ୍କ ସହିତ ଭାରତୀୟ ଓକିଲମାନଙ୍କୁ ତୁଳନା କରି ସେ କହିଥିଲେ ଯେ ଆମ ଦେଶର ଓକିଲଙ୍କ ପରି ସେମାନେ ଆଳସ୍ୟପରାୟଣ ନୁହନ୍ତି । କୋର୍ଟରେ ସମୟ ମିଳିଲେ ଲାଇବ୍ରେରୀରେ ବସି ଅଧ୍ୟୟନ କରିବା ସେମାନଙ୍କର ଅଭ୍ୟାସ । ମହକିଲମାନଙ୍କଠାରୁ ଅଧିକ ଧନ ଆଦାୟ କରିବାରେ ମଧ୍ୟ ସେମାନେ ଅଭ୍ୟସ୍ତ ନୁହନ୍ତି ।

 

୧୯୨୭ ମସିହାରେ ଭାରତର ରାଜନୈତିକ ସଂସ୍କାର ବିଷୟ ଅନୁଧ୍ୟାନ କରିବା ପାଇଁ ବ୍ରିଟିଶ ପାର୍ଲିଆମେଣ୍ଟ ସାର୍‍ ଜନ୍‍ ସାଇମନଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଇଲେ । କେବଳ ଗୋରାଲୋକଙ୍କୁ ଏହି କମିଶନର ସଭ୍ୟରୂପେ ନିଆଯାଇଥିଲା । ସେମାନଙ୍କର ଆଗମନକୁ ଦଳ-ନର୍ବିଶେଷରେ ଭାରତବାସୀ ଦୃଢ଼ଭାବରେ ପ୍ରତିରୋଧ କଲେ । ଭାରତୀୟଙ୍କ ମଧ୍ୟରୁ ଜଣେ ହେଲେ ବ୍ୟକ୍ତିଙ୍କୁ ଏହି କମିଶନରେ ସଭ୍ୟରୂପେ ଗ୍ରହଣ କରାଯାଇ ନ ଥିବାରୁ ତାହା ସମସ୍ତ ଭାରତବାସୀଙ୍କ ପ୍ରତି ଅପମାନସୂଚକ ବ୍ୟବସ୍ଥା ବୋଲି ପରିଗଣିତ ହେଲା । ଲୋକମାନେ ସ୍ଵାଧୀନଭାବେ ଦେଶପରିଚାଳନା କରିବାକୁ ସକ୍ଷମ କି ନୁହନ୍ତି, ତାହା ଜାଣିବା ପାଇଁ ଏକ କମିଶନ ନିଯୁକ୍ତିକୁ କଂଗ୍ରେସଦଳ ଜାତିପକ୍ଷରେ ଏକ ଚୂଡ଼ାନ୍ତ ଅପମାନ ବୋଲି ନିଷ୍ପତ୍ତି କଲେ । ଦଳ-ନିର୍ବିଶେଷରେ ସମସ୍ତେ ଏହି କମିଶନକୁ ବାସନ୍ଦ କରିବେ ବୋଲି ସ୍ଥିର ହେଲା । ୧୯୨୮ ମସିହା ଫେବୃଆରୀ ମାସରେ କମିଶନ ବମ୍ବେରେ ପହଞ୍ଚିଲେ । ଜନସାଧାରଣ ତାଙ୍କ ଆଗମନର ବିରୋଧ କରିବାରୁ ପୋଲିସ ପକ୍ଷରୁ ଲାଠି ଚାଲିଲା । ଏଲାହାବାଦରେ ଜବାହରଲାଲଙ୍କ ନେତୃତ୍ୱରେ ପରିଚାଳିତ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଉପରେ ଲାଠି ଚାଲିବାରୁ ନେହରୁଙ୍କ ସମେତ ବହୁ କଂଗ୍ରେସକର୍ମୀ ଆହତ ହେଲେ । ଲାହୋରଠାରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ପରିଚାଳନା କଲାବେଳେ ପୋଲିସର ଲାଠି ଆଘାତରେ ଲାଲାଜୀଙ୍କର ଶରୀର କ୍ଷତବିକ୍ଷତ ହୋଇ ପଡ଼ିଥିଲା । ମୃତ୍ୟୁ ପୂର୍ବରୁ ସାମ୍ରାଜ୍ୟବାଦୀ ବ୍ରିଟିଶ ସରକାରଙ୍କୁ ଲକ୍ଷ୍ୟ କରି ସେ କହିଲେ-‘‘ମୋ ଉପରେ ତୁମେ ଯେତୋଟି ଲାଠି ପ୍ରହାର କରିଛ, ତୁମ ସାମ୍ରାଜ୍ୟର ଶବାଧାର ଉପରେ ସେତିକିଟି କଣ୍ଟା ପିଟା ହୋଇଯାଇଛି ବୋଲି ଜାଣିରଖ ।’’

 

ପାଟନାରେ ରାଜେନ୍ଦ୍ର ପ୍ରସାଦଙ୍କ ଉଦ୍ୟମରେ ମଧ୍ୟ ସଭା ଓ ଶୋଭାଯାତ୍ରା କରାଯାଇ କମିଶନଙ୍କ ଆଗମନର ପ୍ରତିବାଦ କରାଯାଇଥିଲା । ପ୍ରାୟ ୩୦ ହଜାର ଲୋକ ରେଳଷ୍ଟେସନରେ ଉପସ୍ଥିତ ରହି ‘ସାଇମନ ଫେରିଯାଅ’ ଇତ୍ୟାଦି ପ୍ରତିବାଦ ଧ୍ୱନି କରିଥିଲେ । ସେହି ବର୍ଷ ମେ ମାସରେ ଦଳ–ନିର୍ବିଶେଷରେ ସମସ୍ତ ରାଜନୀତିକ ନେତୃବୃନ୍ଦଙ୍କର ଗୋଟିଏ ସମ୍ମିଳନୀ ଡକାଯାଇଥିଲା । କିପରି ଭାରତ ପାଇଁ ଏକ ସ୍ଵତନ୍ତ୍ର ସମ୍ବିଧାନ ପ୍ରଣୟନ କରାଯିବ, ତାହା ହିଁ ଥିଲା ମୁଖ୍ୟତଃ ସମ୍ମିଳନୀର ଆଲୋଚ୍ୟବସ୍ତୁ । ଏଥିପାଇଁ ସମ୍ମିଳନୀ ମୋତିଲାଲ ନେହରୁଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ନିଯୁକ୍ତ କରିଥିଲେ । ଏହି କମିଟି ଯେଉଁ ରିପୋର୍ଟ ଦେଲେ, କଂଗ୍ରେସ ଦଳର ଯୁବନେତା ଜବାହରଲାଲ ନେହରୁ ଓ ସୁଭାଷ ବୋଷ ଇତ୍ୟାଦି ତାହାକୁ ଗ୍ରହଣ କରି ନ ଥିଲେ । କଲିକତା କଂଗ୍ରେସରେ ନେହରୁ କମିଟିଙ୍କ ସୁପାରିସ ଉପରେ ବହୁ ତର୍କ-ବିତର୍କ ପରେ ଗାନ୍ଧିଜୀଙ୍କ ନିର୍ଦ୍ଦେଶମତେ ଶେଷରେ ତାହା ଗୃହୀତ ହୋଇଯାଇଥିଲା । Dominion Status ପାଇବାକୁ ଦଳ-ନିର୍ବିଶେଷରେ ସ୍ଵୀକୃତି ମିଳିଲା । ବାସ୍ତବବାଦୀ ରାଜେନ୍ଦ୍ର ପ୍ରସାଦ ସ୍ଵାଧୀନତାର ଏହା ପୂର୍ବାବସ୍ଥା ବୋଲି ବର୍ଣ୍ଣନା କରି ଆନନ୍ଦପ୍ରକାଶ କରିଥିଲେ ।

Image

 

ଲବଣ ସତ୍ୟାଗ୍ରହ

 

୧୯୨୯ ମସିହା ଭାରତୀୟ ରାଜନୀତିକ ଦିନ–ପଞ୍ଜିରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ । ଗାଁଗହଳିର ଲୋକେ ଖୁବ୍ ଅଶାନ୍ତିରେ କାଳାତିପାତ କରୁଥାନ୍ତି । ଯୁଦ୍ଧର ପରିଣାମ ସେମାନଙ୍କୁ ଅଙ୍ଗେ ଲିଭାଇବାକୁ ପଡ଼ୁଥାଏ । କୃଷିଜାତ ଦ୍ରବ୍ୟର ମୂଲ୍ୟ ଅଚାନକଭାବେ କମିଯିବାଦ୍ୱାରା ଛୋଟ ଚାଷୀମାନେ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଉଥାନ୍ତି । ବିଶେଷ କରି ବଙ୍ଗଳା, ଉତ୍ତରପ୍ରଦେଶ ଓ ପଞ୍ଜାବରେ ଅବସ୍ଥା ଗୁରୁତର ରୂପ ନେଇଥାଏ । ପୋଲିସର ଅତ୍ୟାଚାର ମଧ୍ୟ କମି ନ ଥାଏ । ରାଜନୀତିକ ବନ୍ଦୀମାନଙ୍କ ଉପରେ ଅଯଥା ଅମାନୁଷିକ ଅତ୍ୟାଚାର ଜନସାଧାରଣଙ୍କ ମନରେ ଜାଳି ଦେଇଥାଏ ବିପ୍ଳବର ଅଗ୍ନିଶିଖା । ଏଇ ବନ୍ଦୀମାନଙ୍କ ଭିତରୁ ଶ୍ରୀ ଯତୀନ୍ଦ୍ରନାଥ ଦାସ ସରକାରୀ ଦମନ–ଲୀଳାର ପ୍ରତିବାଦ କରି ଜେଲରେ ଅନଶନ ଆରମ୍ଭ କରିଦେଲେ । ଦୀର୍ଘ ୬୧ ଦିନ ପର୍ଯ୍ୟନ୍ତ ଅନଶନ ଚାଲୁରହିଲା । ଶ୍ରୀ ଦାସଙ୍କ ଅବସ୍ଥା ଉଦ୍‍ବେଗ ସୃଷ୍ଟିକଲା । ବ୍ରିଟିଶ ସରକାର କିନ୍ତୁ ଏ ଦିଗରେ ରହିଲେ ଉଦାସୀନ । ଉତ୍ତ୍ୟକ୍ତ ଜନତା ଏହାର ଦୃଢ଼ ପ୍ରତିବାଦ କଲେ । ଲର୍ଡ଼ ଇର୍‌ଉଇନ୍‌ ଅବବୋଧ କଲେ ଯେ ଏହାର ଆଶୁ ପ୍ରତିକାର ନ କଲେ ପରିସ୍ଥିତି ଅତି ଜଟିଳ ରୂପରେଖ ନେବ । ତେଣୁ କାଳକ୍ଷେପ ନ କରି ଇଂଲଣ୍ଡର ତତ୍କାଳୀନ ଶ୍ରମିକ ସରକାରଙ୍କ ସହିତ ଆଲୋଚନା କରିବା ପାଇଁ ସେ ଲଣ୍ଡନ ଯାତ୍ରାକଲେ ଓ ୧୯୨୯ ମସିହା ଅକ୍ଟୋବର ୩୧ ତାରିଖରେ ଭାରତ ଫେରିଆସିଲେ । ତା ପରେ ବ୍ରିଟିଶ ସରକାରଙ୍କ ପ୍ରତିନିଧିଙ୍କ ସହିତ ଲଣ୍ଡନଠାରେ ଏକ ଗୋଲଟେବୁଲ ବୈଠକରେ ଯୋଗଦେବା ପାଇଁ ସେ ଭାରତୀୟ ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କଲେ । ବଡ଼ଲାଟଙ୍କର ଏହି ନିମନ୍ତ୍ରଣ ରକ୍ଷା କରାଯିବ କି ନାହିଁ, ତାହା ଆଲୋଚନା କରିବା ପାଇଁ ଦିଲ୍ଲୀଠାରେ ଏକ ସର୍ବଦଳୀୟ ସମ୍ମିଳନୀ ବସିଲା । ବ୍ରିଟିଶ ସରକାର ଭାରତକୁ Dominion Status ଦେବେ– ଏ ସିଦ୍ଧାନ୍ତ ଉପରେ ଭିତ୍ତି କରି ବୈଠକରେ ଆଲୋଚନା ଚଳାଇବାର ସ୍ଥିର ହେଲା । କଂଗ୍ରେସ ଦଳରୁ ସଂଖ୍ୟାଲଘୁ ପ୍ରତିନିଧିତ୍ୱ ପାଇଁ ଅନୁମୋଦନ ମିଳିଲା ।

 

ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ରାଜେନ୍ଦ୍ର ପ୍ରସାଦ ଉପସ୍ଥିତ ରହିପାରି ନ ଥିଲେ । ବର୍ମାବାସୀଙ୍କ ଅନୁରୋଧକ୍ରମେ କ୍ୟାଣ୍ଟାଙ୍ଗାର ଚାଷୀ ଓ ଜମିମାଲିକମାନଙ୍କ ମଧ୍ୟରେ ଦେଖାଦେଇଥିବା ମନୋମାଳିନ୍ୟର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ସେତେବେଳେ ବର୍ମାରେ ଅବସ୍ଥାନ କରୁଥିଲେ । ଶେଷରେ ତାଙ୍କର ପ୍ରଚେଷ୍ଟା ସଫଳ ହେଲା । ଘରକୁ ଫେରିଲାବେଳେ ତାଙ୍କୁ ବର୍ମାବାସୀ ରେଙ୍ଗୁନଠାରେ ଉଚ୍ଛ୍ଵସିତ ଅଭିନନ୍ଦନ ଜଣାଇଥିଲେ । ବର୍ମାରେ ତାଙ୍କର ଜଳବାୟୁ ପରବର୍ତ୍ତନ, ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଭାରତକୁ ଫେରିବା ପରେ ପରେ ସେ ଶ୍ଵାସରୋଗରେ ଶଯ୍ୟାଶାୟୀ ହୋଇପଡ଼ିଥିଲେ । ତେଣୁ ଡିସେମ୍ବର ମାସରେ ଲାହୋରଠାରେ ବସିଥିବା କଂଗ୍ରେସ ଅଧିବେଶନରେ ଯୋଗଦେବା ତାଙ୍କ ପକ୍ଷରେ ସମ୍ଭବପର ହୋଇପାରି ନ ଥିଲା ।

 

ଲାହୋର କଂଗ୍ରେସର ପ୍ରଧାନ ଆଲୋଚ୍ୟ ବିଷୟବସ୍ତୁ ଥିଲା ଭବିଷ୍ୟତରେ ବସୁଥବା ଗୋଲଟେବୁଲ ବୈଠକ ବିଷୟରେ ଆଲେଚନା । ଏହି ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଲଟେବୁଲ ବୈଠକ ସମ୍ପର୍କରେ ଆଉ କେତେକ ବିଷୟ ଆଲୋଚନା କରିବା ପାଇଁ ଗାନ୍ଧିଜୀ ଓ ମୋତିଲାଲ ନେହରୁ ବଡ଼ଲାଟଙ୍କୁ ସାକ୍ଷାତ୍‌ କରିଥିଲେ । ମୋଟ ଉପରେ ସରକାରଙ୍କର ବୈଠକ ଡାକିବାର ପ୍ରଧାନ ଉଦ୍ଦେଶ୍ୟ କ’ଣ ଓ ଭାରତୀୟମାନଙ୍କର ଦାବୀ ଏହି ବୈଠକରେ ପୂରଣ କରାଯାଇ ପାରିବ କି ନାହିଁ, ତାହା ଜାଣିବା ପାଇଁ ଏହି ଦୁଇ ନେତା ବଡ଼ଲାଟଙ୍କ ସହିତ ବହୁ ଆଳାପ–ଆଲୋଚନା କରିଥିଲେ । କଂଗ୍ରେସର ଏହି ଅଧିବେଶନରେ ସରକାରଙ୍କର ନିମନ୍ତ୍ରଣକୁ ଅନେକ ସଭ୍ୟ ଅଭିସନ୍ଧିମୂଳକ ବୋଲି କହିଲେ । ଅନେକେ ଏହାକୁ ଭାରତୀୟମାନଙ୍କ ପ୍ରତି ଏକ ପରୋକ୍ଷ ଅପମାନ ବୋଲି ବର୍ଣ୍ଣନା କରିଥିଲେ । ତେଣୁ ଏହି ଅଧିବେଶନରେ ସ୍ଥିର କରାଗଲା ଯେ ଗୋଲଟେବୁଲ ବୈଠକରେ ଭାରତୀୟମାନେ ଯୋଗଦେବା ଉଚିତ ନୁହେଁ । ଆମର ଲକ୍ଷ୍ୟ ପୂର୍ଣ୍ଣ ସ୍ଵରାଜ । ଏଥିପାଇଁ ସ୍ଥିର ହେଲା ଯେ ସରକାରଙ୍କୁ ଖଜଣା ନ ଦେଇ ଆଇନ–ଅମାନ୍ୟ କରିବାକୁ ପଡ଼ିବ ।

 

କଂଗ୍ରେସର ସିଦ୍ଧାନ୍ତ ଅନୁଯାୟୀ ୧୯୩୦ ମସିହା ଜାନୁଆରୀ ୩୧ ତାରିଖରେ ମାତୃଭୂମିର ସ୍ଵାଧୀନତା ପାଇଁ ଗାନ୍ଧିଜୀ ସରକାରଙ୍କ ନିକଟରେ ଏକାଦଶ ଧାରା–ସମ୍ବଳିତ ଏକ ଦାବୀପତ୍ର ଉପସ୍ଥାପନ କଲେ । ଲବଣ-କର ବନ୍ଦ କରିବା ଏହି ଧାରାମାନଙ୍କ ମଧ୍ୟରୁ ଥିଲା ଅନ୍ୟତମ; କିନ୍ତୁ ସରକାର ଏହି ଦାବୀଗୁଡ଼ିକ ପ୍ରତ୍ୟାଖ୍ୟାନ କରିଦେଲେ । ତେଣୁ ଗାନ୍ଧିଜୀଙ୍କ ପକ୍ଷରେ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବା ପାଇଁ ପଥ ସୁଗମ ହୋଇ ପଡ଼ିଲା । ପ୍ରଥମେ ଲବଣ–କର ବିରୁଦ୍ଧରେ ସେ ତାଙ୍କ ଅଭିଯାନ ଆରମ୍ଭ କରିବାକୁ ସ୍ଥିର କଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ଲବଣ ସତ୍ୟାଗ୍ରହର ଫଳାଫଳ ଉପରେ ସନ୍ଦେହ ପ୍ରକାଶ କରିଥିଲେ । ସମଗ୍ର ଦେଶରେ ଲୋକେ କିପରି ଲବଣ ଆଇନ ଅମାନ୍ୟ କରିବେ, ତାହା ପ୍ରଥମେ ସେ ଚିନ୍ତା କରିପାରି ନ ଥିଲେ । ସେ ଭାବିଥିଲେ ଯେ କେବଳ ଉପକୂଳବର୍ତ୍ତୀ ଲୋକଙ୍କ ବ୍ୟତୀତ ଅନ୍ୟ କୌଣସି ଅଞ୍ଚଳର ଲୋକେ ଏଥିରେ ଅଂଶଗ୍ରହଣ କରିବେ ନାହିଁ । ପୁନଶ୍ଚ ଶିକ୍ଷିତ ଲୋକେ ଏଥିରେ ସହଯୋଗ କରିବା ସନ୍ଦେହଜନକ । ଏହା ଭାବି ସେ ଲବଣ-କର ବିରୁଦ୍ଧରେ ସତ୍ୟାଗ୍ରହ ନ କରି ଚୌକିଦାରୀ ଟିକସ ବିରୁଦ୍ଧରେ ସତ୍ୟାଗ୍ରହ ଆରମ୍ଭ କରିବାକୁ ଗାନ୍ଧିଜୀଙ୍କୁ ଅନୁରୋଧ କରିଥିଲେ । ଲବଣ-କର କେବଳ ଉତ୍ପାଦନକାରୀମାନଙ୍କୁ ଦେବାକୁ ପଡ଼ିଥାଏ; କିନ୍ତୁ ଚୌକିଦାରୀ ଟିକସ ଦେବାକୁ ପଡ଼ିଥାଏ ଦେଶର ସମସ୍ତ ଲୋକଙ୍କୁ । ତେଣୁ ଏହି ଟିକସକୁ ଭିତ୍ତି କରି ସତ୍ୟାଗ୍ରହ ଆରମ୍ଭ କଲେ ସର୍ବସାଧାରଣଙ୍କ ସମର୍ଥନ ମିଳବ ଭାବି ସେ ଗାନ୍ଧିଜୀଙ୍କୁ ତାଙ୍କ ସିଦ୍ଧାନ୍ତ ପରିବର୍ତ୍ତନ କରିବା ପାଇଁ ଲେଖିଥିଲେ, କିନ୍ତୁ ଗାନ୍ଧିଜୀ ସେଥିରେ ସମ୍ମତ ନ ହୋଇ ରାଜେନ୍ଦ୍ର ପ୍ରସାଦଙ୍କୁ ଲେଖିଥିଲେ–‘‘ପ୍ରଥମେ ଆମକୁ ଲବଣ ଆଇନର ଅମାନ୍ୟ କରିବାକୁ ପଡ଼ିବ । ଲୋକଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଜାଗରୂକ ହେଲେ ଅନ୍ୟ ଆଇନଗୁଡ଼ିକ ଅମାନ୍ୟ କରିବାକୁ ଆଉ କଷ୍ଟ ପଡ଼ିବ ନାହିଁ ।’’ ସ୍ଵାଧୀନତା ଆନ୍ଦୋଳନର ସୈନିକ ରାଜେନ୍ଦ୍ର ପ୍ରସାଦ ତାଙ୍କ ସେନାଧ୍ୟକ୍ଷ ଗାନ୍ଧିଜୀଙ୍କର ଏହି ଉକ୍ତିକୁ ବିନାଯୁକ୍ତିରେ ଗ୍ରହଣ କରିଥିଲେ । ତାହା ବର୍ଣ୍ଣନା କରି ସେ ନିଜର ଆତ୍ମଜୀବନୀରେ ଲେଖିଛନ୍ତି–‘‘ଗାନ୍ଧିଜୀଙ୍କର ଅନୁଭୂତି, ସତ୍ୟାଗ୍ରହ କରିବାର କୌଶଳ, ଦୁରଦୃଷ୍ଟି ଓ ନେତୃତ୍ଵ ଉପରେ ମୋର ଅତୁଟ ବିଶ୍ଵାସ ଥିଲା । ଯେତେବେଳେ ସେ ମୋର ଅନୁରୋଧରେ ଅସମ୍ମତ ହେଲେ, ସେତେବେଳେ ମୁଁ ସ୍ଥିତପ୍ରଜ୍ଞ ଗାନ୍ଧିଜୀଙ୍କର ବିରୋଧ କରିବାକୁ ସାହସ କରି ପାରି ନ ଥିଲି ।’’

 

ଗାନ୍ଧିଜୀ ମାର୍ଚ୍ଚ ୨ତାରିଖରେ ବଡ଼ଲାଟଙ୍କ ନିକଟକୁ ଏକ ପତ୍ର ଲେଖି ଜଣାଇଲେ ଯେ ଲୁଣ ଲୋକଙ୍କ ଦୈନନ୍ଦିନ ଖାଦ୍ୟସାମଗ୍ରୀ । ଏହା ଉପରେ ଟିକସ ବସାଇବା ଅମାନୁଷିକତାର ପରିଚାୟକ । ଗରିବ ଓ ଧନୀଙ୍କ ମଧ୍ୟରେ ଏହାର ବ୍ୟବହାରଗତ ତାରତମ୍ୟ ନାହିଁ; ବରଂ ଗରିବମାନେ ହିଁ ଏହାକୁ ବେଶି ବ୍ୟବହାର କରିଥାନ୍ତି । ତେଣୁ ଯଦି ସରକାର ଶୀଘ୍ର ଲବଣ-କର ଉଠାଇ ନ ଦିଅନ୍ତି, ତାହାହେଲେ ସେ ମାର୍ଚ୍ଚ ୧୧ ତାରିଖଠାରୁ ଲବଣ ଆଇନ ଭଙ୍ଗ କରିବେ । କିନ୍ତୁ ଗୋରାସରକାର ବାପୁଜୀଙ୍କ ଉକ୍ତିର ତାତ୍ପର୍ଯ୍ୟ ଅବବୋଧ କରିପାରିଲେ ନାହିଁ; ବରଂ ସରକାରୀ କର୍ତ୍ତୃପକ୍ଷଙ୍କ ମନରେ ଗୋଟିଏ ପ୍ରଶ୍ନ ତୋଳିଉଠିଥିଲା । ତାହା ହେଉଛି–‘‘ବୃଦ୍ଧ ମୋହନ ଦାସ ଦାଣ୍ଡୀ ଯାତ୍ରା କରି କି ଲାଭ ପାଇବେ । ହାସ୍ୟାସ୍ପଦ ହେବା ହିଁ ସାର ହେବ ।’’ ଏହିପରି ଗାନ୍ଧିଜୀଙ୍କ ଉକ୍ତିକୁ ଆଦୌ ଗୁରୁତ୍ଵ ଦିଆଯାଇ ନ ଥିଲା ।

 

ମାର୍ଚ୍ଚ ୧୨ ତାରିଖରେ ୭୮ ଜଣ ସହକର୍ମୀଙ୍କୁ ନେଇ ଗାନ୍ଧିଜୀ ସାବରମତୀ ଆଶ୍ରମରୁ ୨୪୧ ମାଇଲ ଦୂରବର୍ତ୍ତୀ ଦାଣ୍ଡୀ ସମୁଦ୍ରକୂଳକୁ ପଦଯାତ୍ରା ଆରମ୍ଭ କଲେ । ଆଶ୍ରମରେ ଅଗଣିତ ଶୁଭେଚ୍ଛୁ ଜନତା ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଗାନ୍ଧିଜୀ ସେମାନଙ୍କୁ କହିଥିଲେ ଯେ ସ୍ଵରାଜପ୍ରାପ୍ତି ନ ହେବା ପର୍ଯ୍ୟନ୍ତ ସେ ଆଉ ଆଶ୍ରମକୁ ଫେରୁନାହାନ୍ତି । ତାଙ୍କର ଏହି ଐତିହାସିକ ଯାତ୍ରାର ମଙ୍ଗଳକାମନା କରାଯାଇ ଭାରତର ଚାରିଆଡ଼େ ପ୍ରାର୍ଥନା କରାଯାଇଥିଲା ଓ ଲୋକେ ଯାତ୍ରାର ଫଳାଫଳକୁ ସତୃଷ୍ଣ ନୟନରେ ଚାହିଁ ରହିଥିଲେ । ଯାତ୍ରାପଥରେ ହଜାର ହଜାର ଲୋକ ତାଙ୍କ ବକ୍ତୃତା ଶୁଣିବା ଓ ତାଙ୍କଠାରୁ ଆଶୀର୍ବାଦ କାମନା କରିବା ଉଦ୍ଦେଶ୍ୟରେ ଏକତ୍ରିତ ହେଉଥିଲେ-। ଅହିଂସା ଉପାୟରେ ସ୍ଵାଧୀନତା ସଂଗ୍ରାମ ଚାଲୁରଖିବା ପାଇଁ ସେ ଲୋକଙ୍କୁ ନିର୍ଦ୍ଦେଶ ଦେଉଥିଲେ-

 

ସେତେବେଳେ ରାଜେନ୍ଦ୍ର ପ୍ରସାଦ ଏଲାହାବାଦଠାରେ କଂଗ୍ରେସର କାର୍ଯ୍ୟନିର୍ବାହିକା କମିଟିରେ ଯୋଗ ଦେଉଥାନ୍ତି । ଗାନ୍ଧିଜୀଙ୍କର ଯାତ୍ରା ବିଷୟ ତାଙ୍କୁ ଜଣାଇ ଦିଆଗଲା । କାଳବିଳମ୍ବ ନ କରି ସେ ଅହମଦାବାଦଠାରୁ ଶହେ ମାଇଲ ଦୂରବର୍ତ୍ତୀ ଜାମ୍ବୁସାରଠାରେ ଗାନ୍ଧିଜୀଙ୍କୁ ସାକ୍ଷାତ୍‍ କରିଥିଲେ ଓ ତାଙ୍କ ସହିତ କିଛି ଦୂର ଯାତ୍ରା କରିଥିଲେ । ତା ପରେ ସେ ବାଟରୁ ଫେରିଆସି ସତ୍ୟାଗ୍ରହର ନିର୍ଦ୍ଦିଷ୍ଟ ଦିନ–ଅପ୍ରେଲ ୬ ତାରିଖ, ବିହାରରେ କିପରି ପାଳନ କରାଯିବ, ତାହାର ସୁବନ୍ଦୋବସ୍ତ କରିଥିଲେ । ସବୁ ପ୍ରଦେଶରେ ମଧ୍ୟ ଅନୁରୂପ ବନ୍ଦୋବସ୍ତ କରଯାଇଥିଲା । ଯେଉଁ ଗୋରା ସରକାର ଗାନ୍ଧିଜୀଙ୍କର ଦାଣ୍ଡୀଯାତ୍ରାକୁ ଏକ ହାସ୍ୟାସ୍ପଦ ଘଟଣା ବୋଲି ବିଚାର କରୁଥିଲେ, ଲୋକଙ୍କ ମନରେ ଅଭୂତପୂର୍ବ ଜାଗରଣ ତଥା ଉତ୍ସାହ ଦେଖି ଶଙ୍କିତ ତଥା ତଟସ୍ଥ ହୋଇପଡ଼ିଥିଲେ-

 

ଅପ୍ରେଲ ୫ ତାରିଖରେ ଗାନ୍ଧିଜୀ ଦାଣ୍ଡୀରେ ପହଞ୍ଚିଲେ ଓ ତହିଁଆର ଦିନ ଲବଣ ଆଇନ ଭଙ୍ଗ କଲେ । ପୂର୍ବ ବ୍ୟବସ୍ଥା ଅନୁଯାୟୀ ଦେଶ ସାରା ଏକ ବିପ୍ଳବର ବାତ୍ୟା ବହିଗଲା । ନିରସ୍ତ୍ର ସତ୍ୟାଗ୍ରହୀଙ୍କ ଉପରେ ଲାଠି ଓ ଗୁଳି ଚାଲିଲା । ବହୁ ନେତୃସ୍ଥାନୀୟ ବ୍ୟକ୍ତି କାରାବରଣ କଲେ । ସୀମାନ୍ତ ପ୍ରଦେଶରେ ଏହା ଅତ୍ୟନ୍ତ ଭୟାବହ ରୂପ ଧାରଣ କଲା । ଲୋକେ ଅହିଂସାର ଚରମ ପରାକାଷ୍ଠା ଦେଖାଇଲେ । ସୈନ୍ୟବାହିନୀ ମଧ୍ୟ ସେମାନଙ୍କ ଉପରକୁ ଗୁଳି ଚଳାଇବାକୁ ମନା କରିଦେଲେ ଓ ସ୍ଵତଃପ୍ରବୃତ୍ତ ହୋଇ ଜେଲ ବରଣ କଲେ । ବିଜୁଳିବେଗରେ ଏ ସଂବାଦ ଭାରତର ଚାରିଆଡ଼େ ବ୍ୟାପିଗଲା । ବ୍ରିଟିଶ ସରକାର ଉପାୟାନ୍ତର ନ ପାଇ ପଠାଣମାନେ କିପରି କଂଗ୍ରେସ ତ୍ୟାଗ କରି କେନ୍ଦ୍ର ମୁସଲିମ୍‍ ଦଳରେ ମିଶିବେ, ସେଥିପାଇଁ ଷଡ଼ଯନ୍ତ୍ର ଆରମ୍ଭ କରିଦେଲେ ଓ ହିନ୍ଦୁ-ମୁସଲ୍‌ମାନ୍‌ ସାଂପ୍ରଦାୟିକ ବୈଷମ୍ୟ ପାଇଁ ପ୍ରଭୂତ ଚେଷ୍ଟା କରାଗଲା ।

 

ମେ ମାସ ୫ ତାରିଖରେ ଗାନ୍ଧିଜୀ ଧରସ୍ନାଠାରେ ଥିବା ଲୁଣ ଗୋଦାମ ଅକ୍ତିଆର କରିବାକୁ ଚାହିଁବାରୁ ତାଙ୍କୁ ବନ୍ଦୀ କରାଗଲା ଓ ବିନା ବିଚାରରେ ଅଟକ କରି ରଖାଗଲା । ସମଗ୍ର ଦେଶବାସୀ ସଭା, ଶୋଭାଯାତ୍ରା ଓ ହରତାଳ ଜରିଆରେ ଏହାର ଦୃଢ଼ ପ୍ରତିବାଦ କଲେ । ଲବଣ–କରକୁ ନୈତିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅକ୍ଷମଣୀୟ ବୋଲି ବିଚାର କରାଗଲା । ଅବସ୍ଥା ଅସମ୍ଭାଳ ହେବାରୁ ଲର୍ଡ଼ ଇର୍‌ଉଇନ୍‌ ଏହି ସମସ୍ୟା ସମାଧାନ ପାଇଁ ବିଲାତକୁ ଏକ ଜରୁରୀ ବାର୍ତ୍ତା ପଠାଇଲେ-। ଏହି ବାର୍ତ୍ତାରେ ସେ ଉଲ୍ଲେଖ କରିଥିଲେ ଯେ ଗୁଳିଗୁଳାରେ ଏହି ଆନ୍ଦୋଳନ ସହଜରେ ଦମନ କରାଯାଇ ପାରିବ ନାହିଁ; କାରଣ ଏହା ଏକ ଜାତୀୟ ଆନ୍ଦୋଳନ ।

 

ଅବସ୍ଥା ସମ୍ଭାଳିବା ପାଇଁ ସରକାର ସବୁପ୍ରକାର ବଳପ୍ରୟୋଗ କଲେ । ୬ ମାସ ମଧ୍ୟରେ ଅନ୍ୟୂନ ୯୦ହଜାର ଲୋକଙ୍କୁ କାରବରଣ କରିବାକୁ ପଡ଼ିଲା । ଧରସ୍ନାଠାରେ ସତ୍ୟାଗ୍ରହୀମାନଙ୍କ ଉପରେ ଦିନକୁ ଦିନ ଅମାନୁଷିକ ଅତ୍ୟାଚାର ବଢ଼ିଚାଲିଲା । ସତ୍ୟାଗ୍ରହୀମାନଙ୍କୁ ହତଜ୍ଞାନ ହେବା ପର୍ଯ୍ୟନ୍ତ ଲାଠି ଓ ବୁଟ୍‍ମାଡ଼ କରାଯାଉଥିଲା । ଯେଉଁମାନେ ଗୁରୁତରଭାବେ ଆହତ ହେଉଥିଲେ, ସେମାନଙ୍କୁ କଂଗ୍ରେସଦଳ ଦ୍ୱାରା ଖୋଲାଯାଇଥିବା ଅସ୍ଥାୟୀ ଡାକ୍ତରଖାନାରେ ଭର୍ତ୍ତି କରାଯାଉଥିଲା । ଏହି ସମସ୍ତ ଖବର ଦେଶବାସୀଙ୍କ ମନରେ ସୃଷ୍ଟି କରିଥିଲା ଅଦମନୀୟ କ୍ରୋଧ ଓ ଉତ୍ତେଜନା । ଅଗଣିତ ସ୍ୱେଚ୍ଛାସେବୀ ଲାଠି ଓ ଗୁଳିକୁ ଭ୍ରୁକ୍ଷେପ ନ କରି ବର୍ଷାଋତୁ ଆଗମନ ପର୍ଯ୍ୟନ୍ତ ଲବଣ ସତ୍ୟାଗ୍ରହକୁ ଚାଲୁରଖିଥିଲେ ।

 

ବିହାରରେ ରାଜେନ୍ଦ୍ର ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି ଆନ୍ଦୋଳନ ପରିଚାଳିତ ହୋଇଥିଲା-। ଲୁଣିଆ ମାଟିରୁ ଲୁଣ ମରାଯାଇ ଏକପ୍ରକାର ସାଙ୍କେତିକ ଆନ୍ଦୋଳନ ପାଳନ କରାଯାଇଥିଲେ ମଧ୍ୟ ପୋଲିସ ଲୁଣମରା ସ୍ଥାନକୁ ଘେରାଉ କରି ସତ୍ୟାଗ୍ରହୀମାନଙ୍କୁ ବନ୍ଦୀ କରି ଲାଠିମାଡ଼ ଦେଇଥିଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କୁ ବନ୍ଦୀ କରାଯାଇ ନଥିଲା । କାରଣ ତାଙ୍କର ପ୍ରଭାବ ଦେଖି ପୋଲିସ କର୍ମଚାରୀମାନେ ଭୟଭୀତ ହୋଇ ପଡ଼ିଥିଲେ । ପୋଲିସମାନଙ୍କ ପ୍ରତି ରାଜେନ୍ଦ୍ର ପ୍ରସାଦଙ୍କ ଆଦୌ ଭୟ କିମ୍ବା ବିଦ୍ଵେଷ ନ ଥିଲା ।

 

ବର୍ଷାଋତୁ ଆରମ୍ଭ ହୋଇଯିବାରୁ ସତ୍ୟାଗ୍ରହର କାର୍ଯ୍ୟକ୍ରମ ପରିବର୍ତ୍ତିତ ହେଲା । ବିଦେଶୀ ଲୁଗା ଓ ମଦ ବର୍ଜନ ଏହାର ହେଲା ମୁଖ୍ୟ ଲକ୍ଷ୍ୟ । ରାଜେନ୍ଦ୍ର ପ୍ରସାଦଙ୍କୁ ବହୁ ଲୁଗା-ବ୍ୟବସାୟୀ ମଧ୍ୟ ଏହି ବିଦେଶୀ ବସ୍ତ୍ରବର୍ଜନ ଆନ୍ଦୋଳନରେ ସାହାଯ୍ୟ କରିଥିଲେ । ଭିପୁର ଗ୍ରାମରେ ଦଳେ ସତ୍ୟାଗ୍ରହୀ ଗଞ୍ଜେଇ ଦୋକାନ ଆଗରେ ସତ୍ୟାଗ୍ରହ କଲେ । ପୋଲିସ ସେମାନଙ୍କୁ ବନ୍ଦୀ କରିବାରୁ ପ୍ରତି ସନ୍ଧ୍ୟାରେ ଦଳେ ଲେଖାଏଁ କଂଗ୍ରେସକର୍ମୀ ସେହି ଦୋକାନ ଆଗରେ ସତ୍ୟାଗ୍ରହ କରି ଜେଲ ବରଣ କରିବାକୁ ଲାଗିଲେ । ରାଜେନ୍ଦ୍ର ପ୍ରସାଦ ସେଠାକୁ ଯାଇ ସମବେତ ୨୦ ହଜାର ଲୋକଙ୍କୁ ଅହିଂସା ତଥା ଶାନ୍ତିପୂର୍ଣ୍ଣ ଉପାୟରେ ପରିଚାଳିତ ସତ୍ୟାଗ୍ରହର ତାତ୍ପର୍ଯ୍ୟ ବୁଝାଇ ସତ୍ୟାଗ୍ରହୀମାନଙ୍କୁ ସମର୍ଥନ ଜଣାଇବାକୁ ଅନୁରୋଧ କରିଥିଲେ । ଏହି ସଭାରେ ସମବେତ ଜନତାକୁ ଘଉଡ଼ାଇ ଦେବାପାଇଁ ପୋଲିସ ତରଫରୁ ଲାଠିମାଡ଼ ହୋଇଥିଲା । ରାଜେନ୍ଦ୍ର ପ୍ରସାଦ ମଧ୍ୟ ଏହି ଆକ୍ରମଣରୁ ବର୍ତ୍ତିଯାଇ ନ ଥିଲେ । ତାଙ୍କ ଉପରେ ପୋଲିସ ଲାଠି ପ୍ରହାର କଲାବେଳେ ରଙ୍ଗୋଟି ସିଂହ ନାମକ ଜଣେ ଯୁବକ ସ୍ଵେଚ୍ଛାସେବୀ ତାଙ୍କ ପାଖକୁ ଦୌଡ଼ିଆସି ପୋଲିସକୁ ବାଧାଦେବାରୁ ନିଜେ ସାଙ୍ଘାତିକ ଭାବେ ଆହତ ହୋଇ ପଡ଼ିଥଲେ ।

 

ରାଜେନ୍ଦ୍ର ପ୍ରସାଦଙ୍କର ଗତିବିଧି ଲକ୍ଷ୍ୟ କରି ବିହାର ସରକାର ସୁବିଧା ସୁଯୋଗ ଦେଖି ତାଙ୍କୁ ବନ୍ଦୀ କରିବାପାଇଁ ଜିଲା ହାକିମମାନଙ୍କୁ ନିର୍ଦ୍ଦେଶ ଦେଲେ; କିନ୍ତୁ ଜିଲା ହାକିମମାନେ ତାହା କରିବାକୁ ପ୍ରଥମେ ସାହସ କରି ନ ଥିଲେ । ଶେଷରେ ଜୁଲାଇ ମାସରେ ତାଙ୍କ ପାଳି ପଡ଼ିଲା । ଗୋଟିଏ ସଭାରେ ଭାଷଣ ଦେବା ପାଇଁ ଯିବା ସମୟରେ ତାଙ୍କୁ ବନ୍ଦୀ କରାଯାଇ ଛାପ୍ରାଜେଲକୁ ପଠାଇ ଦିଆଗଲା । ଜେଲର ପ୍ରବେଶ ଦ୍ୱାରରେ ହଜାର ହଜାର ଲୋକ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ବନ୍ଦୀଜୀବନରେ ତାଙ୍କୁ କେତେକ ବିଶେଷ ସୁବିଧା ମିଳିଥିଲା । ଉଦାହରଣ ସ୍ଵରୂପ, ତାଙ୍କ ବଡ଼ଭାଇଙ୍କ ଅନୁରୋଧକ୍ରମେ ପ୍ରତ୍ୟହ ତାଙ୍କୁ ଫଳ ଓ ଅନ୍ୟାନ୍ୟ ଖାଇବା ଜିନିଷ ଯୋଗାଇ ଦେବାକୁ ଜେଲ କର୍ତ୍ତୃପକ୍ଷ ଅନୁମତି ଦେଇଥିଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ଏହି ବିଶେଷ ସୁବିଧାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସାଥୀ ବନ୍ଦୀଙ୍କ ପରି ଲୁହା ଥାଳିରେ ବଗଡ଼ା ଚାଉଳ ଭାତ ଖାଇ ସେ ଅତି ନିରାଡ଼ମ୍ବର ଜୀବନଯାପନ କରୁଥିଲେ ଓ ରାଜବନ୍ଦୀମାନଙ୍କର ଶ୍ରେଣୀ ବିଭାଗକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ତାଙ୍କୁ ଜଣେ ମାଜିଷ୍ଟ୍ରେଟ (ତାଙ୍କ ପୂର୍ବତନ ମହକିଲ)ଙ୍କ କୋର୍ଟରେ ଜେରା କରାଯାଇ ୬ମାସ ଜେଲ୍‌ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଅତ୍ୟଧିକ ଲୋକସମାଗମ ଏଡ଼ାଇବା ପାଇଁ ତାଙ୍କୁ ଏକ ବୁଲାବାଟରେ ହଜାରିବାଗ ଜେଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

 

ଜେଲରେ ପଢ଼ିବା ଓ ସୂତା କାଟିବାରେ ତାଙ୍କର ଅଧିକାଂଶ ସମୟ ଅତିବାହିତ ହେଉଥିଲା । ସଂପୃକ୍ତ ଜେଲର୍‍ଙ୍କର ଅନୁମତି ନେଇ ସେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଉଥିବା ବନ୍ଦୀମାନଙ୍କ ସହ ଲୁଗାବୁଣା ଶିକ୍ଷା କରିଥିଲେ । ରହଣିକାଳ ମଧ୍ୟରେ ସେ ଦୁଇଶହ ଗଜ ବିଛଣା ଚଦର ଓ ୧୫ ଗଜ ପିନ୍ଧିବା ଲୁଗା ବୁଣିପାରିଥିଲେ । ଏତଦ୍‍ଭିନ୍ନ ଗାନ୍ଧିଜୀଙ୍କର ବିଭିନ୍ନ ଶିରୋନାମାରେ ପ୍ରକାଶିତ ପ୍ରବନ୍ଧଗୁଡ଼ିକୁ ଶ୍ରେଣୀ ବିଭାଗ କରି ଗୋଟିଏ ଗୋଟିଏ ସ୍ଵତନ୍ତ୍ର ବହି ଆକାରରେ ପ୍ରଣୟନ କରିଥିଲେ । ଜେଲ୍‍ ଜୀବନରେ ‘ଉପନିଷଦ’ ଓ ପାତଞ୍ଜଳୀଙ୍କର ‘ଯୋଗସୂତ୍ର’ ପଢ଼ିବାର ସୁଯୋଗ ତାଙ୍କୁ ମିଳିଥିଲା । ଜେଲରେ ତାଙ୍କ ସହବନ୍ଦୀମାନଙ୍କ କଥା ଉଲ୍ଲେଖ କରି ସେ ଆତ୍ମଜୀବନୀରେ ଲେଖିଛନ୍ତି–‘‘ମୁଁ ବିହାରର ପ୍ରାୟ ଅଧିକାଂଶ ସ୍ଥାନ ବୁଲି ବିଭିନ୍ନ ସ୍ତରର ଲୋକଙ୍କ ସମ୍ପର୍କରେ ଆସିଥିଲି ସତ; କିନ୍ତୁ କେବଳ ଜେଲରେ ହିଁ ଲୋକଙ୍କୁ ଘନିଷ୍ଠଭାବେ ଚିହ୍ନିବାର ସୁଯୋଗ ମୋତେ ମିଳିଥିଲା । ସେହି ଲୋକସମ୍ପର୍କ ଜୀବନରେ ମୁଁ ଭୁଲିପାରିବି ନାହିଁ ।’’

Image

 

Unknown

ଗୋଲଟେବୁଲ ବୈଠକ ଓ କଂଗ୍ରେସ ସଂଗଠନ

 

କଂଗ୍ରେସର ଲାହୋର ଅଧିବେଶନରେ ଗୋଲଟେବୁଲ ବୈଠକରେ ଯୋଗ ନ ଦେବାକୁ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲେ ମଧ୍ୟ ‘ଗାନ୍ଧୀ-ଇର୍‍ଉଇନ ଚୁକ୍ତି’ ପରେ ଦେଶର ଅନାଗତ ହିତ ଦୃଷ୍ଟିରୁ ନେତୃବୃନ୍ଦ ଏହି ବୈଠକରେ ଯୋଗଦେବାକୁ ସ୍ଥିର କଲେ । ଏହି ବୈଠକରେ ଯୋଗଦେବାଦ୍ଵାରା ବ୍ରିଟିଶ ସରକାର ଭାବିଥିଲେ ଯେ ଭାରତୀୟମାନଙ୍କର କ୍ରମବର୍ଦ୍ଧିଷ୍ଣୁ ଜାତୀୟ ଆନ୍ଦୋଳନ କ୍ରମେ ନିର୍ବାପିତ ହୋଇଯିବ । ୧୯୩୦ ମସିହା ନଭେମ୍ବର ୧୨ ତାରିଖରେ ଲଣ୍ଡନରେ ପ୍ରଥମ ଗୋଲଟେବୁଲ୍ ବୈଠକ ବସିଲା । ସେତେବେଳେ ଭାରତରେ ଆଇନ ଅମାନ୍ୟ ଆନ୍ଦୋଳନ ଖୁବ୍‍ ଜୋରସୋରରେ ଚାଲିଥାଏ । ଭାରତକୁ କିପ୍ରକାର ଶାସନକ୍ଷମତା ଦିଆଯିବ, ସେ ବିଷୟ ଏହି ବୈଠକରେ ଆଲୋଚିତ ହେଲା । ୧୯୩୧ ମସିହା ଜାନୁଆରି ୨୬ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ଜେଲରୁ ଖଲାସ କରାଗଲା । ମୋତିଲାଲ ନେହରୁଙ୍କ ନିର୍ଦ୍ଦେଶକ୍ରମେ ପୁଣି ଥରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଆହୂତ ହେଲା । ରାଜେନ୍ଦ୍ର ପ୍ରସାଦ ଏଥିରେ ଯୋଗ ଦେଇଥିଲେ । ସେତେବେଳକୁ ମୋତିଲାଲଙ୍କ ସ୍ଵାସ୍ଥ୍ୟ ଖରାପଆଡ଼କୁ ଗତିକରୁଥାଏ । ଡାକ୍ତରମାନେ ତାଙ୍କୁ ପୂର୍ଣ୍ଣବିଶ୍ରାମ ନେବାକୁ ନିର୍ଦ୍ଦେଶ ଦେଇଥାନ୍ତି; କିନ୍ତୁ ମୋତିଲାଲ ତାହା ଅମାନ୍ୟ କରି କଂଗ୍ରେସର ପଟ୍ଟଭୂମିକୁ ଦୃଢ଼ କରିବା ପାଇଁ କରୁଥାନ୍ତି ଅଦମ୍ୟ ପରିଶ୍ରମ । ଜାତି ପାଇଁ ଜୀବନକୁ ପଳ-ପଳ କରି ଉତ୍ସର୍ଗ କରୁଥାନ୍ତି ସେ ।

 

ରାଜେନ୍ଦ୍ର ପ୍ରସାଦ ମୋତିଲାଲଙ୍କ ଶେଷ ଜୀବନରେ ତାଙ୍କର ସାନ୍ନିଧ୍ୟ ପାଇଥିଲେ । ତାହା ଉଲ୍ଲେଖ କରି ସେ ଆତ୍ମଜୀବନୀରେ ଲେଖିଛନ୍ତି–‘‘ଏହା ମୋର ସୌଭାଗ୍ୟ ଯେ ମୁଁ ମୋତିଲାଲଙ୍କ ଶେଷ ଜୀବନରେ ସ୍ଵରାଜଭବନରେ ତାଙ୍କ ସହିତ କିଛି ଦିନ ରହିବାର ସୁଯୋଗ ପାଇଥିଲି । ତାଙ୍କର ସହନଶୀଳତା, ମେଧାଶକ୍ତି, କର୍ମଦକ୍ଷତା ଓ ଦୀପ୍ତ ଜାତୀୟଭାବ ଦେଖି ମୁଁ ମୁଗ୍‍ଧ ହୋଇଯାଇଥିଲି । ସେ ଆଦୌ ନିଜ କଥା ଭାବୁ ନ ଥିଲେ । ଜାତୀୟ ଆନ୍ଦୋଳନ ଓ ଭାରତର ଭବିଷ୍ୟତହିଁ ଥିଲା ତାଙ୍କର ପ୍ରଧାନ ଚିନ୍ତା । ସ୍ଵାସ୍ଥ୍ୟ ବିଷୟ ଚିନ୍ତା କରିବାକୁ ତାଙ୍କୁ ଆଦୌ ସମୟ ନ ଥିଲା ।’’ କେହି କେବେ ଭାବି ନ ଥିଲେ ଯେ ଏହି ଦେଶପ୍ରାଣ ମହାପୁରୁଷଙ୍କର ମହାପ୍ରୟାଣ ଆସନ୍ନ ପ୍ରାୟ । ହଠାତ୍ ସେହି ବର୍ଷ ଫେବୃଆରୀ ତା୬ରିଖରେ ସେ ଇହଲୀଳା ସାଙ୍ଗକଲେ । ଭାରତର ରାଜନୀତିକ ଆକାଶରୁ ଗୋଟିଏ ଉଜ୍ଜ୍ୱଳ ଜ୍ୟୋତିଷ୍କ ସବୁଦିନ ପାଇଁ ଲିଭିଗଲା ।

 

ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ବଡ଼ଲାଟଙ୍କ ସହିତ ସାକ୍ଷାତ କରିବାକୁ ଗାନ୍ଧିଜୀଙ୍କ ଉପରେ ବିଭନ୍ନ ସ୍ତରରୁ ଚାପ ପଡ଼ିଲା । ଫେବୃଆରୀ ୧୭ ତାରିଖରେ ବଡ଼ଲାଟ ଇର୍‌ଉଇନ୍‌ଙ୍କ ସହିତ ଗାନ୍ଧିଜୀଙ୍କର କଥାବାର୍ତ୍ତା ଆରମ୍ଭ ହେଲା । କଂଗ୍ରେସ କାର୍ଯ୍ୟକାରୀ କମିଟିର ଜନୈକ ପ୍ରବୀଣ ସଭ୍ୟ ହିସାବରେ ପରାମର୍ଶ ଦେବା ପାଇଁ ରାଜେନ୍ଦ୍ର ପ୍ରସାଦଙ୍କୁ ସେତେବେଳେ ଦିଲ୍ଲୀରେ ଉପସ୍ଥିତ ରହିବାକୁ ପଡ଼ିଥିଲା । ଐତିହାସିକ ଦୃଷ୍ଟିକୋଣରୁ ଏହି କଥାବାର୍ତ୍ତାର ଗୁରୁତ୍ଵ ଥିଲା ଯଥେଷ୍ଟ; କାରଣ ଆପୋଷ ଆଲୋଚନା କରିବା ପାଇଁ କଂଗ୍ରେସ ପ୍ରତିନିଧିମାନଙ୍କ ସହିତ ଏହା ଥିଲା ବ୍ରିଟିଶ ସରକାରଙ୍କର ପ୍ରଥମ ଆହ୍ଵାନ । ଗାନ୍ଧିଜୀ ଏହି ଆଲୋଚନାବେଳେ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କ ସହିତ ବାରମ୍ବାର ମନ୍ତ୍ରଣା କରୁଥିଲେ । ଦୀର୍ଘ ଆଲୋଚନା ପରେ ମାର୍ଚ୍ଚ ୫ ତାରିଖରେ ଗାନ୍ଧିଜୀ ଏକ ସିଦ୍ଧାନ୍ତରେ ପହଞ୍ଚିଲେ; କିନ୍ତୁ ଏହି ସିଦ୍ଧାନ୍ତକୁ କଂଗ୍ରେସ କାର୍ଯ୍ୟକାରୀ କମିଟି ବହୁ ଦ୍ଵିଧା ସହକାରେ ଗ୍ରହଣ କରିଥିଲେ । ଦେଶରକ୍ଷା, ବୈଦେଶିକ ବ୍ୟାପାର ଇତ୍ୟାଦିର ସୁରକ୍ଷା ସଙ୍ଗେ ସଙ୍ଗେ ସ୍ଵାୟତ୍ତଶାସନ ଅଧିକାର ଏହି ସିଦ୍ଧାନ୍ତର ଅନ୍ତର୍ଭୁକ୍ତ । ଲବଣ-କର, ଯାହା ପାଇଁ ସତ୍ୟାଗ୍ରହ ଚାଲୁରହିଥିଲା ତାହାର ମଧ୍ୟ ଆଂଶିକ ସମାଧାନ ହୋଇଥିଲା । କେତେକ ଅଞ୍ଚଳରେ ଲୋକଙ୍କୁ ସ୍ଵାଧୀନଭାବେ ଲୁଣ ମାରିବାର ଅଧିକାର ମିଳିଲା । ଗାନ୍ଧୀ-ଇର୍‌ଉଇନ୍‌ ଚୁକ୍ତି ଅନୁଯାୟୀ ସବୁଶ୍ରେଣୀର ରାଜନୀତିକ ବନ୍ଦୀମାନଙ୍କୁ ମଧ୍ୟ ଖଲାସ କରିଦିଆଗଲା ଓ ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ଫେରାଇ ଦିଆଗଲା । ଉପରୋକ୍ତ ଚୂକ୍ତିକୁ ଏକପ୍ରକାର ସନ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହାଦ୍ଵାରା କଂଗ୍ରେସ ନେତୃବୃନ୍ଦଙ୍କୁ ଗୋଲ୍‌ଟେବୁଲ ବୈଠକରେ ଯୋଗଦେବା ପାଇଁ ପଥ ସୁଗମ ହେଲା । ଲାହୋର କଂଗ୍ରେସର ସିଦ୍ଧାନ୍ତ ୧୯୩୧ ମସିହା ମାର୍ଚ୍ଚ ମାସରେ କରାଚୀ ଅଧିବେଶନରେ ସଂଶୋଧିତ ହୋଇ ଗୃହୀତ ହୋଇଥିଲା । କଂଗ୍ରେସ କାର୍ଯ୍ୟକାରୀ କମିଟିଦ୍ଵାରା ନିର୍ବାଚିତ ସଭ୍ୟଙ୍କ ସମେତ ଗାନ୍ଧିଜୀଙ୍କୁ ଏହି ବୈଠକରେ ଯୋଗଦେବା କ୍ଷମତା ଦିଆଯାଇଥିଲା । କଂଗ୍ରେସ ଦଳର କେତେକ ଟାଣୁଆ ସଭ୍ୟ ଅବଶ୍ୟ ଗାନ୍ଧିଜୀଙ୍କର ଏହି ମିଳାମିଶା ମନୋବୃତ୍ତିକୁ ପସନ୍ଦ କରିଥିଲେ । ଜବାହରଲାଲ ସେମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଐତିହାସିକ ସିଦ୍ଧାନ୍ତ ଗ୍ରହଣ ପରେ ସେ କହିଥିଲେ–‘‘ଆମେ ସ୍ଥିର କରିଛୁ ଯେ ଗାନ୍ଧିଜୀଙ୍କ ନୀତି ଓ ସିଦ୍ଧାନ୍ତକୁ ଉପେକ୍ଷା କରିବୁ ନାହିଁ । ଭବିଷ୍ୟତର ପଥ ରୁଦ୍ଧ ହେବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ।’’

 

ଚୁକ୍ତି ସ୍ଵାକ୍ଷରିତ ହେବାର ମାତ୍ର କେତେକ ସପ୍ତାହ ପରେ ବଡ଼ଲାଟ ଇର୍‌ଉଇନ୍‌ଙ୍କ ସ୍ଥାନରେ ଆସିଲେ ଲର୍ଡ଼ ଉଇଲିଙ୍ଗ୍‌ଡ଼ନ୍‌ । ପ୍ରଥମରୁ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ସେ ସୁସମ୍ପର୍କ ସ୍ଥାପନ କରିପାରି ନ ଥିଲେ । ଦେଶର ରାଜନୀତିକ ବାତାବରଣ କ୍ରମେ ଅଶାନ୍ତ ହୋଇ ପଡ଼ିଥିଲା । ସରକାରୀ କର୍ମଚାରୀମାନେ ଏହି ଚୂକ୍ତିକୁ ସେମାନଙ୍କ କ୍ଷମତା କ୍ଷୁର୍ଣ୍ଣ ହେବାର ଏକ ପ୍ରଧାନ କାରଣ ବୋଲି ବିଚାର କଲେ । ତେଣୁ ଇର୍‌ଉଇନ୍‌ଙ୍କ ବିଦାୟ ପରେ ପରେ କିପରି ସେହି ଚୂକ୍ତି କାର୍ଯ୍ୟକାରୀ ନ ହେବ, ସେଥିପାଇଁ ଚେଷ୍ଟା କରାଗଲା । ସତ୍ୟାଗ୍ରହ ବନ୍ଦ କରାଯାଇଥିଲେ ମଧ୍ୟ ଜେଲରୁ ମୁକ୍ତ ନ ହୋଇଥିବା ସତ୍ୟାଗ୍ରହୀଙ୍କୁ ମୁକ୍ତ କରିବା ପାଇଁ ସରକାରୀ ଅଫିସରମାନେ ନାନାପ୍ରକାର ବାଧାବିଘ୍ନ ସୃଷ୍ଟି କରିଥିଲେ । ତେଣୁ ବିହାରରେ ରାଜନୀତିକ ବନ୍ଦୀମାନଙ୍କୁ ଖଲାସ କରାଇ ନେବାରେ ରାଜେନ୍ଦ୍ର ପ୍ରସାଦ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଅନ୍ୟାନ୍ୟ ପ୍ରଦେଶରେ ମଧ୍ୟ ଅନୁରୂପ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଶେଷରେ ଗାନ୍ଧିଜୀ ଦ୍ଵିତୀୟ ଗୋଲ୍‍ଟେବୁଲ ବୈଠକରେ ଯୋଗଦେବା ପାଇଁ ୧୯୩୧ ମସିହା ସେପ୍‍ଟେମ୍ବର ମାସରେ ଲଣ୍ଡନ ଯାତ୍ରାକଲେ । ଏହି ବୈଠକରେ ସରକାରଙ୍କ ଷଡ଼ଯନ୍ତ୍ରକ୍ରମେ ସାଂପ୍ରଦାୟିକ ସମସ୍ୟାମାନ ଆଲୋଚିତ ହୋଇଥିଲା-। ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପାଇଁ ସ୍ଵତନ୍ତ୍ର ଭୋଟ ବ୍ୟବସ୍ଥା ମଧ୍ୟ ଦାବୀ କରାଯାଇଥିଲା-। ମୋଟ ଉପରେ ଏହି ବୈଠକରେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବପର ହୋଇ ନ ଥିଲା । ନିରାଶ ହୋଇ ଗାନ୍ଧିଜୀ ଡିସେମ୍ବର ୧୮ ତାରିଖରେ ବମ୍ବେ ଫେରିଆସିଲେ । ବ୍ରିଟିଶ ସରକାର, ବିଶେଷକରି ତତ୍‍କାଳୀନ ଜାତୀୟ ସରକାରଙ୍କ ମୁଖ୍ୟ ‘ରାମ-ସେ ମ୍ୟାକ୍‌ଡ଼ୋନାଲ୍‌ଡ଼୍‌’ ସାଂପ୍ରଦାୟିକ ଅସଂହତିକୁ ଏକ ଆଳରୂପେ ଗ୍ରହଣ କଲେ ।

 

ଗାନ୍ଧୀ-ଇର୍‌ଉଇନ୍‌ ଚୂକ୍ତି କାର୍ଯ୍ୟକାରୀ କରିବାରେ ଚୂଡ଼ାନ୍ତ ଶିଥିଳତା ଅବଲମ୍ବନ କରାଗଲା । କଂଗ୍ରେସ ଆନ୍ଦୋଳନକୁ ଦମନ କରିବା ହେଲା ସରକାରଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ନୀତି । ସରକାରୀ କର୍ମଚାରୀମାନେ କ୍ଷମତାର ଅପବ୍ୟବହାର କଲେ । ବଙ୍ଗଳାରେ ଅଟକ ରଖାଯାଇଥିବା ରାଜନୀତିକ ବନ୍ଦୀମାନଙ୍କୁ ଖଲାସ କରାଗଲା ନାହିଁ । କଂଗ୍ରେସ କମିଟିଗୁଡ଼ିକୁ ବେଆଇନ ଘୋଷଣା କରାଗଲା ଓ ଗାନ୍ଧିଜୀ, ବଲ୍ଲଭଭାଇ, ଜବହରଲାଲ ପ୍ରମୁଖ ନେତୃବୃନ୍ଦଙ୍କୁ ବନ୍ଦୀ କରାଗଲା । ୧୯୩୨ ମସିହା ଜାନୁଆରୀ ୪ ତାରିଖରେ ରାଜେନ୍ଦ୍ର ପ୍ରସାଦଙ୍କୁ ବନ୍ଦୀ କରାଯାଇ ବାଙ୍କୀପୁର ଜେଲର ଏକ କଦର୍ଯ୍ୟ କୋଠରୀ ମଧ୍ୟରେ ଅଟକ ରଖାଗଲା । ବାହାରରୁ ଖାଦ୍ୟ ନ ଖାଇ ଜେଲକର୍ତ୍ତୃପକ୍ଷଙ୍କ ଦ୍ଵାରା ଯୋଗାଇ ଦିଆଯାଉଥିବା ଖାଦ୍ୟ ସେ ଖାଉଥିଲେ । ବିଚାର ପରେ ତାଙ୍କୁ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା । ଲର୍ଡ଼ ଉଇଲିଂଡ଼ନ୍ ଭାବିଥିଲେ ଯେ କଂଗ୍ରେସ ଆନ୍ଦୋଳନକୁ ମାତ୍ର ଦୁଇ ସପ୍ତାହ ମଧ୍ୟରେ ନିର୍ବାପିତ କରାଯାଇ ପାରିବ । ତେଣୁ ସେ ସରକାରୀ କର୍ମଚାରୀମାନଙ୍କୁ ଦଣ୍ଡବିଧାନରେ ଦୃଢ଼ମନା ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ସଭା ଓ ଶୋଭାଯାତ୍ରା ଉପରେ ନିଷେଧାଜ୍ଞା ଜାରି କରାଯାଇଥିଲା । କଂଗ୍ରେସ କମିଟିର ଅଫିସଗୁଡ଼ିକରେ ତାଲା ପକାଇ ଦିଆଯାଇଥିଲା ଓ ସମସ୍ତ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଥିଲା । ରାଜନୀତିକ ବନ୍ଦୀମାନଙ୍କୁ ସାଧାରଣ ସୁବିଧା-ସୁଯୋଗରୁ ବଞ୍ଚିତ କରାଯାଇଥିଲା; କିନ୍ତୁ ସରକାରଙ୍କ ଦଣ୍ଡବିଧାନର ମାତ୍ରାବୃଦ୍ଧି ସଙ୍ଗେ ସଙ୍ଗେ ଲୋକଙ୍କ ମନରେ ଅଶାନ୍ତି ଓ ବୈପ୍ଳବିକ ଚିନ୍ତାଧାରାର ମାତ୍ରା ମଧ୍ୟ ବୃଦ୍ଧି ପାଇଥିଲା ।

 

ମାର୍ଚ୍ଚ ମାସରେ କଂଗ୍ରେସର ଆଉ ଏକ ଅଧିବେଶନ ଓଡ଼ିଶାରେ ବସିବାର ସ୍ଥିର କରାଗଲା । ରାଜେନ୍ଦ୍ର ପ୍ରସାଦ ଏହି ଅଧିବେଶନ ପାଇଁ ସଭାପତି ନିର୍ବାଚିତ ହେଲେ; କିନ୍ତୁ ଓଡ଼ିଶାରେ ଏଥିପାଇଁ ବ୍ୟବସ୍ଥା କରାଯାଇ ନ ପାରିବାରୁ ଅଧିବେଶନର ସ୍ଥାନ ଦିଲ୍ଲୀକୁ ପରିବର୍ତ୍ତିତ ହେଲା । ରାଜେନ୍ଦ୍ର ପ୍ରସାଦଙ୍କ ଅନୁପସ୍ଥିତିରେ ସଭାପତିତ୍ଵ କରିବାକୁ ମନୋନୀତ ହୋଇଥିବା ମଦନମୋହନ ମାଲବ୍ୟଙ୍କୁ ପୋଲିସ ବନ୍ଦୀ କଲେ । ଶେଷରେ ପୁରୁଣା ଦିଲ୍ଲୀରେ ଅଧିବେଶନ ସମାହିତ ହେଲା । ତୃତୀୟ ଗୋଲ୍‍ଟେବୁଲ ବୈଠକରେ ଯୋଗଦେବାକୁ କଂଗ୍ରେସ ନେତୃବୃନ୍ଦ ମନା କରିଦେଲେ ।

 

ସାଂପ୍ରଦାୟିକ ପ୍ରତିନିଧିତ୍ଵ ବିଷୟରେ କୌଣସି ସମାଧାନର ଉପାୟ ନ ଦେଖି ତତ୍‍କାଳୀନ ବ୍ରିଟିଶ ପ୍ରଧାନମନ୍ତ୍ରୀ ଘୋଷଣା କଲେ ଯେ ଦଳିତ ଜାତିଙ୍କୁ ୨୦ ବର୍ଷ ପାଇଁ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀର ସୁବିଧା ଦିଆଯିବ ଓ ସାଧାରଣ ନିର୍ବାଚନ ମଣ୍ଡଳୀରେ ସେମାନେ ପ୍ରତିନିଧିତ୍ଵ କରିପାରିବେ । ଗାନ୍ଧିଜୀ ଏହାକୁ ହିନ୍ଦୁ ସଂପ୍ରଦାୟ ପ୍ରତି ଏକ ଆହ୍ଵାନ ବୋଲି ବିଚାର କଲେ । ହରିଜନମାନଙ୍କୁ ହିନ୍ଦୁ ସଂପ୍ରଦାୟରୁ ବହିର୍ଭୂତ କରାଇନେବା ହେଲା ଏହି ଘୋଷଣାର ମୁଖ୍ୟ ଲକ୍ଷ୍ୟ । ତେଣୁ ସେ ନିର୍ଭୀକ ଭାବେ ଦର୍ଶାଇଲେ ଯେ ହରିଜନମାନେ ହିନ୍ଦୁ ସଂପ୍ରଦାୟ ଅନ୍ତର୍ଭୁକ୍ତ । ତାଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା କରିବା ଅର୍ଥ ଅସ୍ପୃଶ୍ୟତାକୁ ଦୀର୍ଘଜୀବୀ କରାଇବା । ମୁସଲମାନମାନଙ୍କ ପାଇଁ ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା କରାଇବାର ବିଷମୟ ପରିଣତି ଭାରତବାସୀ ଅଙ୍ଗେ ଲିଭାଇସାରିଛନ୍ତି । ଏହାଦ୍ଵାରା ଦୁଇ ସଂପ୍ରଦାୟ ମଧ୍ୟରେ ବିଭେଦର ନିରନ୍ଧ୍ର ପ୍ରାଚୀର ତୋଳିଉଠିଛି । ତେଣୁ ଗାନ୍ଧିଜୀ ଏହି ଘୋଷଣାର ଦୃଢ଼ ପ୍ରତିବାଦ ଜଣାଇବା ପାଇଁ ବଦ୍ଧପରିକର ହେଲେ । ଅଗଷ୍ଟ ୧୮ ତାରିଖରେ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ସେ ଜଣାଇଲେ ଯେ ସେ ଯଦି ଏହି ଅଭିସନ୍ଧିମୂଳକ ଘୋଷଣା ପ୍ରତ୍ୟାହାର କରିବାକୁ ରାଜି ନ ହୁଅନ୍ତି, ତାହାହେଲେ ସେପ୍‍ଟେମ୍ବର ୨୦ ତାରିଖଠାରୁ ସେ ଆମରଣ ଅନଶନ କରିବେ । ପ୍ରଧାନମନ୍ତ୍ରୀ ପ୍ରତ୍ୟୁତ୍ତରରେ ଜଣାଇଲେ ଯେ ସଂପ୍ରଦାୟମାନଙ୍କ ମଧ୍ୟରେ ଯଦି ଆପୋଷ ମିଳାମିଶା ନ ହେଲା, ତାହାହେଲେ ଅବସ୍ଥା ଆଦୌ ସୁଧୁରିବ ନାହିଁ ।

 

ଶେଷରେ ଗାନ୍ଧିଜୀ କର୍ତ୍ତୃପକ୍ଷଙ୍କର ନିଷ୍କ୍ରିୟତା ଲକ୍ଷ୍ୟ କରି ନିର୍ଦ୍ଦିଷ୍ଟ ତାରିଖରେ ଆମରଣ ଅନଶନ ଆରମ୍ଭ କଲେ । ରାଜେନ୍ଦ୍ର ପ୍ରସାଦ ପୁନା ଯାଇ ଗାନ୍ଧିଜୀଙ୍କୁ ଏହି ଅନଶନରୁ କ୍ଷାନ୍ତ ହେବାକୁ ପ୍ରବର୍ତ୍ତାଇଲେ; କିନ୍ତୁ ଗାନ୍ଧିଜୀ ତାଙ୍କ ସିଦ୍ଧାନ୍ତରେ ରହିଲେ ଅଟଳ । ତାଙ୍କର ଜୀବନ କିପରି ରକ୍ଷାହେବ, ସେଥିପାଇଁ ନେତୃବୃନ୍ଦଙ୍କ ମହଲରେ ଘୋର ଉଦ୍‍ବେଗ ପ୍ରକାଶ ପାଇଲା । ରାଜେନ୍ଦ୍ର ପ୍ରସାଦ ପରିସ୍ଥିତିର ଗୁରୁତ୍ଵ ଉପଲବ୍‍ଧି କରି ଦେଶବାସୀଙ୍କୁ ବିନୀତ ନିବେଦନ କରି କହିଥିଲେ–‘‘ଆଜି ହିନ୍ଦୁସଂପ୍ରଦାୟ ଏକ ପରୀକ୍ଷାରେ ଅବତୀର୍ଣ୍ଣ । ଲହୁଲୁହ ଦେଇ ଏଥିରେ ଆମକୁ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ ।’’ ସତକୁ ସତ, ଗାନ୍ଧିଜୀଙ୍କ ଅନଶନ ହରିଜନ ସଂପ୍ରଦାୟ ଉପରେ ପକାଇ ପାରିଥିଲା ଏକ ପ୍ରସାରୀ ପ୍ରଭାବ । କାରଣ ହରିଜନମାନଙ୍କର ବାପୁଜୀଙ୍କ ପ୍ରତି ଥିଲା ଅତୁଟ ସ୍ନେହ ଓ ଭକ୍ତି; ତେଣୁ ବିନା ଦ୍ଵିଧାରେ ସମାଧାନ ପାଇଁ ସେମାନେ ମତପ୍ରକାଶ କଲେ । ସେମାନେ ଅନୁଭବ କଲେ ଯେ ଏହି ଅନଶନରେ ଯଦି ଗାନ୍ଧିଜୀଙ୍କର ଜୀବନଦୀପ ଲିଭିଯାଏ, ତାହାହେଲେ ସମଗ୍ର ଜାତି ପ୍ରତି ବିପଦ ଘନେଇ ଆସିବ ଓ ତାଙ୍କ ସଂପ୍ରଦାୟ ଚିରଦିନ ପାଇଁ କଳଙ୍କିତ ହେବ । ତେଣୁ ସେମାନେ ଏକ ଆପୋଷ ମିଳାମିଶାରେ ଉପନୀତ ହେଲେ । ଏହି ଲିଖିତ ସମାଧାନ ଡକ୍ଟର ଆମ୍ବେଦକର ଓ ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କଦ୍ଵାରା ସ୍ଵାକ୍ଷରିତ ହେଲା । ହରିଜନମାନେ ତାଙ୍କ ପାଇଁ ଘୋଷିତ ହୋଇଥିବା ସ୍ଵତନ୍ତ୍ର ନିର୍ବାଚନ ମଣ୍ଡଳୀ ବ୍ୟବସ୍ଥା ପ୍ରତ୍ୟାହାର କରିନେଲେ; କିନ୍ତୁ ନିର୍ବାଚନରେ ତାଙ୍କ ପାଇଁ ଦୁଇ ଗୁଣ ସ୍ଥାନ ସଂରକ୍ଷିତ ହେଲା । ବ୍ରିଟିଶ ପ୍ରଧାନମନ୍ତ୍ରୀ ଏହି ସମାଧାନ ଗ୍ରହଣ କଲେ । ତା ପରେ କୋଟି କୋଟି ଲୋକଙ୍କ ହୃଦୟରେ ଆଶ୍ୱାସନା ସଂଚାର କରି ଗାନ୍ଧିଜୀ ସେପ୍‍ଟେମ୍ବର ତା୨୬ରିଖରେ ତାଙ୍କର ଦୀର୍ଘଦିନର ଅନଶନ ଭଙ୍ଗ କଲେ ।

 

ଗାନ୍ଧିଜୀ ନିଜେ ଅନୁଭବ କଲେ ଯେ କେବଳ ରାଜନୀତିକ ରିଆତି ଦେଲେ ହରିଜନଙ୍କ ଅବସ୍ଥା ସୁଧୁରିବ ନାହିଁ । ସେମାନଙ୍କୁ ମନ୍ଦିରରେ ପ୍ରବେଶ ଓ ସର୍ବସାଧାରଣ ବ୍ୟବହାର କରୁଥିବା କୂଅରୁ ପାଣି ଖାଇବାର ସୁବିଧା ମିଳିବା ଉଚିତ । ତେଣୁ ଏଥିପାଇଁ ସେ ଆନୁଷ୍ଠାନିକ ବ୍ୟବସ୍ଥାମାନ ଗ୍ରହଣ କଲେ । ଅସ୍ପୃଶ୍ୟତା ନିବାରଣ ପାଇଁ ସମଗ୍ର ଦେଶରେ ‘ହରିଜନ ସେବକସଙ୍ଘ’ ମାନ ଗଠିତ ହେଲା । ରାଜେନ୍ଦ୍ର ପ୍ରସାଦ ଏହି ଗଠନମୂଳକ କାର୍ଯ୍ୟରେ ବ୍ୟସ୍ତ ରହିଲେ । ଚକ୍ରବର୍ତ୍ତୀ ରାଜଗୋପାଳାଚାରୀଙ୍କ ସହିତ ଦକ୍ଷିଣ-ଭାରତ ଗସ୍ତ କରି ହରିଜନମାନଙ୍କ ପାଇଁ ମନ୍ଦିରମାନଙ୍କର ଦ୍ଵାର ଖୋଲାରଖିବା ଲାଗି ସେ କର୍ତ୍ତୃପକ୍ଷମାନଙ୍କୁ ନିବେଦନ କରିଥିଲେ । କେତେକ ଶିକ୍ଷିତ ହରିଜନ ଏହାକୁ ରାଜନୀତିକ ଚାଲ୍‌ବାଜି ବୋଲି ଘୋଷଣା କରିଥିଲେ ଓ ଯୁକ୍ତିକରିଥିଲେ ସେ କେବଳ ଆର୍ଥନୀତିକ ତଥା ରାଜନୀତିକ ସୁବିଧା-ସୁଯୋଗ ମିଳିଲେ ସେମାନଙ୍କର ଅବସ୍ଥା ସ୍ଵତଃ ପରିବର୍ତ୍ତିତ ହେବ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ରାଜନୀତିକ ଦୃଷ୍ଟିକୋଣରୁ ତାହାର ସମୀଚୀନତା ସ୍ଵୀକାର କରି ନ ଥିଲେ । ତାଙ୍କର ବିଶ୍ଵାସ ଥିଲା ଯେ ଏହିପରି ଗଠନମୂଳକ କାର୍ଯ୍ୟଜରିଆରେ ହିଁ ଜାତୀୟ ଆନ୍ଦୋଳନର ଭିତ୍ତି ଦୃଢ଼ ହେବ । ସାମାଜିକ ଦୁର୍ବଳତା ଦୂର ନ ହେଲେ ସରକାରଙ୍କୁ ଉପଯୁକ୍ତ ଜବାବ ଦେବା ସହଜେ ସମ୍ଭବପର ନୁହେଁ । କଂଗ୍ରେସର ଅନେକ ସଭ୍ୟ ଦେଶରେ ହଠାତ୍ ରାଜନୀତିକ ବିପ୍ଳବ ସୃଷ୍ଟି କରିବାକୁ ଚାହୁଁଥିଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ଏହାର ଥିଲେ ବିରୋଧୀ । ସେ କହୁଥିଲେ– ସମାଜ ନିଷ୍କଳଙ୍କ ନ ହେଲେ, ରାଜନୀତିକ ବିପ୍ଳବ ମୂଲ୍ୟହୀନ ହୋଇପଡ଼ିବ ।

 

ସେତେବେଳକୁ ବହୁ ନେତୃସ୍ଥାନୀୟ ବ୍ୟକ୍ତି କାରାମୁକ୍ତ ହୋଇ ନ ଥାନ୍ତି । ରାଜେନ୍ଦ୍ର ପ୍ରସାଦ ପୁଣି ସେହି ଦୁଃଖ ବରଣ କରିବାକୁ ସ୍ଥିର କଲେ । ମୁକ୍ତି-ସଂଗ୍ରାମ ପାଇଁ ଚାନ୍ଦାସଂଗ୍ରହ ଅଭିଯୋଗରେ ଆଚାର୍ଯ୍ୟ କୃପାଳିନୀଙ୍କ ସହିତ ତାଙ୍କୁ ୧୫ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିଲା । ଏଥର ଜେଲରେ ତାଙ୍କ ସ୍ଵାସ୍ଥ୍ୟ କ୍ରମେ ଦୂର୍ବଳ ହୋଇପଡ଼ିଲା । କାରାଦଣ୍ଡ ସହିତ ଶ୍ଵାସରୋଗର ଅସହ୍ୟ ଯନ୍ତ୍ରଣାରେ ସେ ଶଯ୍ୟାଶାୟୀ ହୋଇପଡ଼ିଲେ । ଜେଲ ସୁପରିନ୍‍ ଣ୍ଟେଣ୍ଡେଣ୍ଟ ଚିକିତ୍ସା ପାଇଁ ତାଙ୍କୁ ପାଟନା ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ସରକାରଙ୍କୁ ଅନୁରୋଧ କଲେ; କିନ୍ତୁ ସରକାର ଏଥିପ୍ରତି କର୍ଣ୍ଣପାତ କରି ନ ଥିଲେ । ସ୍ୱାସ୍ଥ୍ୟର ଦୁରବସ୍ଥା ଦେଖି ତାଙ୍କ ବଡ଼ଭାଇ ଆଶୁ ଚିକିତ୍ସା ପାଇଁ ବିହିତ ବ୍ୟବସ୍ଥା କରିବାକୁ ବ୍ୟକ୍ତିଗତଭାବେ ବଡ଼ଲାଟଙ୍କୁ ଅନୁରୋଧ ଜଣାଇଲେ । ଶେଷରେ ତାଙ୍କୁ ଚିକିତ୍ସା ପାଇଁ ପାଟନା ଜେଲକୁ ଅଣାଗଲା । କ୍ରମେ ସ୍ୱାସ୍ଥ୍ୟର ଉନ୍ନତି ଘଟିଲା । ବହୁସଂଖ୍ୟକ ଲୋକ ତାଙ୍କୁ ଦୈନିକ ଡାକ୍ତରଖାନାରେ ସାକ୍ଷାତ କରିବାରୁ ସରକାର ସନ୍ଦେହ କଲେ ଯେ ସେ ଡାକ୍ତରଖାନାରେ ରହି ମଧ୍ୟ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇବାକୁ ନିର୍ଦ୍ଦେଶ ଦେଉଛନ୍ତି । ତେଣୁ ତାଙ୍କୁ ବାଙ୍କୀପୁର ଜେଲକୁ ସ୍ଥାନାନ୍ତରିତ କରାଗଲା । ସ୍ଥାନ ଓ ଜଳବାୟୁଗତ ପରିବର୍ତ୍ତନ ଯୋଗୁଁ ତାଙ୍କର ଶ୍ଵାସରୋଗ ପୁଣି ଆରମ୍ଭ ହୋଇଯାଇଥିଲା ଓ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଗଲା; କିନ୍ତୁ ତାଙ୍କ ସ୍ଵାସ୍ଥ୍ୟରେ ଆଦୌ ପରିବର୍ତ୍ତନ ପରିଲକ୍ଷିତ ହେଲା ନାହିଁ । ୧୯୩୪ ମସିହା ଜାନୁଆରୀ ମାସରେ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ଡାକ୍ତରମାନେ ଉଦ୍‍ବେଗ ପ୍ରକାଶ କଲେ ଓ ଯଥାଶୀଘ୍ର ଖଲାସ କରିବା ପାଇଁ ସୁପାରିସ କଲେ; କିନ୍ତୁ ଜେଲକର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାରର ପ୍ରତିବାଦ କରି ସେ ପ୍ରଥମେ କାରାମୁକ୍ତ ହେବାକୁ ଅନିଚ୍ଛା ପ୍ରକାଶ କରିଥିଲେ । ବହୁ ବିଚାର–ବିବେଚନା ପରେ ତାଙ୍କର ମନୋଭାବ ବଦଳିଥିଲା ।

 

୧୯୩୪ ମସିହା ଜାନୁଆରୀ ୧୫ ତାରିଖରେ ବିହାରରେ ଭୂମିକମ୍ପ ହେଲା । ବହୁ ଧନ-ଜୀବନ ନଷ୍ଟ ହେଲା । ତାହାର ଠିକ୍ ଦୁଇ ଦିନ ପରେ ଅନ୍ୟ କେତେକ ନେତାଙ୍କ ସହିତ ରାଜେନ୍ଦ୍ର ପ୍ରସାଦ କାରାମୁକ୍ତ ହେଲେ । ତାଙ୍କର ଦୁର୍ବଳତା ଦୃଷ୍ଟିରୁ ଡାକ୍ତରମାନେ ତାଙ୍କୁ ପୂର୍ଣ୍ଣବିଶ୍ରାମ ନେବାକୁ ପରାମର୍ଶ ଦେଲେ; କିନ୍ତୁ ସେ ତାହା ମାନିଲେ ନାହିଁ । ଭୂମିକମ୍ପ–ପ୍ରପୀଡ଼ିତ ଲୋକମାନଙ୍କର ସେବା କରିବା ପାଇଁ ତାଙ୍କ ମନ ବ୍ୟାକୁଳ ହୋଇ ପଡ଼ିଲା । ଦୃଢ଼ ଇଚ୍ଛାଶକ୍ତିଯୋଗୁଁ କ୍ରମେ ତାଙ୍କର ଦୁର୍ବଳତା ଦୂରୀଭୂତ ହେଲା । ସରକାର ତାଙ୍କୁ ସେବା ଓ ସାହାଯ୍ୟ ପାଇଁ ସ୍ଵତନ୍ତ୍ର କମିଟି ନ ଗଢ଼ି, ସୈନ୍ୟବାହିନୀଙ୍କୁ ସହଯୋଗ କରିବାକୁ ଅନୁରୋଧ କଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ସେଥିରେ ଏକମତ ହୋଇ ନ ଥିଲେ । କାରଣ ସେ ଜାଣିଥିଲେ ଯେ ସୈନ୍ୟବାହିନୀଠାରୁ ଜନସମିତି ଅଧିକ ସକ୍ରିୟ ଓ ଶୃଙ୍ଖଳାବଦ୍ଧ ଉପାୟରେ ସେବାକାର୍ଯ୍ୟ କରିପାରିବ । ତେଣୁ ସେ ଏଥିପାଇଁ ଗ୍ରାମ୍ୟସ୍ତରରେ ଜନସମିତିମାନ ଗଠନ କରିଥିଲେ । ପରେ ଗୋଟିଏ କେନ୍ଦ୍ରୀୟ ରିଲିଫ୍ କମିଟି ଗଢ଼ାଗଲା । ସେଥିରେ ସଭାପତି ହେଲେ ନିଜେ ରାଜେନ୍ଦ୍ର ପ୍ରସାଦ ।

 

ଭୂମିକମ୍ପ ଯୋଗୁଁ ଉତ୍ତର-ବିହାର ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଅନ୍ୟୂନ କୋଡ଼ିଏ ହଜାର ଲୋକ ଜୀବନ ହରାଇଥିଲେ ଓ ବହୁ କୋଠାବାଡ଼ି ଧ୍ୱଂସ ହୋଇଯାଇଥିଲା । ବିପଦଗ୍ରସ୍ତ ଲୋକମାନଙ୍କୁ ସାହାଯ୍ୟ ଦେବା ପାଇଁ କେନ୍ଦ୍ରୀୟ ରିଲିଫ୍ କମିଟି ଦେଶବାସୀଙ୍କୁ ନିବେଦନ କରିଥିଲେ । ସମଗ୍ର ଦେଶରୁ ବିପୁଳ ସାହାଯ୍ୟ ମିଳିଥିଲା ।

 

ଗାନ୍ଧିଜୀ, ଜବାହରଲାଲ ପ୍ରମୁଖ ବହୁ ନେତା ମଧ୍ୟ ଭୂମିକମ୍ପ-ପ୍ରପୀଡ଼ିତ ଅଞ୍ଚଳମାନ ପରିଦର୍ଶନ କରି ଲୋକଙ୍କ ମନରେ ସାହସ ଓ ଉତ୍ସାହ ଦେଇଥିଲେ । ରିଲିଫ୍‌କାର୍ଯ୍ୟ କିପରି ଦ୍ରୁତଗତିରେ ଚାଲିବ, ସେଥିପାଇଁ ଦୁଇ ହଜାର ସ୍ଵେଚ୍ଛାସେବୀଙ୍କୁ ତାଲିମ ଦିଆଯାଇଥିଲା ଓ ସେମାନଙ୍କୁ କେବଳ ଖାଇବା ପାଇଁ ଦୈନିକ ଦୁଇ ଅଣା ଲେଖାଏଁ ପଇସା ଦିଆଯାଇ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଥିଲା । ଏହି କେନ୍ଦ୍ରୀୟ ରିଲିଫ କମିଟିର ପ୍ରଧାନ ଦପ୍ତର ଦାୟିତ୍ଵରେ ରହିଥିଲେ ଜୟପ୍ରକାଶ ନାରାୟଣ । ପ୍ରତ୍ୟହ ସାହାଯ୍ୟ ପାଣ୍ଠିକୁ ହାରାହାରି ତିନି ଶହ ମନିଅର୍ଡ଼ର ଓ ଶତାଧିକ ପାର୍ଶଲ ମିଳୁଥାଏ । ଶ୍ରୀ ନାରାୟଣଙ୍କ ପକ୍ଷରେ ତାହାର ହିସାବ ରଖିବା କ୍ରମେ ଅସମ୍ଭବ ହୋଇପଡ଼ିଲା । ତେଣୁ ତାଙ୍କ ଅନୁରୋଧକ୍ରମେ ଗାନ୍ଧିଜୀ ଅନ୍ୟତମ ନିଷ୍ଠାପର କଂଗ୍ରେସକର୍ମୀ ଓ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଶ୍ରୀ ଜେ. ସି. କୁମାରପ୍‍ପାଙ୍କୁ ହିସାବ ରକ୍ଷଣାବେକ୍ଷଣ କରିବାକୁ ପଠାଇଲେ । ତେଣେ ରାଜେନ୍ଦ୍ର ପ୍ରସାଦ ସାହାଯ୍ୟର ଯେପରି ଅସଦ୍‍ବିନିଯୋଗ ନ ହୁଏ, ସେଥିପ୍ରତି ତୀକ୍ଷ୍‍ ଣଦୃଷ୍ଟି ଦେଇଥାନ୍ତି । ତାଙ୍କ ନିଜ ଭାଷାରେ–‘‘ରଲିଫ୍ ପାଣ୍ଠିର ବିନିଯୋଗ ମୁଁ ଖୁବ୍ ନିଷ୍ଠାସହକାରେ ତଦାରଖ କରୁଥିଲି; କାରଣ ସର୍ବସାଧାରଣଙ୍କର ଧନ ଯଦି ଯତ୍ନସହକାରେ ବିନିଯୁକ୍ତ ନ ହୁଏ, ତାହାହେଲେ ଅପ୍ରୀତିଜନକ ପରିଣତି ସୃଷ୍ଟି ହୋଇଥାଏ ।’’

 

ଭୂମିକମ୍ପର ଖୁବ୍ ଅଳ୍ପ ଦିନପରେ ବିହାର ଉପରେ ଦାଉ ସାଧିଲା ପ୍ରଳୟଙ୍କରୀ ବନ୍ୟା । ଭୂମିକମ୍ପ ଯୋଗୁଁ ନଦୀଗର୍ଭ ବାଲିରେ ପୋତି ହୋଇପଡ଼ିଲା । ତେଣୁ ସହଜରେ ବନ୍ୟାଜଳ ନିଷ୍କାସିତ ହୋଇପାରିଲା ନାହିଁ । ନଦୀଗର୍ଭରୁ ଜଳ ନିଷ୍କାସନ ପାଇଁ ନାଳମାନ ଖୋଳାଗଲା । ଗୃହହୀନ ଲେକମାନଙ୍କୁ ଥଇଥାନ କରିବା ପାଇଁ ନୂତନ ବସତିମାନ ବସାଗଲା । ଜଳଯୋଗାଣ ପାଇଁ କୂଅ ଓ ପୋଖରୀମାନ ଖୋଳିବାରେ ସ୍ୱେଚ୍ଛାସେବୀ ତଥା ଜନସାଧାରଣ ସ୍ଵତଃପ୍ରବୃତ୍ତ ହୋଇ ଶ୍ରମଦାନ କଲେ । ଏହିପରି ଦୀର୍ଘ ଅଠର ମାସ ପର୍ଯ୍ୟନ୍ତ ସାହାଯ୍ୟ ଓ ପୁନର୍ବସତି ବ୍ୟବସ୍ଥା ଚାଲୁରହିଲା । ରିଲିଫ୍ କମିଟି ସମୁଦାୟ ଆର୍ଥିକ ସାହାଯ୍ୟ ପାଇଥିଲେ ୩୦ ଲକ୍ଷ ଟଙ୍କା; କିନ୍ତୁ ଏହି କମିଟିର ସାଧୁତା ଓ କାର୍ଯ୍ୟଦକ୍ଷତା ଯୋଗୁଁ ଗୋଟିଏ ହେଲେ ପଇସା ଅସଦ୍ ଉପାୟରେ ବିନିଯୁକ୍ତ ହୋଇ ନ ଥିଲା । ଏଥିପାଇଁ ରାଜେନ୍ଦ୍ର ପ୍ରସାଦଙ୍କ ପ୍ରଚେଷ୍ଟା ପ୍ରକୃତ ପ୍ରଶଂସାର୍ହ ।

 

ଭୂମିକମ୍ପର ଠିକ୍ ୬ ମାସ ପରେ ତାଙ୍କୁ ଏକ ଅଚାନକ ବିପତ୍ତିର ସମ୍ମୁଖୀନ ହେବାକୁ ପଡ଼ିଲା । ଜ୍ଵରରୋଗରେ ବଡ଼ଭାଇ ମହେନ୍ଦ୍ର ପ୍ରସାଦଙ୍କର ହଠାତ୍ ଦେହାନ୍ତ ହୋଇଗଲା । ବୟସରେ ମାସ ୮ ବର୍ଷ ବଡ଼ ହେଲେ କ’ଣ ହେବ, ରାଜେନ୍ଦ୍ର ପ୍ରସାଦ ତାଙ୍କୁ ନିଜର ଅଭିଭାବକରୂପେ ମାନୁଥିଲେ । ଛାତ୍ରଜୀବନରୁ ବଡ଼ଭାଇଙ୍କର ଆଦେଶ ଓ ନିର୍ଦ୍ଦେଶ ପାଳନରେ ସେ କେବେହେଲେ ହେଳା କରୁ ନ ଥିଲେ । ତେଣୁ ଭ୍ରାତୃବିୟୋଗରେ ତାଙ୍କୁ ଏକ ଜଟିଳ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଲା । ବଡ଼ଭାଇଙ୍କ ଯୋଗୁଁ ପରିବାରର ଜଞ୍ଜାଳ କ‘ଣ ତାହା ସେ ଜାଣି ନ ଥିଲେ, କିନ୍ତୁ ପରିସ୍ଥିତି ତାଙ୍କୁ ଗୃହୀ ହେବାକୁ ବାଧ୍ୟ କଲା । ଏଣେ ଜମିଦାରୀର ପରିଚାଳନାଗତ ଅବ୍ୟବସ୍ଥା ଯୋଗୁଁ ଘରର ଆର୍ଥିକ ଅବସ୍ଥା ସେତେ ସ୍ଵଚ୍ଛଳ ନ ଥାଏ । ବ୍ୟକ୍ତିଗତଭାବେ ସେ ଯୌତୁକ ପ୍ରଥାର ବିରୋଧ କରୁଥିଲେ ମଧ୍ୟ ଜାତିଆଣ ରୀତି ଓ ଲୌକିକତାକୁ ସେ ଏଡ଼ି ପାରି ନ ଥିଲେ । ନିଜ ପୁଅମାନଙ୍କ ବିଭାଘରକୁ ସେ ଯୌତୁକ ଚାହିଁ ନ ଥିଲେ; କିନ୍ତୁ ଝିଆରୀମାନଙ୍କ ବିଭାଘରରେ ତାଙ୍କୁ ବହୁପରିମାଣରେ ଯୌତୁକ ଦେବାକୁ ପଡ଼ୁଥିଲା । ସେଥିଯୋଗୁଁ ସେ ଋଣଗ୍ରସ୍ତ ହୋଇପଡ଼ିଥିଲେ । ତେଣୁ କିଛି ଜମି ବିକ୍ରିକରି ସେ ଋଣମୁକ୍ତ ହେବାକୁ ଚାହିଁଥିଲେ; କିନ୍ତୁ ପରିବାରର ସ୍ତ୍ରୀଲୋକମାନେ ଏହାର ବିରୋଧ କରିଥିଲେ । ଘରର ବହୁମୂଲ୍ୟ ସୁନାଗହଣାମାନ ବିକ୍ରି କରି ଶେଷରେ ସେ ଋଣମୁକ୍ତ ହୋଇଥିଲେ ।

 

କିଛିଦିନ ପରେ ତାଙ୍କୁ ୧୯୩୪ ମସିହା କଂଗ୍ରେସ ଅଧିବେଶନରେ ସଭାପତିତ୍ଵ କରିବା ପାଇଁ ଗାନ୍ଧିଜୀଙ୍କର ଡାକରା ଆସିଲା । ଏହା ହେଉଛି ଜାତୀୟ ଆନ୍ଦୋଳନର ଏକ ପରୀକ୍ଷା ଓ ନିରୀକ୍ଷାର ସମୟ । ୧୯୩୨ ମସିହାର ପ୍ରାରମ୍ଭରେ ବ୍ରିଟିଶ ସରକାର କଂଗ୍ରେସକୁ ଏକ ଅବୈଧ ସଂସ୍ଥା ବୋଲି ଘୋଷଣା କରିଥିଲେ । ୧୯୩୪ ମସିହା ଜୁନ୍‍ ମାସ ପର୍ଯ୍ୟନ୍ତ ଏହି ଘୋଷଣା ବଳବତ୍ତର ଥିଲା । ଏହି ଦୁଇ ବର୍ଷ ମଧ୍ୟରେ ଲୋକଙ୍କ ମନରୁ ଉତ୍ସାହ-ଉଦ୍ଦୀପନା ବହୁଭାବରେ ହ୍ରାସ ପାଇଥିଲା । ଲର୍ଡ଼ ଉଇଲିଂଡ଼ନ୍‍ଙ୍କର ଦମନଲୀଳା ଏହାର ହେଉଛି ମୁଖ୍ୟ କାରଣ । ବାହାର ଦୁନିଆଁରେ କଂଗ୍ରେସ କର୍ମୀମାନଙ୍କୁ ସାଂଗଠନିକ ତଥା ବୈପ୍ଳବିକ କାର୍ଯ୍ୟକଳାପ କରିବାକୁ ସୁଯୋଗ ନ ମିଳିବାରୁ ଭୂଇଁତଳେ କର୍ମୀମାନେ ଲୁଚିରହି ବ୍ରିଟିଶ–ବିରୋଧୀ ଆନ୍ଦୋଳନ ଚଳାଇଲେ । ଧରାପଡ଼ିଲେ କର୍ମୀମାନଙ୍କୁ ଉଭୟ ଜେଲ୍ ଓ ଅର୍ଥଦଣ୍ଡରେ ଦଣ୍ଡିତ କରାଗଲା । ଏହାଦ୍ୱାରା କର୍ମୀମାନଙ୍କର ପରିବାରବର୍ଗ ଅସହ୍ୟ ଆର୍ଥିକ ଦୁର୍ଗତିର ସମ୍ମୁଖୀନ ହେଲେ, ସୁବିଧାବାଦୀମାନେ ବହୁ ପେଖନା ଦେଖାଇ ଦଳରୁ ଓହରି ଆସିଲେ; କିନ୍ତୁ ଜନ୍ମଭୂମିର ସ୍ଵାଧୀନତା ପାଇଁ ବହୁ ଅନୁରକ୍ତ କର୍ମୀ ମୁଣ୍ଡପାତି ସହି ନେଇଥିଲେ ଯାବତୀୟ ନିର୍ଯ୍ୟାତନା । କର୍ମୀମାନଙ୍କର ଜେଲ୍‍ଦଣ୍ଡ ସରକାରଙ୍କ ଉପରେ ପ୍ରଭାବ ପକାଇବାକୁ ଅକ୍ଷମ–ଏହି ଭାବନା ମଧ୍ୟ ଅନେକ କର୍ମୀଙ୍କ ମନରେ ତେଜି ଉଠିଥିଲା । କ୍ରମେ କଂଗ୍ରେସ ମହଲରେ ଉଦାସୀନତା ଦେଖି ଗାନ୍ଧୀଜୀ ବିବ୍ରତ ହୋଇପଡ଼ିଥିଲେ ଓ ଦମନମୂଳକ ମନୋଭାବ ଦୁର କରି ରାଜବନ୍ଦୀମାନଙ୍କୁ ଶୀଘ୍ର ଜେଲରୁ ଖଲାସ କରିଦେବାକୁ ସେ ବଡ଼ଲାଟଙ୍କୁ ଅନୁରୋଧ କଲେ; କିନ୍ତୁ ତାଙ୍କ ଅନୁରୋଧ ଅରଣ୍ୟ-ରୋଦନରେ ପରିଣତ ହେଲା ।

 

୧୯୩୪ ମସିହାରେ ଗାନ୍ଧିଜୀ ଆଇନ-ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହାର କରିନେଲେ । ତେଣୁ ସେହି ବର୍ଷ ଜୁନ ମାସରେ ସରକାର କଂଗ୍ରେସ ଉପରୁ ନିଷେଧାଜ୍ଞା ଉଠାଇ ନେଲେ । ବହୁସଂଖ୍ୟକ ରାଜନୀତିକ ବନ୍ଦୀଙ୍କୁ ଖଲାସ କରିଦିଆଗଲା । ଅକ୍ଟୋବର ୨୬ ତାରିଖରେ ବମ୍ବେଠାରେ କଂଗ୍ରେସ ଅଧିବେଶନ ବସିଲା । ଏହି ଅବସରରେ ରାଜେନ୍ଦ୍ର ପ୍ରସାଦଙ୍କୁ ବମ୍ବେବାସୀ ଉଚ୍ଛ୍ଵସିତ ସମ୍ବର୍ଦ୍ଧନା ଜଣାଇଥିଲେ । ସଭାପତିଭାବେ ସେ ଖୁବ୍‍ ଦକ୍ଷତା ସହକାରେ ଅଧିବେଶନ ପରିଚାଳନା କରିଥିଲେ ଓ ଅଧିବେଶନର ସିଦ୍ଧାନ୍ତଗୁଡ଼ିକୁ ଲିପିବଦ୍ଧ କରିଥିଲେ । ଏପରି କି ପଣ୍ଡିତ ମଦନମୋହନ ମାଲବ୍ୟଙ୍କୁ ଅଧିବେଶନରେ ଗୋଟିଏ ବିଷୟରେ ଦୁଇ ଥର କହିବାକୁ ସେ ଅନୁମତି ଦେଇ ନ ଥିଲେ । ଏଥିରୁ ତାଙ୍କର ନିରପେକ୍ଷ ନୀତିର ଚୂଡ଼ାନ୍ତ ପରିଚୟ ମିଳେ । ତହିଁଆର ଦିନ ଗାନ୍ଧିଜୀ ତାଙ୍କୁ ପରିହାସରେ ପଚାରିଲେ–‘‘ତୁମେ ମାଲବ୍ୟଙ୍କ ପରି ଲୋକଙ୍କୁ ବକ୍ତୃତା ଦେବାକୁ ଅନୁମତି ଦେଲ ନାହିଁ କାହିଁକି ?’’ ସଙ୍ଗେ ସଙ୍ଗେ ରାଜେନ୍ଦ୍ର ପ୍ରସାଦ କହିଥିଲେ–‘‘ମୁଁ ସେଥିପାଇଁ ଅବଶ୍ୟ ଦୁଃଖିତ । ମୁଁ ରାଜେନ୍ଦ୍ର ପ୍ରସାଦ ହିସାବରେ ନୁହେଁ, କଂଗ୍ରେସର ସଭାପତି ହିସାବରେ ତାହା କରିଛି । ମୋର ମାଲବ୍ୟଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଛି; ଯେହେତୁ ମୁଁ ଦୁଇ ଥର ବକ୍ତୃତା ଦେବାର ସୁଯୋଗ କୌଣସି ବକ୍ତାଙ୍କୁ ଦେଇ ନ ଥିଲି; ତେଣୁ ତାଙ୍କୁ ସେ ସୁଯୋଗରୁ ବଞ୍ଚିତ କରିବାକୁ ବାଧ୍ୟ ହେଲି ।”

 

ଏହି ଅଧିବେଶନରେ ଅସ୍ପୃଶ୍ୟତା ନିବାରଣ, ହିନ୍ଦୁ-ମୁସଲମାନ ଏକତା ପ୍ରତିଷ୍ଠା, ଖଦୀର ଭୁୟସୀ ପ୍ରବର୍ତ୍ତନ, ନିଶାନିବାରଣ ଇତ୍ୟାଦି ବିଷୟରେ ଗୁରୁତ୍ୱ ଆରୋପ କରାଯାଇଥିଲା । ତା ପରେ କେନ୍ଦ୍ର ବିଧାନସଭା ପାଇଁ ନିର୍ବାଚନ ପାଖେଇ ଆସିଲା । ଏହି ନିର୍ବାଚନରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରିବା ପ୍ରସ୍ତାବକୁ ଗାନ୍ଧିଜୀ ମଞ୍ଜୁର କଲେ । ପ୍ରଚାର ଆରମ୍ଭ ହୋଇଗଲା । ରାଜେନ୍ଦ୍ର ପ୍ରସାଦଙ୍କୁ ଏଥିପାଇଁ ବହୁ ପ୍ରଦେଶ ଗସ୍ତ କରିବାକୁ ପଡ଼ିଥିଲା । ୪୯ଟି ସ୍ଥାନରୁ ୪୪ଟି ସ୍ଥାନରେ କଂଗ୍ରେସ ଜୟଯୁକ୍ତ ହେଲା । କଂଗ୍ରେସ ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ବହୁ ରାଜ୍ୟ ବୁଲି କର୍ମୀମାନଙ୍କ ସହିତ ସେ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିଥିଲେ । ପୂର୍ବରୁ କୌଣସି କଂଗ୍ରେସ ସଭାପତି ଏତେ ରାଜ୍ୟ ଗସ୍ତ କରି ନ ଥିଲେ । ମହାରାଷ୍ଟ୍ରରେ କଂଗ୍ରେସର ଶୃଙ୍ଖଳିତ କାର୍ଯ୍ୟକ୍ରମ ତାଙ୍କୁ ସବୁଠାରୁ ବେଶି ଆନନ୍ଦ ଦେଇଥିଲା; କିନ୍ତୁ ପଞ୍ଜାବରେ କଂଗ୍ରେସର ଆଭ୍ୟନ୍ତରୀଣ ପରିସ୍ଥିତି ଦେଖି ସେ ମର୍ମାହତ ହୋଇପଡ଼ିଥିଲେ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ହିନ୍ଦୁ-ମୁସଲମାନ ଐକ୍ୟପ୍ରତିଷ୍ଠା କରିବା ପାଇଁ ବ୍ୟକ୍ତିଗତ ଭାବେ ଜିନ୍ନାଙ୍କ ସହିତ ସେ ବହୁବାର ଆଲୋଚନା କରିଥିଲେ; କିନ୍ତୁ ଜିନ୍ନାଙ୍କର ଏକଜିଦିଆ ମନୋବୃତ୍ତିଯୋଗୁଁ କୌଣସି ପ୍ରକାର ସଫଳତା ହାସଲ କରାଯାଇ ପାରି ନ ଥିଲା ।

 

କଂଗ୍ରେସର ପରବର୍ତ୍ତୀ ଅଧିବେଶନ ଲକ୍ଷ୍ନୌଠାରେ ବସିବାର ସ୍ଥିର ହେଲା । ଏଥିପାଇଁ ସଭାପତି ନିର୍ବାଚିତ ହେଲେ ପଣ୍ଡିତ ଜବାହରଲାଲ ନେହରୁ । ଗତ ଅଧିବେଶନର କାର୍ଯ୍ୟକଳାପରେ ସେ ଅସନ୍ତୋଷ ପ୍ରକାଶ କଲେ; କାରଣ ସୋସିଆଲିଷ୍ଟ ଦଳର ମତବାଦ ତାଙ୍କୁ ଅଧିକ ଆକୃଷ୍ଟ କରିଥିଲା । କେବଳ ଗାନ୍ଧିଜୀଙ୍କ ନେତୃତ୍ଵ ଯୋଗୁଁ ସେ କଂଗ୍ରେସକୁ ଛାଡ଼ି ପାରି ନ ଥିଲେ । ରାଜେନ୍ଦ୍ର ପ୍ରସାଦ ତାଙ୍କର ଏପରି ମତିଗତିକୁ ଆଦୌ ପସନ୍ଦ କରି ନ ଥିଲେ । ତାଙ୍କ ମତରେ ସାମ୍ୟବାଦରେ ଥିବା ସତ୍ୟାସତ୍ୟ ଆମ ମଧ୍ୟରୁ ଖୁବ୍‍ କମ୍‍ ଲୋକ ବୁଝନ୍ତି । ତେଣୁ ସେ ୧୯୩୫ ମସିହା ଡିସେମ୍ବର ୯ ତାରିଖରେ ଜବାହରଲାଲଙ୍କ ପାଖକୁ ଲେଖିଥିଲେ–‘‘ମୁଁ ଜାଣେ ଯେ ପଟେଲ, ଯମୁନାଲାଲ ପ୍ରଭୃତିଙ୍କ ସହିତ ଆପଣଙ୍କର ମତଭିନ୍ନତା ରହିଛି । କଂଗ୍ରେସ କାର୍ଯ୍ୟକ୍ରମର ପରିବର୍ତ୍ତନ କରା ନ ଗଲେ ଏହି ଅନୁଷ୍ଠାନରେ ଏକାଠି ରହି କାର୍ଯ୍ୟ କରିବା ଆମ ପକ୍ଷରେ ଅସମ୍ଭବ ହୋଇପଡ଼ିବ । ପରିସ୍ଥିତିଗତ ଅସୁବିଧା ଏକା ଦିନରେ ଦୂର କରାଯାଇ ପାରିବ ନାହିଁ । ଏଥିପାଇଁ ଆମ କର୍ମୀମାନଙ୍କର ପ୍ରକୃତି ଓ ଚିତ୍ତବୃତ୍ତି ପରିମାର୍ଜିତ ହେବା ଉଚିତ । ସମସ୍ୟାର ସମାଧାନ ଓ ବିଷୟ ବିବେଚନାରେ ବ୍ୟକ୍ତିଗତ ସ୍ଵାତନ୍ତ୍ର ରହିବା ଅବଶ୍ୟମ୍ଭାବୀ ।’’

 

୧୯୩୫ ମସିହାରେ ରାଜେନ୍ଦ୍ର ପ୍ରସାଦଙ୍କୁ ହିନ୍ଦୀ ସାହିତ୍ୟ ସମ୍ମିଳନୀର ନାଗପୁର ଅଧିବେଶନରେ ସଭାପତିତ୍ଵ କରିବାକୁ ପଡ଼ିଥିଲା । ହିନ୍ଦୀ ଭାଷାର ସମର୍ଥକମାନଙ୍କ ମଧ୍ୟରେ ମତଭିନ୍ନତା ପ୍ରକାଶ ପାଇଥିଲା– ଯାହାକୁ ଭିତ୍ତିକରି ସାଂପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ହେବାର ବହୁ ଆଶଙ୍କା ଥିଲା । ତେଣୁ ରାଜେନ୍ଦ୍ର ପ୍ରସାଦ ତାଙ୍କ ଅଭିଭାଷଣରେ ହିନ୍ଦୀ ଓ ଉର୍ଦ୍ଦୂ ଦୁଇଟି ସ୍ଵତନ୍ତ୍ର ଭାଷା ନୁହନ୍ତି ବୋଲି ପ୍ରକାଶ କରିଥିଲେ । ଉଚ୍ଚାରଣଗତ ଭିନ୍ନତା ସତ୍ତ୍ୱେ ବ୍ୟାକରଣ ଦୃଷ୍ଟିରୁ ଉଭୟ ଭାଷା ଅଙ୍ଗାଙ୍ଗୀଭାବେ ଜଡ଼ିତ; ବହୁ ଉଦାହରଣ ଦେଇ ସେ ତାହା ପ୍ରମାଣ କରିଥିଲେ । ସଭାସମିତି ତଥା ସର୍ବସାଧାରଣ ପୀଠରେ ବ୍ୟବହାର କରିବା ପାଇଁ ଉଭୟ ଭାଷାର ମିଶ୍ରଣରେ ହିନ୍ଦୁସ୍ଥାନୀ ଭାଷା ପ୍ରବର୍ତ୍ତନକୁ ସେ ସୁପାରିସ କରିଥିଲେ । ବିଜ୍ଞାନ ଓ ବୈଷୟିକ ଶିକ୍ଷା ପାଇଁ ବିଦେଶୀ ଭାଷା ବ୍ୟବହାର ଦୋଷାବହ ନୁହେଁ ବୋଲି ସେ ମତପ୍ରକାଶ କରିଥିଲେ । ସର୍ବଭାରତୀୟ ସ୍ତରରେ ଏକ ସରଳ ହିନ୍ଦୀଭାଷା ପ୍ରବର୍ତ୍ତନ କରାଯାଉ, ଏହା ହିଁ ଥିଲା ତାଙ୍କର ଅଭିମତ । ହିନ୍ଦୀର ପ୍ରଚାର ଓ ପ୍ରସାର ପାଇଁ ରାଷ୍ଟ୍ରଭାଷା ପ୍ରଚାର ସମିତ୍ତି ଗଢ଼ାଯାଇଥିଲା । ରାଜେନ୍ଦ୍ର ପ୍ରସାଦ ଏହି ସମିତିର ସଭାପତି ନିର୍ବାଚିତ ହୋଇଥିଲେ । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ଓଡ଼ିଶା, ଆସାମ, ମଧ୍ୟପ୍ରଦେଶ ଓ ଗୁଜୁରାଟରେ ହିନ୍ଦୀର ପ୍ରଚାର ବ୍ୟବସ୍ଥା ଆଶାଜନକଭାବେ ବିସ୍ତାର ଲାଭ କରିଥିଲା । ହିନ୍ଦୀବିରୋଧୀ ଦକ୍ଷିଣ-ଭାରତରେ ମଧ୍ୟ ଏଥିପାଇଁ ‘ଦକ୍ଷିଣ-ଭାରତ ହିନ୍ଦୀ ପ୍ରଚାର ସଭା’ ଗଠନ କରାଯାଇଥିଲା ।

 

ସେହି ବର୍ଷ ‘କଂଗ୍ରେସ-ସୋଷିଆଲିଷ୍ଟ ପାର୍ଟି’ ଗଠନ କରାଗଲା । ନେହେରୁ ଏହି ନୂତନ ଦଳରେ ଯୋଗଦେବେ ବୋଲି ଅନେକେ ଭାବୁଥିଲେ; କିନ୍ତୁ ଫଳ ହେଲା ବିପରୀତ । ସେ ତାଙ୍କର ପୂର୍ବ ମନୋଭାବ ବଦଳାଇଲେ; କାରଣ ସେ ନିଜର ସ୍ଵାଧୀନ ଚିନ୍ତା ଆରୋପ କରି ଦେଖିଲେ ଯେ ଭାରତ କେବଳ ଗାନ୍ଧିଜୀଙ୍କ ନେତୃତ୍ୱରେ ହିଁ ତାହାର ଲକ୍ଷ୍ୟ ହାସଲ କରିପାରିବ । କଂଗ୍ରେସର ସଭାପତି ଭାବରେ ସେ ସାମ୍ୟବାଦକୁ କଂଗ୍ରେସ ନୀତି ସହିତ ଓତପ୍ରୋତଭାବେ ଜଡ଼ାଇବାକୁ ବ୍ୟଗ୍ରତା ପ୍ରକାଶ କରିଥିଲେ; କିନ୍ତୁ ନିଖିଳ ଭାରତ କଂଗ୍ରେସ କମିଟି ତାହାକୁ ପୂର୍ଣ୍ଣ ସମର୍ଥନ କରି ନ ଥିଲେ । ଆବେଗଶୀଳ ନେହେରୁଙ୍କ ମନରେ ଏହାଦ୍ଵାରା ନିରୁତ୍ସାହ ଦେଖାଦେଇଥିଲା ସତ; ତଥାପି ସେ ବୟସ୍କ ନେତାମାନଙ୍କର ଉପଦେଶ ମାନି କମିଟିଙ୍କ ସିଦ୍ଧାନ୍ତକୁ ସ୍ଥିରଚିତ୍ତରେ ଗ୍ରହଣ କରି ନେଇଥିଲେ । ତା ପରେ କଂଗ୍ରେସ କାର୍ଯ୍ୟକାରୀ କମିଟି ପାଇଁ ସଭ୍ୟଗ୍ରହଣ କାର୍ଯ୍ୟ ଆରମ୍ଭ ହେଲା । ଦକ୍ଷିଣପନ୍ଥୀଙ୍କ ମଧ୍ୟରୁ ୧୦ ଜଣ ଓ ବାମପନ୍ଥୀଙ୍କ ମଧ୍ୟରୁ ୪ ଜଣ ସଭ୍ୟ ନେହେରୁଙ୍କ ଦ୍ଵାରା ମନୋନୀତ ହେଲେ । ଏହାଦ୍ୱାରା ସଭ୍ୟମାନଙ୍କ ମଧ୍ୟରେ ମନୋମାଳିନ୍ୟ ଓ ପ୍ରତିକ୍ରିୟା ଦେଖାଗଲା-। ୧୯୩୬ ମସିହା ଜୁନ୍‍ ମାସରେ ପଟେଲ, ରାଜଗୋପାଳାଚାରୀ ଓ ରାଜେନ୍ଦ୍ର ପ୍ରସାଦ ଇତ୍ୟାଦି ୬ ଜଣ ସଭ୍ୟ କମିଟିରୁ ଇସ୍ତଫା ଦେଲେ । ନେହରୁଙ୍କ ପାଖକୁ ସ୍ପଷ୍ଟଭାବେ ଲେଖି ରାଜେନ୍ଦ୍ର ପ୍ରସାଦ ଜଣାଇଲେ ଯେ କଂଗ୍ରେସ ସାମ୍ୟବାଦକୁ ଗ୍ରହଣ ନକରିବା ଯାଏ ସଭାପତି ଏହାକୁ ବଳାତ୍କାରପୂର୍ବକ ଅନୁଷ୍ଠାନ ଉପରେ ଲଦିଦେବା ଆଦୌ ସମୀଚୀନ ନୁହେଁ । କାର୍ଯ୍ୟସୂଚୀ ସମୟାନୁବର୍ତ୍ତୀ ହେବା ଉଚିତ । ସ୍ଵାଧୀନତା ହାସଲ ଆମର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ; ତା ପରେ କଂଗ୍ରେସ ନୀତିର ନବୀକରଣ ପ୍ରଶ୍ନ ଉଠିପାରେ । ପୁନଶ୍ଚ କଂଗ୍ରେସ କାର୍ଯ୍ୟକାରୀ କମିଟିର ଗଠନ ଆପଣଙ୍କର ବ୍ୟକ୍ତିଗତ ଇଚ୍ଛାନୁଯାୟୀ ହୋଇ ନ ପାରେ । ପରିସ୍ଥିତିର ପରିଣତି ଚିନ୍ତା କରି ଦୂରଦ୍ରଷ୍ଟା ଗାନ୍ଧିଜୀ ରାଜେନ୍ଦ୍ର ପ୍ରସାଦ ଇତ୍ୟାଦିଙ୍କୁ ତାଙ୍କ ସିଦ୍ଧାନ୍ତରୁ ନିବର୍ତ୍ତାଇଲେ । ସମସ୍ତଙ୍କର ଇସ୍ତଫା ପ୍ରତ୍ୟାହୃତ ହେଲା । ବାପୁଜୀଙ୍କ ଆହ୍ଵାନକ୍ରମେ ରାଜ୍ୟସ୍ତରୀୟ ନିର୍ବାଚନ ପାଇଁ କଂଗ୍ରେସ ନେତାମାନେ ମେଣ୍ଟ ବାନ୍ଧିଲେ ।

 

୧୯୩୬ ମସିହାର ଅବଶିଷ୍ଟ ସମୟ ନିର୍ବାଚନ ପ୍ରସ୍ତୁତିରେ ଅତିବାହିତ ହେଲା । ଏଥିପାଇଁ ପ୍ରାର୍ଥୀ ନିର୍ବାଚନ କରିବାକୁ ଏକ ପାର୍ଲିଆମେଣ୍ଟାରୀ ବୋର୍ଡ଼ ଗଠନ କରାଗଲା । ସର୍ଦ୍ଦାର ପଟେଲ ଏହାର ହେଲେ ସଭାପତି । ରାଜେନ୍ଦ୍ର ପ୍ରସାଦ ଓ ମୌଲାନା ଆଜାଦ୍ ଏହାର ସଭ୍ୟ ରହିଲେ । ଦୁଇ ହଜାର ପ୍ରାର୍ଥୀ ବାଛିବାର ଗୁରୁଦାୟିତ୍ଵ ଏହି ବୋର୍ଡ଼ ଉପରେ ନ୍ୟସ୍ତ କରାଗଲା । ପାର୍ଲିଆମେଣ୍ଟାରୀ ବୋର୍ଡ଼ର ସଦସ୍ୟ ହିସାବରେ ରାଜେନ୍ଦ୍ର ପ୍ରସାଦ ବହୁ ବ୍ୟକ୍ତିଙ୍କ ସମ୍ପର୍କରେ ଆସିବାର ସୁଯୋଗ ପାଇଲେ; କିନ୍ତୁ କଂଗ୍ରେସ କର୍ମୀମାନଙ୍କର ପ୍ରାର୍ଥୀତ୍ଵ ଦାବୀ ତାଙ୍କୁ ସବୁଠାରୁ ବେଶି ଦୁଃଖ ଦେଇଥିଲା । ପଦବୀ ଓ କ୍ଷମତା ଆଶାରେ କର୍ମୀମାନେ ତାହା କରିଥିଲେ । ସେମାନଙ୍କର ସେବା–ମନୋଭାବ ଅନ୍ତରାଳରେ ଥିବା ଉଦ୍ଦେଶ୍ୟର ସ୍ପଷ୍ଟ ସୂଚନା ମିଳିଥିଲା ।

 

ନିର୍ବାଚନ ପ୍ରଚାର ପାଇଁ କଂଗ୍ରେସ ନେତାମାନଙ୍କୁ ସମଗ୍ର ଦେଶ ବୁଲିବାକୁ ପଡ଼ିଥିଲା । ରାଜେନ୍ଦ୍ର ପ୍ରସାଦ ମଧ୍ୟ ବିହାର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଇତ୍ୟାଦି ଗସ୍ତ କରିଥିଲେ । ନିର୍ବାଚନ ଶେଷ ହେଲା । ସମୁଦାୟ ୧୫୮୫ଟି ସ୍ଥାନରୁ ୭୧୫ଟି ସ୍ଥାନରେ କଂଗ୍ରେସ ଜୟଯୁକ୍ତ ହେଲା । ମାନ୍ଦ୍ରାଜ, ବିହାର, ଓଡ଼ିଶା, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କଲା; କିନ୍ତୁ ପଞ୍ଜାବ, ସିନ୍ଧୁ ଓ ସୀମାନ୍ତ ପ୍ରଦେଶ ମୁସଲମାନବହୁଳ ଅଞ୍ଚଳ ହୋଇଥିବାରୁ ସଂଖ୍ୟାଗରିଷ୍ଠତା ହାସଲ କରାଯାଇ ପାରି ନ ଥିଲା । ୧୧ଟି ପ୍ରଦେଶରୁ ୮ଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା । ସଂଖ୍ୟାଲଘିଷ୍ଠତା ଦୃଷ୍ଟିରୁ ପଞ୍ଜାବ, ସିନ୍ଧୁ ଓ ବଙ୍ଗଳାରେ କଂଗ୍ରେସ ମନ୍ତ୍ରି ମଣ୍ଡଳ ଗଢ଼ିପାରି ନ ଥିଲେ ।

 

ବର୍ତ୍ତମାନ ମନ୍ତ୍ରୀମାନଙ୍କୁ ଦୁଇଟି ଲେଖାଏଁ ଦାୟିତ୍ଵ ତୁଲାଇବାକୁ ପଡ଼ିଲା । ପ୍ରଥମଟି ହେଲା ସ୍ଵାଧୀନତା ହାସଲ ପାଇଁ ସଂଗ୍ରାମ ଚଳାଇବା ଓ ଦ୍ଵିତୀୟଟି ଦେଶର ସାମାଜିକ ତଥା ଆର୍ଥନୀତିକ ସଂସ୍କାର ପାଇଁ ଶାସନତନ୍ତ୍ରର ଉନ୍ନତିବିଧାନ କରିବା । ଯଦିଓ ରାଜେନ୍ଦ୍ର ପ୍ରସାଦ ବିହାର ମନ୍ତ୍ରିମଣ୍ଡଳରେ ଯୋଗଦେଇ ନ ଥିଲେ, ତଥାପି ପ୍ରଦେଶର ମନ୍ତ୍ରୀମାନେ ତାଙ୍କଠାରୁ ସର୍ବଦା କଠିନ ବ୍ୟାପାରରେ ଉପଦେଶ ଓ ନିର୍ଦ୍ଦେଶ ଗ୍ରହଣ କରୁଥିଲେ । ବିଶେଷ କରି ତାଙ୍କରି ନିର୍ଦ୍ଦେଶନାରେ ବିହାରରେ ଭୂସଂସ୍କାର କାର୍ଯ୍ୟକାରୀ ହୋଇଥିଲା । ରାଜେନ୍ଦ୍ର ପ୍ରସାଦ ତାଙ୍କ ବାସଭବନ ସଦାକତ୍ ଆଶ୍ରମରେ ପ୍ରଦେଶର ଜମିଦାର ଓ କିଷାନଙ୍କର ପ୍ରତିନିଧିମାନଙ୍କୁ ଡକାଇ ସେମାନଙ୍କ ଅସୁବିଧା ବିଷୟ ଆଲୋଚନା କରିଥିଲେ । ଶେଷରେ ପ୍ରଜାମାନଙ୍କର ଖଜଣା କମାଇବା, ଜମି ହସ୍ତାନ୍ତର କରିବା, ବାକିଆ ଖଜଣା ଦେବା ଇତ୍ୟାଦି ବିଷୟରେ ନାନାପ୍ରକାର ସରଳ ପନ୍ଥା ନିର୍ଦ୍ଧାରଣ କରାଯାଇଥିଲା ଓ ଖୁବ୍ ଅଳ୍ପଦିନ ମଧ୍ୟରେ ଆସେମ୍ବ୍ଲିରେ ତାହା ଗୃହୀତ ହୋଇଯାଇଥିଲା । ରାଜେନ୍ଦ୍ର ପ୍ରସାଦ ସର୍ବଦା ଆଳାପ–ଆଲୋଚନାଦ୍ଵାରା ସମସ୍ୟା ସମାଧାନ କରିବାକୁ ପସନ୍ଦ କରୁଥିଲେ । ଏହାଦ୍ଵାରା ସଂପୃକ୍ତ ଦଳମାନଙ୍କର ପଛରେ କୌଣସି ଆପତ୍ତି-ଅଭିଯୋଗ ଉଠୁ ନ ଥିଲା ।

 

କ୍ରମେ କଂଗ୍ରେସ ମନ୍ତ୍ରିମଣ୍ଡଳ ଓ ଗଭର୍ଣ୍ଣରଙ୍କ ମଧ୍ୟରେ ମନୋମାଳିନ୍ୟର ସୂତ୍ରପାତ ହେଲା-। ମନ୍ତ୍ରିମାନେ ରାଜନୀତିକ ବନ୍ଦୀମାନଙ୍କୁ ଖଲାସ କରିଦେବାକୁ ସ୍ଥିର କଲେ, କିନ୍ତୁ ଉତ୍ତରପ୍ରଦେଶ ଓ ବିହାରର ଗଭର୍ଣ୍ଣରମାନେ ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ । ଏହାକୁ ଭିତ୍ତିକରି ମନ୍ତ୍ରିମଣ୍ଡଳ ଇସ୍ତଫା ଦେଲେ । ପରିଶେଷରେ ଗଭର୍ଣ୍ଣରମାନେ ବନ୍ଦୀମାନଙ୍କୁ ଖଲାସ କରିବାକୁ ରାଜି ହେଲେ ଓ ମନ୍ତ୍ରୀମାନଙ୍କର ଇସ୍ତଫାପତ୍ର ଗୃହୀତ ହେଲା ନାହିଁ । ତ୍ରିପୁରା କଂଗ୍ରେସ ଅଧିବେଶନର ଠିକ୍ ଅବ୍ୟବହିତ ପୂର୍ବରୁ ସୁଭାଷ ବୋଷ କଂଗ୍ରେସ ସଭାପତିରୂପେ ନିର୍ବାଚନ ହେବାକୁ ଦାବୀ କଲେ । ଏଥିପୂର୍ବରୁ ସେ ଗାନ୍ଧିଜୀ କିମ୍ବା କଂଗ୍ରେସ କମିଟିର ପରାମର୍ଶ ଲୋଡ଼ି ନ ଥିଲେ । ତେଣେ ଗାନ୍ଧିଜୀ ମୌଲାନା ଆଜାଦ୍‍ଙ୍କୁ କଂଗ୍ରେସର ସଭାପତିରୂପେ ମନୋନୀତ କରିଥିଲେ; କିନ୍ତୁ ଆଜାଦ୍ ଏଥିପାଇଁ ପ୍ରତିଦ୍ଵନ୍ଦ୍ୱିତା ହେବ ଜାଣିପାରି ମନା କରିଦେଲେ । ନିର୍ବାଚନ ପୂର୍ବରୁ ପଟ୍ଟାଭି ସୀତାରାମେୟାଙ୍କୁ ସଭାପତିରୂପେ ମନୋନୀତ କରାଗଲା । ପୂର୍ବରୁ କଂଗ୍ରେସ ସଭାପତି ଆସନ ଅପ୍ରତିଦ୍ୱନ୍ଦ୍ଵି ଥିଲା; ବର୍ତ୍ତମାନ ପ୍ରଥମ ଥର ପାଇଁ ପ୍ରତିଦ୍ଵନ୍ଦ୍ୱିତାର ପ୍ରଶ୍ନ ଉଠିଲା । ସୁଭାଷ ବୋଷ ସଭାପତିରୂପେ ନିର୍ବାଚିତ ହେଲେ; କିନ୍ତୁ କଂଗ୍ରେସ କାର୍ଯ୍ୟନିର୍ବାହିକା କମିଟି ଓ ବୋଷଙ୍କ ମଧ୍ୟରେ ମତଭିନ୍ନତା ଲାଗିରହିଲା । ସେ କମିଟିର କାର୍ଯ୍ୟକଳାପକୁ ମୁକ୍ତକଣ୍ଠରେ ସମାଲୋଚନା କରିବାକୁ ପଶ୍ଚାତ୍‍ପଦ ହେଲେ ନାହିଁ । ତେଣୁ ବିରକ୍ତି ଓ ଅସନ୍ତୋଷରେ କମିଟିର ୧୨ ଜଣ ସଭ୍ୟ ଇସ୍ତଫା ଦେଲେ । କମିଟିରେ ଆଉ ଯେଉଁ ୩ ଜଣ ରହିଲେ, ସେମାନେ ହେଲେ ନିଜେ ସୁଭାଷ ବୋଷ, ତାଙ୍କ ଭାଇ ଶରତ ବୋଷ ଓ ଜବାହରଲାଲ ନେହରୁ । ଯେଉଁମାନେ ଇସ୍ତଫା ଦେଲେ, ସେମାନଙ୍କ ମଧ୍ୟରେ ସର୍ଦ୍ଦାର ପଟେଲ ଓ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ।

 

ତ୍ରିପୁରା କଂଗ୍ରେସ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସୁଭାଷ ବୋଷ ରୋଗରେ ଶଯ୍ୟାଶାୟୀ ହୋଇପଡ଼ିଲେ । ପ୍ରଥମ ଦିନ ସେ ଅଧିବେଶନରେ ଯୋଗଦେଇ ପାରି ନ ଥିଲେ । ଦ୍ଵିତୀୟ ଦିନ ବହୁକଷ୍ଟରେ ଯୋଗଦେଲେ; କିନ୍ତୁ ତାଙ୍କ କାର୍ଯ୍ୟକଳାପଯୋଗୁଁ ତାଙ୍କୁ ତୀବ୍ର ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା । ଗୋବିନ୍ଦବଲ୍ଲଭ ପନ୍ଥ ସଭାପତିଙ୍କର ମନୋମୁଖୀ କାର୍ଯ୍ୟଯୋଗୁଁ ଅଧିବେଶନରେ ଦୁଃଖପ୍ରକାଶ କଲେ । ଏକ ପ୍ରସ୍ତାବରେ ଗୃହୀତ ହେଲା ଯେ ସଭାପତି ଗାନ୍ଧିଜୀଙ୍କ ନିର୍ଦ୍ଦେଶକ୍ରମେ କଂଗ୍ରେସ କାର୍ଯ୍ୟକାରୀ କମିଟି ଗଢ଼ିବେ । ତୃତୀୟ ଦିନ ସୁଭାଷ ବୋଷ ପୁନଶ୍ଚ ରୋଗାକ୍ରାନ୍ତ ହୋଇପଡ଼ିଲେ; ତେଣୁ ଅଧିବେଶନରେ ସଭାପତି ଆସନ ଅଳଂକୃତ କଲେ ମୌଲାନା ଆଜାଦ୍ । ସୁଭାଷ ବୋଷଙ୍କ ସମର୍ଥକମାନେ ବହୁ ବିଶୃଙ୍ଖଳା ସୃଷ୍ଟିକଲେ । ପରେ ଶ୍ରୀ ବୋଷ କଂଗ୍ରେସର ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟକାରୀ କମିଟି ଗଢ଼ିବାକୁ ରାଜି ହେଲେ ନାହିଁ । ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲା । ଗାନ୍ଧୀଜୀଙ୍କ ନୀତି ସହିତ ତାଙ୍କ ନୀତି ଆଦୌ ଖାପ ଖାଇଲା ନାହିଁ । ଅଧିବେଶନର ଠିକ ୬ ସପ୍ତାହ ପରେ ସୁଭାଷ ବୋଷ ସଭାପତି ପଦରୁ ଇସ୍ତଫା ଦେଲେ ।

 

ରାଜେନ୍ଦ୍ର ପ୍ରସାଦ ଓ ସର୍ଦ୍ଦାର ପଟେଲ କଂଗ୍ରେସ କାର୍ଯ୍ୟକାରୀ କମିଟିର ପୂର୍ବ ପରମ୍ପରା ଓ ଗୌରବ ଫେରାଇ ଆଣିବା ପାଇଁ ପ୍ରାଣପଣେ ଚେଷ୍ଟାକଲେ । ରାଜେନ୍ଦ୍ର ପ୍ରସାଦଙ୍କୁ କଂଗ୍ରେସ ସଭାପତି ଆସନ ଅଳଂକୃତ କରିବା ପାଇଁ ବହୁ ସଭ୍ୟଙ୍କ ତରଫରୁ ଅନୁରୋଧ କରାଗଲା । ପ୍ରଥମେ ସେ ଅନିଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ପରେ ଗାନ୍ଧିଜୀଙ୍କ ନିର୍ଦ୍ଦେଶ ମାନି ସଭାପତି ପଦ ଗ୍ରହଣ କରିଥିଲେ । ଅବଶ୍ୟ ତାଙ୍କର ଏହି ନିଯୁକ୍ତି ନିଖିଳ ଭାରତ କଂଗ୍ରେସ କମିଟିଙ୍କଦ୍ଵାରା ଅନୁମୋଦିତ ହୋଇଥିଲା । ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ କଂଗ୍ରେସ କାର୍ଯ୍ୟକାରୀ କମିଟି ସହିତ ସୁଭାଷ ବୋଷଙ୍କର ମନୋମାଳିନ୍ୟ ଲାଗିରହିଥିଲା । କମିଟି ବିରୁଦ୍ଧରେ ସେ ପ୍ରତିବାଦ ସଭାମାନ କରିଥିଲେ । ସଭାପତି ହିସାବରେ ରାଜେନ୍ଦ୍ର ପ୍ରସାଦ ତାଙ୍କୁ ଏଥିରୁ କ୍ଷାନ୍ତ ହେବାକୁ ଅନୁରୋଧ କରିଥିଲେ; କିନ୍ତୁ ସୁଭାଷ ବୋଷ ତାଙ୍କ ଅନୁରୋଧ ପ୍ରତି କର୍ଣ୍ଣପାତ କରି ନ ଥିଲେ । ସୁଭାଷଙ୍କର ଅପୂର୍ବ ତ୍ୟାଗ, ଅବିକଳ୍ପ ଜାତୀୟତା ଭାରତର ସବୁ ନେତାଙ୍କୁ କରିଥିଲା ମୁଗ୍‍ଧ । ଏଣେ ରାଜେନ୍ଦ୍ର ପ୍ରସାଦଙ୍କର ସୁଭାଷ ଥିଲେ ଅନ୍ତରଙ୍ଗ ବନ୍ଧୁମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କ ବଡ଼ଭାଇ ଶରତ ବୋଷ ରାଜେନ୍ଦ୍ରଙ୍କର ସହାଧ୍ୟାୟୀ ଥିଲେ । ଏପରିସ୍ଥଳେ ତାଙ୍କ ବିରୁଦ୍ଧରେ କ୍ରିୟାନୁଷ୍ଠାନ କରିବାକୁ ସେ ଆଦୌ ପଛଘୁଞ୍ଚା ଦେଇ ନ ଥିଲେ; କାରଣ ତାଙ୍କର ଆଚରଣ କଂଗ୍ରେସର ଥିଲା ସ୍ଵାର୍ଥବିରୋଧୀ-। ଆତ୍ମ-ଜୀବନୀରେ ସେହି ବିଷୟ ଉଲ୍ଲେଖ କରି ରାଜେନ୍ଦ୍ର ପ୍ରସାଦ ଲେଖିଛନ୍ତି–‘‘ସୁଭାଷ ବୋଷଙ୍କ ବିରୁଦ୍ଧରେ କ୍ରିୟାନୁଷ୍ଠାନ କରିବା ମୋର ବ୍ୟକ୍ତିଗତ ଦୃଷ୍ଟି କୋଣରୁ ବିଚାର୍ଯ୍ୟ ନୁହେଁ, କଂଗ୍ରେସର ସମ୍ମାନରକ୍ଷା ମୋର କର୍ତ୍ତବ୍ୟ । ତେଣୁ କଂଗ୍ରେସରୁ ତାଙ୍କୁ ବହିଷ୍କାର କରିବାକୁ ମୁ ବାଧ୍ୟ ହେଲି-।’’

 

ଏହିପରି ରାଜେନ୍ଦ୍ର ପ୍ରସାଦଙ୍କର ନିର୍ଦ୍ଦେଶ ଅନୁଯାୟୀ ସୁଭାଷ ବୋଷଙ୍କୁ ବଙ୍ଗ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ପଦରୁ ମଧ୍ୟ ବହିଷ୍କାର କରାଗଲା ଓ ତିନି ବର୍ଷ ଯାଏଁ କୌଣସି ନିର୍ବାଚନରେ ସେ ଛିଡ଼ାହେବା ପାଇଁ ଅଯୋଗ୍ୟ ବୋଲି କଂଗ୍ରେସ ତରଫରୁ ଘୋଷଣା କରାଗଲା । ଏହାରି ଫଳରେ ସୁଭାଷ ବୋଷଙ୍କ ନେତୃତ୍ଵରେ ଗଢ଼ିଉଠିଲା ‘ଫର୍‌ୱାଡ଼୍‍ ବ୍ଲକ୍‌’ ନାମକ ଏକ ନୂତନ ଦଳ । ଏଥିରେ କଂଗ୍ରେସରୁ ତଡ଼ାଖାଇଥିବା ବହୁ ବ୍ୟକ୍ତି ସଭ୍ୟଶ୍ରେଣୀ ଅନ୍ତର୍ଭୁକ୍ତ ହେଲେ । ରାଜେନ୍ଦ୍ର ପ୍ରସାଦ ଏଥିରେ ତିଳେ ହେଲେ ବିବ୍ରତ ହୋଇ ନ ଥିଲେ; ବରଂ ତାଙ୍କରି ସଭାପତିତ୍ଵ କାଳରେ କଂଗ୍ରେସ ଦଳକୁ ଅଧିକ ଶୃଙ୍ଖଳିତ କରାଯାଇ ପାରିଥିଲା । ଓଡ଼ିଶା, ମଧ୍ୟପ୍ରଦେଶ ଇତ୍ୟାଦିରୁ କଂଗ୍ରେସ ମନ୍ତ୍ରିମଣ୍ଡଳ ବିରୁଦ୍ଧରେ ଆସିଥିବା ଅଭିଯୋଗଗୁଡ଼ିକର ସେ ତଦନ୍ତ କରିଥିଲେ ଓ ତାହାର ଆଶୁ ପ୍ରତିକାର କରିଥିଲେ ।

 

୧୯୩୯ ମସିହା ମାର୍ଚ୍ଚ ୧୫ ତାରିଖରେ ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା । ରାଜେନ୍ଦ୍ର ପ୍ରସାଦ ବ୍ରିଟେନକୁ ସାହାଯ୍ୟ କରିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ; କିନ୍ତୁ ତାହା ସ୍ଵାଧୀନତା ସଂଗ୍ରାମର ବିରୋଧୀ ବୋଲି ଦଳରେ ପ୍ରତିକ୍ରିୟା ସୃଷ୍ଟି ହେଲା । ସେହି ବର୍ଷ ଜବାହାରଲାଲ ୟୁରୋପରୁ ଫେରିଥାନ୍ତି । ତାଙ୍କ ନେତୃତ୍ଵରେ ଅଗଷ୍ଟ ୧୧ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ କମିଟି ଫାସିଷ୍ଟମାନଙ୍କ ଅତ୍ୟାଚାରର ଘୋର ନିନ୍ଦା କଲେ । ବ୍ରିଟିଶ ସରକାରଙ୍କ ଯୁଦ୍ଧପାଣ୍ଠିକୁ ଆଦୌ ସାହାଯ୍ୟ ନ ଦେବାକୁ ପ୍ରସ୍ତାବ ଗ୍ରହଣ କରାଗଲା ଓ ତଦନୁଯାୟୀ ପ୍ରଦେଶ କଂଗ୍ରେସ କମିଟିମାନଙ୍କୁ ନିର୍ଦ୍ଦେଶ ଦିଆଗଲା; କିନ୍ତୁ ସେପ୍‍ଟେମ୍ବର ପହିଲାରେ ବଡ଼ଲାଟ ଭାରତବାସୀଙ୍କୁ ଯୁଦ୍ଧସାହାଯ୍ୟ ଦେବାକୁ ଅନୁରୋଧ ଜଣାଇଲେ । ସେହି ମାସ ୪ ତାରିଖ ଦିନ ଗାନ୍ଧିଜୀ ଓ ବଡ଼ଲାଟଙ୍କ ମଧ୍ୟରେ ଆଲୋଚନା ହେଲା । କମିଟିର ପ୍ରସ୍ତାବକୁ ପରିବର୍ତ୍ତନ କରି ବିନା ସର୍ତ୍ତରେ ଯୁଦ୍ଧ ସାହାଯ୍ୟ ଦେବା ପାଇଁ ଗାନ୍ଧିଜୀ ରାଜିହେଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ଯୁକ୍ତି କଲେ ଯେ ଯଦି ବ୍ରିଟିଶ ସରକାର ଭାରତକୁ ପୂର୍ଣ୍ଣ ସ୍ଵାଧୀନତା ଦେବାକୁ ରାଜି ହୁଅନ୍ତି, ତାହାହେଲେ ଭାରତ ଉଭୟ ଧନ ଓ ଜନ ଦେଇ ସରକାରଙ୍କୁ ଯୁଦ୍ଧରେ ସାହାଯ୍ୟ କରିବ ।

 

ଅକ୍ଟୋବର ୨ ତାରିଖରେ ବଡ଼ଲାଟଙ୍କ ନିମନ୍ତ୍ରଣକ୍ରମେ ରାଜେନ୍ଦ୍ର ପ୍ରସାଦ ଓ ଜବାହାରଲାଲ ନେହରୁ ତାଙ୍କୁ ସାକ୍ଷାତ କଲେ । ସେମାନେ ଯୁଦ୍ଧ ପରେ ଭାରତକୁ ପୂର୍ଣ୍ଣ ସ୍ଵାଧୀନତା ଦେବା ପାଇଁ ବଡ଼ଲାଟଙ୍କଠାରୁ ଏକ ସର୍ତ୍ତ ଦାବୀ କଲେ । ଭାରତବାସୀ ସେମାନଙ୍କର ଏକ ସ୍ଵତନ୍ତ୍ର ସଂବିଧାନ ପ୍ରଣୟନ କରିବାର କ୍ଷମତା ପାଆନ୍ତୁ ଏବଂ କେନ୍ଦ୍ର ସରକାର ଗଠନରେ କଂଗ୍ରେସକୁ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯାଉ–ଏହି ମର୍ମରେ ମଧ୍ୟ ଦୁଇ ନେତାଙ୍କଦ୍ଵାରା ଦାବୀ କରାଯାଇଥିଲା; କିନ୍ତୁ ବଡ଼ଲାଟ ଏଥିରେ ରାଜି ହୋଇ ନ ଥିଲେ । କେବଳ ଯୁଦ୍ଧ ପରେ ୧୯୩୫ ମସିହାରେ ଜାରି କରାଯାଇଥିବା ସାଂବିଧାନିକ ଆଇନର ସଂଶୋଧନ କରିବାକୁ ସ୍ଵୀକୃତି ଦେଇଥିଲେ; ମାତ୍ର ଏଥିରେ କଂଗ୍ରେସ କର୍ତ୍ତୃପକ୍ଷ ରାଜି ହେଲେ ନାହିଁ । କାର୍ଯ୍ୟକାରୀ କମିଟି ଡକାଗଲା । ପ୍ରଦେଶମାନଙ୍କରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଶାସନ ଦାୟିତ୍ଵରେ ରହିବେ କି ନାହିଁ ସେହି ବିଷୟ ଆଲୋଚିତ ହେଲା । ଅନେକ ସଭ୍ୟ ପ୍ରଦେଶମାନଙ୍କରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଦାୟିତ୍ଵରେ ରହନ୍ତୁ ବୋଲି ଯୁକ୍ତି କଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କ ସମେତ ଅନେକ ସଭ୍ୟ ଏହାର ବିରୋଧ କଲେ । ସେମାନଙ୍କ ଯୁକ୍ତି ହେଲା–ଯଦି ଅଧିକ କାଳ ପ୍ରଦେଶମାନଙ୍କରେ କଂଗ୍ରେସ ମନ୍ତ୍ରିମଣ୍ଡଳ ରହେ, ତାହାହେଲେ ବଡ଼ଲାଟ ତାଙ୍କ କ୍ଷମତାବଳରେ ମନ୍ତ୍ରୀମାନଙ୍କୁ ଯୁଦ୍ଧଚାନ୍ଦା ଓ ସେନ୍ୟସଂଗ୍ରହରେ ନିୟୋଗ କରିବେ । ତେଣୁ କଂଗ୍ରେସ ମନ୍ତ୍ରିମଣ୍ଡଳଙ୍କୁ ଇସ୍ତଫା ଦେବା ପାଇଁ କାର୍ଯ୍ୟକାରୀ କମିଟି ତରଫରୁ ନିର୍ଦ୍ଦେଶ ଦିଆଗଲା ଓ ୧୯୩୯ ମସିହା ନଭେମ୍ବର ମାସରେ ମନ୍ତ୍ରୀମାନେ ଇସ୍ତଫା ଦେଲେ ।

 

ଏହା ପରେ ଭାରତରକ୍ଷା ଆଇନ ବଳରେ ବଡ଼ଲାଟଙ୍କୁ ଅସାଧାରଣ କ୍ଷମତା ମିଳିଲା । କେନ୍ଦ୍ର ସରକାର ଅଧିକ ଶକ୍ତିଶାଳୀ ହେଲେ । ଯୁଦ୍ଧପାଇଁ ସାହାଯ୍ୟ ସଂଗ୍ରହ ଏହାର ହେଲା ମୁଖ୍ୟଲକ୍ଷ୍ୟ । ବଙ୍ଗ, ସିନ୍ଧୁ ଇତ୍ୟାଦି ପ୍ରଦେଶ, ଯେଉଁଠି କି କଂଗ୍ରେସ ମନ୍ତ୍ରିମଣ୍ଡଳ ଗଢ଼ି ନ ଥିଲା, ସେଠି କେନ୍ଦ୍ର ସରକାରଙ୍କ ତରଫରୁ ଯୁଦ୍ଧସାହାଯ୍ୟ ପାଇଁ ଅପରିସୀମ ଚାପ ପଡ଼ିଲା ଓ ମନ୍ତ୍ରୀମାନଙ୍କର ଶାସନକ୍ଷେତ୍ରରେ ଟିକିଏ ହେଲେ ସ୍ଵାଧୀନତା ରହିଲା ନାହିଁ । ବଙ୍ଗଳାରେ ଦୁର୍ଭିକ୍ଷଜନିତ ପରିସ୍ଥିତି ସମ୍ଭାଳିବାରେ ମନ୍ତ୍ରିମଣ୍ଡଳ ଅପାରଗତା ପ୍ରକାଶ କଲେ ।

 

କଂଗ୍ରେସ ମନ୍ତ୍ରିମଣ୍ଡଳର ଇସ୍ତଫା ପରେ ପରେ ଜିନ୍ନା ମୁସଲିମ୍‍ ଲିଗ୍‍ ଦଳକୁ କଂଗ୍ରେସ ସହିତ ମିଶାଇ ମିଳିତ ମନ୍ତ୍ରିମଣ୍ଡଳ ଗଢ଼ିବାକୁ ଚାହିଁଲେ; କାରଣ ୧୯୩୭ ମସିହା ନିର୍ବାଚନରେ ମୁସଲିମ୍‍ ଲିଗ୍‍ ଦଳ ସମଗ୍ର ଭାରତର ମାତ୍ର ଶତକରା ୫ଟି ସ୍ଥାନରେ ଜୟଯୁକ୍ତ ହୋଇଥିଲେ । ଜିନ୍ନାଙ୍କ ପ୍ରସ୍ତାବରେ କଂଗ୍ରେସ ରାଜି ହେଲା ନାହିଁ । ମୁସଲ୍‍ମାନମାନଙ୍କୁ କଂଗ୍ରେସ ଟିକଟରେ ପୁଣି ଥରେ ନିର୍ବାଚିତ ହୋଇ ଆସିବାକୁ କୁହାଗଲା ।

 

୧୯୪୦ ମସିହାରେ ରାମଗଡ଼ଠାରେ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେଲା । ଏଥିରେ ଆଇନ-ଅମାନ୍ୟ ଅନ୍ଦୋଳନକୁ ଦୃଢ଼ ଓ ପ୍ରସାରିତ କରିବା ପ୍ରସ୍ତାବମାନ ଗ୍ରହଣ କରାଗଲା । ସ୍ଵାଗତ କମିଟିର ସଭାପତି ହିସାବରେ ରାଜେନ୍ଦ୍ର ପ୍ରସାଦ ଏହି ଅଧିବେଶନ ପାଇଁ ବିପୁଳ ଆୟୋଜନ କରିଥିଲେ; କିନ୍ତୁ ପ୍ରବଳ ବର୍ଷାଯୋଗୁଁ ଅଧିବେଶନର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଅଧିବେଶନର ସଭାପତି ମୌଲାନା ଆଜାଦ ମାତ୍ର ୨।୩ ମିନିଟ୍‌ ପାଇଁ ଏକ ସଂକ୍ଷିପ୍ତ ଭାଷଣ ଦେଇଥିଲେ । ଶେଷରେ ପ୍ରସ୍ତାବଗୁଡ଼ିକ କାର୍ଯ୍ୟନିର୍ବାହିକା କମିଟି ଓ ନିଖିଳ ଭାରତ କଂଗ୍ରେସ କମିଟିଙ୍କ ଦ୍ଵାରା ଗୃହୀତ ହୋଇଯାଇଥିଲା ।

 

ଏଣେ ଜିନ୍ନାଙ୍କ ନେତୃତ୍ଵରେ ମୁସଲିମ୍‌ ଲିଗ୍‍ ଦଳ ସରକାରଙ୍କର ପ୍ରିୟପାତ୍ର ହୋଇଉଠିଲେ । ଯୁଦ୍ଧ ପାଇଁ ଲୋକସଂଗ୍ରହ କରିବାରେ ସରକାର ଏହି ଦଳ ଉପରେ ଅଧିକ ଆସ୍ଥା ରଖିଲେ । ଗାନ୍ଧିଜୀଙ୍କ ପରି ବଡ଼ଲାଟ ଜିନ୍ନାଙ୍କୁ ଅଧିକ ସମ୍ମାନ ଦେଲେ । ଜିନ୍ନାଙ୍କ ନିଜ ଭାଷାରେ କହିବାକୁ ଗଲେ–‘‘ଯୁଦ୍ଧ ପରେ ମୋ ପ୍ରତି ସରକାରୀ ବ୍ୟବହାରରେ ହଠାତ୍‍ ପରିବର୍ତ୍ତନ ଦେଖାଗଲା-। ଗାନ୍ଧୀଙ୍କ ପରି ମୋତେ ସମ୍ମାନ ମିଳିଲା । ତାଙ୍କ ସ୍ତରକୁ ମୋତେ ଉନ୍ନୀତ କରାଇନେବା ଦେଖି ମୁଁ ବିସ୍ମୟରେ ଅଭିଭୂତ ହୋଇପଡ଼ିଥିଲି ।’’

 

କ୍ରମେ ବଡ଼ଲାଟଙ୍କ ସହିତ ଜିନ୍ନାଙ୍କ ସମ୍ପର୍କ ଦୃଢ଼ୀଭୂତ ହେଲା । ଶାସନ କ୍ଷେତ୍ରରେ ମଧ୍ୟ ଜିନ୍ନାଙ୍କର ବହୁ ସୁପାରିସ କାର୍ଯ୍ୟକାରୀ କରାଗଲା । ସେପ୍‍ଟେମ୍ବର ମାସ ୧୮ ତାରିଖରେ ମୁସଲିମ୍‍ ଲିଗ୍‍ର କାର୍ଯ୍ୟନିର୍ବାହିକା କମିଟିରେ ପ୍ରସ୍ତାବ ଗ୍ରହଣ କରାଯାଇ କଂଗ୍ରେସକୁ ମୁସଲିମ୍‍ ଲିଗ୍‍ର ବିନା ସୁପାରିସମତେ ସାଂବିଧାନିକ ସୁବିଧା– ସୁଯୋଗ ନ ଦେବାକୁ ସରକାରଙ୍କଠାରୁ ନିର୍ଭର ପ୍ରତିଶ୍ରୁତି ଦାବୀ କରାଗଲା । ମୁସଲ୍‍ମାନବହୁଳ ପ୍ରଦେଶମାନଙ୍କରେ ମୁସଲିମ୍‍ ଲିଗ୍‍ର ପ୍ରତିଷ୍ଠା ବଢ଼ିବାକୁ ଲାଗିଲା; ତା ସହିତ ଜିନ୍ନାଙ୍କର କଂଗ୍ରେସବିରୋଧୀ ମନୋଭାବ ମଧ୍ୟ ବଢ଼ିଚାଲିଲା । ଡିସେମ୍ବର ମାସ ୨୨ ତାରିଖରେ ପ୍ରଦେଶମାନଙ୍କରେ କଂଗ୍ରେସ ରାଜତ୍ଵକାଳୀନ ଅତ୍ୟାଚାରରର ମୁକ୍ତି ଦିବସରୂପେ ପାଳନ କରାଗଲା । ତା ପରେ ମାର୍ଚ୍ଚ ମାସରେ ଲାହୋରଠାରେ ମୁସଲିମ୍ ଲିଗ୍‍ର ଲହୋର ଅଧିବେଶନ ବସିଲା । ଜିନ୍ନା ତାଙ୍କ ଅଭିଭାଷଣରେ ହିନ୍ଦୁମାନଙ୍କ ବିରୁଦ୍ଧରେ ବିଷୋଦ୍‍ଗାରଣ କରି କହିଲେ–‘‘ଇସଲାମ ଓ ହିନ୍ଦୁଧର୍ମକୁ ଗୋଟିଏ ଲେଖାଏଁ ଧର୍ମ ନ କହି, ସ୍ଵତନ୍ତ୍ର ତଥା ସ୍ଵାଧୀନ ସାମାଜିକ ଚଳଣୀ କୁହାଯିବା ଉଚିତ । ତେଣୁ ହିନ୍ଦୁ ଓ ମୁସଲ୍‍ମାନମାନଙ୍କ ମନରେ ଗୋଟିଏ ଜାତୀୟଭାବ ଆସିବା ସ୍ଵପ୍ନ ପରି ଅବାସ୍ତବ । ପୁନଶ୍ଚ ଭାରତ ପ୍ରତି ଗଣତନ୍ତ୍ର ଶାସନ ଆଦୌ ସମୟୋପଯୋଗୀ ଓ ସମୀଚୀନ ନୁହେଁ । ମୁସଲ୍‍ମାନ ଏକ ସ୍ଵତନ୍ତ୍ର ଜାତି । ସେମାନଙ୍କ ପାଇଁ ସ୍ଵତନ୍ତ୍ର ରାଜ୍ୟ ବ୍ୟବସ୍ଥା ହେବା ଦରକାର ।’’

 

ଏହି ଅଧିବେଶନରେ ପାକିସ୍ଥାନ ଗଠନ ପାଇଁ ମଧ୍ୟ ପ୍ରସ୍ତାବମାନ ଗ୍ରହଣ କରାଗଲା, କିନ୍ତୁ ଅପ୍ରେଲ ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ‘ଆଜାଦ୍ ମୁସଲିମ୍‌ ସମ୍ମିଳନୀ’ ରେ ଏହି ପ୍ରସ୍ତାବର ତୀବ୍ର ବିରୋଧ କରାଗଲା । ଜିନ୍ନା ଏଥିରେ ଭୟଭୀତ ନ ହୋଇ ଭାରତର ଏକ ସ୍ଵତନ୍ତ୍ର ଦଳର ସଂବିଧାନ ପ୍ରଣୟନ ନ କରାଇଦେବାକୁ ପ୍ରାଣମୂର୍ଚ୍ଛା ଚେଷ୍ଟା ଚଳାଇଥାନ୍ତି । ଶେଷରେ ବ୍ରିଟିଶ ସରକାରଙ୍କ ତରଫରୁ ତାଙ୍କୁ ଏକପ୍ରକାର ସମର୍ଥନ ମିଳିଲା । ୧୯୪୦ ମସିହା ଅପ୍ରେଲ ୧୮ ତାରିଖରେ ରାଜ୍ୟ ସେକ୍ରେଟେରୀ ପାର୍ଲିଆମେଣ୍ଟରେ ଏକ ବିବୃତ୍ତି ଦେଇ କହିଲେ–‘‘ଯଦି ଭାରତର ୮ କୋଟି ମୁସଲ୍‍ମାନ ଶାନ୍ତି ଓ ଶୃଙ୍ଖଳାରେ ବସବାସ କରିବାକୁ ଅନିଚ୍ଛୁକ, ତାହାହେଲେ ସେମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ସାଂବିଧାନିକ ବ୍ୟବସ୍ଥା ହେବା ଉଚିତ ।’’

 

ରାମଗଡ଼ ଅଧିବେଶନ ପରେ ରାଜେନ୍ଦ୍ର ପ୍ରସାଦଙ୍କୁ ୩ଟି କମିଟିର ଦାୟିତ୍ଵ ତୁଲାଇବାକୁ ପଡ଼ିଥିଲା । ବିହାର ଶ୍ରମ ତଦନ୍ତ କମିଟିର ଅଧ୍ୟକ୍ଷ ହିସାବରେ ସେ ସମଗ୍ର ବିହାର ଗସ୍ତ କରି ଏକ ରିପୋର୍ଟ ଦେଇଥିଲେ; ଯାହା କି ବିନା ଦ୍ଵିଧାରେ ସରକାରଙ୍କଦ୍ଵାରା ଗୃହୀତ ହୋଇଥିଲା । ଅଧ୍ୟାପକ କେ.ଟି.ସାହାଙ୍କ ଅଧ୍ୟକ୍ଷତାରେ ବସାଯାଇଥିବା ଶିକ୍ଷା ତଦନ୍ତ କମିଟିର ସେ ମଧ୍ୟ ଜନୈକ ସଦସ୍ୟରୂପେ କାର୍ଯ୍ୟ କରିଥିଲେ ଓ ବିଶ୍ଵବିଦ୍ୟାଳୟ ତଥା ପ୍ରାଥମିକ ଶିକ୍ଷାର ମାନ ସ୍ଥିରୀକରଣ ପାଇଁ କମିଟିଙ୍କୁ ବହୁ ସାହାଯ୍ୟ କରିଥିଲେ । ହିନ୍ଦୁସ୍ଥାନୀ କମିଟିର ସଦସ୍ୟ ହିସାବରେ କରେ ତାଙ୍କୁ ବୈଷୟିକ ଶବ୍ଦସମ୍ବଳିତ ଏକ ଅଭିଧାନ ଓ ହିନ୍ଦୀ-ଉର୍ଦ୍ଦୁ ବ୍ୟାକରଣ ପ୍ରଣୟନ କରିବାର ଦାୟିତ୍ଵ ମଧ୍ୟ ଦିଆଯାଇଥିଲା; କିନ୍ତୁ ୧୯୪୨ରେ ସେ ବନ୍ଦୀ ହେବାରୁ ଏହି ଦାୟିତ୍ଵ ତୁଲାଇବାରେ ସମୟାନୁବର୍ତ୍ତିତା ସେ ରକ୍ଷାକରି ପାରି ନ ଥିଲେ ।

 

୧୯୪୦ ମସିହା ଅପ୍ରେଲ ମାସରେ ଦ୍ଵିତୀୟ ମହାସମର ଭୟାବହ ରୂପ ଧାରଣ କଲା-। ହିଟ୍‌ଲର ନରୱୟେ, ଡେନମାର୍କ, ହଲାଣ୍ଡ ଓ ବେଲ୍‌ଜିୟମ ଉପରେ ବ୍ୟାପକ ଧରଣର ଆମନ୍ତ୍ରଣ କରିବାରୁ ଫ୍ରାନ୍‌ସ ମଧ୍ୟ ଭୟଭୀତ ହୋଇପଡ଼ିଲା । ସେହି ବର୍ଷ ମେ ମାସରେ ଚମ୍ବରଲିନ୍‍ଙ୍କଠାରୁ ଚର୍ଚ୍ଚିଲ୍‍ ବ୍ରିଟେନର ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କଲେ । ଜୁଲାଇ ମାସରେ ଦିଲ୍ଲୀଠାରେ କଂଗ୍ରେସର କାର୍ଯ୍ୟକାରୀ କମିଟି ବସି କେନ୍ଦ୍ରରେ ଜାତୀୟସରକାର ଗଠନ ପାଇଁ ଦାବୀ ଉପସ୍ଥାପନ କରାଗଲା । ଏହି ଦାବୀ ପୂରଣ ହେଲେ ଭାରତ ବ୍ରିଟେନ୍‍ଙ୍କୁ ଯୁଦ୍ଧସାହାଯ୍ୟ କରିବ ବୋଲି ଜଣାଇ ଦିଆଗଲା; କିନ୍ତୁ କୌଣସି ସର୍ତ୍ତ ରଖି ଯୁଦ୍ଧସାହାଯ୍ୟ କରିବାକୁ ଗାନ୍ଧିଜୀ ଆଦୌ ପସନ୍ଦ କଲେ ନାହିଁ । ତେଣୁ ତିନି ଜଣ ସଭ୍ୟଙ୍କ ସମେତ ରାଜେନ୍ଦ୍ର ପ୍ରସାଦ ତାଙ୍କର ଇସ୍ତଫାପତ୍ର ଦାଖଲ କଲେ । ବଡ଼ଲାଟଙ୍କଠାରୁ କୌଣସି ଉତ୍ତର ନ ପାଇବାଯାଏ କଂଗ୍ରେସ ସଭାପତି ମୌଲାନା ଆଜାଦ୍‍ ତାଙ୍କର ଇସ୍ତଫାପତ୍ର ଗ୍ରହଣ କଲେ ନାହିଁ ।

 

ଅଗଷ୍ଟ ୮ ତାରିଖରେ ବଡ଼ଲାଟଙ୍କଠାରୁ ଉତ୍ତର ମିଳିଲା । ଭାରତୀୟ ପ୍ରତିନିଧିମାନଙ୍କୁ ନେଇ ଗୋଟିଏ ଯୁଦ୍ଧ ଉପଦେଷ୍ଟା କମିଟି ଗଠନ କରିବାକୁ ସେ ରାଜି ହେଲେ; କିନ୍ତୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ଓ ସାମ୍ବିଧାନିକ ପରିବର୍ତ୍ତନରେ ସେ ଆଦୌ ରାଜି ହେଲେ ନାହିଁ । ଯୁଦ୍ଧ ନ ସରିବାଯାଏ ସେ ବିଷୟରେ କୌଣସି ଅଭିମତ ଦେବାକୁ ମଧ୍ୟ ସେ ଅନିଚ୍ଛା ପ୍ରକାଶ କଲେ । ବଡ଼ଲାଟ ଲର୍ଡ଼ ଲିନ୍‍ଲିଥ୍‍ ଗୋଙ୍କଠାରୁ ଏବଂବିଧ ଉତ୍ତର ପାଇ ନେତୃବୃନ୍ଦ ନିରାଶ ହୋଇପଡ଼ିଥିଲେ-। ଜବାହାରଲାଲ ନେହରୁ ବଡ଼ଲାଟଙ୍କ ସେହି ଉତ୍ତରକୁ ସମାଲୋଚନା କରି ତାଙ୍କ “Discovery of India” ରେ ଲେଖିଛନ୍ତି–‘‘ଲର୍ଡ଼ ଲିନ୍‍ଲିଥ୍‍ ଗୋଙ୍କର ଶାସନ ପଦ୍ଧତି ପୂର୍ଣ୍ଣମାତ୍ରାରେ ଥିଲା ପାରମ୍ପରିକ । ତାଙ୍କର ଶାସନ ସଂକ୍ରାନ୍ତ ନିର୍ଦ୍ଦେଶନାମା ପଛରେ ବ୍ରିଟେନ୍‍ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ୍‍ଙ୍କର ଅଦେଖାହାତ କାର୍ଯ୍ୟ କରୁଥିଲା । ସେ ଆଇ.ସି.ଏସ୍. କର୍ମଚାରୀଙ୍କ ଆଖିରେ ଦେଖୁଥିଲେ ଓ କାନରେ ଶୁଣୁଥିଲେ ।’’

 

ମହାସମର ଚାଲିଥାଏ । ଦେଶରେ ଯୁଦ୍ଧବିରୋଧୀ ଆନ୍ଦୋଳନ ମଧ୍ୟ ହ୍ରାସ ପାଇଥାଏ । ଗଭର୍ଣ୍ଣରଶାସିତ ସାତଟି ପ୍ରଦେଶରୁ ଯୁଦ୍ଧ ପାଇଁ ଛୁଟି ଚାଲିଥାଏ ଅବାରିତ ସାହାଯ୍ୟ । ଅଗଷ୍ଟ ୧୮ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ କମିଟି ୱାର୍ଦ୍ଧାଠାରେ ମିଳିତ ହୋଇ ନିଖିଳ ଭାରତ କଂଗ୍ରେସ କମିଟିର ଏକ ଜରୁରୀ ଅଧିବେଶନ ଡାକିବାକୁ ସ୍ଥିର କଲେ । କଂଗ୍ରେସ ତରଫରୁ ସରକାରଙ୍କ ଯୁଦ୍ଧପ୍ରସ୍ତୁତି ବିରୋଧ କରାଯାଉ ନ ଥାଏ; କିନ୍ତୁ ଗାନ୍ଧିଜୀ କଂଗ୍ରେସ ସଂଗଠନରେ ଶିଥିଳତା ଦେଖି ଅସ୍ତବ୍ୟସ୍ତ ହୋଇପଡ଼ିଲେ । ଯଦି ଏହି ଶିଥିଳତା ଦୀର୍ଘସ୍ଥାୟୀ ହୁଏ, ତାହାହେଲେ ତାଙ୍କର ସମସ୍ତ ପ୍ରଚେଷ୍ଟା ମୂଲ୍ୟହୀନ ହୋଇଯିବ ବୋଲି ତାଙ୍କ ମନରେ ଶଙ୍କା ଜାତହେଲା । ସେହି ମର୍ମରେ ସେ ବଡ଼ଲାଟଙ୍କ ସହିତ ପତ୍ରାଳାପ କଲେ ।

 

ସେପ୍‍ଟେମ୍ବର ୧୫ ତାରିଖରେ ନିଖିଳ ଭାରତ କଂଗ୍ରେସ କମିଟିରେ ସଭାପତି ମୌଲାନା ଆଜାଦ୍‍ ବଡ଼ଲାଟଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ । ଯୁଦ୍ଧ ପ୍ରସ୍ତୁତିରେ ସରକାରଙ୍କୁ ସହଯୋଗ ନ କରିବାକୁ କମିଟି ତରଫରୁ ଲୋକସାଧାରଣଙ୍କୁ ନିବେଦନ କରାଗଲା । ଠିକ୍ ମାସକ ପରେ ୱାର୍ଦ୍ଧାଠାରେ ପୁଣି ଥରେ କମିଟି ସଭ୍ୟମାନେ ମିଳିତ ହେଲେ । ଗାନ୍ଧିଜୀଙ୍କର ବଡ଼ଲାଟଙ୍କ ସହିତ ପତ୍ରାଳାପ ବିଷୟ ଆଲୋଚନା କରାଯାଇ ନୈରାଶ୍ୟ ପ୍ରକାଶ କରାଗଲା । କଂଗ୍ରେସର ଦାବୀ ପୂରଣ ପାଇଁ ବ୍ୟକ୍ତିଗତଭାବେ ଆଇନ ଅମାନ୍ୟ କରିବାକୁ ସ୍ଥିର ହେଲା । ଏହିପ୍ରକାର ସତ୍ୟାଗ୍ରହକୁ ଗାନ୍ଧିଜୀ ମଧ୍ୟ ପସନ୍ଦ କଲେ । କାରଣ ସେ ଜାଣିଥିଲେ ଯେ ଯଦି ଅଧିକ ସଂଖ୍ୟକ ସତ୍ୟାଗ୍ରହୀ ଏଥିପାଇଁ ଆଗଭର ହୋଇ ବାହାରନ୍ତି, ତାହାହେଲେ ଏହା ନିଶ୍ଚୟ ସଫଳ ହେବ । ପୁନଶ୍ଚ ବହୁସଂଖ୍ୟାରେ ସତ୍ୟାଗ୍ରହ କରିବାର ସଫଳତା ନେତାର ମାନସିକ ଦୃଢ଼ତା ଉପରେ ନିର୍ଭର କରିଥାଏ । ଏଥିପାଇଁ କଠିନ ଶୃଙ୍ଖଳା ମଧ୍ୟ ଅପରିହାର୍ଯ୍ୟ । ଜଣେ, ଦୁଇ ଜଣଙ୍କର ଦୁର୍ବଳତା ମିଳିତ ସତ୍ୟାଗ୍ରହକୁ ନିର୍ବଳ କରିପକାଏ । ତେଣୁ ବ୍ୟକ୍ତିଗତ ସତ୍ୟାଗ୍ରହ କର୍ମୀମାନଙ୍କଦ୍ଵାରା ସ୍ଵୀକୃତ ହେଲା ଓ ଏହି ସତ୍ୟାଗ୍ରହର ଶୁଭଦେବା ଦାୟିତ୍ଵ ପଡ଼ିଲା ବିନୋବା ବାଭେଙ୍କ ଉପରେ । ଆଜି ପରି ବିନୋବାଜୀ ଏତେ ପ୍ରସିଦ୍ଧି ହାସଲ କରି ନ ଥାନ୍ତି । ସତ୍ୟାଗ୍ରହୀମାନଙ୍କର ତାଲିକା ତିଆରି କରାଗଲା; କିନ୍ତୁ ଦୁର୍ବଳ ସ୍ଵାସ୍ଥ୍ୟଦୃଷ୍ଟିରୁ ରାଜେନ୍ଦ୍ର ପ୍ରସାଦଙ୍କୁ ସେ ତାଲିକାଭୁକ୍ତ କରାଯାଇ ନ ଥିଲା ।

 

ଅକ୍ଟୋବର ମାସ ୧୭ ତାରିଖ ଦିନ ବିନୋବାଜୀ ଯୁଦ୍ଧ–ବିରୋଧୀ ବକ୍ତୃତା ଦେଇ ତିନି ମାସ ପାଇଁ କାରାବରଣ କଲେ । ଜବାହାରଲାଲଙ୍କୁ ମଧ୍ୟ ସେହି ଅଭିଯୋଗରେ ଦୀର୍ଘ ୪ ବର୍ଷ କଠିନ କାରାଦଣ୍ଡ ଭୋଗ କରିବାକୁ ପଡ଼ିଲା । ବର୍ଷକ ମଧ୍ୟରେ ବ୍ୟକ୍ତିଗତଭାବେ ଆଇନ ଅମାନ୍ୟ କରି ପ୍ରାୟ ତିରିଶି ହଜାର ନରନାରୀ ଜେଲ ଗଲେ । ସରକାର ଖୁବ୍ ଦୃଢ଼ତାର ସହିତ ପରିସ୍ଥିତିର ସମ୍ମୁଖୀନ ହେଲେ । କାର୍ଯ୍ୟକାରୀ କମିଟି, ନିଖିଳ ଭାରତ କଂଗ୍ରେସ କମିଟିର ସଭ୍ୟ ଓ ପୂର୍ବତନ କଂଗ୍ରେସ ମନ୍ତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ବନ୍ଦୀ କରାଗଲା । ୧୯୪୧ ମସିହା ଡିସେମ୍ବର ୪ ତାରିଖରେ ଆଇନ–ଅମାନ୍ୟ ଆନ୍ଦୋଳନରେ ପ୍ରତୀକ ଧର୍ମଘଟକାରୀ ବ୍ୟକ୍ତିମାନଙ୍କୁ ମୁକ୍ତି ଦିଆଗଲା-। ଦେଶସାରା ସତ୍ୟାଗ୍ରହ ପାଳିତ ହେଲା ସତ୍ୟ; କିନ୍ତୁ ସରକାର ଖବରକାଗଜ ମୁଦ୍ରଣରେ କଟକଣା ଜାରି କରିବାରୁ ପୂର୍ଣ୍ଣାଙ୍ଗ ଓ ସତ୍ୟ ସମ୍ବାଦ ପରିବେଷିତ ହୋଇପାରିଲା ନାହିଁ । ତଦ୍ଦ୍ୱାରା ଜନସାଧାରଣଙ୍କ ଉପରେ ସତ୍ୟାଗ୍ରହର ଆଶାନୁରୂପ ପ୍ରଭାବ ପଡ଼ିପାରି ନ ଥିଲା । ତେଣୁ ଉପଯୁକ୍ତ ଲୋକମତ ସୃଷ୍ଟି କରିବାରେ ସତ୍ୟାଗ୍ରହୀମାନେ ଅସଫଳ ହେଲେ ।

 

୧୯୪୧ ମସିହା ମଧ୍ୟଭାଗରେ ଯୁଦ୍ଧ ଭିନ୍ନ ରୂପ ନେଲା । ଯୁଗୋସ୍ଲୋଭିଆ ଓ ଗ୍ରୀସ୍‍ର ପତନ ହେଲା । ରୁଷିଆ ବିରୁଦ୍ଧରେ ଆରମ୍ଭ ହେଲା ହିଟ୍‍ଲରଙ୍କର ପ୍ରବଳ ଅଭିଯାନ । ସେହି ବର୍ଷ ଡିସେମ୍ବର ୬ ତାରିଖରେ ପର୍ଲ ବନ୍ଦର ଉପରେ ବୋମାମାଡ଼ ହେବାରୁ ଆମେରିକା ଓ ଜାପାନ ଯୁଦ୍ଧରେ ପ୍ରତ୍ୟକ୍ଷଭାବରେ ଯୋଗଦେଲେ । ଭାରତର ସୀମାନ୍ତରେ ଯୁଦ୍ଧର ବିଭୀଷିକା ଅନୁଭୂତ ହେଲା । ୧୯୪୨ ମସିହା ଫେବୃଆରୀ ୧୫ ତାରିଖ ଓ ମାର୍ଚ୍ଚ ୮ ତାରିଖରେ ସିଙ୍ଗାପୁର ଓ ରେଙ୍ଗୁନର ପତନ ହେଲା । ତେଣେ ଚର୍ଚ୍ଚିଲ୍‍ ଅନୁଭବ କଲେ ଯେ ରାଜନୀତିକ ଅସ୍ଥିରତା ଦୂରୀଭୂତ ନ ହେଲେ ଭାରତର ସୁରକ୍ଷା କଠିନ ହୋଇପଡ଼ିବ । ତେଣୁ ସେ କେତେକ ନୂତନ ପ୍ରସ୍ତାବ ଦେଇ ସାର୍‍ ଷ୍ଟାଫୋର୍ଡ଼ କ୍ରିପ୍‍ସଙ୍କୁ ଭାରତ ପଠାଇଲେ । ମନରେ ସଦ୍ଦିଚ୍ଛା ଓ ସହାନୁଭୂତି ନେଇ ସେ ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା ଆରମ୍ଭ କଲେ । କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ହିସାବରେ ରାଜେନ୍ଦ୍ର ପ୍ରସାଦଙ୍କୁ ଦିଲ୍ଲୀରୁ ଡାକରା ଆସିଲା । କମିଟିର ସଭ୍ୟମାନଙ୍କ ପରାମର୍ଶକ୍ରମେ ନେହରୁ ଓ ଆଜାଦ କ୍ରିପ୍‍ସଙ୍କ ସହିତ ଆଲୋଚନା ଆରମ୍ଭ କଲେ । କ୍ରିପ୍‍ସ କଂଗ୍ରେସ ଦଳର ଭାରତ ପାଇଁ ସାର୍ବଭୌମ ଅଧିକାର ଓ ମୁସଲିମ୍‍ ଲିଗ୍‍ର ସ୍ୱତନ୍ତ୍ର ରାଜ୍ୟ ଦାବୀର ଏକ ସମ୍ମାନଜନକ ସମାଧାନ ପାଇଁ ଆଲୋଚନା ଚଳାଇଲେ; କିନ୍ତୁ ବଡ଼ଲାଟ ଓ ବ୍ରିଟିଶ କ୍ୟାବିନେଟ୍‍ର ସହଯୋଗ ଓ ସହାନୁଭୂତି ଅଭାବରୁ କ୍ରିପ୍‍ସ ମିଶନ କୌଣସି ସନ୍ତୋଷଜନକ ସମାଧାନରେ ପହଞ୍ଚି ପାରି ନ ଥିଲେ ।

 

ସେତେବେଳକୁ ଭାରତ ସୀମାର ଠିକ୍ ଅନ୍ୟ ପଟେ ଜାପାନର ପ୍ରଳୟଙ୍କରୀ ଯୁଦ୍ଧ ବିଭୀଷିକା ଘନେଇ ଆସୁଥାଏ । ଏଣେ କ୍ରିପ୍‍ସ ମିଶନ୍‍ର ବିଫଳତା ଦେଶବାସୀଙ୍କ ମନରେ ସୃଷ୍ଟି କରିଥାଏ ଏକପ୍ରକାର ନୈରାଶ୍ୟବାଦ । ୧୯୪୧ ମସିହା ଜାନୁଆରୀ ମାସରେ ସୁଭାଷ ବୋଷ କଲିକତା ଜେଲରୁ ଖସିପଳାଇଥାନ୍ତି ଜର୍ମାନୀ ରାଜଧାନୀ ବର୍ଲିନକୁ । ବିଦେଶରେ ତାଙ୍କର ଆଜାଦ ହିନ୍ଦ୍‍ ବାହିନୀ ଗଠନ, ବର୍ଲିନ୍ ଓ ମାଲୟ ରେଡ଼ିଓରୁ ତାଙ୍କର ଓଜସ୍ଵିନୀ ବକ୍ତୃତା ଭାରତବାସୀଙ୍କ ମନରେ ଜଗାଉଥାଏ ବୈପ୍ଳବିକ ଚିନ୍ତାଧାରା । ଠିକ୍ ଏତିକିବେଳେ ଗାନ୍ଧିଜୀ ତାଙ୍କର ‘ହରିଜନ’ ପତ୍ରିକା ମାଧ୍ୟମରେ ‘ଭାରତ ଛାଡ଼’ ଆନ୍ଦୋଳନ ପାଇଁ ଡାକ ଦେଲେ । ଏହି ଡାକରା ଆବାଳବୃଦ୍ଧବନିତା ସମସ୍ତ ଦେଶବାସୀଙ୍କ ମନରେ ଜଗାଇଥିଲା ଅପୂର୍ବ ସ୍ପନ୍ଦନ । ୧୯୪୨ ମସିହା ଅଗଷ୍ଟ ୭ ତାରିଖରେ ବମ୍ବେଠାରେ ଅନୁଷ୍ଠିତ ହୋଇଥିବା ନିଖିଳ ଭାରତ କଂଗ୍ରେସ କମିଟିରେ ଗାନ୍ଧିଜୀଙ୍କ ‘ଭାରତ ଛାଡ଼’ ପ୍ରସ୍ତାବ ନିର୍ଦ୍ୱନ୍ଦ୍ୱରେ ଗୃହୀତ ହେଲା । ଯଦି ବ୍ରିଟିଶ ସରକାର ଏହି ପ୍ରସ୍ତାବକୁ ସମ୍ମାନ ନ ଦେଖାନ୍ତି, ତାହାହେଲେ ଗାନ୍ଧିଜୀଙ୍କ ନେତୃତ୍ୱରେ ଅହିଂସା ଉପାୟରେ ଗଣ–ଆନ୍ଦୋଳନ ଚାଲୁକରାଯିବ ବୋଲି ସ୍ଥିର ହେଲା; କିନ୍ତୁ ଅଗଷ୍ଟ ୯ ତାରିଖ ଦିନ ଗାନ୍ଧିଜୀଙ୍କ ସମେତ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କୁ ବନ୍ଦୀ କରାଗଲା । ରାଜେନ୍ଦ୍ର ପ୍ରସାଦଙ୍କୁ ମଧ୍ୟ ପାଟନାଠାରେ କାରାବରଣ କରିବାକୁ ପଡ଼ିଲା ।

 

ନେତୃବୃନ୍ଦଙ୍କର ଏକକାଳୀନ କାରାବରଣ ଦେଶବାସୀଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କଲା-। ଜେଲକୁ ଯିବା ପୂର୍ବରୁ ଗାନ୍ଧିଜୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ କହିଥିଲେ–‘‘କର ଅବା ମର, ଏହି ମନ୍ତ୍ର ମୁଁ ଆଜି ତୁମ୍ଭମାନଙ୍କୁ ଦେଉଛି । ପ୍ରତ୍ୟେକ ଦେଶବାସୀଙ୍କ ହୃଦୟରେ ଅଲିଭା ଅକ୍ଷରରେ ଏହା ଲେଖା ରହୁ । ପ୍ରତି ପଦକ୍ଷେପରେ ଏହାର ହେଉ ପରିପ୍ରକାଶ । ଆମେ ମାତୃଭୂମିକୁ ପରାଧୀନତା–ଶୃଙ୍ଖଳରୁ ମୁକ୍ତି କରିବା, ନଚେତ୍ ମୃତ୍ୟୁବରଣ କରିବା–ଏହି ଦୁଇଟିରୁ ଗୋଟିଏ ହେଉ ଆମର ଧ୍ୟେୟ ।’’ ଗାନ୍ଧିଜୀଙ୍କର ଏହି ଉକ୍ତି ଦେଶରେ ବାତ୍ୟାବେଗରେ ପ୍ରଚାରିତ ହେଲା ସତ; କିନ୍ତୁ ‘ଭାରତ ଛାଡ଼’ ଆନ୍ଦୋଳନ ପାଇଁ କଂଗ୍ରେସର ପରିକଳ୍ପିତ କାର୍ଯ୍ୟସୂଚୀ ବିଷୟରେ ଦେଶବାସୀ ରହିଲେ ଅଜ୍ଞ । ପୁନଶ୍ଚ ସରକାର ଏହି ପ୍ରତାରଣାମୂଳକ ଇସ୍ତାହାର ପ୍ରକାଶ କଲେ ଯେ ଡାକ ବିଭାଗକୁ ଅଚଳ କରିବା, ରେଳରାସ୍ତା ଭାଙ୍ଗିବା ଓ ଅନ୍ୟାନ୍ୟ ଧ୍ୱଂସମୂଳକ କାର୍ଯ୍ୟ କରିବା ହେଉଛି ‘ଭାରତ ଛାଡ଼’ ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ । ତେଣୁ ନିର୍ଦ୍ଧାରିତ ପଥରେ ପରିଚାଳିତ ହେବା ଦେଶବାସୀଙ୍କ ପକ୍ଷରେ ସମ୍ଭବପର ହୋଇପାରିଲା ନାହିଁ । ତେବେ ନେତୃବୃନ୍ଦଙ୍କୁ କାରାମୁକ୍ତ କରିବା ପାଇଁ ସରକାରଙ୍କ ନିକଟରେ ଦାବୀ କରାଗଲା । ସଭା, ଶୋଭାଯାତ୍ରା ଓ ହରତାଳ ଜରିଆରେ ସରକାରୀ ଦମନଲୀଳାର ତୀବ୍ର ପ୍ରତିବାଦ କରାଗଲା । କ୍ରମେ ପ୍ରତିବାଦ ପରିଣତ ହେଲା ହିଂସାତ୍ମକ ଆନ୍ଦୋଳନରେ । ୨୫୦ଟି ରେଳଷ୍ଟେସନ, ୫୫୦ଟି ଡାକଘର, ୭୦ଟି ଥାନା ଓ ୮୫ଟି ସରକାରୀ ଦପ୍ତର ପୋଡ଼ିଦିଆଗଲା । ବହୁ ପୋଲିସ ଓ କଂଗ୍ରେସକର୍ମୀ ହତାହତ ହେଲେ ।

 

ସରକାର ଏହି ଆନ୍ଦୋଳନର ପ୍ରତିରୋଧ କଲେ । ଅଗଷ୍ଟ ୧୧ ଓ ୧୨ ତାରିଖରେ ଦିଲ୍ଲୀର ୪୭ଟି ସ୍ଥାନରେ ଗୁଳି ଚାଲିଲା । କଲିକତାରେ ମଧ୍ୟ ୧୩ ତାରିଖ ଦିନ ପୋଲିସ ତରଫରୁ ଗୁଳି ଚାଲିଲା ଓ ବହୁ ଲୋକଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଗଲା । ସମଗ୍ର ଦେଶରେ ପ୍ରାୟ ୬ ଶହ ଲୋକ ପୋଲିସ ଗୁଳିରେ ପ୍ରାଣ ହରାଇଲେ । ଏତିକିରେ ସରକାର ସନ୍ତୁଷ୍ଟ ହେଲେ ନାହିଁ । ୨୦ ଜଣ ଲୋକଙ୍କୁ ମୃତ୍ୟୁଦଣ୍ଡରେ ଓ ୨୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଗଲା । ଏତଦ୍‍ବ୍ୟତୀତ ବହୁ ବ୍ୟକ୍ତି ଅର୍ଥଦଣ୍ଡରେ ଦଣ୍ଡିତ ହେଲେ । ମେଦିନୀପୁର ଜିଲ୍ଲାରେ ଏହି ଆନ୍ଦୋଳନର ଭୟଙ୍କର ରୂପ ପ୍ରକାଶ ପାଇଥିଲା । ଦୁଇଟି ତହସିଲରେ ଲୋକେ ସରକାରୀ କର୍ମଚାରୀମାନଙ୍କୁ ତଡି ୪ ମାସ ପର୍ଯ୍ୟନ୍ତ ପୂର୍ଣ୍ଣ ସ୍ଵାୟତ୍ତଶାସନ ପ୍ରତିଷ୍ଠା କଲେ । ସେଠାର ଲୋକଙ୍କୁ ସରକାରୀ ଦମନଲୀଳାର ସମ୍ମୁଖୀନ ହେବାକୁ ପଡ଼ିଲା । ଅଗଷ୍ଟ ୯ ତାରିଖଠାରୁ ନଭେମ୍ବର ୩୦ ତାରିଖ ମଧ୍ୟରେ ୧୦୨୮ ଜଣ ଲୋକ ପୁଲିସ ଗୁଳିରେ ମୃତ୍ୟୁବରଣ କଲେ ଓ ୩୨୧୫ ଜଣ ଲୋକ ସାଂଘାତିକଭାବେ ଆହତ ହେଲେ ।

 

ଅନ୍ୟ ନେତାଙ୍କ ଭଳି ରାଜେନ୍ଦ୍ର ପ୍ରସାଦ ଜେଲଦଣ୍ଡ ଭୋଗୁଥାନ୍ତି; କିନ୍ତୁ ରୋଗାକ୍ରାନ୍ତ ଶରୀର କ୍ରମେ ତାଙ୍କର ଦୁର୍ବଳ ହୋଇ ପଡ଼ୁଥାଏ । ଜେଲରେ ଥାଇ ସେ ଆନ୍ଦୋଳନ ପାଇଁ କାର୍ଯ୍ୟସୂଚୀ ତିଆରି କରୁଥାନ୍ତି ଓ ସରକାରଙ୍କ ଦୃଷ୍ଟି ଅନ୍ତରାଳରେ ବହୁ ସାବଧାନତା ସହକାରେ ତାହାର ମୁଦ୍ରଣ ଓ ବଣ୍ଟନ କାର୍ଯ୍ୟ ସମାହିତ ହେଉଥାଏ । କାର୍ଯ୍ୟକାରୀ କମିଟିର ସମସ୍ତ ସଭ୍ୟଙ୍କୁ ଅହମଦାବାଦ ଜେଲରେ ରଖିବାର ବନ୍ଦୋବସ୍ତ ହେଲା । ତେଣୁ ରାଜେନ୍ଦ୍ର ପ୍ରସାଦଙ୍କୁ ସ୍ଥାନାନ୍ତର କରିବାର ପ୍ରଶ୍ନ ଉଠିଲା; କିନ୍ତୁ ସିଭିଲ୍‍ ସର୍ଜନ ତାଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ରିର୍ପୋଟ ଦେଲେ ଯେ ତାଙ୍କୁ ରେଳଯୋଗେ ସ୍ଥାନାନ୍ତରିତ କରିବା ସ୍ୱାସ୍ଥ୍ୟଦୃଷ୍ଟିରୁ ଆଦୌ ସମୀଚୀନ ନୁହେଁ । ତେଣୁ ତାଙ୍କୁ ବାଙ୍କୀପୁର ଜେଲକୁ ନିଆଯାଇଥିଲା ।

 

ସରକାରୀ ଦମନଲୀଳା ସତ୍ତ୍ୱେ ପରିସ୍ଥିତି ସୁଧୁରିଲା ନାହିଁ । ଲୋକେ ସଚିବାଳୟ ଇତ୍ୟାଦି ଘେରାଉ କଲେ । ଉତ୍ତେଜନା ଓ ହିଂସାତ୍ମକ କାଣ୍ଡ ଲାଗିରହିଲା । ଜେଲମାନଙ୍କରେ ସ୍ଥାନାଭାବ ପଡ଼ିବାରୁ କଏଦୀମାନଙ୍କର ଦଣ୍ଡକାଳ ନ ପୂରୁଣୁ ସେମାନଙ୍କୁ ମୁକ୍ତ କରିଦିଆଗଲା । ଜେଲଖାନାଗୁଡ଼ିକ ରାଜନୀତିକ ବନ୍ଦୀଙ୍କ ଦ୍ୱାରା ଭରପୂର ହୋଇଉଠିଲା ।

 

ରାଜେନ୍ଦ୍ର ପ୍ରସାଦ ପୂର୍ବରୁ ଆୟୁର୍ବେଦ ଚିକିତ୍ସାରେ ରହିଥିଲେ; କିନ୍ତୁ ଜେଲରେ ତାଙ୍କୁ ସେଥିପାଇଁ ଅନୁମତି ମିଳଲା ନାହିଁ । ବାଧ୍ୟହୋଇ ଡାକ୍ତରୀ ଚିକିତ୍ସାରେ ତାଙ୍କୁ ରହିବାକୁ ପଡ଼ିଲା । ସ୍ୱାସ୍ଥ୍ୟ ଭଲ ନ ଥିଲେ ମଧ୍ୟ ସେ ଜେଲରେ ଲେଖାପଢ଼ା ଓ ସୂତାକଟାରେ ସମୟ କଟାଉଥିଲେ ।

 

୧୯୪୩ ମସିହା ଫେବୃୟାରୀ ୯ ତାରିଖଠାରୁ ଗାନ୍ଧିଜୀ ୨୧ ଦିନିଆଁ ଅନଶନ ଆରମ୍ଭ କଲେ । ରାଜେନ୍ଦ୍ର ପ୍ରସାଦ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ପାଇଁ ଯଥେଷ୍ଟ ଉଦ୍‍ ବେଗ ପ୍ରକାଶ କରିଥିଲେ । ଗାନ୍ଧିଜୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପୁନାରୁ ପ୍ରତ୍ୟହ ତାଙ୍କ ପାଖକୁ ଟେଲିଗ୍ରାମ ଆସୁଥିଲା; କିନ୍ତୁ ଜେଲ୍‍ କର୍ତ୍ତୃପକ୍ଷ ତାଙ୍କୁ ଠିକ୍‍ ସମୟରେ ସେଗୁଡ଼ିକ ଦେଉ ନ ଥିଲେ । ତା’ପରେ ସେ ମୁକ୍ତି ଚାହାନ୍ତି କି ନାହିଁ ଜେଲ୍‍କର୍ତ୍ତୃପକ୍ଷ ତାଙ୍କୁ ପଚାରିଲେ । ରାଜେନ୍ଦ୍ର ପ୍ରସାଦ ଦୃଢ଼ସ୍ୱରରେ ଉତ୍ତର ଦେଇଥିଲେ–‘‘ଯେ ପର୍ଯ୍ୟନ୍ତ ଅନ୍ୟ ରାଜବନ୍ଦୀମାନେ ଖଲାସ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ସେ ଜେଲ୍‍ରୁ ଖଲାସ ହେବାକୁ ଚାହାନ୍ତି ନାହିଁ ।’’

 

୧୯୪୪ ମସିହାରେ ବିହାରରେ ମେଲେରିଆଜ୍ୱର ବ୍ୟାପିବାକୁ ଲାଗିଲା । ଏଥିପାଇଁ ପ୍ରଦେଶ ସ୍ତରରେ ଚିକିତ୍ସା ବ୍ୟବସ୍ଥା ଦରକାର ପଡ଼ିଲା । ପାଟନାର ପ୍ରସିଦ୍ଧ ସମ୍ବାଦପତ୍ର ‘Indian Nation’ ସମ୍ପାଦକୀୟରେ ରୋଗୀମାନଙ୍କର ସେବା ଓ ସାହାଯ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦଙ୍କର ମୁକ୍ତି ଦାବୀ କଲା । ବିହାରର ଜନସାଧାରଣ ଏହି ଦାବୀକୁ ସମର୍ଥନ କଲେ । କ୍ରମେ ଏଥିପାଇଁ ଏକ ସଂଗଠିତ ଆନ୍ଦୋଳନ ତେଜିଉଠିଲା; କିନ୍ତୁ ରାଜେନ୍ଦ୍ର ପ୍ରସାଦ ନିଜେ ଏହାର ପ୍ରତିବାଦ କଲେ । ସେ କହିଲେ–‘‘ଯେ ପର୍ଯ୍ୟନ୍ତ ଆମର ଲକ୍ଷ୍ୟ ହାସଲ ନ ହୋଇଛି ଓ ଅନ୍ୟାନ୍ୟ ନେତୃବୃନ୍ଦ ଖଲାସ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ମୁଁ ମୁକ୍ତି ଚାହେଁ ନାହିଁ ।’’ ସେହି ମର୍ମରେ ମଧ୍ୟ ସେ କଥା ସରକାରଙ୍କୁ ଜଣାଇଦେଲେ । ସରକାରୀ ଅବହେଳାରୁ ୧୯୪୩ ମସିହାରେ ବଙ୍ଗରେ ଦୁର୍ଭିକ୍ଷ ଭୟଙ୍କର ରୂପ ଧାରଣ କଲା । ପତ୍ର-ପତ୍ରିକାରୁ ମର୍ମନ୍ତୁଦ ଛବି ଦେଖି ଓ ବିବରଣୀ ପାଠ କରି ସେ ମର୍ମାହତ ହୋଇପଡ଼ିଲେ । ଜେଲରେ ଥାଇ ବଙ୍ଗବାସୀଙ୍କୁ ଖାଦ୍ୟଶସ୍ୟ ସାହାଯ୍ୟ କରିବାକୁ ବିହାରବାସୀଙ୍କୁ ସେ ନିବେଦନ କଲେ; କିନ୍ତୁ ସେହି ନିବେଦନ ପତ୍ରକୁ ସରକାରୀ ସ୍ତରରେ ଚାପିଦିଆଗଲା ।

 

ଜେଲ୍‍ରେ ଥିବାବେଳେ ହିନ୍ଦୁ ମୁସଲ୍‍ମାନ ସାଂପ୍ରଦାୟିକ ସମସ୍ୟା ଉପରେ ଆଲୋକପାତ କରି ସେ ଖଣ୍ଡିଏ ପୁସ୍ତକ ପ୍ରଣୟନ କରିଥିଲେ । ସେଥିରେ ମୁସଲ୍‍ମାନମାନଙ୍କ ପାଇଁ ଏକ ସ୍ଵତନ୍ତ୍ର ରାଜ୍ୟର ସେ ବିରୋଧ କରିଥିଲେ । ମାତ୍ର ଦୁଇ ମାସ ମଧ୍ୟରେ ସେହି ପୁସ୍ତକଟିର ପ୍ରଥମ ମୁଦ୍ରଣ ଶେଷ ହୋଇଯାଇଥିଲା । ତା’ପରେ ସେ ନିଜର ଆତ୍ମଜୀବନୀ ଆରମ୍ଭ କରିଥିଲେ ଓ ନିଜର ମୁକ୍ତି ପରେ ପିଲାନିଠାରେ ତାହାର ଲେଖା ଶେଷ ହୋଇଥିଲା । ବହୁ ବନ୍ଧୁଙ୍କ ଅନୁରୋଧରେ ତାହା ପ୍ରକାଶ ଲାଭ କରିଥିଲା । କିନ୍ତୁ ତାର ଲୋକପ୍ରିୟତା ବିଷୟରେ ସେ ଥିଲେ ସର୍ବଦା ସନ୍ଦିହାନ-। ସେ କହୁଥିଲେ–‘‘ମୋଠାରୁ କିମ୍ବା ମୋ ଜୀବନୀରୁ ବାହାର ଲୋକଙ୍କର କିଛି ଶିଖିବାର ଅଛି ବୋଲି ମୁଁ ଦୃଢ଼ତା ସହକାରେ କହିପାରିବି ନାହିଁ । ମୁଁ ନିଜକୁ ଲୋକସାଧାରଣଙ୍କ ପାଇଁ, ବିଶେଷ କରି କଂଗ୍ରେସର କାର୍ଯ୍ୟ ପାଇଁ ଉତ୍ସର୍ଗ କରିଛି । ବୋଧହୁଏ ମୋ ଜୀବନୀରୁ ଭବିଷ୍ୟତ ବଂଶଧରଗଣ ଭାରତର ରାଜନୀତିକ ସଂଗ୍ରାମ ବିଷୟରେ କିୟଦଂଶରେ ଧାରଣା କରିପାରିବେ । ଏହା ଏକ ଐତିହାସିକ ତଥ୍ୟ ସମ୍ବଳିତ ପୁସ୍ତକ ହୋଇ ନ ପାରେ; କାରଣ କେବଳ ସୃତିଶକ୍ତିକୁ ଆଶ୍ରା କରି ମୁଁ ଏହା ପ୍ରଣୟନ କରିଛି ।’’ ହିନ୍ଦୀଭାଷାରେ ପ୍ରଥମେ ଏହା ଲିଖିତ ହୋଇଥିବାରୁ ଏହାର ଲୋକପ୍ରିୟତା ବୃଦ୍ଧି ପାଇଥିଲା । ୧୯୪୬ ମସିହା ପର୍ଯ୍ୟନ୍ତ ଜାତୀୟ ଆନ୍ଦୋଳନର ନିଖୁଣ ଚିତ୍ର ଏଥିରେ ଲିପିବଦ୍ଧ । ଭାଷା ଓ ଭାବର ସାରଲ୍ୟଦୃଷ୍ଟିରୁ ଏହା ସର୍ବବୋଧ୍ୟ । ୧୯୫୪ ମସିହାରେ ବନାରସର ‘ନଗର ପ୍ରଚାରିଣୀ ସଭା’ ଦ୍ଵାରା ଏହା ସର୍ବୋକୃଷ୍ଟ ଆତ୍ମଜୀବନୀରୂପେ ପୁରସ୍କୃତ-

 

ଜେଲ୍‍ରେ ଅବସ୍ଥାନ କାଳରେ କସ୍ତୁରବା ଗାନ୍ଧୀଙ୍କର ମୁତ୍ୟୁ ଖବର ପାଇଁ ରାଜେନ୍ଦ୍ର ପ୍ରସାଦ ମର୍ମାହତ ହୋଇପଡ଼ିଥିଲେ । ୧୯୧୭ ମସିହାରେ ଚମ୍ପାରନ୍‍ଠାରେ ଶ୍ରୀମତୀ ଗାନ୍ଧୀଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା । ତାଙ୍କ ମାତୃବତ୍‍ ସ୍ନେହ ରାଜେନ୍ଦ୍ର ପ୍ରସାଦ ଆଜୀବନ ଭୁଲିଯାଇ ନ ଥିଲେ । କସ୍ତୁରବା’ଙ୍କର ମୃତ୍ୟୁ ପରେ ଗାନ୍ଧିଜୀଙ୍କ ସ୍ଵାସ୍ଥ୍ୟର ଅବନତି ଘଟିଲା । ରକ୍ତହୀନତା ଓ ରକ୍ତଚାପ ରୋଗରେ ସେ ଶଯ୍ୟାଶାୟୀ ହୋଇପଡ଼ିଲେ । ତେଣୁ ତାଙ୍କ ସ୍ଵାସ୍ଥ୍ୟଦୃଷ୍ଟିରୁ ୧୯୪୪ ମସିହା ମେ ୫ ତାରିଖରେ ତାଙ୍କୁ କାରାମୁକ୍ତ କରାଗଲା । ତା’ପରେ ବଡ଼ଲାଟ ଭାରତର ରାଜନୀତିକ ପରସ୍ଥିତି ବିଷୟରେ ଅଲୋଚନା କରିବା ପାଇଁ ଗାନ୍ଧିଜୀଙ୍କୁ ଅନୁରୋଧ ଜଣାଇଲେ; କିନ୍ତୁ ଗାନ୍ଧିଜୀ ତାହା ପ୍ରତ୍ୟାଖ୍ୟାନ କଲେ । ତା ପରେ ସେପ୍‍ଟେମ୍ବର ୯ ତାରିଖଠାରୁ ବମ୍ବେଠାରେ ଗାନ୍ଧୀ ଓ ଜିନ୍ନାଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହେଲା । ସେହି ଆଲୋଚନା ଦୀର୍ଘ ଆଠ ଦିନ ପର୍ଯ୍ୟନ୍ତ ଚାଲୁ ରହିଥିଲା; କିନ୍ତୁ କିଛି ଆଶାଜନକ ଫଳ ମିଳିଲା ନାହିଁ ।

 

ଗାନ୍ଧିଜୀଙ୍କର ସରଳତାର ସୁଯୋଗ ନେଇ ଜିନ୍ନାଙ୍କର କଂଗ୍ରେସବିରୋଧୀ କାର୍ଯ୍ୟକଳାପ ଦିନକୁ ଦିନ ବଢ଼ିଚାଲିଲା । କଂଗ୍ରେସକୁ ହିନ୍ଦୁମାନଙ୍କର ଏକ ସାଂପ୍ରଦାୟିକ ଅନୁଷ୍ଠାନ ବୋଲି ସେ ଆଖ୍ୟା ଦେଲେ ଓ କଂଗ୍ରେସ ବିରୁଦ୍ଧରେ ନାନା ପ୍ରକାର ଦୁର୍ନାମ ରଟନା କରିବାକୁ ସେ ଭୁଲିଲେ ନାହିଁ । ଭାରତରେ ମୁସଲ୍‍ମାନ ଏକ ସ୍ଵତନ୍ତ୍ର ଜାତି ବୋଲି ସେ ଘୋଷଣା କଲେ; କିନ୍ତୁ ଗାନ୍ଧିଜୀ ଏହି ଉକ୍ତିକୁ ଦୃଢ଼ଭାବରେ ଖଣ୍ଡନ କରିଥିଲେ ।

 

୧୯୪୫ ମସିହା ମେ ୭ ତାରିଖରେ ଜର୍ମାନୀର ପତନ ହେଲା; ତା ସଙ୍ଗେ ସଙ୍ଗେ ଘଟିଲା ଦ୍ଵିତୀୟ ମହାସମରର ପରିସମାପ୍ତି । ଜୁନ୍ ୫ ତାରିଖରେ ଲର୍ଡ଼ ୱାଭେଲ୍‍ ଘୋଷଣା କଲେ ଯେ ଭାରତୀୟମାନେ ସେମାନଙ୍କ ପାଇଁ ସଂବିଧାନ ତିଆରି କରିପାରିବେ । ଏହା ପୂର୍ବରୁ ସେ ଏକଜିକ୍ୟୁଟିଭ୍ କାଉନ୍‍ସିଲ୍‍କୁ ହିନ୍ଦୁ ଓ ମୁସଲ୍‍ମାନ ଉଭୟ ସଂପ୍ରଦାୟର ନେତାଙ୍କ ସହଯୋଗରେ ପୁନର୍ଗଠନ କରିବାକୁ ଚାହିଁଲେ । ଜୁନ୍ ୧୪ ତାରିଖରେ ରାଜନୀତିକ ବନ୍ଦୀମାନଙ୍କୁ ଖଲାସ କରିଦିଆଗଲା ଓ ୱାଭେଲ୍‍ଙ୍କର ଘୋଷଣା ବିଷୟରେ ଆଲୋଚନା କରିବା ପାଇଁ ସିମଳାଠାରେ ଏକ ସର୍ବଦଳୀୟ ସମ୍ମିଳନୀ ଆହୂତ ହେଲା । ରାଜେନ୍ଦ୍ର ପ୍ରସାଦ ଏଥିରେ ଯୋଗଦେଇଥିଲେ; କିନ୍ତୁ ଜିନ୍ନାଙ୍କର ମତିଗତି ଯୋଗୁଁ ଆଲୋଚନା ପୂର୍ଣ୍ଣ ସଫଳ ହୋଇପାରିଲା ନାହିଁ । ମୁସଲିମ୍‍ ଲିଗ୍‍ର ବିନା ଅନୁମତିରେ ମୁସଲ୍‍ମାନ୍‍ମାନେ ଏକଜିକ୍ୟୁଟିଭ୍ କାଉନ୍‍ସିଲ୍‍ରେ ସଭ୍ୟ ହୋଇପାରିବେ ନାହିଁ ବୋଲି ଜିନ୍ନା ରୋକ୍‍ଠୋକ୍‍ଭାବେ ମନା କରିଦେଲେ । ଗାନ୍ଧିଜୀଙ୍କ ନିର୍ଦ୍ଦେଶକ୍ରମେ ରାଜେନ୍ଦ୍ର ପ୍ରସାଦ କଂଗ୍ରେସ ତରଫରୁ କାଉନ୍‍ସିଲ୍‍ ପାଇଁ ସଭ୍ୟ ମନୋନୀତ ହେଲେ ।

 

୧୯୪୫ ମସିହା ଜୁଲାଇ ମାସରେ ବିଲାତିରେ ମନ୍ତ୍ରିମଣ୍ଡଳ ପରିବର୍ତ୍ତିତ ହେଲା । ଅଟ୍‍ଲିଙ୍କ ନେତୃତ୍ଵରେ ଶ୍ରମିକଦଳ ମନ୍ତ୍ରିମଣ୍ଡଳ ଗଢ଼ିଲେ । ପ୍ରଧାନମନ୍ତ୍ରୀତ୍ଵ ଗ୍ରହଣ କଲା ପରେ ପରେ ଅଟ୍‍ଲି ଦେଖିଲେ ଯେ ଭାରତର ରାଜନୀତିକ ଅସ୍ଥିରତା ଦୂର ନ ହେଲେ ପରସ୍ଥିତି ଅସମ୍ଭାଳ ହୋଇପଡ଼ିବ । ତେଣୁ ସେ ସଂବିଧାନ ତିଆରି କରିବା ପାଇଁ ଏକ କମିଟି ଗଠନ ତଥା କେନ୍ଦ୍ର ଓ ରାଜ୍ୟ ବିଧାନ ପରିଷଦ ପାଇଁ ନିର୍ବାଚନର ବିହିତ ବ୍ୟବସ୍ଥା କରିବାକୁ ଅନୁମତି ଦେଲେ ।

 

୧୯୪୬ ମସିହା ଜାନୁଆରୀ ମାସରେ ନିର୍ବାଚନ ଶେଷ ହେଲା । ମୁସଲିମ୍‍ଲିଗ୍‍ କେନ୍ଦ୍ର ବିଧାନ ପରିଷଦରେ ୩୦ଟି ସ୍ଥାନ ଓ ରାଜ୍ୟ ବିଧାନ ପରିଷଦରେ ୪୨୭ଟି ସ୍ଥାନ ଅଧିକାର କଲେ-। କଂଗ୍ରେସ କେନ୍ଦ୍ରରେ ୫୬ଟି ସ୍ଥାନ ଓ ରାଜ୍ୟମାନଙ୍କରେ ୯୩୦ଟି ସ୍ଥାନ ଅଧିକାର କରି ଶତକରା ୯୧ଟି ସ୍ଥାନରେ ଜୟଯୁକ୍ତ ହେଲେ । ସଂଖ୍ୟାଗରିଷ୍ଠତା ଲାଭ କରିଥିବା ୮ଟି ପ୍ରଦେଶରେ କଂଗ୍ରେସ ମନ୍ତ୍ରିମଣ୍ଡଳ ଗଢ଼ିଲା । ପଞ୍ଜାବରେ ମିଳିତ ମନ୍ତ୍ରିମଣ୍ଡଳ ଗଢ଼ାଗଲା; କିନ୍ତୁ ବଙ୍ଗ ଓ ସିନ୍ଧୁରେ ବିଲାତି ଲୋକଙ୍କ ସାହାଯ୍ୟରେ ମୁସଲିମ୍‍ଲିଗ୍ ମନ୍ତ୍ରିମଣ୍ଡଳ ଗଢ଼ିଲେ ।

 

ଜାନୁଆରୀ ମାସରେ ବିଲାତରୁ ଏକ ପାର୍ଲିଆମେଣ୍ଟାରୀ ପ୍ରତିନିଧିଦଳ ଭାରତର ରାଜନୀତିକ ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଭାରତରେ ଆସି ପହଞ୍ଚିଲେ । ସବୁଠାରେ ବିଟ୍ରିଶ–ବିରୋଧୀ ମନୋଭାବ ସେମାନେ ଦେଖିବାକୁ ପାଇଥିଲେ; ତେଣୁ ସେମାନେ ଫେରିଯାଇ ତାହା ବିଟ୍ରିଶ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦେଇଥିଲେ ପ୍ରଧାନମନ୍ତ୍ରୀ ପ୍ରତିନିଧିଦଳଙ୍କ ସୁପାରିସମତେ ଭାରତର ପ୍ରକୃତ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ଏକ ଉଚ୍ଚ କ୍ଷମତାସଂପନ୍ନ କ୍ୟାବିନେଟ୍‍ ମିଶନ୍ ପଠାଇଥିଲେ-। ଏହି ମିଶନ୍‍ର ପ୍ରତିନିଧିତ୍ଵ କରିଥିଲେ ସାର୍‍ ଷ୍ଟାଫୋର୍ଡ଼ କ୍ରିପ୍‍ସ, ଲର୍ଡ଼ ପେଥିକ୍‍ ଲରେନସ୍ ଓ ଏ.ଭି. ଆଲେକଜାଣ୍ଡର । ଏହି ମିଶନ୍ ସବୁ ଦଳର ନେତାମାନଙ୍କ ସହିତ ସାକ୍ଷାତ କରିଥିଲେ; କିନ୍ତୁ କୌଣସି ସମାଧାନର ଉପାୟ ନ ପାଇ ସେମାନେ ନିଜ ମନ ମୁତାବକ ଏକ ପରିକଳ୍ପନା ଉପସ୍ଥାପନ କରିଥିଲେ । ଏହି ଯୋଜନାରେ ଅବଶ୍ୟ ପାକିସ୍ଥାନ ଗଠନର କୌଣସି ଲିପିବଦ୍ଧ ବନ୍ଦୋବସ୍ତ ନ ଥିଲା; କିନ୍ତୁ ଏକ କେନ୍ଦ୍ର ସରକାର ଗଠନର ବ୍ୟବସ୍ଥା ଥିଲା, ଯାହାର ଗଠନରେ ସାଂପ୍ରଦାୟିକତାକୁ ପ୍ରାଧାନ୍ୟ ଦିଆଯାଇଥିଲା । ପୁନଶ୍ଚ କେବଳ ବୈଦେଶିକ ବ୍ୟାପାର, ଦେଶରକ୍ଷା ଓ ପରିବହନକୁ କେନ୍ଦ୍ର ସରକାରଙ୍କ ଅଧୀନରେ ରଖିବାର ବ୍ୟବସ୍ଥା ମଧ୍ୟ ସେଥିରେ ଅଙ୍ଗୀଭୂତ କରାଯାଇଥିଲା । ରାଜେନ୍ଦ୍ର ପ୍ରସାଦ ଯୋଜନାକୁ ସମାଲୋଚନା କରି କହିଥିଲେ ଯେ ସେଥିରେ ପାକିସ୍ଥାନ ଗଠନ ପାଇଁ ପରୋକ୍ଷରେ ବୀଜବପନ କରାଯାଇଅଛି । ସେହି ପରିକଳ୍ପନା ପ୍ରଣୟନରେ ମୁସଲିମ୍‍ ଲିଗ୍‍ ଦଳ ଯଥେଷ୍ଟ ଆନନ୍ଦ ପ୍ରକାଶ କରିଥିଲେ ସତ; କିନ୍ତୁ କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ସେହି ଯୋଜନାର ତୀବ୍ର ସମାଲୋଚନା କରାଯାଇଥିଲା ।ଏହା ସତ୍ତ୍ୱେ ବଡ଼ଲାଟ ଉଭୟ କଂଗ୍ରେସ ଓ ମୁସଲିମ୍‍ ଲିଗ୍‍ର ପ୍ରତିନିଧିମାନଙ୍କୁ ନେଇ ଏକ ମଧ୍ୟବର୍ତ୍ତୀକାଳୀନ କେନ୍ଦ୍ର ସରକାର ଗଠନ କରିବାକୁ ସ୍ଥିର କଲେ ।ଏଥିପାଇଁ କଂଗ୍ରେସ ଦଳରୁ ଯେଉଁ ପ୍ରତିନିଧିମାନଙ୍କର ନାମ ସରକାରୀ ଭାବେ ସ୍ଥିର କରାଯାଇଥିଲା, ସେମାନେ ହେଉଛନ୍ତି ନେହରୁ, ପଟେଲ, ରାଜେନ୍ଦ୍ର ପ୍ରସାଦ, ରାଜଗୋପାଳାଚାରୀ ଓ ମହତାବ । ବଡ଼ଲାଟ ସେଥିପାଇଁ ସେମାନଙ୍କୁ ନିମନ୍ତ୍ରଣ ଜଣାଇଥିଲେ; କିନ୍ତୁ ଦଳର ନିର୍ଦ୍ଦେଶକ୍ରମେ ସେମାନେ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ତେଣୁ ପରିକଳ୍ପିତ ଯୋଜନା କାର୍ଯ୍ୟକାରୀ ହୋଇପାରି ନ ଥିଲା । ବଡ଼ଲାଟ କେତେ ଜଣ ଅଫିସରଙ୍କୁ ନେଇ ଏକ ତତ୍ତ୍ଵାବଧାରକ ସରକାର (Care-taker Government) ଗଠନ କରିଥିଲେ ।

 

ତା’ପରେ ବଙ୍ଗଳାରେ ସାଂପ୍ରଦାୟିକ ଦଙ୍ଗାର ସୂତ୍ରପାତ ହେଲା । ହଜାର ହଜାର ନିରୀହ ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ ଓ କୋଟି କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିଲା । ମୁସଲ୍‍ମାନବହୁଳ ନୂଆଖାଲି ଜିଲ୍ଲାରେ ଏହା ଭୟଙ୍କର ରୂପ ଧାରଣ କରିଥିଲା; ଯାହାକୁ କି ପୁଲିସ ଓ ସୈନ୍ୟବାହିନୀ ଆୟତ୍ତ କରିପାରି ନ ଥିଲେ । ତେଣୁ ଗାନ୍ଧିଜୀ ନିଜେ ନୂଆଖାଲି ଯାଇ ସେହି ସାଂପ୍ରଦାୟିକ ଦଙ୍ଗାର ଅବସାନ ଘଟାଇଥିଲେ ।

 

କ୍ରମେ ଦେଶର ରାଜନୀତିକ ପରିସ୍ଥିତି ଜଟିଳ ହେବାକୁ ଲାଗିଲା । ସାଂପ୍ରଦାୟିକ ତିକ୍ତତା ଚୂଡ଼ାନ୍ତ ରୂପରେଖ ନେଲା । ବଡ଼ଲାଟ ନିଜେ ଅବବୋଧ କଲେ ଯେ କେନ୍ଦ୍ରରେ ପ୍ରତିନିଧିମୂଳକ ସରକାର ଗଠନ ନ କରାଗଲେ, ଅବସ୍ଥା ଅସମ୍ଭାଳ ହୋଇପଡ଼ିବ । ତେଣୁ ସେ ନେହରୁଙ୍କୁ ଜିନ୍ନାଙ୍କ ସହିତ ପରାମର୍ଶ କରି ଏକ ସରକାର ଗଠନ କରିବାକୁ ଅନୁରୋଧ କଲେ; କିନ୍ତୁ ଜିନ୍ନା କିମ୍ବା ତାଙ୍କ ଦଳ ଏଥିରେ ନେହରୁଙ୍କୁ ଆଦୌ ସହଯୋଗ କଲେ ନାହିଁ । ତେଣୁ ନେହରୁ ୧୨ ଜଣ କଂଗ୍ରେସ ସଭ୍ୟବିଶିଷ୍ଟ ଏକ ମନ୍ତ୍ରିମଣ୍ଡଳର ତାଲିକା ତିଆରି କଲେ ଓ ବଡ଼ଲାଟଙ୍କ ଦ୍ଵାରା ତାହା ଗୃହୀତ ହୋଇଥିଲା । ୧୯୪୬ ମସିହା ସେପ୍‍ଟେମ୍ବର ୨ ତାରିଖରେ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଗଠନ କରଯାଇଥିଲା । ନେହରୁ ତାହାର ହୋଇଥିଲେ ଉପସଭାପତି । ରାଜେନ୍ଦ୍ର ପ୍ରସାଦଙ୍କୁ ଖାଦ୍ୟ ଓ କୃଷି ବିଭାଗ ଦିଆଯାଇଥିଲା । ତା’ପରେ ବଡ଼ଲାଟଙ୍କ ପ୍ରବର୍ତ୍ତନାକ୍ରମେ ଜିନ୍ନା ଓ ନେହରୁଙ୍କ ମଧ୍ୟରେ ଏକ ସମ୍ମାନଜନକ ସମାଧାନ ଅଣାଯାଇ ଏକ ମିଳିତ ମନ୍ତ୍ରିମଣ୍ଡଳ ଗଢ଼ାଯାଇଥିଲା । ଏହା ସତ୍ତ୍ୱେ ଦେଶରୁ ସାଂପ୍ରଦାୟିକ ତିକ୍ତତା ଲୋପ ପାଇ ନ ଥିଲା ଓ ଜିନ୍ନା ପାକିସ୍ଥାନ ଗଠନ ବ୍ୟବସ୍ଥାରୁ ବିରତ ହୋଇ ନ ଥିଲେ । କଂଗ୍ରେସ ଓ ଲିଗ୍‍ ପ୍ରତିନିଧିମାନଙ୍କ ମଧ୍ୟରେ ଆଦର୍ଶଗତ ଭିନ୍ନତା ଯୋଗୁଁ ମିଳିତ ମନ୍ତ୍ରିମଣ୍ଡଳରେ ସଂହତି ରକ୍ଷା କରାଯାଇ ପାରି ନ ଥିଲା । ତେଣୁ ପରିସ୍ଥିତିର ବିଚାର କରି ବ୍ରିଟିଶ ପ୍ରଧାନମନ୍ତ୍ରୀ ଅଟ୍‍ଲି ୧୯୪୭ ମସିହା ଫେବୃଆରୀ ୨୦ ତାରିଖରେ ଘୋଷଣା କଲେ ଯେ ଦାୟିତ୍ଵସମ୍ପନ୍ନ ଭାରତୀୟଙ୍କୁ ଶାସନକ୍ଷମତା ହସ୍ତାନ୍ତର କରାଯିବ । ଏଥିପାଇଁ ଜାଠଦଳର ନେତା ଚର୍ଚ୍ଚିଲ୍‍ଙ୍କଠାରୁ ଅବଶ୍ୟ ତାଙ୍କୁ କଟୁ ସମାଲୋଚନା ସହ୍ୟ କରିବାକୁ ପଡ଼ିଥିଲା । ଅଟ୍‍ଲିଙ୍କ ଘୋଷଣାକୁ ଚର୍ଚ୍ଚିଲ୍‍ କହିଥିଲେ– ‘Shameful flight, a premature hurried scuttle’ କିନ୍ତୁ ଅଟ୍‍ଲି ତାହା ପ୍ରତି କର୍ଣ୍ଣପାତ କରି ନ ଥିଲେ । କାରଣ ତାଙ୍କର ଲକ୍ଷ୍ୟ ଥିଲା ଭାରତରେ ଥିବା ସଂଖ୍ୟାଗୁରୁ ଦଳମାନଙ୍କ ମଧ୍ୟରେ ଏକ ସନ୍ତୋଷଜନକ ସମାଧାନ ଆଣିବା ।

 

୧୯୪୭ ମସିହା ମାର୍ଚ୍ଚ ୨୩ ତାରିଖରେ ଲର୍ଡ଼ ଓ ୱାଭେଲ୍‍ଙ୍କଠାରୁ ଲର୍ଡ଼ ମାଉଣ୍ଟଵ୍ୟାଟେନ ଦାୟିତ୍ଵ ଗ୍ରହଣ କଲେ । ସେତେବେଳକୁ ଭାରତର ଆଭ୍ୟନ୍ତରୀଣ ଅବସ୍ଥାରେ ସେପରି କିଛି ଉନ୍ନତି ଘଟି ନ ଥାଏ ।ତେଣୁ ସେ ଅବସ୍ଥାର ଆଶୁ ଉନ୍ନତି ପାଇଁ ଚେଷ୍ଟା ଚଳାଇଲେ । ୱାଭେଲ୍‍ଙ୍କଠାରୁ ମାଉଣ୍ଟବ୍ୟାଟେନ ଅଧିକ କାର୍ଯ୍ୟକ୍ଷମ । କୌଣସି ଜଟିଳ ସମସ୍ୟା ଉପରେ ନ୍ୟାୟୋଚିତ ସିଦ୍ଧାନ୍ତ ଗ୍ରହଣ କରିବାରେ ସେ ଥିଲେ ଧୂରନ୍ଧର; ତେଣୁ ଅତିଶୀଘ୍ର କିଛି ନା କିଛି ସମାଧାନ ସେ ଖୋଜିବସିଲେ । ନେତୃବୃନ୍ଦଙ୍କ ସହିତ ତାଙ୍କର ଏକାଧିକବାର ଆଲୋଚନା ଫଳପ୍ରସୂ ହେଲା । ମୁସଲମାନ୍‍ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ରାଜ୍ୟ ପାକିସ୍ଥାନ ଗଠନର ମଧ୍ୟ ମସୁଧା କରାଗଲା ଓ ଭାରତକୁ ସ୍ୱାଧୀନତା ଦେବାର ପ୍ରସ୍ତାବ ଗ୍ରହଣ କରାଗଲା । ମାଉଣ୍ଟବ୍ୟାଟେନ୍‍ଙ୍କର ଏହି ପ୍ରସ୍ତାବ ବ୍ରିଟିଶ ସରକାର ଅନୁମୋଦନ କଲେ ।

 

ପାକିସ୍ଥାନ ଗଠନ ପ୍ରସ୍ତାବ ଅବଶ୍ୟ ଦେଶବାସୀଙ୍କ ମନରେ ନେତୃବୃନ୍ଦଙ୍କ ପ୍ରତି ବିଦ୍ୱେଷଭାବ ସୃଷ୍ଟି କରିଥିଲା ସତ; କିନ୍ତୁ ପଣ୍ଡିତ ନେହରୁ, ସର୍ଦ୍ଦାର ପଟେଲ ଓ ରାଜଗୋପାଳାଚାରୀ ପ୍ରମୁଖ ନେତୃବୃନ୍ଦଙ୍କର ନିବେଦନ ତଥା ଅନୁରୋଧକ୍ରମେ ଦେଶବାସୀ ତାହା ଗ୍ରହଣ କରିଥିଲେ । କାରଣ ଦେଶର ସ୍ୱାଧୀନତା ହାସଲ ପାଇଁ ଆଉ ଉପାୟାନ୍ତର ନ ଥିଲା । ଦେହର ଏକ ବ୍ୟାଧିଗ୍ରସ୍ତ ଅଙ୍ଗକୁ ବାରମ୍ବାର ଅସ୍ତ୍ରୋପଚାର ନ କରି, କାଟି ବାହାର କରିଦେବା ସହିତ ପାକିସ୍ଥାନ ଗଠନକୁ ସେମାନେ ତୁଳନା କରିଥିଲେ । ଜୁନ ୧୪ ଓ ୧୫ ତାରିଖରେ ନିଖିଳ ଭାରତ କଂଗ୍ରେସ କମିଟିରେ ପଣ୍ଡିତ ଗୋବିନ୍ଦବଲ୍ଲଭ ପନ୍ଥ ପାକିସ୍ଥାନ ଗଠନ ପାଇଁ ଏକ ପ୍ରସ୍ତାବ ଆଗତ କରିଥିଲେ ଓ ତାହା ଅଧିକ ସଂଖ୍ୟକ ଭୋଟରେ ଗୃହୀତ ହୋଇଯାଇଥିଲା ।

 

ତା’ପରେ ମାଉଣ୍ଟବ୍ୟାଟେନଙ୍କ ସଭାପତିତ୍ୱରେ ବିଭାଗୀକରଣ କାଉନ୍‍ସିଲ ଗଠନ କରାଯାଇଥିଲା । କଂଗ୍ରେସ ତରଫରୁ ସର୍ଦ୍ଦାର ପଟେଲ ଓ ରାଜେନ୍ଦ୍ର ପ୍ରସାଦ ଏବଂ ମୁସଲିମ୍‍ ଲିଗ୍‍ ପକ୍ଷରୁ ଜିନ୍ନା ଓ ଲିଆକତ୍ଅଲ୍ଲୀ ଖାଁ ଏଥିରେ ପ୍ରତିନିଧିତ୍ଵ କରିଥିଲେ । ଧନସମ୍ପତ୍ତି ଓ ଆୟ-ଦେୟ ବଣ୍ଟନରେ ରାଜେନ୍ଦ୍ର ପ୍ରସାଦଙ୍କର ଆଇନଜ୍ଞାନ ଭାରତ ପାଇଁ ଯଥେଷ୍ଟ ସହାୟକ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖଠାରୁ ଭାରତ ମୁସଲମାନ୍‍ବହୁଳ ଅଞ୍ଚଳକୁ ନେଇ ପାକିସ୍ଥାନ ଗଠନ କରାଗଲା । ପଟେଲଙ୍କର ଦୃଢ଼ ନେତୃତ୍ୱ ବଳରେ କାଶ୍ମୀର ଓ ହାଇଦ୍ରାବାଦ ବ୍ୟତୀତ ଭାରତର ସମସ୍ତ କରଦ ରାଜ୍ୟକୁ ଦେଶରେ ମିଶାଇ ଦିଆଗଲା । ଅନ୍ୟ ଗଡ଼ଜାତ ରାଜ୍ୟଙ୍କ ତୁଳନାରେ କାଶ୍ମୀର ଓ ହାଇଦ୍ରାବାଦ ଆୟତନ ଦୃଷ୍ଟିରୁ ଥିଲେ ସବୁଠାରୁ ବଡ଼ । କାଶ୍ମୀରର ଶାସକ ହେଉଛନ୍ତି ହିନ୍ଦୁ, କିନ୍ତୁ ପ୍ରଜାମାନଙ୍କ ମଧ୍ୟରେ ମୁସଲମାନମାନଙ୍କ ସଂଖ୍ୟା ହେଉଛି ସବୁଠାରୁ ଅଧିକ । ହାଇଦ୍ରାବାଦର ପ୍ରଜାମାନେ ଅଧିକାଂଶ ହେଉଛନ୍ତି ହିନ୍ଦୁ; କିନ୍ତୁ ଶାସକ ହେଉଛନ୍ତି ମୁସଲମାନ୍‍ । ହାଇଦ୍ରାବାଦକୁ ଏକ ସ୍ଵାଧୀନ ମୁସଲମାନ୍‍ ରାଜ୍ୟରୂପେ ଭାରତ ମଝିରେ ରଖି ଅନବରତ ଆଭ୍ୟନ୍ତରୀଣ ଗଣ୍ଡଗୋଳ ସୃଷ୍ଟି କରିବା ଥିଲା ପାକିସ୍ଥାନର ଲକ୍ଷ୍ୟ ; କିନ୍ତୁ ହାଇଦ୍ରାବାଦର ଲୋକସଂଖ୍ୟାର ଶତକରା ୮୮ ଜଣ ହେଉଛନ୍ତି ହିନ୍ଦୁ । ସେମାନେ ଭାରତବର୍ଷରେ ରହିବାକୁ ଚାହିଁଲେ । କାଶ୍ମୀର ସୀମା ଦୃଷ୍ଟିରୁ ପାକିସ୍ଥାନର ପଡୋଶୀ ହୋଇଥିଲେ ମଧ୍ୟ କାଶ୍ମୀରବାସୀ ଭାରତ ସହିତ ଆବଦ୍ଧ ରହିବାକୁ ଚାହୁଁଥିଲେ; କିନ୍ତୁ କାଶ୍ମୀର ମହାରାଜା ହଠାତ୍‍ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରି ନ ଥିଲେ । ଏହିପରି ଏକ ଅନିଶ୍ଚିତ ଅବସ୍ଥାରେ ପାକିସ୍ଥାନ ତା’ର ସୀମାନ୍ତ ଅଞ୍ଚଳରେ ବାସକରୁଥିବା ପାହାଡ଼ିଆ ଲୋକଙ୍କୁ କାଶ୍ମୀର ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲା । ଆକ୍ରମଣକାରୀମାନଙ୍କ ଅତ୍ୟାଚାରରେ ଲୋକେ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ତେଣୁ କାଶ୍ମୀର ମହାରାଜା ଓ ତତ୍କାଳୀନ ଲୋକପ୍ରତିନିଧି ଶେଖ୍ ଅବ୍‍ଦୁଲ୍ଲା ଉଭୟେ ଭାରତ ସହିତ ଯୋଗଦେବା ପ୍ରସ୍ତାବକୁ ଗ୍ରହଣ କରି ନେଇଥିଲେ । ପାକିସ୍ଥାନର ସେ ସମୟରୁ ଅଧିକୃତ ଅଞ୍ଚଳ ଆଜି ଆଜାଦ୍‍ କାଶ୍ମୀର ନାମରେ ଏକ ବିବାଦୀୟ ଅଞ୍ଚଳ ହୋଇ ରହିଅଛି । ଜାତିସଂଘର ନିଷ୍ପତ୍ତି କିମ୍ବା ଗୁଳିଗୁଳା ତାହାର କୌଣସି ସମାଧାନ ଏ ପର୍ଯ୍ୟନ୍ତ କରିପାରି ନାହିଁ ।

 

ସେତେବେଳେ ପାକିସ୍ଥାନର ପ୍ରରୋଚନାରେ ପଡ଼ି ହାଇଦ୍ରାବାଦ ମଧ୍ୟ ଅନ୍ତର୍ଘାତୀ କାର୍ଯ୍ୟକଳାପର ଏକ ପୀଠସ୍ଥଳୀ ହୋଇ ପଡ଼ିଥିଲା । ସେଠାର ‘ରାଜକର’ ବୋଲି ଗୋଟିଏ ଦଳ ଲାଲକିଲ୍ଲାରେ ନିଜାମଙ୍କ ପତାକା ଉଡ଼ାଇବାର ଆସ୍ଫାଳନ କରି ହିନ୍ଦୁମାନଙ୍କ ପ୍ରତି ଅଯଥା ଅତ୍ୟାଚାର କରିବାକୁ ଆରମ୍ଭ କଲେ । ତେଣୁ ଭାରତ ସରକାର ବଳପୂର୍ବକ ହାଇଦ୍ରାବାଦ ଦଖଲ କରିନେଲେ; ଫଳତଃ ହାଇଦ୍ରାବାଦ ଭାରତରେ ମିଶିଗଲା ।

Image

 

ଖାଦ୍ୟ ଓ କୃଷିମନ୍ତ୍ରୀ ଡକ୍‍ଟର ରାଜେନ୍ଦ୍ର ପ୍ରସାଦ

 

୧୯୪୬ ମସିହା ସେପ୍‍ଟେମ୍ବର ୨ ତାରିଖରେ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରିମଣ୍ଡଳ ଗଠନ କରାଗଲା । ଏଥିରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଖାଦ୍ୟ ଓ କୃଷିବିଭାଗ ଦାୟିତ୍ଵରେ ରହିବାକୁ ପଡ଼ିଲା । ଏହି ସମସ୍ୟାବହୁଳ ବିଭାଗଟିର ପରିଚାଳନାରେ ରାଜେନ୍ଦ୍ର ପ୍ରସାଦ ପ୍ରଶଂସନୀୟ ପାରଦର୍ଶିତା ଦେଖାଇ ପାରିଥିଲେ । ଯେହେତୁ କୃଷକମାନଙ୍କର ସେ ଥିଲେ ଜନୈକ ଅନ୍ତରଙ୍ଗ ବନ୍ଧୁ, ତେଣୁ କୃଷି ଓ କୃଷକର ପ୍ରକୃତ ସମସ୍ୟା ତାଙ୍କୁ ଅବିଦିତ ନ ଥିଲା । ମନ୍ତ୍ରୀ ହିସାବରେ ସେ ଭଲଭାବେ ହୃଦୟଙ୍ଗମ କରିଥିଲେ । ଯେ କ୍ରମବର୍ଦ୍ଧିଷ୍ଣୁ ଜନତାର ଖାଦ୍ୟାଭାବ ନ ମେଣ୍ଟିଲେ ଦେଶର ଅର୍ଥନୀତି ଆଦୌ ସମୃଦ୍ଧ ହୋଇପାରିବ ନାହିଁ । ଅତଏବ ଉତ୍ପାଦନ ଚାହିଦା ସହିତ ସମାନ୍ତରାଳ ଭାବେ ଗତି କରିବା ଉଚିତ ।

 

ସେ ସମୟରେ ଦେଶରେ ଖାଦ୍ୟାଭାବ ଭୟଙ୍କର ରୂପ ଧାରଣ କରିଥାଏ । ବଙ୍ଗଳା ଦୁର୍ଭିକ୍ଷ ପରି ଦେଶରେ ପୁଣି ଏକ ଦୁର୍ଭିକ୍ଷର ପୁନରାବୃତ୍ତି ହେବ ବୋଲି ଆଶଙ୍କା କରାଯାଉଥାଏ । ବାହାରୁ ଖାଦ୍ୟଶସ୍ୟ ଆମଦାନି ପାଇଁ ସେପରି କିଛି ସୁବିଧା ନ ଥାଏ । ତେଣୁ ବାଧ୍ୟ ହୋଇ ରାଜେନ୍ଦ୍ର ପ୍ରସାଦ ସମଗ୍ର ଦେଶରେ ପଡ଼ିପ୍ରଥା ପ୍ରଚଳନ କଲେ । ପ୍ରତି ଲୋକଙ୍କୁ ଦିନକୁ ୧୨ ଆଉନସ୍‍ ପରି ପଡ଼ି ଦିଆଗଲା । ଏହି ପ୍ରଥା ଯେପରି ବିଫଳ ନ ହୁଏ, ସେଥିପ୍ରତି ସେ ତୀକ୍ଷଣ ଦୃଷ୍ଟି ଦେଇଥିଲେ । ତାଙ୍କରି ନିର୍ଦ୍ଦେଶକ୍ରମେ ଦୋକାନମାନଙ୍କରେ ପ୍ରଚୁର ପରିମାଣରେ ଖାଦ୍ୟଦ୍ରବ୍ୟ ମହଜୁଦ୍ ରଖାଯାଇଥିଲା । ଏହା ସତ୍ତ୍ୱେ ଦେଶରେ ଚାଉଳ ଏତେ ଅଭାବ ପଡ଼ିଲା ଯେ ଦକ୍ଷିଣ-ଭାରତୀୟ, ଯେଉଁମାନେ ରୁଟି ଖାଇବାରେ ଆଦୌ ଅଭ୍ୟସ୍ତ ନୁହନ୍ତି, ସେମାନଙ୍କୁ ରୁଟି ଓ ମକାଛତୁ ଖାଇବାକୁ ବାଧ୍ୟ କରାଯାଇଥିଲା । କିଛି ଦିନ ପରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଗହମର ଅଭାବ ପଡ଼ିବାରୁ ଲୋକଙ୍କୁ କେବଳ ଚାଉଳ ଯୋଗାଇ ଦିଆଯାଇଥିଲା । ଏହିପରି ଖାଦ୍ୟାଭାବ ୧୯୪୬ ମସିହାରୁ ୧୯୪୭ ମସିହା ପର୍ଯ୍ୟନ୍ତ ଲାଗି ରହିଥିଲା । ମୁନାଫାଖୋର ବ୍ୟବସାୟୀଗୋଷ୍ଠୀ ପରସ୍ଥିତିର ସୁଯୋଗ ନେଇ ଖାଦ୍ୟଦ୍ରବ୍ୟର ଦରଦାମ ମଧ୍ୟ ବଢ଼ାଇ ଚାଲିଥିଲେ । ଦରଦାମ ବୃଦ୍ଧି କିପରି ରୋକାଯାଇ ପାରିବ, ସେଥିଯୋଗୁଁ କେନ୍ଦ୍ର–ବାଣିଜ୍ୟ ମନ୍ତ୍ରଣାଳୟ, ରାଜ୍ୟସ୍ତରୀୟ କର୍ମଚାରୀମାନଙ୍କର ବହୁ ସମ୍ମିଳନୀ ଆହ୍ୱାନ କରିଥିଲେ; କିନ୍ତୁ ଫଳାଫଳ ଆଶାଜନକ ହୋଇ ନ ଥିଲା; ବରଂ ମୁନାଫାଖୋରୀ ଓ କଳାବଜାରୀ କ୍ରମେ ବୃଦ୍ଧି ପାଇଥିଲା ।

 

ରାଜେନ୍ଦ୍ର ପ୍ରସାଦ ଖାଦ୍ୟ ଓ କୃଷି ମନ୍ତ୍ରଣାଳୟର ଦାୟିତ୍ଵ ନେଲାପରେ ଦେଖିଲେ ଯେ, ବାହାରୁ ଖାଦ୍ୟଶସ୍ୟ ଆମଦାନୀ କରି ଖାଦ୍ୟାଭାବ ମେଣ୍ଟାଇବା ଭାରତ ପକ୍ଷରେ ଆଦୌ ସମୀଚୀନ ନୁହେଁ । ତେଣୁ ସେ କୃଷକମାନଙ୍କୁ ଆମଦାନୀ ବଢ଼ାଇବା ପାଇଁ ନିବେଦନ କରିଥିଲେ । ପରସ୍ଥିତି ସମ୍ଭାଳିବା ପାଇଁ ଦେଶ ବାହାରୁ କିପରି ଅଧିକ ଖାଦ୍ୟଶସ୍ୟ ଆମଦାନୀ କରାଯିବ, ସେଥିନିମନ୍ତେ ମଧ୍ୟ ସେ ଯତ୍‍ପରୋନାସ୍ତି ଉଦ୍ୟମ କରିଥିଲେ । ତାଙ୍କରି ସମୟରେ ଆମେରିକାରୁ ପ୍ରଚୁର ପରିମାଣରେ ଗହମ ଓ ମକ୍‍କା ଆମଦାନୀ କରାଯାଇଥିଲା; ଏହା ସତ୍ତ୍ୱେ ଖାଦ୍ୟଶସ୍ୟ ଉପରୁ ନିୟନ୍ତ୍ରଣ ଉଠାଯାଇ ନ ଥିଲା । ଦାର୍ଘଦିନ ଧରି ଖାଦ୍ୟଶସ୍ୟ ଉପରେ ନିୟନ୍ତ୍ରଣ ବଳବତ୍ତର ରହିବାରୁ ଖାଉଟିଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ଏହାକୁ ଅନେକେ ଆତ୍ମନିର୍ଭରଶୀଳତାର ପ୍ରତିକୂଳ ବୋଲି ମତ ଦେଇଥିଲେ । ଖାଦ୍ୟଶସ୍ୟର ଦରଦାମ ସ୍ଥିରୀକୃତ ହେବାଦ୍ଵାରା ଚାଷୀମାନେ ଅଧିକ ଉତ୍ପାଦନ କରିବା ପାଇଁ ଉତ୍ସାହିତ ହେବେ ନାହିଁ ବୋଲି ମଧ୍ୟ ମତପ୍ରକାଶ ପାଇଥିଲା ।

 

ଦେଶର ତତ୍କାଳୀନ ପରିସ୍ଥିତି ଗାନ୍ଧିଜୀଙ୍କର ଦୃଷ୍ଟି ଆକର୍ଷଣ କଲା । ତେଣୁ ପ୍ରାର୍ଥନା ସଭାରେ ସେ କହିଥିଲେ–‘‘ଖାଦ୍ୟ ଓ ପରିଧାନ ଉପରେ ଦୀର୍ଘଦିନବ୍ୟାପୀ ନିୟନ୍ତ୍ରଣ ବଜାୟ ରଖିବା ଅତ୍ୟନ୍ତ ପରିତାପର ବିଷୟ । ଅନ୍ନବସ୍ତ୍ରରେ ଲୋକମାନଙ୍କର ଆତ୍ମପ୍ରତ୍ୟୟ ଆସିବା ନିହାତି ଦରକାର । ଯଦି ପରସ୍ଥିତିର ପୁନରାବୃତ୍ତି ହୁଏ, ତାହାହେଲେ ପୁଣି ଥରେ ନିୟନ୍ତ୍ରଣ ଜାରି କରାଯାଇପାରେ ।’’ ରାଜେନ୍ଦ୍ର ପ୍ରସାଦ ବାପୁଜୀଙ୍କର ଏହି ଉକ୍ତିକୁ ଖୁବ୍‌ ଯତ୍ନସହକାରେ ବିଚାର କରିଥିଲେ ଓ ପରସ୍ଥିତି ଅନୁଧ୍ୟାନ କରିବାପାଇଁ ସରକାରୀ ଓ ବେସରକାରୀ ଲୋକଙ୍କର ପ୍ରତିନିଧିତ୍ଵରେ ଏକ କମିଟି ନିଯୁକ୍ତି କରିଥିଲେ । ସେ କମିଟିର ଅଧ୍ୟକ୍ଷତା କରିଥିଲେ ଭାରତର ଅନ୍ୟତମ ବିଖ୍ୟାତ ବ୍ୟବସାୟୀ ଶ୍ରୀ ପୁରୁଷୋତ୍ତମ ଦାସ ଠାକୁରଦାସ । ସେହି କମିଟି ୧୯୪୭ ମସିହା ଡିସେମ୍ବର ମାସରେ ତାଙ୍କର ରିର୍ପୋଟ ଦାଖଲ କରିଥିଲେ । ଖାଦ୍ୟଶସ୍ୟ ଉପରୁ ନିୟନ୍ତ୍ରଣ ଉଠାଇନେବା ଓ ପଡ଼ି–ବ୍ୟବସ୍ଥାକୁ କ୍ରମେ ଲୋପ କରିବାକୁ କମିଟି ସୁପାରିଶ କଲେ । ଲୁକ୍‍କାୟିତ ଖାଦ୍ୟଶସ୍ୟ କିପରି ବଜାରକୁ ଆସିବ, ସେଥିପାଇଁ ମଧ୍ୟ କମିଟି ରାଜ୍ୟ–ରାଜ୍ୟ ମଧ୍ୟରେ ଅବାଧ ବାଣିଜ୍ୟ ପାଇଁ ସୁପାରିଶ କଲେ; କିନ୍ତୁ କମିଟିଙ୍କ ସୁପାରିଶ ଅନୁଯାୟୀ ପରୀକ୍ଷାମୂଳକ ବ୍ୟବସ୍ଥା ଆଦୌ ଫଳପ୍ରଦ ହୋଇ ନ ଥିଲା । ଦେଶରେ ଅଧିକ ପରିମାଣରେ ଖାଦ୍ୟଶସ୍ୟ ମହଜୁଦ ନ ଥିବା ତାହାର ହେଉଛି ଏକ ପ୍ରଧାନ କାରଣ । ପୁନଶ୍ଚ ନିୟନ୍ତ୍ରଣ ପ୍ରତ୍ୟାହାର କରିନେବା ପରେ ଖାଦ୍ୟଦ୍ରବ୍ୟର ଦରଦାମ ହୁ-ହୁ ହୋଇ ବଢ଼ିଚାଲିଥିଲା । ଏହାଦ୍ଵାରା ଗରିବ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେଣୁ ରାଜେନ୍ଦ୍ର ପ୍ରସାଦ ଖାଦ୍ୟଶସ୍ୟ ଉପରେ ନିୟନ୍ତ୍ରଣକୁ ପୁଣି ଥରେ ପ୍ରବର୍ତ୍ତନ କରାଇଥିଲେ ।

 

ଖୁବ୍ ଅଳ୍ପଦିନ ପାଇଁ ଖାଦ୍ୟ ଓ କୃଷି ମନ୍ତ୍ରଣାଳୟ ଦାୟିତ୍ଵରେ ଥିଲେ ମଧ୍ୟ ରାଜେନ୍ଦ୍ର ପ୍ରସାଦ ଦେଶର ଖାଦ୍ୟ ପରସ୍ଥିତିର ସୂକ୍ଷ୍ମ ଅନୁଧ୍ୟାନ କରି ପାରିଥିଲେ । ଅବହେଳିତ କୃଷିର ବିକାଶ ପାଇଁ ଦୀର୍ଘକାଳୀନ ଓ ବୈଜ୍ଞାନିକ ବ୍ୟବସ୍ଥା ନ କରାଗଲେ, ଦେଶରୁ ଖାଦ୍ୟ–ସମସ୍ୟା ଦୂରୀଭୁତ ହେବା ଅସମ୍ଭବ ବୋଲି ସେ କହିଥିଲେ; କାରଣ ଭାରତର କୃଷି ଉତ୍ପାଦନ ପରିସଂଖ୍ୟାନ ଦୃଷ୍ଟିରୁ ସମଗ୍ର ବିଶ୍ୱରେ ଥିଲା ସର୍ବନିମ୍ନ । ପୁନଶ୍ଚ ଜଳସେଚନ ଇତ୍ୟାଦିର ସୁବିଧା ନ ଥିବାରୁ ଆମ ଦେଶରେ ଶତକରା ୮୨ ଭାଗ ଜମି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାଏ । ଏତଦ୍‍ଭିନ୍ନ ଆମ କୃଷକମାନେ ଦରିଦ୍ର ଓ ଆଧୁନିକ କୃଷି–ପଦ୍ଧତି ସମ୍ବନ୍ଧରେ ନିତାନ୍ତ ଅଜ୍ଞ । ବ୍ରିଟିଶ ରାଜତ୍ଵକାଳରେ ସେମାନଙ୍କ ପ୍ରତି ଚରମ ଅବହେଳା ପ୍ରଦର୍ଶନ କରାଯାଇଥିଲା । ତେଣୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦେଶର ମେରୁଦଣ୍ଡ କୃଷକମାନଙ୍କ ଉନ୍ନତିକଳ୍ପେ ବହୁ ପରିକଳ୍ପନା ତିଆରି କରିଥିଲେ । ଜଳସେଚନ ପାଇଁ କୂପଖନନ, ଉନ୍ନତ ବିହନ ବ୍ୟବହାର, ସାର ଏବଂ ଉନ୍ନତ ଯନ୍ତ୍ରପାତିର ପ୍ରବର୍ତ୍ତନ ପାଇଁ ଆଦର୍ଶ କୃଷକମାନଙ୍କୁ ରିଆତି ଦେବା ବ୍ୟବସ୍ଥା ପ୍ରଥମେ ତାଙ୍କରି ସମୟରେ କାର୍ଯ୍ୟକାରୀ ହୋଇଥିଲା । ଦେଶରେ ଖାଦ୍ୟଶସ୍ୟର ସର୍ବନିମ୍ନ ମୂଲ୍ୟ ମଧ୍ୟ ସେ ଧାର୍ଯ୍ୟ କରାଇଥିଲେ । କୃଷକମାନଙ୍କର ସ୍ଵାର୍ଥଦୃଷ୍ଟିରୁ ଜମିଦାରୀ ପ୍ରଥା ଉଠାଇ ଭୂସଂସ୍କାର କରିବା ପାଇଁ ରାଜ୍ୟ ସରକାରମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।

 

ଖାଦ୍ୟ ଓ କୃଷିମନ୍ତ୍ରୀ ଥିଲାବେଳେ ଗୋ-ଜାତିର କିପରି ଉନ୍ନତି ସାଧନ କରାଯାଇ ପାରିବ, ସେଥିପାଇଁ ସେ ଯଥେଷ୍ଟ ଆଗ୍ରହ ପ୍ରକାଶ କରିଥିଲେ । ଧର୍ମ ଦୃଷ୍ଟିକୋଣରୁ କେବଳ ବିଚାର ନ କରି ଆର୍ଥନୀତିକ ଦୃଷ୍ଟିକୋଣରୁ ଗୋ–ଜାତିର ଉନ୍ନତିକୁ ବିଚାର କରିବାକୁ ସେ ପରାମର୍ଶ ଦେଉଥିଲେ । ଗୋଶାଳାମାନଙ୍କର ଉନ୍ନତି ବିଧାନ, Key–Village କାର୍ଯ୍ୟକ୍ରମର ବିକାଶ ପାଇଁ ସେ ଅଧିକ ଚାପ ଦେଉଥିଲେ ।

 

ପୂର୍ବରୁ ଶାସନ କାର୍ଯ୍ୟ ପରିଚାଳନାରେ ରାଜେନ୍ଦ୍ର ପ୍ରସାଦଙ୍କର ସେତେ ଅନୁଭୂତି ନ ଥିଲା-। ଖୁବ୍ ଅଳ୍ପଦିନ ପାଇଁ ଅବଶ୍ୟ ପାଟନା ମୁନସିପାଲିଟିର ସେ ଚେୟାରମ୍ୟାନ ଥିଲେ । ମନ୍ତ୍ରୀତ୍ୱ ଗ୍ରହଣ କରିବା ପୂର୍ବରୁ ସେହି ଅନୁଭୂତିହିଁ ଥିଲା ତାଙ୍କର ଏକମାତ୍ର ପାଥେୟ । କଂଗ୍ରେସ ସଂଗଠକ ହିସାବରେ ତାଙ୍କର ଅଗାଧ ଅନୁଭୂତି ଥିଲା ସତ; କିନ୍ତୁ ତାହା ମନ୍ତ୍ରୀତ୍ଵର ସେତେ ସହାୟକ ହୋଇ ନ ଥିଲା । ପୂର୍ବରୁ ଖାଦ୍ୟ ଓ କୃଷି ପାଇଁ ଦୁଇ ଜଣ ମନ୍ତ୍ରୀ ରହୁଥିଲେ । ପ୍ରଥମ ଥର ପାଇଁ ତାଙ୍କୁ ଏହି ଦୁଇ ବିଭାଗର ଗୁରୁଦାୟିତ୍ଵ ବହନ କରିବାକୁ ପଡ଼ିଥିଲା । ଦେଶରେ ଅତ୍ୟଧିକ ଖାଦ୍ୟାଭାବ ସମୟରେ ସେ ଏହି ଦାୟିତ୍ଵ ବହନ କରିଥିଲେ ମଧ୍ୟ ଶାସନକ୍ଷେତ୍ରରେ ସେ ଥିଲେ ଅବିଚଳିତ । ଦରକାର ପଡ଼ିଲେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ କାମନା କରିବାରେ ସେ ଆଦୌ ଦ୍ଵିଧା ପ୍ରକାଶ କରୁ ନ ଥିଲେ । ଚାଷୀମାନଙ୍କୁ ବ୍ୟକ୍ତିଗତ ସାକ୍ଷାତ୍‍କାରରେ ସେ ସବୁବେଳେ କହୁଥିଲେ–‘‘ଆମେ ଶତକରା ୭୦ ଜଣ ଚାଷୀ ହୋଇ ବିଦେଶରୁ ଖାଦ୍ୟ ଆମଦାନୀ କରିବା ଅତ୍ୟନ୍ତ ଲଜ୍ଜାର ବିଷୟ । କୃଷିପ୍ରଧାନ ଦେଶର ନାଗରିକ ହିସାବରେ କୃଷିହିଁ ଆମର ପ୍ରଧାନ ପେଷା-। ଆମ୍ଭେମାନେହିଁ ଦେଶରୁ ଖାଦ୍ୟଭାବର କାଳିମା ଲିଭାଇ ପାରିବା ।’’

Image

 

କଂଗ୍ରେସ ସଭାପତି ଡକ୍‍ଟର ରାଜେନ୍ଦ୍ର ପ୍ରସାଦ

 

ତୃତୀୟ ଥର ପାଇଁ କଂଗ୍ରେସ ସଭାପତି ହେବାକୁ ରାଜେନ୍ଦ୍ର ପ୍ରସାଦଙ୍କୁ ବାଧ୍ୟ କରାଯାଇଥିଲା । ତେଣୁ ସେ ମନ୍ତ୍ରୀତ୍ଵ ଛାଡ଼ିଥିଲେ । ଏହା ପୂର୍ବରୁ କଂଗ୍ରେସର ସଭାପତି ଥିଲେ ଆଚାର୍ଯ୍ୟ କୃପାଳିନୀ । ଗାନ୍ଧିଜୀଙ୍କର ଅହିଂସା ଓ ଗଠନମୂଳକ ଚିନ୍ତାଧାରାରେ ସେ ଏକାନ୍ତ ଅନୁରକ୍ତ ହୋଇ ପଡ଼ିଥିଲେ; କିନ୍ତୁ ସେ ଥିଲେ ସ୍ପଷ୍ଟବାଦୀ । ଶଠତା, କ୍ଷମତା–ଲୋଭ ଇତ୍ୟାଦି ବିରୁଦ୍ଧରେ ତାଙ୍କର ଅଭିଯାନ କର୍ମୀମାନଙ୍କୁ ସାମୟିକ ବିବ୍ରତ କରି ପକାଉଥିଲା । ତାଙ୍କର ବାକ୍ୟବାଣ ସହ୍ୟ କରିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ୁଥିଲା । ଏହା ସତ୍ତ୍ୱେ ତାଙ୍କର ହୃଦୟ ଥିଲା କୁସୁମଠାରୁ କୋମଳ । ମିତୋପଭୋଗ, ନିରଳସ କର୍ମପ୍ରବଣତାକୁ ଜୀବନର ବ୍ରତରୂପେ ସେ ଗ୍ରହଣ କରିଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନକୁ କ୍ଷମତାର ମୋହ ସ୍ପର୍ଶ କରିନଥିଲା; କିନ୍ତୁ କଂଗ୍ରେସର ସଭାପତି ହିସାବରେ ସେ ଥିଲେ ଅତ୍ୟନ୍ତ କର୍ମକ୍ଷମ । ପଦବୀର ଅବମାନନା ସେ ଆଦୌ ସହ୍ୟ କରିପାରୁ ନ ଥିଲେ । କଂଗ୍ରେସର ସର୍ବୋଚ୍ଚ କର୍ମକର୍ତ୍ତା ଥାଇ ମଧ୍ୟ ଯେତେବେଳେ ସେ ଦେଖିଲେ ଯେ ନେହରୁ, ପଟେଲ ଇତ୍ୟାଦି ମୁଖିଆ ସଭ୍ୟମାନେ ତାଙ୍କର ନିର୍ଦ୍ଦେଶ ଓ ପରାମର୍ଶକ୍ରମେ କାର୍ଯ୍ୟ କରୁନାହାନ୍ତି, ସେତେବେଳେ ସେ କଂଗ୍ରେସ ସଭାପତି ପଦରୁ ଅବ୍ୟାହତି ନେବାକୁ ବାଧ୍ୟ ହୋଇଥିଲେ ।

 

ଆଚାର୍ଯ୍ୟ କୃପାଳିନୀ ଇସ୍ତଫା ଦେବାରୁ ଗାନ୍ଧିଜୀ କଂଗ୍ରେସ ସଭାପତି ପଦ ପାଇଁ ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କର ନାମ ପ୍ରସ୍ତାବ ଦେଇଥିଲେ; କିନ୍ତୁ ପଟେଲ ଓ ନେହରୁ ଏଥିରେ ସମ୍ମତ୍ତି ପ୍ରଦାନ କରି ନ ଥିଲେ । ସେମାନେ ଏହି ଦାୟିତ୍ତ୍ଵରେ ରହିବା ପାଇଁ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଅନୁରୋଧ କଲେ । ଅନିଚ୍ଛାସତ୍ତ୍ୱେ ସେ ତାଙ୍କର ବ୍ୟକ୍ତିଗତ ବନ୍ଧୁ, ସର୍ଦ୍ଦାର ପଟେଲଙ୍କର ଅନୁରୋଧ ଏଡ଼ି ନ ପାରି କଂଗ୍ରେସ ସଭାପତି ଦାୟିତ୍ଵ ଗ୍ରହଣ କରିଥିଲେ ।

 

ତାପରେ ଦିଲ୍ଲୀରେ ହିନ୍ଦୁ ମୁସଲମାନ୍‍ମାନଙ୍କ ମଧ୍ୟରେ ଅସଦ୍‍ଭାବର ସୂତ୍ରପାତ ହେଲା । ଦିଲ୍ଲୀର ମୁସଲମାନମାନେ ସେମାନଙ୍କର ଜୀବନ ଓ ଧନସମ୍ପତ୍ତି ନିରାପଦ ନୁହେଁ ବୋଲି ଗାନ୍ଧିଜୀଙ୍କୁ ଜଣାଇବାରୁ ସେ ବଡ଼ ବିବ୍ରତ ହୋଇ କହିଥିଲେ–

 

‘We are steadily losing hold on Delhi. If Delhi goes, India goes and with that goes the last hope of World peace’’; କିନ୍ତୁ ଅବସ୍ଥାର ସେପରି କିଛି ଉନ୍ନତି ହୋଇ ନ ଥିଲା । ୧୯୪୮ ମସିହା ଜାନୁଆରୀ ୧୨ ତାରିଖ ପ୍ରାର୍ଥନା ସଭାରେ ସେ ଘୋଷଣା କଲେ ଯେ ଯଦି ଦିଲ୍ଲୀର ହିନ୍ଦୁ ଓ ମୁସଲମାନ୍‍ ଭାଇମାନଙ୍କ ମଧ୍ୟରେ ସଦ୍‍ଭାବ ଫେରି ନ ଆସେ, ତାହାହେଲେ ସେ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନ କରିବେ । ଭାଷଣ ଛଳରେ ସେ କହିଥିଲେ ଯେ, ଯେଉଁଠି ଭାଇ–ଭାଇ ମଧ୍ୟରେ ସଦ୍‍ଭାବ ଫେରାଇ ଆଣିବା ପାଇଁ ଗୁଳିଗୁଳାର ଆଶ୍ରୟ ନିଆଯାଉଛି, ସେଇଠି ମୁଁ ଅନଶନକୁ ଅମୋଘ ଅସ୍ତ୍ରରୂପେ ବ୍ୟବହାର କରିବାକୁ ବାଧ୍ୟ । ମୋର ଜୀବନ ଚାଲିଯାଇପାରେ, କିନ୍ତୁ ପରିସ୍ଥିତିର ସନ୍ତୋଷଜନକ ଉନ୍ନତି ସାଧିତ ନ ହେଲେ ଅନଶନ ଭଙ୍ଗ କରିବା ମୋ ପକ୍ଷରେ ଆଦୌ ସମ୍ଭବପର ନୁହେଁ ।

 

ମୌଲାନା ଆଜାଦ ‘India-wins Freedom’ ପୁସ୍ତକରେ ଗାନ୍ଧିଜୀଙ୍କର ଏହି ଅନଶନକୁ ସର୍ଦ୍ଦାର ପଟେଲଙ୍କ କାର୍ଯ୍ୟକଳାପର ପରୋକ୍ଷ ବିରୋଧ ବୋଲି ବର୍ଣ୍ଣନା କରିଅଛନ୍ତି । ୧୨ ତାରିଖ ପ୍ରାର୍ଥନା ସଭାର ଅବ୍ୟବହିତ ପରେ ଠିକ୍ ଏହି ମର୍ମରେ ଗାନ୍ଧିଜୀଙ୍କୁ ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ । ଉତ୍ତରରେ ଗାନ୍ଧିଜୀ କହିଥିଲେ–ମୁଁ ଜାଣେ ଯେ ସର୍ଦ୍ଦାର ପଟେଲ କେବେହେଲେ ତାଙ୍କ ଦାୟିତ୍ଵରେ ଅବହେଳା କରିବେ ନାହିଁ । ମୋର ଅନଶନ ଘରୋଇ ମନ୍ତ୍ରଣାଳୟ ସିଦ୍ଧାନ୍ତର ଆଦୌ ପ୍ରତିକୂଳ ନୁହେଁ । ଭାରତର ସଂଖ୍ୟାଲଘୁ ମୁସଲମାନ୍ ସଂପ୍ରଦାୟର ସ୍ଵାର୍ଥ ଓ ନିରାପତ୍ତା ପାଇଁ ମୁଁ ଏହା କରୁଛି । ପଟେଲ ଓ ନେହରୁଙ୍କୁ ମୋଠାରୁ ଭିନ୍ନ କରି ଦେବାକୁ ଅନେକ ସମାଲୋଚକ ଚେଷ୍ଟା କରୁଅଛନ୍ତି । ସେଥିପାଇଁ ମୁଁ ଦୁଃଖିତ ।

 

ଦିଲ୍ଲୀର ପରିସ୍ଥିତି ଅପରିବର୍ତ୍ତିତ ରହିବାରୁ ଗାନ୍ଧିଜୀ ୧୩ ତାରିଖଠାରୁ ଅନଶନ ଆରମ୍ଭ କଲେ । ସେତେବେଳକୁ ତାଙ୍କର ବୟସ ୭୮ ବର୍ଷ । ଅନେକେ ଏହି ଅନଶନକୁ ମୃତ୍ୟୁ ସହିତ ତାଙ୍କର ଲୁଚକାଳି ଖେଳ ବୋଲି ବର୍ଣ୍ଣନା କଲେ । ଏହି ସମ୍ବାଦ ଦେଶର ଚାରିଆଡ଼େ ବ୍ୟାପିଗଲା । ତାଙ୍କର ଜୀବନରକ୍ଷା ପାଇଁ ତାଙ୍କୁ ସେହି ଦୃଢ଼ ସିଦ୍ଧାନ୍ତରୁ ନିବର୍ତ୍ତାଇବାକୁ ନେତୃବୃନ୍ଦଙ୍କ ମଧ୍ୟରେ ତୁରନ୍ତ ଆଲୋଚନା ଆରମ୍ଭ ହେଲା । ୧୮ ତାରିଖରେ ନେତାମାନେ ରାଜେନ୍ଦ୍ର ପ୍ରସାଦଙ୍କ ବାସଗୃହଠାରେ ଏକତ୍ରିତ ହେଲେ । ହିନ୍ଦୁ, ମୁସଲମାନ ଦିଲ୍ଲୀରେ ପରସ୍ପର ମଧ୍ୟରେ ହାର୍ଦ୍ଦିକ ସମ୍ପର୍କ ରଖି ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବେ ବୋଲି ପ୍ରତିଜ୍ଞାବଦ୍ଧ ହେଲେ ।

 

ସେହି ପରସ୍ଥିତିର ବର୍ଣ୍ଣନା କରି ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କର ‘At the feet of Mahatma Gandhi’ ପୁସ୍ତକରେ ଲେଖିଛନ୍ତି–‘‘ମହାତ୍ମାଜୀଙ୍କର ଅନଶନ ଫଳରେ ସଂକଟଜନକ ଅବସ୍ଥା ଦୂର ହୋଇ ବହୁ ପରିମାଣରେ ତିକ୍ତତା କମିଗଲା । ମୁଁ ସେତେବେଳେ ଦିଲ୍ଲୀରେ ଅବସ୍ଥାନ କରୁଥାଏ । ସ୍ଵାସ୍ଥ୍ୟ ଖରାପ ଥିଲେ ମଧ୍ୟ ମହାତ୍ମାଜୀଙ୍କର ଅନଶନ ସମୟରେ ଦିଲ୍ଲୀରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଯେଉଁ କମିଟି ଗଢ଼ାଯାଇଥିଲା, ମୁଁ ସେ କମିଟିର ସଭାପତି ହୋଇଥିଲି । କମିଟି ପକ୍ଷରୁ ଗାନ୍ଧିଜୀଙ୍କୁ ପ୍ରତିଶୃତି ନ ଦିଆଯିବା ପର୍ଯ୍ୟନ୍ତ ସେ ତାଙ୍କର ଅନଶନ ଭଙ୍ଗ କରି ନ ଥିଲେ । ପରିସ୍ଥିତିଟି ଏପରି ରୂପ ଧାରଣ କରିଥିଲା ଯେ, ମୁସଲମାନମାନେ ତାଙ୍କୁ ସେମାନଙ୍କର ଏକମାତ୍ର ବନ୍ଧୁ ଓ ରକ୍ଷାକର୍ତ୍ତା ବୋଲି ବିବେଚନା କରୁଥିଲେ । ପୁନଶ୍ଚ ଯେଉଁ ମୁସଲମାନମାନେ ତାଙ୍କୁ ସେମାନଙ୍କର ଶତ୍ରୁ ବୋଲି ଭାବୁଥିଲେ, ସେମାନେ ଭୁଲ ବୁଝିପାରି ତାଙ୍କୁ ସେମାନଙ୍କର ବନ୍ଧୁ ବୋଲି ଭାବିବାକୁ ଲାଗିଲେ । ତାଙ୍କର ଅହିଂସା ନୀତି ଅଦୃଶ୍ୟଭାବରେ ଅତି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରୁଥିଲା ।’’

 

ଗାନ୍ଧିଜୀ ହିନ୍ଦୁ–ମୁସଲମାନ୍‍ ଏକତାପରି ଗଠନମୂଳକ କାର୍ଯ୍ୟକ୍ରମରେ ଯଥେଷ୍ଟ ଗୁରୁତ୍ଵ ଦେଉଥିଲେ । ଫେବୃଆରୀ ପ୍ରଥମ ସପ୍ତାହରେ ସେବାଗ୍ରାମଠାରେ ଗଠନମୂଳକ କର୍ମୀମାନଙ୍କର ଗୋଟିଏ ସମ୍ମିଳନୀ ଡକାଯିବାର ସ୍ଥିର ହେଲା । ମହାତ୍ମା ଗାନ୍ଧୀ ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବାପାଇଁ ୱାର୍ଦ୍ଧା ଯିବାକୁ ସ୍ଥିର କଲେ । ଜାନୁଆରୀ ୩୦ ତାରିଖରେ ୱାର୍ଦ୍ଧା ଯାତ୍ରା କରିବା ପୂର୍ବରୁ ରାଜେନ୍ଦ୍ର ପ୍ରସାଦ ଗାନ୍ଧିଜୀଙ୍କ ସହିତ ସାକ୍ଷାତ୍‍ କରି କଂଗ୍ରେସର ଭବିଷ୍ୟତ କାର୍ଯ୍ୟସୂଚୀ ବିଷୟ ଆଲୋଚନା କରିଥିଲେ । ଗାନ୍ଧୀଜୀ ଦିଲ୍ଲୀ ଛାଡ଼ି ସେବାଗ୍ରାମ ଯିବାପାଇଁ ମୁସଲମାନ ନେତାମାନଙ୍କର ଅନୁମତି ମାଗିଥିଲେ । ଏଥିରେ ସେମାନେ ଅସମ୍ମତି ପ୍ରକାଶ କରି ନ ଥିଲେ ।

 

ସେହି ଦିନ ଉପରବେଳା ସାଢ଼େ ଦୁଇଟାବେଳେ ରାଜେନ୍ଦ୍ର ପ୍ରସାଦ ୱାର୍ଦ୍ଧାରେ ପହଞ୍ଚିଲେ-। ପାଗ ଭଲ ନ ଥାଏ । ଉଡ଼ାଜାହାଜରେ ଏତେ ବାଟ ଆସିଥିବାରୁ ତାଙ୍କ ଦେହର ଉତ୍ତାପ ବୃଦ୍ଧି ପାଇବାକୁ ଲାଗିଲା । ସନ୍ଧ୍ୟା ପ୍ରାୟ ୫ଟାବେଳେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବାପାଇଁ ଡାକ୍ତର ଡକାଗଲା । ଡାକ୍ତରଙ୍କ ସହିତ ବାର୍ତ୍ତାଳାପ କରୁଛନ୍ତି, ଠିକ୍ ଏହି ସମୟରେ ରେଡ଼ିଓରୁ ଗାନ୍ଧିଜୀଙ୍କର ଆତତାୟୀର ଗୁଳିଚୋଟରେ ମୃତ୍ୟୁ ଖବର ଘୋଷଣା କରାଗଲା । ସାଂପ୍ରଦାୟିକ ଅବ୍ୟବସ୍ଥା ଯୋଗୁଁ ତାଙ୍କର ଜୀବନ ନିରାପଦ ନୁହେଁ । ଏଥିପାଇଁ ସର୍ଦ୍ଦାର ପଟେଲ ତାଙ୍କୁ ଦେହରକ୍ଷୀ ଦେବାକୁ ସ୍ଥିର କରିଥିଲେ; କିନ୍ତୁ ଗାନ୍ଧିଜୀ ତାହା ଅଗ୍ରାହ୍ୟ କରି କହିଥିଲେ–‘‘ମୁଁ ପ୍ରାର୍ଥନା ସଭାରେ ପୋଲିସ କିମ୍ବା ଦେହରକ୍ଷୀ ବ୍ୟବସ୍ଥାକୁ ଆଦୌ ପସନ୍ଦ କରେ ନାହିଁ । ଭଗବାନ ମୋର ରକ୍ଷାକର୍ତ୍ତା । ଏସବୁ ଲୌକିକତାକୁ ମୁଁ ଆଦୌ ଅନୁମତି ଦେବି ନାହିଁ ।’’

 

ସେହିଦିନ ସନ୍ଧ୍ୟାବେଳେ ସର୍ଦ୍ଦାର ପଟେଲ ଓ ଜବାହାରଲାଲ ନେହରୁ ରେଡ଼ିଓରେ ଗାନ୍ଧିଜୀଙ୍କର ମୃତ୍ୟୁ ବିଷୟ ବିସ୍ତୃତଭାବେ ବର୍ଣ୍ଣନା କଲେ । ଆଉ କାଳକ୍ଷେପ ନ କରି ରାଜେନ୍ଦ୍ର ପ୍ରସାଦ ନାଗପୁର ଯାତ୍ରା କଲେ ଓ ସେଠୁ ବିମାନଯୋଗେ ରାମଦାସ ଗାନ୍ଧୀଙ୍କ ସହିତ ଦିଲ୍ଲୀରେ ପହଞ୍ଚି ଗାନ୍ଧୀଙ୍କ ଶେଷ କୃତ୍ୟରେ ଯୋଗ ଦେଇଥିଲେ ।

 

ଗଠନମୂଳକ କର୍ମୀ ସମ୍ମିଳନୀ ଫେବୃଆରୀ ପ୍ରଥମ ସପ୍ତାହରେ ନ ହୋଇ ମାର୍ଚ୍ଚ ମାସକୁ ଘୁଞ୍ଚିଗଲା । ସେହି ସମ୍ମିଳନୀରେ ସର୍ବୋଦୟ ସମାଜ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି କରାଗଲା ।

 

ସନାତନ ଧର୍ମର ଉପାସକ ଗାନ୍ଧିଜୀ ଜୀବନ ଓ ମରଣ ମଧ୍ୟରେ କୌଣସି ପାର୍ଥକ୍ୟ ସ୍ୱୀକାର କରୁ ନ ଥିଲେ । ଆତ୍ମା ଅମର । ମୃତ୍ୟୁହାର ହିଁ କେବଳ ଶରୀରର ପରିବର୍ତ୍ତନ ହୁଏ । ତେଣୁ ମଣିଷ ମୃତ୍ୟୁ ବରଣ କରିବାକୁ ସର୍ବଦା ପ୍ରସ୍ତୁତ ରହିବା ଉଚିତ ବୋଲି ସେ କହୁଥିଲେ । ଦିନେ ନା ଦିନେ କେତେକ ଲୋକ ତାଙ୍କ ଜୀବନ ନେବାକୁ ବଦ୍ଧପରିକର, ତାହା ସେ ଭଲଭାବେ ଜାଣିଥିଲେ ସୁଦ୍ଧା ସେଥିପ୍ରତି ଆଦୌ ଭ୍ରୂକ୍ଷେପ କରୁ ନ ଥିଲେ । ଆତତାୟୀର ଗୁଳିଚୋଟରେ ତାଙ୍କର ଜୀବନଦୀପ ଚିରଦିନ ପାଇଁ ନିର୍ବାପିତ ହେଲା ସତ; କିନ୍ତୁ ତାଙ୍କ ଅତିନ୍ଦ୍ର ସାଧନା ଓ ଗଭୀର ନିଷ୍ଠା ଉପରେ ପ୍ରତିଷ୍ଠିତ ଆଦର୍ଶର ମୃତ୍ୟୁ ଅସମ୍ଭବ । ରାଜେନ୍ଦ୍ର ପ୍ରସାଦ ତାଙ୍କର ମୃତ୍ୟୁ ବିଷୟ ବର୍ଣ୍ଣନା କରି କହିଥିଲେ– ‘Gandhiji could not have died more beautifully than he did’ । ମୁନି–ଋଷିମାନେ ଆଜୀବନ ଈଶ୍ୱର ଆରାଧନା କରୁଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ଭଗବତ୍ ନାମ ଉଚ୍ଚାରଣ କରିବା ହୁଏତ ଅନେକ ସମୟରେ ତାଙ୍କ ପକ୍ଷରେ ସମ୍ଭବପର ହୁଏ ନାହିଁ; କିନ୍ତୁ ଗାନ୍ଧିଜୀ ‘ହା–ରାମ’ କହି ଜୀବନ ତ୍ୟାଗ କରିଥିଲେ । ଭଗବତ୍ ଆରାଧନାରେ ଯେ ନିଜର ଜୀବନକୁ ଉତ୍ସର୍ଗ କରେ, ତାଙ୍କୁ ଏଭଳି ଏକ ମହନୀୟ ମୃତ୍ୟୁଠାରୁ ଅଧିକ କ’ଣ ପୁରସ୍କାର ମିଳପାରେ ?

 

ଗାନ୍ଧିଜୀଙ୍କର ଆକସ୍ମିକ ମୃତ୍ୟୁ, ତାଙ୍କର ପରମଭକ୍ତ ରାଜେନ୍ଦ୍ର ପ୍ରସାଦଙ୍କ ମନରେ ଗଭୀର ଆଲୋଡ଼ନ ସୃଷ୍ଟି କରିଥିଲା । ଚମ୍ପାରନ୍‍ରେ ବାପୁଜୀଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ ପରେ ସେ କିପରି ଅର୍ଥକାରୀ ଜୀବିକାକୁ ତୁଚ୍ଛ କରି ଦେଇଥିଲେ, ତାହା ତାଙ୍କ ସ୍ମୃତି-ମୁକୁରରେ ନାଚି ଉଠିଥିଲା-। ଆବେଗଭରା ହୃଦୟରେ ସେ କହିଥିଲେ– ‘‘ବାପୁଜୀଙ୍କ ପରି ମହାପୁରୁଷଙ୍କ ବ୍ୟକ୍ତିଗତ ସମ୍ପର୍କରେ ଆସିବା କେବଳ ଭାଗ୍ୟରେ ଥିଲେ ଘଟିଥାଏ ।’’

Image

 

ବିଧାନ ପରିଷଦର ନେତା ଡକ୍‍ଟର ରାଜେନ୍ଦ୍ର ପ୍ରସାଦ

 

ଖାଦ୍ୟ ଓ କୃଷିମନ୍ତ୍ରୀ ଥିଲାବେଳେ ମଧ୍ୟ ରାଜେନ୍ଦ୍ର ପ୍ରସାଦଙ୍କୁ କଂଗ୍ରେସର ସଭାପତି କାର୍ଯ୍ୟ ତୁଲାଇବାକୁ ପଡ଼ୁଥିଲା । ତା’ପରେ ତାଙ୍କୁ ବିଧାନ ପରିଷଦର ନେତାରୁପେ ନିର୍ବାଚନ କରାଗଲା । ଦେଶର ଆତ୍ମନିୟନ୍ତ୍ରଣ ପାଇଁ ନିଜର ଏକ ସଂବିଧାନ ଦରକାର,–କଂଗ୍ରେସ ସଭାପତି ହିସାବରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାହା ଭଲଭାବେ ହୃଦୟଙ୍ଗମ କରିଥିଲେ । କଂଗ୍ରେସ ଅଧିବେଶନରେ ମଧ୍ୟ ସେହି ପ୍ରସ୍ତାବ ଗୃହୀତ ହୋଇଯାଇଥିଲା ଓ ତଦନୁଯାୟୀ ବିଧାନ ପରିଷଦ ଗଠନ କରାଯାଇଥିଲା; କିନ୍ତୁ ମୁସଲିମ୍‍ ଲିଗ୍ ଏକ ସ୍ଵତନ୍ତ୍ର ରାଜ୍ୟ ଚାହୁଁଥିବାରୁ ଏଥିପାଇଁ ସେମାନଙ୍କର ସହଯୋଗ ମିଳି ନ ଥିଲା । ବ୍ରିଟିଶ ସରକାର ଏହି ପରିଷଦର କାର୍ଯ୍ୟକଳାପ ଉପରେ କିୟଦଂଶରେ ହସ୍ତକ୍ଷେପ କରିବାକୁ ଚାହିଁଥିଲେ; କିନ୍ତୁ ପରିଷଦର ନେତା ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହାର ଘୋର ବିରୋଧ କରିଥିଲେ ।

 

୧୯୪୬ ମସିହା ଜୁଲାଇ ମାସରେ ଏହି ପରିଷଦ ପାଇଁ ସଭ୍ୟ ନିର୍ବାଚନ କରାଗଲା । ନିର୍ବାଚନର ଅବ୍ୟବହିତ ପୂର୍ବରୁ ମୁସଲିମ୍ ଲିଗ୍ ଦଳ ମଧ୍ୟ ଏଥିରେ ସହଯୋଗ କରିଥିଲେ; କିନ୍ତୁ ରାଜ୍ୟମାନଙ୍କରେ ଆସେମ୍ବ୍ଲି ପାଇଁ ସଭ୍ୟ ନିର୍ବାଚନରେ କଂଗ୍ରେସର ଅଦ୍ଭୁତପୂର୍ବ ବିଜୟ ଦେଖି ଜିନ୍ନା ବିଧାନ ପରିଷଦରୁ ଅପସରି ଆସିଥିଲେ । ସେହି ବର୍ଷ ସେପ୍‍ଟେମ୍ବର ୭ ତାରିଖରେ ବିରୁଦ୍ଧ ଦଳର ସଭ୍ୟମାନଙ୍କୁ ବିଧାନ ପରିଷଦର ନେତା ହେବା ପାଇଁ ରାଜେନ୍ଦ୍ର ପ୍ରସାଦ ନିମନ୍ତ୍ରଣ ଜଣାଇଥିଲେ । ସବୁପ୍ରକାର ବିବାଦୀୟ ସମସ୍ୟାର ମଧ୍ୟ ସମାଧାନ କରିବାକୁ ସେ ଚେଷ୍ଟା କରିବେ ବୋଲି ଜଣାଇ ଦେଇଥିଲେ, କିନ୍ତୁ ଉଗ୍ରପନ୍ଥୀ ଜିନ୍ନା ତାହାର ପ୍ରତ୍ୟୁତ୍ତରରେ କହିଥିଲେ–‘‘ଜବାହରଲାଲ ମୋ ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇନାହାନ୍ତି । ତାଙ୍କର କଅଁଳିଆ କଥାରେ ମୁଁ ଭୁଲିଯିବା ଲୋକ ନୁହେଁ । ପଛରୁ ଛୁରା ମାରି ମିଠା କଥା କହିଲେ ରକ୍ତସ୍ରାବ ବନ୍ଦ ହୁଏ ନାହିଁ ।’’

 

ନଭେମ୍ବର ୨୦ ତାରିଖରେ ବଡ଼ଲାଟ ବିଧାନ ପରିଷଦରେ ଯୋଗଦେବା ପାଇଁ ମୁସଲିମ୍‍ ଲିଗ୍‍ର ସଭ୍ୟମାନଙ୍କ ଉପରେ ଚାପ ପକାଇଲେ; କିନ୍ତୁ ଦଳର ନେତା ଜିନ୍ନା ବହୁ ଆଳ ଦେଖାଇ ତାହା ପ୍ରତ୍ୟାଖ୍ୟାନ କରିଥିଲେ । ଶେଷରେ ଡିସେମ୍ବର ୯ ତାରିଖରେ ବିଧାନ ପରିଷଦର ଏକ ବୈଠକ ବସିଲା । ଏଥିରେ ଜବାହରଲାଲ ନେହରୁ, ସର୍ଦ୍ଦାର ପଟେଲ, ଡକ୍ଟର ଆମ୍ବେଦକର, ଆଲାଡ଼ି କୃଷ୍ଣସ୍ଵାମୀ ଆୟାର, ଡକ୍ଟର ଏମ୍.ଆର୍.ଜୟକର, କେ.ଏମ୍.ମୁନ୍‍ସୀ, ସରୋଜିନୀ ନାଇଡ଼ୁ, ଗୋପାସ୍ଵାମୀ ଆୟାଙ୍ଗାର, ଆଚାର୍ଯ୍ୟ କୃପାଳିନୀ, ରଫି ଅହମ୍ମଦ୍ କିଦୱାଇ, ଡକ୍ଟର ଏସ୍.ପି.ମୁଖର୍ଜୀ, ପଟ୍ଟାଭି ସୀତାରାମେୟା, ଫ୍ରାଙ୍କ୍‍ ଆନ୍ଥୋନୀ, ଡକ୍ଟର ରାଧାକୃଷ୍ଣନ୍ ଇତ୍ୟାଦି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ସଂବିଧାନର ଚିଠା ତିଆରି କରିବା ପାଇଁ ଗୋଟିଏ କମିଟି ମଧ୍ୟ ଗଠନ କରାଯାଇଥିଲା । ସେହି କମିଟିର ଅଧ୍ୟକ୍ଷ ରହିଥିଲେ ଡକ୍ଟର ଆମ୍ବେଦକର । ବିଧାନ ପରିଷଦର ସଭାପତି ପଦପାଇଁ ଡକ୍ଟର ସଚ୍ଚିଦାନନ୍ଦ ସିହ୍ନା ଓ ଗୋପାଳସ୍ଵାମୀ ଆୟାଙ୍ଗାରଙ୍କ ନାମ ପ୍ରଥମେ ପ୍ରସ୍ତାବ କରାଯାଇଥିଲା; କିନ୍ତୁ ବହୁ ଆଲୋଚନା ପରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ନିର୍ଦ୍ୱନ୍ଦ୍ଵରେ ସଭାପତିରୂପେ ନିର୍ବାଚିତ ହୋଇଥିଲେ । ସେ ସମୟରେ ମୁସଲିମ୍‍ ଲିଗ୍‍ର ଅସହଯୋଗ ଓ ଦେଶସାରା ହିଂସାକାଣ୍ଡ କଂଗ୍ରେସ ବିରୁଦ୍ଧରେ ଏକ ତିକ୍ତ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଥିଲା । ଅତଏବ ପରିସ୍ଥିତି ଦୃଷ୍ଟିରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଯଥେଷ୍ଟ ଦୃଢ଼ତା ଅବଲମ୍ବନ କରିବାକୁ ପଡ଼ିଥିଲା । ତେଣୁ ସେ ଦୃଢ଼ ସ୍ଵରରେ କହିଥିଲେ–‘‘କେତେକ ଆଇନ–କାନୁନଗତ ବାଧା ଥିଲେ ମଧ୍ୟ ପରିଷଦ ହେଉଛି ଏକ ସ୍ଵାଧୀନ ସଂସ୍ଥା । ଏହାର କାର୍ଯ୍ୟକଳାପରେ ବାହାର ଲୋକଙ୍କର ହସ୍ତକ୍ଷେପ ଆଦୌ ସହ୍ୟ କରାଯାଇ ନ ପାରେ ।’’

 

ବିଭିନ୍ନ ଦାୟିତ୍ଵରେ ଥିଲେ ମଧ୍ୟ ରାଜେନ୍ଦ୍ର ପ୍ରସାଦଙ୍କର ନିସ୍ୱାର୍ଥପର କାର୍ଯ୍ୟଦକ୍ଷତା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରିଥିଲା । ଡକ୍ଟର ରାଧାକୃଷ୍ଣନ୍‍ ତାଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ–‘‘ଡକ୍‍ଟର ରାଜେନ୍ଦ୍ର ପ୍ରସାଦ ନମ୍ରତାର ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପରେ ଭାରତୀୟ ଆତ୍ମାର ସ୍ପର୍ଶ ରହିଛି । ତାଙ୍କର ସାଧୁତା, ଧୈର୍ଯ୍ୟ ଓ ସ୍ଥୈର୍ଯ୍ୟ ଏକାନ୍ତ ବିରଳ । ତାଙ୍କ ପରି ଭାରତରେ ଖୁବ୍ କମ୍ ଲୋକ ଦୁଃଖକଷ୍ଟ ସହିଛନ୍ତି । ତାଙ୍କ ପ୍ରାଣରେ ଦେଶ ଓ ଜାତିର ପ୍ରାଣ ଯଥାର୍ଥ ପ୍ରତିବିମ୍ବତ ।’’ ଗୋପାଳସ୍ଵାମୀ ଆୟାଙ୍ଗାର ମଧ୍ୟ ତାଙ୍କୁ ଅନୁରୂପ ଅଭିନନ୍ଦନ ଜଣାଇ କହିଥିଲେ–‘‘ରାଜେନ୍ଦ୍ର ପ୍ରସାଦଙ୍କ ଉପରେ ଦେଶବାସୀଙ୍କର ଅତୁଟ ଆସ୍ଥା ରହିଛି । ବିଧାନ ପରିଷଦର ନିର୍ବାଚନ ତାହାର ପରିଚୟ ଦେଇସାରିଛି । ତାଙ୍କର ତ୍ୟାଗପୂତ ଜୀବନକୁ ସେ ଦେଶ ପାଇଁ ଉତ୍ସର୍ଗ କରିଅଛନ୍ତି । ତାଙ୍କର ମହନୀୟ ମାନବିକତା, ସମସ୍ୟା ସମାଧାନ କରିବାର ବିଶେଷ ଶକ୍ତି, ସାରଲ୍ୟ ଓ ସାଧୁତା କେବଳ ତାଙ୍କୁ କାହିଁକି, ସମଗ୍ର ଦେଶକୁ କରିଛି ଧନ୍ୟ ।’’ ସରୋଜିନୀ ନାଇଡ଼ୁଙ୍କ ଭାଷାରେ ରାଜେନ୍ଦ୍ର ପ୍ରସାଦ ହେଉଛନ୍ତି–‘‘ବୃଦ୍ଧଦେବଙ୍କର ସୁଯୋଗ୍ୟ ଦାୟାଦ । ତାଙ୍କୁ ଦୟା, ତ୍ୟାଗ ଓ ପ୍ରେମର ଅବତାର କହିଲେ ଅତ୍ୟୁକ୍ତି ହେବ ନାହିଁ । ତାଙ୍କର ପାଣ୍ଡିତ୍ୟ, ଅନୁଭୂତି, ଦୂରଦୃଷ୍ଟି, ସୃଜନଶୀଳ ଚିନ୍ତାଧାରା ବଳରେ ସେ ସମଗ୍ର ଦେଶର ଅଭିଭାବକ ହୋଇପାରିବେ, ଏଥିରେ ସନ୍ଦେହର ଅବକାଶ ନାହିଁ ।’’

 

ବିଧାନ ପରିଷଦ ନିୟମିତଭାବେ କାର୍ଯ୍ୟ ଆରମ୍ଭ କଲା । ଜବାହରଲାଲ ନେହେରୁଙ୍କ ପ୍ରସ୍ତାବକ୍ରମେ ଗଣତନ୍ତ୍ରର ଉଦ୍ଦେଶ୍ୟ ସ୍ଥିର କରିବା ପାଇଁ ପରିଷଦର ଏକ ଅଧିବେଶନ ଆହୂତ ହେଲା; କିନ୍ତୁ ମୁସଲିମ୍ ଲିଗ୍‍ର ପ୍ରତିନିଧିମାନେ ଏଥିରେ ସହଯୋଗ କଲେ ନାହିଁ । ସେମାନଙ୍କର ଅନୁପସ୍ଥିତିରେ ମଧ୍ୟ ପ୍ରସ୍ତାବଟି ଗୃହୀତ ହୋଇଗଲା । ତା’ପରେ ୧୯୪୭ ମସିହାରେ ଭାରତ ସ୍ଵାଧୀନ ଆଇନ ବଳବତ୍ତର ହେଲା । ପରିଷଦକୁ ସ୍ଵାଧୀନଭାବେ ଅଧିକ କାର୍ଯ୍ୟ କରିବାର ସୁଯୋଗ ମିଳିଲା । ଭାରତ ଉପରେ ବ୍ରିଟିଶ ପାର୍ଲିଆମେଣ୍ଟର ନିୟନ୍ତ୍ରଣ କ୍ରମେ କମି ଆସିଲା ।

 

ଏଣେ ଖୁବ୍ ଦ୍ରୁତଗତିରେ ସମ୍ବିଧାନ ପ୍ରଣୟନ କାର୍ଯ୍ୟ ଶେଷ ହେଲା । ଏଥିରେ ସମୁଦାୟ ୩୯୫ ଦଫା ସନ୍ନିବେଶିତ ହେଲା । ଏଥିପାଇଁ ଆମେରିକା, ଆୟର୍‍ଲାଣ୍ଡ, କାନେଡ଼ା ଓ ଅଷ୍ଟ୍ରେଲିଆ ସଂବିଧାନର ସାହାଯ୍ୟ ନିଆଯାଇଥିଲା । ମୋଟ ଉପରେ କେନ୍ଦ୍ର ସରକାରଙ୍କୁ ସର୍ବାଧିକ କ୍ଷମତା ଦେବାପାଇଁ କେତେକ ଦଫା ସନ୍ନିବେଶ କରାଗଲା । ସଂବିଧାନର କେତେକ ଦଫାର ପରିବର୍ତ୍ତନ କରିବାର କ୍ଷମତା ମଧ୍ୟ ପାର୍ଲିଆମେଣ୍ଟ ହାତରେ ରହିଲା । ରାଜେନ୍ଦ୍ର ପ୍ରସାଦଙ୍କର ଆଇନ–ଶାସ୍ତ୍ରରେ ଗଭୀର ଅଧ୍ୟାପନା ଓ ପାଣ୍ଡିତ୍ୟ ସଂବିଧାନ ପ୍ରଣୟନରେ ସଭ୍ୟମାନଙ୍କୁ ସହାୟକ ହୋଇଥିଲା । ପରିଷଦର ନେତା ହିସାବରେ ତାଙ୍କର କାର୍ଯ୍ୟଦକ୍ଷତା ଓ ନିର୍ଦ୍ଦଳୀୟ ମନୋଭାବ ତାଙ୍କୁ ଅଧିକ ଲୋକପ୍ରିୟ କରିପାରିଥିଲା । ଯାହା ଫଳରେ ସେ ଭାରତୀୟ ଗଣତନ୍ତ୍ରର ରାଷ୍ଟ୍ରପତିରୂପେ ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ ହୋଇଥିଲେ ।

Image

 

Unknown

ସ୍ଵାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି

 

୧୯୫୦ ମସିହା ଜାନୁଆରୀ ତା ୨୬ ରିଖରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ପ୍ରଥମେ ଭାରତର ରାଷ୍ଟ୍ରପତିରୂପେ ମନୋନୀତ ହେଲେ । ତା’ପରେ ୧୯୫୨ ଓ ୧୯୫୭ ମସିହାରେ ସେ ରାଷ୍ଟ୍ରପତି ପଦ ପାଇଁ ଦୁଇଥର ନିର୍ବାଚିତ ହୋଇଥିଲେ । ଏଥିରୁ ତାଙ୍କର ଲୋକପ୍ରିୟତା ଅନାୟାସରେ ଅନୁମେୟ । ପ୍ରଥମ ଥର ନିର୍ବାଚନରେ ତାଙ୍କୁ ତାଙ୍କର ପୂରାତନ ବନ୍ଧୁ କେ.ଟି. ସାହାଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ିଥିଲା । ଶ୍ରୀ ସାହା ଏହି ପ୍ରତିଦ୍ଵନ୍ଦ୍ୱିତାରେ ଯୋଗଦେବାକୁ ଯାଇ ରାଜେନ୍ଦ୍ର ପ୍ରସାଦଙ୍କୁ କହିଥିଲେ–‘‘ଆପଣ ଯଦି କୌଣସି ଦଳରୁ ଛିଡ଼ା ନ ହୁଅନ୍ତେ, ତାହାହେଲେ ମୁଁ ପ୍ରତିଦ୍ଵନ୍ଦ୍ୱିତାରୁ ଓହରି ଆସନ୍ତି ।’’ ସେ ଯାହା ହେଉ ନା କାହିଁକି, ନିର୍ବାଚନରେ ରାଜେନ୍ଦ୍ର ପ୍ରସାଦ ଜୟଯୁକ୍ତ ହୋଇଥିଲେ । ସମୁଦାୟ ୩୪୮୬ ଭୋଟରୁ ସେ ୨୮୯୬ଟି ଭୋଟ ପାଇଥିଲେ । ୧୯୫୨ ମସିହା ମେ ତା ୧୩ ରିଖରେ ପୂର୍ଣ୍ଣ–ମର୍ଯ୍ୟାଦାସହକାରେ ରାଷ୍ଟ୍ରପତି ଆସନରେ ସେ ଅଭିଷିକ୍ତ ହୋଇଥିଲେ ।

 

ରାଷ୍ଟ୍ରପତି ଆସନ ଅଳଂକୃତ କରିବାର ଅବ୍ୟବହିତ ପରେ ଜାତି ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇ ସେ କହିଲେ–‘‘ମୁଁ ଆଜି ଦେଶବାସୀଙ୍କ ସେବା କରିବାପାଇଁ ପ୍ରତିଜ୍ଞାବଦ୍ଧ । ଆପଣମାନଙ୍କର ଗଭୀର ଆସ୍ଥାଭାଜନ ହୋଇଥିବାରୁ ମୁଁ ବିଶେଷଭାବେ ଆନନ୍ଦିତ । ଦେଶବାସୀଙ୍କୁ ଏତିକି ଅନୁରୋଧ କରୁଛି ଯେ, ଯଦି ସେମାନେ ମୋତେ ସେମାନଙ୍କ ଭିତରୁ ଜଣେ ବୋଲି ଭାବି ମୋ ମନରେ ସାହସ ଓ ଉତ୍ସାହ ଭରିଦିଅନ୍ତି, ତାହାହେଲେ ମୁଁ ମୋର ସାଧ୍ୟମତେ ଦେଶପାଇଁ କାର୍ଯ୍ୟ କରିଯିବି ।’’

 

ସତକୁ ସତ ରାଷ୍ଟ୍ରପତି ଆସନରେ ଥିଲାବେଳେ ଦେଶବାସୀ ବିନା ଦ୍ଵିଧାରେ ତାଙ୍କ ମନରେ ସାହସ ଉତ୍ସାହ ଭରିଦେଇଥିଲେ; ଯାହାକୁ ପୁଞ୍ଜିକରି ସେ କର୍ମକ୍ଷେତ୍ରରେ ଆଶାନୁରୂପ ସାଫଲ୍ୟ ଅର୍ଜନ କରିପାରିଥିଲେ । ଯେହେତୁ ସେ ଥିଲେ ଜଣେ ପୂରାତନ କଂଗ୍ରେସ-କର୍ମୀ, ମନ୍ତ୍ରିମଣ୍ଡଳର ପ୍ରାୟ ପ୍ରତ୍ୟେକ ସଭ୍ୟ ତାଙ୍କୁ ଭକ୍ତି ଓ ସ୍ନେହ କରୁଥିଲେ । ସେ ତାଙ୍କର ବ୍ୟକ୍ତିଗତ ମତବାଦକୁ ମାନିନେବାକୁ କାହାକୁ ବାଧ୍ୟ କରୁ ନ ଥିଲେ; ବରଂ ଗୋଟିଏ ବିଷୟରେ ସିଦ୍ଧାନ୍ତ ଗ୍ରହଣ କଲାପୂର୍ବରୁ ବାରମ୍ବାର ଚିନ୍ତା କରିବାକୁ ସେ ମନ୍ତ୍ରିମଣ୍ଡଳର ସଭ୍ୟମାନଙ୍କୁ ଅନୁରୋଧ କରୁଥିଲେ । ଶାସନ ସଂକ୍ରାନ୍ତୀୟ କୌଣସି ଜଟିଳ ସମସ୍ୟାର ସମାଧାନ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ନିଜର ମତାମତ ଓ ନିର୍ଦ୍ଦେଶାବଳୀ ଲେଖି ପଠାଉଥିଲେ । ନିଜ ସାମ୍ବିଧାନିକ କ୍ଷମତାର ସେ ଆଦୌ ଅପବ୍ୟବହାର କରୁ ନ ଥିଲେ । ତାଙ୍କର କୌଶଳପୂର୍ଣ୍ଣ କାର୍ଯ୍ୟଦକ୍ଷତା ବିଷୟରେ ଜଣେ ପୁରାତନ କଂଗ୍ରେସକର୍ମୀ ଓ କ୍ୟାବିନେଟ୍ ସଭ୍ୟ ଶ୍ରୀ ଜଗଜୀବନ ରାମ ଥରେ କହିଥିଲେ–‘‘ଭାରତର ରାଷ୍ଟ୍ରପତି ତାଙ୍କର ଭଦ୍ରୋଚିତ ବ୍ୟବହାର ଓ ପ୍ରଭାବବଳରେ ଅନ୍ୟକୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନୀତି ଧାର୍ଯ୍ୟ କରାଇ ନେବାରେ ଯଥେଷ୍ଟ ନିପୁଣ । ତାଙ୍କର ଶାସନ ସଂକ୍ରାନ୍ତୀୟ କାର୍ଯ୍ୟ ଏତେ ଗୋପନତାସହକାରେ ସେ କରନ୍ତି ଯେ, ଅନେକ ସେ କିଛି କରୁନାହାନ୍ତି ବୋଲି ଅଭିମତ ଦେବା ସ୍ଵାଭାବିକ ।’’

 

ରାଷ୍ଟ୍ରପତିଙ୍କର କେନ୍ଦ୍ର ମନ୍ତ୍ରିମଣ୍ଡଳ ଉପରେ ପ୍ରଭାବ ପ୍ରଧାନମନ୍ତ୍ରୀଙ୍କ ସହିତ ଘନିଷ୍ଠ ସମ୍ପର୍କ ଉପରେ ସାଧାରଣତଃ ନିର୍ଭର କରିଥାଏ । ରାଜେନ୍ଦ୍ର ପ୍ରସାଦ ରାଷ୍ଟ୍ରପତି ଥିଲାବେଳେ ପ୍ରଧାନମନ୍ତ୍ରୀ ଥିଲେ ଜବାହରଲାଲ ନେହରୁ । କଂଗ୍ରେସର ପୁରାତନ ସଭ୍ୟ ଓ ବିଭିନ୍ନ କ୍ଷେତ୍ରରେ ସହକର୍ମୀ ହିସାବରେ ଦୁହିଁଙ୍କର ସମ୍ପର୍କ ଥିଲା ଅତ୍ୟନ୍ତ ଘନିଷ୍ଠ । ପୁନଶ୍ଚ ଜବାହରଲାଲଙ୍କର ବହୁମୁଖୀ ପ୍ରତିଭା ଓ ତୁଙ୍ଗ ବ୍ୟକ୍ତିତ୍ଵ କେନ୍ଦ୍ର ମନ୍ତ୍ରିମଣ୍ଡଳ ଉପରେ ରାଷ୍ଟ୍ରପତିଙ୍କର ପ୍ରଭାବକୁ ସଙ୍କୁଚିତ କରିଦେଇଥିଲା । ଏହାସତ୍ତ୍ଵେ ଦୁଇବନ୍ଧୁଙ୍କର ବ୍ୟକ୍ତିଗତ ସମ୍ପର୍କ ଥିଲା ଅକ୍ଷୂର୍ଣ୍ଣ । ଏହି ଦୁଇ ଜଣଙ୍କର ଚିନ୍ତାଧାରାରେ ଭିନ୍ନତା ରହିବା ସ୍ଵାଭାବିକ; କିନ୍ତୁ ତାହା ସାମୟିକ ଅତିରଞ୍ଜିତଭାବେ ରୂପାୟିତ ହେଉଥିଲା । ରାଜେନ୍ଦ୍ର ପ୍ରସାଦ ନିଜେ କହୁଥିଲେ–‘‘ସଭାସମିତିରେ ଆମ ଦୁଇ ଜଣଙ୍କ ମଧ୍ୟରେ ମତଭିନ୍ନତା ରହୁଥିଲା ସତ; କିନ୍ତୁ ତାହା କଂଗ୍ରେସ କାର୍ଯ୍ୟକ୍ରମ କିମ୍ବା ନୀତି ନିୟନ୍ତ୍ରଣ ଉପରେ ନୁହେଁ । ତାହା ମୁଖ୍ୟତଃ ଆମର ଦୃଗ୍‍ଭଙ୍ଗୀଗତ ।’’

 

ଏହାସତ୍ତ୍ୱେ ଦୁଇ ନେତାଙ୍କର ଉଦ୍ଦେଶ୍ୟ ବା ଲକ୍ଷ୍ୟରେ ଆଦୌ ଭିନ୍ନତା ପରିଦୃଷ୍ଟ ହେଉ ନ ଥିଲା । ଜନସାଧାରଣଙ୍କ ଉପରେ ଦୁଇ ଜଣଙ୍କର ଆସ୍ଥା ଓ ବିଶ୍ଵାସ ଥିଲା ଅତୁଟ । ରାଜେନ୍ଦ୍ର ପ୍ରସାଦ ଉଗ୍ରପନ୍ଥୀ ନ ଥିଲେ । ଭାରତର ପ୍ରାଚୀନ ପରମ୍ପରାକୁ ଆଖିଆଗରେ ରଖି ସେ ସବୁ ସମସ୍ୟାର ସମାଧାନ ଚିନ୍ତା କରୁଥିଲେ ।

 

୧୯୫୭ ମସିହାରେ ରାଷ୍ଟ୍ରପତି ହିସାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ପୂରିଯିବାରୁ, ଡକ୍‍ଟର ରାଧାକୃଷ୍ଣନ୍‍ଙ୍କୁ ରାଷ୍ଟ୍ରପତି କରିବା ପାଇଁ ପରୋକ୍ଷ ପ୍ରଚେଷ୍ଟା କରାଯାଇଥିଲା; କିନ୍ତୁ ପାର୍ଲିଆମେଣ୍ଟାରୀ ବୋର୍ଡ଼ ଦ୍ଵିତୀୟ ଥର ପାଇଁ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ନିର୍ବାଚିତ କରିଥିଲେ । ସେହି ନିର୍ବାଚନରେ ତାଙ୍କ ପ୍ରତିଦ୍ଵନ୍ଦୀ ଦୁଇଜଣଙ୍କୁ ଅମାନତ ହରାଇବାକୁ ପଡ଼ିଥିଲା ।

 

ବ୍ୟକ୍ତିଗତ ଚଳଣୀ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ, ରାଜେନ୍ଦ୍ର ପ୍ରସାଦ ଅତ୍ୟନ୍ତ ସରଳ ଓ ନିରାଡ଼ମ୍ବର ଜୀବନଯାପନ କରୁଥିଲେ । ତାଙ୍କର ଖାଦ୍ୟପେୟରେ କିଛି ବୈଶିଷ୍ଟ୍ୟ ନ ଥିଲା । ଚାକର ଓ ପରିବାରର କେତେକ ସଭ୍ୟଙ୍କ ସହିତ ସେ ପଂକ୍ତି-ଭୋଜନ କରୁଥିଲେ । ସେ ଥିଲେ ନିରାମିଷାଶୀ । ତାଙ୍କର ବିଶ୍ଵାସ ଥିଲା ଯେ ମାଂସ ଇତ୍ୟାଦି ଖାଇଲେ ମନରେ ସ୍ଵତଃ ହିଂସାଭାବ ଉଦ୍ରେକ ହୁଏ ଓ ଚିନ୍ତାଶକ୍ତି କମିଯାଏ । ନିଶା ତ ଦୂରର କଥା, ସେ ଏପରିକି ଧୂମପାନ ମଧ୍ୟ କରୁ ନ ଥିଲେ । ପୋଷାକପତ୍ର ପ୍ରତି ମଧ୍ୟ ସେ ଆଦୌ ଯତ୍ନ ହେଉ ନ ଥିଲେ । ବର୍ଷର କେତୋଟି ଉଲ୍ଲେଖଯୋଗ୍ୟ ଦିନକୁ ଛାଡ଼ିଦେଲେ ପ୍ରାୟ ସବୁଦିନେ ହାତକଟା ସୂତାରେ ବୁଣା ଲୁଗା ପିନ୍ଧୁ ଥିଲେ । ବ୍ୟକ୍ତିଗତ ବ୍ୟୟରେ ସେ ସର୍ବଦା ମିତବ୍ୟୟିତା ଅବଲମ୍ବନ କରୁଥିଲେ । ରାଷ୍ଟ୍ରପତି ହେବାପରେ ସେ ମାସିକ ପାରିତୋଷିକ ଦଶହଜାର ଓ ଆତିଥ୍ୟ–ଭତ୍ତା ଅଢ଼େଇ ହଜାର ଟଙ୍କା ପାଉଥିଲେ । ରାଜକୋଷରୁ ଏତେ ପରିମାଣର ଟଙ୍କା ନେବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ-। ତେଣୁ ସେଥିରୁ ସ୍ୱତଃପ୍ରବୃତ୍ତ ହୋଇ ବହୁ ଅଂଶ ସେ ଦେଶବାସୀଙ୍କ ପାଇଁ ଛାଡ଼ି ଦେଉଥିଲେ । ଏହାଛଡ଼ା ଟିକସ ଇତ୍ୟାଦି ବାଦ ଯାଇ ସେ ପାରିତୋଷିକ ବାବଦକୁ ସମୁଦାୟ ପାଉଥିଲେ ମାତ୍ର ୨୫ଶହ ଟଙ୍କା । ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଆତିଥ୍ୟ-ଭତ୍ତା କେବେ ନେଇ ନ ଥିଲେ; କାରଣ ସେ ନିଜ ବେତନରୁ ଅତିଥି ଚର୍ଚ୍ଚା କରିବାକୁ ପସନ୍ଦ କରୁଥିଲେ ।

 

ଭାରତର ରାଷ୍ଟ୍ରପତି ଥିଲେ ମଧ୍ୟ ତାଙ୍କୁ ଆଭିଜାତ୍ୟ ସ୍ପର୍ଶ କରି ନଥିଲା । ଯେ କୌଣସି ଲୋକ ସହିତ ସେ ସମୟ ସୁବିଧା ଦେଖି ସାକ୍ଷାତ୍ କରୁଥିଲେ । ବିଦେଶାଗତ ରାଷ୍ଟ୍ରଦୂତଙ୍କୁ ସେ ଯେଉଁ ସମ୍ମାନ ଦେଉଥିଲେ, ଭାରତର ସାଧାରଣ ନାଗରିକଙ୍କୁ ମଧ୍ୟ ଅନୁରୂପ ସମ୍ମାନ ଦେବାକୁ ସେ ଭୁଲୁ ନ ଥିଲେ । ଯାତ୍ରାପଥରେ କୃଷକମାନଙ୍କୁ ବିଶେଷ କରି ସାକ୍ଷାତ କରିବାରେ ସେ ଯଥେଷ୍ଟ ଆନନ୍ଦ ପାଉଥିଲେ । ତୀର୍ଥସ୍ଥାନକୁ ଗସ୍ତକ୍ରମରେ ଗଲାବେଳେ ସାଧାରଣ ବ୍ୟକ୍ତିଙ୍କ ପରି ସେ ନଦୀ ଓ ପୁଷ୍କରିଣୀରେ ସ୍ନାନ କରୁଥିଲେ । ପ୍ରତିଦିନ ଦେଶର ବିଭିନ୍ନ ପ୍ରାନ୍ତରୁ ତାଙ୍କୁ ଶତାଧିକ ପତ୍ର ମିଳୁଥିଲା-। ବିଶେଷ କରି ଲୋକେ ପତ୍ର ଜରିଆରେ ତାଙ୍କଠାରୁ ଉପଦେଶ ଚାହୁଁଥିଲେ । ତାଙ୍କର ସହାନୁଭୂତିଶୀଳ ଉପଦେଶ ଲୋକଙ୍କର ବିପଦ-ଆପଦରେ ସହାୟକ ହେଉଥିଲା ।

 

ଦେଶର ସର୍ବୋଚ୍ଚ ଶାସନକ୍ଷମତାରେ ଥାଇ ସେ ନିଜକୁ ଜଣେ ବିନୟୀ ଶିକ୍ଷାର୍ଥୀ ବୋଲି ଭାବୁଥିଲେ । ନିଜର ଶରୀରରକ୍ଷୀ ବ୍ୟବସ୍ଥାକୁ ସେ ଘୃଣାଚକ୍ଷୁରେ ଦେଖୁଥିଲେ; କାରଣ ସେହି ବ୍ୟବସ୍ଥା ତାଙ୍କୁ ଲୋକଙ୍କଠାରୁ ଦୂରେଇ ନେଉଥିଲା । ରେଳଡ଼ବାରେ ଯାତ୍ରା କଲାବେଳେ ଦର୍ଶନେଚ୍ଛୁ ଜନତା ତାଙ୍କର ନିକଟତମ ହେବାରେ ବାଧା ନ ଦେବାକୁ ସେ ଶରୀରରକ୍ଷୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଅନୁଷ୍ଠାନମାନଙ୍କ ସହିତ ବ୍ୟକ୍ତିଗତ ସଂପର୍କ ରଖିବାରେ ସେ ଆଦୌ ଅବହେଳା କରୁ ନ ଥିଲେ । ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କର ଉପସ୍ଥିତି ପାଇଁ ଏତେ ନିମନ୍ତ୍ରଣ ଆସୁଥିଲା ଯେ, ମାସ ମାସ ପୂର୍ବରୁ ତାଙ୍କର ଗସ୍ତକ୍ରମ ସ୍ଥିର କରାଯାଉଥିଲା । ହାଇଦ୍ରାବାଦ ନିକଟସ୍ଥ ‘ରାଷ୍ଟ୍ରପତି ନିଳୟମ୍‍’ରେ ବର୍ଷକୁ ୬ ସପ୍ତାହ ବ୍ୟତୀତ ସେ ଅନ୍ୟୁନ ୧୫୦ ଦିନ ଗସ୍ତ କରୁଥିଲେ ।

 

ବିଦେଶୀ ସରକାରମାନଙ୍କର ନିମନ୍ତ୍ରଣ ମଧ୍ୟ ସେ ରକ୍ଷା କରୁଥିଲେ । ନେପାଳ, ଜାପାନ, କାମ୍ବୋଡ଼ିଆ, ଭେଟ୍‍ନାମ, ଲାଓସ୍, ସିଂହଳ, ମାଲୟ ଓ ଇଣ୍ଡୋନେସିଆକୁ ସେ ଶୁଭେଚ୍ଛାମୂଳକ ଗସ୍ତ କରିଥିଲେ । ସବୁଠାରେ ତାଙ୍କୁ ରାଜକୀୟ ସମ୍ମାନ ମିଳିଥିଲା । ବିଶେଷ କରି ବୌଦ୍ଧଧର୍ମୀମାନେ ତାଙ୍କୁ ଅଭୂତପୂର୍ବ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ; କାରଣ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଗୟାସ୍ଥିତ ପ୍ରସିଦ୍ଧ ବୁଦ୍ଧମନ୍ଦିରର ପରିଚାଳନା ହିନ୍ଦୁ ମହନ୍ତଙ୍କ ହାତରୁ କାଢ଼ିନେଇ ଆନ୍ତର୍ଜାତୀୟ ବୌଦ୍ଧକେନ୍ଦ୍ର ପ୍ରତିଷ୍ଠାନ ହାତରେ ଅର୍ପଣ କରିଥିଲେ । ୧୯୫୮ ମସିହା ସେପ୍‍ଟେମ୍ବର ୨୬ ତାରିଖଠାରୁ ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ସେ ଜାପାନ ଗସ୍ତରେ ଯାଇଥିଲେ । ଗସ୍ତକାଳରେ ସେ ଜାପାନର ପୁରାତନ ମନ୍ଦିର ଓ ଆଧୁନିକ କଳକାରଖାନା ଦେଖିବାରେ ଅଧିକ ଆଗ୍ରହ ପ୍ରକାଶ କରିଥିଲେ । ସେଠାରେ ଓତାମି ଓ ରୁକୋକୁ ବିଶ୍ଵବିଦ୍ୟାଳୟ ତରଫରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଥିଲା । ଟେଲିଭିଜନ୍ ଜରିଆରେ ଏକ ବାର୍ତ୍ତା ଦେଇ ସେ କହିଥିଲେ–‘‘ପ୍ରାୟ ୧୩ଶହ ବର୍ଷ ପୂର୍ବେ ଭାରତର ବରପୁତ୍ର ଗୌତମ ବୁଦ୍ଧ ଜାପାନ ଅସିଥିଲେ । ତାଙ୍କରି ମହତ୍ ଆଗମନ ଫଳରେ ଜାପାନ ଓ ଭାରତ ମଧ୍ୟରେ ଆଧ୍ୟାତ୍ମିକ ସମ୍ପର୍କ ସ୍ଥାପିତ ହୋଇଥିଲା ।’’ ଜାପାନର ବିକାଶମୂଳକ କାର୍ଯ୍ୟକ୍ରମ ଦେଖି ସେ ବିସ୍ମିତ ହୋଇଯାଇଥିଲେ ଓ ସେଠାରେ ଅସ୍ଥାୟୀଭାବେ ବସବାସ କରୁଥିବା ଭାରତୀୟମାନଙ୍କୁ ଜାପାନୀ ଲୋକଙ୍କୁ ଅନୁକରଣ କରିବା ପାଇଁ ଉପଦେଶ ଦେଇ ସେ କହିଲେ–‘‘ମୁଁ ଜାଣେ ଯେ, ଜାପାନର ଲୋକମାନେ କଠିନ ପରିଶ୍ରମୀ ଓ ଆତ୍ମତ୍ୟାଗୀ । କଠିନ ଅଧ୍ୟବସାୟ ଓ ନିରବଚ୍ଛିନ୍ନ ପ୍ରଚେଷ୍ଟା ବଳରେ ସେମାନେ ସେମାନଙ୍କର ବାଣିଜ୍ୟ ଓ ଶିଳ୍ପର ବିକାଶ କରିପାରିଛନ୍ତି । ଧ୍ଵସ୍ତ-ବିଧ୍ଵସ୍ତ ଜାପାନର ଭଗ୍ନସ୍ତୂପ ମଧ୍ୟରୁ ଆଜି ସେମାନେ ସୁବର୍ଣ୍ଣପୁରୀ ଜାପାନ ଗଢ଼ିବାରେ ସକ୍ଷମ । ଆପଣମାନେ ତାଙ୍କଠାରୁ ଅତିନ୍ଦ୍ର ଅଧ୍ୟବସାୟ, ଆତ୍ମତ୍ୟାଗ, ମାନସିକ ଦୃଢ଼ତା ଇତ୍ୟାଦିର ବାର୍ତ୍ତା ନିଜ ଜନ୍ମଭୁଇଁକୁ ନେଇ ଚାଲନ୍ତୁ । ଏହା ହିଁ ମୋର ଏକାନ୍ତ କାମନା ।’’ ଗସ୍ତକାଳରେ ଜାପାନର କୃଷିଉତ୍ପାଦନ ଦେଖି ସେ ଏବେ ଆତ୍ମବିଭୋର ହୋଇପଡ଼ିଥିଲେ ଯେ, ଭାରତ ପ୍ରତ୍ୟାବର୍ତ୍ତନ ପରେ ଜାପାନର କୃଷିପ୍ରଣାଳୀ ଅନୁସରଣ କରିବାକୁ ସେ ଭାରତ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

ତାପରେ ୧୫ ଦିନ ପାଇଁ ସେ କାମ୍ବୋଡ଼ିଆ, ଭେଟ୍‍ନାମ ଓ ଲାଓସ୍ ଗସ୍ତରେ ଯାଇଥିଲେ । କାମ୍ବୋଡ଼ିଆ ପାର୍ଲିଆମେଣ୍ଟରେ ସେ ଭାଷଣ ଦେଇଥିଲେ । ସାଇଗନ୍‍ଠାରେ ତାଙ୍କୁ ଏକ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସେହି ଗସ୍ତକ୍ରମରେ ସେ ହାନୋଇ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ଭାଷଣ ଦେଇଥିଲେ । ବୁଦ୍ଧଦେବଙ୍କର ମହାନ୍ ବାଣୀ ଆଧୁନିକ ଯୁଗରେ ଗାନ୍ଧିଜୀଙ୍କ ଦ୍ୱାରା କିପରି ଅନୁସୃତ ହୋଇଛି, ତାହାର ସେ ଏକ ବିଶ୍ଳେଷଣାତ୍ମକ ଚିତ୍ର ଦେଇଥିଲେ ।

 

ତା ପରେ ୧୯୫୯ ମସିହା ଜୁନ୍ ମାସରେ ସିଂହଳ ଗସ୍ତରେ ଯାଇଥିଲେ । ସେଠାରେ ସେ କଲମ୍ବୋସ୍ଥିତ ଆନ୍ତର୍ଜାତୀୟ ବୌଦ୍ଧ ପ୍ରତିଷ୍ଠାନକୁ ଗୋଟିଏ ପୂରାତନ ବୁଦ୍ଧମୂର୍ତ୍ତି ଉପହାର ଦେଇଥିଲେ । ତାପରେ ବିଦ୍ୟାଳଙ୍କାର-ବିଶ୍ୱବିଦ୍ୟାଳୟରେ ସେ ଦୀକ୍ଷାନ୍ତ ଭାଷଣ ଦେଇଥିଲେ ଓ ସେହି ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ଡକ୍ଟରେଟ୍ ଉପାଧିରେ ଭୂଷିତ କରାଯାଇଥିଲା ।

 

ସେହି ବର୍ଷ ଡିସେମ୍ବର ମାସ ୬ ତାରିଖରେ ସେ ମାଲୟକୁ ୩ ଦିନ ପାଇଁ ଶୁଭେଚ୍ଛା ଗସ୍ତରେ ଯାଇଥିଲେ । ସେଠାରେ ସେ ମାଲୟ ଓ ଭାରତର ପୁରାତନ ସଂପର୍କ ବିଷୟ ଉଲ୍ଲେଖ କରି, ଲୋକମାନଙ୍କୁ ସଂକୀର୍ଣ୍ଣ ଜାତୀୟ ମନୋଭାବ ଦୂର କରି ବିଶ୍ଵଭ୍ରାତୃତ୍ଵ ପ୍ରତିଷ୍ଠା ଦିଗରେ ସହାୟକ ହେବାକୁ ଉପଦେଶ ଦେଇଥିଲେ । ମାଲୟରୁ ସେ ୧୨ ଦିନିଆ ଗସ୍ତକ୍ରମରେ ଇଣ୍ଡୋନେସିଆ ଯାତ୍ରା କରିଥିଲେ । ସେଠାରେ ସେ ଜାକର୍ତ୍ତା, ବାଲି, ବାନ୍ଦୁଂ ଇତ୍ୟାଦି ସ୍ଥାନମାନ ପରିଦର୍ଶନ କରିଥିଲେ ଓ ସେଠାର ପାର୍ଲିଆମେଣ୍ଟରେ ଏକ ସାରଗର୍ଭକ ବକ୍ତୃତା ଦେଇଥିଲେ । ଇଣ୍ଡୋନେସିଆର ଲୋକଙ୍କ ଜୀବନଯାତ୍ରାରେ କିପରି ଭାରତର ସଂସ୍କୃତି ପ୍ରତିଫଳିତ ହୋଇଛି, ତାହା ସେ ତାଙ୍କର ଅଭିଭାଷଣରେ ସ୍ପଷ୍ଟଭାବେ ବୁଝାଇ ଦେଇଥିଲେ ।

 

ବିଦେଶରେ ସବୁସ୍ଥାନରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ଓ ବିଭିନ୍ନ ପତ୍ର-ପତ୍ରିକା ତାଙ୍କ ଜୀବନୀସମ୍ବଳିତ ପ୍ରବନ୍ଧମାନ ପ୍ରକାଶ କରିଥିଲେ । ଜାପାନର ପ୍ରସିଦ୍ଧ ଖବରକାଗଜ–‘ଆସାହି ସିମ୍ବୁଲ’ ର ସମ୍ପାଦକ ଲେଖିଥିଲେ–‘‘ଜାପାନ ନେହରୁଙ୍କ ଜରିଆରେ ଆଧୁନିକ ଭାରତକୁ ଚିହ୍ନିଥିଲା; କିନ୍ତୁ ଆଜି ଆମେ ଆଉ ଜଣେ ଲୋକଙ୍କ ଜରିଆରେ ଭାରତକୁ ଚିହ୍ନିବାକୁ ଯାଉଛେ । ସେ ହେଉଛନ୍ତି, ଡକ୍ଟର ରାଜେନ୍ଦ୍ର ପ୍ରସାଦ । ଏହାଙ୍କ ପରି ବିନୟୀ ନେତା ସମଗ୍ର ବିଶ୍ୱରେ ବିରଳ ।’’

 

ରାଜେନ୍ଦ୍ର ପ୍ରସାଦଙ୍କ ଅମଳରେ ରାଷ୍ଟ୍ରପତିଭବନରୁ ଗୋରା ଅମଳର ଆଦବ୍ କାଇଦା ଉଠାଇ ଦିଆଯାଇଥିଲା । ତାଙ୍କୁ ଖୁବ୍ ଅଳ୍ପ ସମୟ ମଧ୍ୟରେ ଲୋକେ ସାକ୍ଷାତ୍ କରିବାର ସୁଯୋଗ ପାଉଥିଲେ । ପୂର୍ବରୁ ରାଷ୍ଟ୍ରପତିଭବନ ପରିଚାଳନାରେ ଅଯଥା ଅତ୍ୟଧିକ ବ୍ୟୟ କରାଯାଉଥିଲା । ଭବନର ୩୪୦ ବଖରାଯାକ ଘର ବଡ଼ଲାଟ ବ୍ୟବହାର କରୁଥିଲେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ଏତେ ବଖରା ଘର ନିଜ ଅଧୀନରେ ରଖିବାକୁ ଚାହିଁଲେ ନାହିଁ । ତେଣୁ ସେ ସେଥିରୁ ବହୁ ଘର କ୍ୟାବିନେଟ୍ ଅଫିସ ଓ ଜାତୀୟ ମିଉଜିୟମ ପାଇଁ ଛାଡ଼ିଦେଇଥିଲେ । ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ ସେ ମାତ୍ର ଦୁଇଟି ବଖରା ଘର ବ୍ୟବହାର କରୁଥିଲେ । ସେଇ ଘରକୁ ଲାଗି ତାଙ୍କ ନିଜର ଦିଅଁପୂଜା ପାଇଁ ଗୋଟିଏ ଛୋଟ ମନ୍ଦିର ତୋଳାଯାଇଥିଲା । କାରଣ ସେ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଦିଅଁପୂଜା କରୁଥିଲେ । ମୋଗଲ ଗାର୍ଡ଼େନର ସଂରକ୍ଷଣ ପାଇଁ ପୂର୍ବରୁ କଡ଼ା ପହରାର ବ୍ୟବସ୍ଥା ଥିଲା; କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କ ଅମଳରେ ତାହାକୁ କୋହଳ କରି ଦିଆଯାଇଥିଲା । ବର୍ଷକରେ ଏକ ମାସ ମୋଗଲ ଗାର୍ଡ଼େନ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲାରହିଲା । ଭବନର ସମସ୍ତ ସାଜସଜ୍ଜା ଭାରତୀୟ ଢାଞ୍ଚାରେ କରାଗଲା । ଦେଶର ବିଭିନ୍ନ ସ୍ଥାନରେ ଥିବା ରାଷ୍ଟ୍ରପ୍ରତି ନିବାସଗୁଡ଼ିକରେ ମଧ୍ୟ ଅନୁରୂପ ପରିବର୍ତ୍ତନ କରାଯାଇଥିଲା ।

 

ପ୍ରତ୍ୟହ ଡକ୍ଟର ରାଜେନ୍ଦ୍ର ପ୍ରସାଦ ରାତି ୪ଟାରୁ ଶଯ୍ୟାତ୍ୟାଗ କରୁଥିଲେ ଓ ସଙ୍ଗେ ସଙ୍ଗେ ଦୁଇ ଘଣ୍ଟା ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ତା ପରେ ଦିନ ୯ଟା ବେଳକୁ ବାହାର ଅତିଥିମାନଙ୍କୁ ସେ ସାକ୍ଷାତ୍ କରୁଥିଲେ । ଦିନ ଗୋଟାଏ ପର୍ଯ୍ୟନ୍ତ ଓ ୩ଟା ପରେ ସେ ନିୟମିତଭାବେ ଅଫିସ କାର୍ଯ୍ୟ କରୁଥିଲେ । ସାମୟିକ ରାତି ୧୦ଟା ପର୍ଯ୍ୟନ୍ତ ସେ ଅଫିସ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । ତାଙ୍କର ସେକ୍ରେଟାରୀ ଶ୍ରୀ ଏ. ଭି, ପାଇ, ଆଇ. ସି. ଏସ୍.ଙ୍କ ଉପରେ ସେ ଦୈନନ୍ଦିନ ଅଫିସ କାର୍ଯ୍ୟ ନିର୍ବାହର କ୍ଷମତା ଦେଇଥିଲେ; କିନ୍ତୁ ଦୋଷୀମାନଙ୍କୁ କ୍ଷମା ଦେବା ପାଇଁ ଆସୁଥିବା ଦରଖାସ୍ତଗୁଡ଼ିକୁ ସେ ବ୍ୟକ୍ତିଗତଭାବେ ଯାଞ୍ଚ କରୁଥିଲେ । କୋର୍ଟର ଜଜ୍‍ ମେଣ୍ଟଗୁଡ଼ିକ ଯେତେ ଦୀର୍ଘ ହେଉ ନା କାହିଁକି, ସେଗୁଡ଼ିକ ସେ ଖୁବ୍‍ ଶ୍ରମସ୍ୱୀକାର କରି ଅନୁଧ୍ୟାନ କରୁଥିଲେ । ବିଶେଷକରି ତାଙ୍କର ଆଇନଜ୍ଞାନ ଓ ନ୍ୟାୟବିଚାର ଏଥିରେ ତାଙ୍କୁ ଯଥେଷ୍ଟ ସହାୟକ ହେଉଥିଲା । ତାଙ୍କର ବ୍ୟକ୍ତିଗତ ସେକ୍ରେଟାରୀ ଶ୍ରୀ ବିଶ୍ୱନାଥ ବର୍ମା, ପ୍ରେସ୍‍ ସେକ୍ରେଟାରୀ ଶ୍ରୀ ଆର, ଏଲ. ହଣ୍ଡା, ବ୍ୟକ୍ତିଗତ ସେକ୍ରେଟାରୀ ଶ୍ରୀମତୀ ଦରବାର, ଡ଼ାକ୍ତର ଲେଫ୍‍ଟନେଣ୍ଟ କର୍ଣ୍ଣେଲ୍ ଏସ୍. ଏସ୍. ମଇତ୍ର ଓ ଜେ. ଆର. ପଟେଲ, ମିଲିଟାରୀ ସେକ୍ରେଟାରୀ ମେଜର ଜେନେରାଲ ହରନାରାୟଣ ସିଂହ ପ୍ରମୁଖ ଖୁବ୍ ଦକ୍ଷ ଓ କାର୍ଯ୍ୟକ୍ଷମ ଥିବାରୁ ରାଜେନ୍ଦ୍ର ପ୍ରସାଦଙ୍କୁ ପ୍ରାୟ କୌଣସି କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁ ନ ଥିଲା ।

 

ସାଧାରଣତଃ ରାଷ୍ଟ୍ରପତି ଆସନକୁ ରାଜନୀତି ସ୍ପର୍ଶ କରି ନ ଥାଏ । ସଂବିଧାନ ଅନୁଯାୟୀ ରାଷ୍ଟ୍ରପତି ରାଜନୀତି, ଧର୍ମ, ଜାତି, ବର୍ଣ୍ଣଠାରୁ ବହୁ ଦୂରରେ ରହିବାକୁ ଶପଥ ଗ୍ରହଣ କରିଥାନ୍ତି । ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅକ୍ଷରେ ଅକ୍ଷରେ ସଂବିଧାନର ନିୟମ ପାଳନ କରୁଥିଲେ । ରାଷ୍ଟ୍ରପତି ହେଲେ ମଧ୍ୟ ବିହାରର ଲୋକଙ୍କ ନିକଟରେ ସେ ଥିଲେ ପ୍ରିୟ ନେତା ରାଜେନ୍‍ବାବୁ । ପଦବୀ ତାଙ୍କ ବ୍ୟକ୍ତିତ୍ଵରେ କିଛି ନୂତନର ଆରୋପ କରିପାରି ନ ଥିଲା ।

Image

 

ଜନନେତା ଡକ୍‍ଟର ରାଜେନ୍ଦ୍ର ପ୍ରସାଦ

 

ଭାରତୀୟ ନେତାମାନଙ୍କ ଭିତରୁ ଯେଉଁ କେତେ ଜଣ ନେତା ସର୍ବାଧିକ ଲୋକସମ୍ପର୍କ ରଖିବାକୁ ଭଲ ପାଉଥିଲେ, ସେମାନଙ୍କ ମଧ୍ୟରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅନ୍ୟତମ । ସେ କୃଷକ ପରିବାରରେ ଜନ୍ମଗ୍ରହଣ କରି ଶାସନର ସର୍ବୋଚ୍ଚ ଆସନରେ ଅଧିରୁଢ଼ ହୋଇଥିଲେ ମଧ୍ୟ ତାଙ୍କ ମନକୁ ଆଦୌ ଅହଂକାର ସ୍ପର୍ଶ କରି ନ ଥିଲା । ସେ ନିଜକୁ ପ୍ରଥମେ ଦେଶବାସୀଙ୍କର ସେବକ ଓ ପରେ ରାଷ୍ଟ୍ରପତି ବୋଲି ଭାବୁଥିଲେ । ବକ୍ତା ହିସାବରେ ଜନତାକୁ ମନ୍ତ୍ରମୁଗ୍‍ଧ କରିବାର କ୍ଷମତା ତାଙ୍କର ନ ଥିଲା; କିନ୍ତୁ ବ୍ୟକ୍ତିଗତ ସମ୍ପର୍କ ତଥା ସ୍ଵକୀୟ ନିରହଙ୍କାର ମନୋଭାବ ତାଙ୍କୁ ସର୍ବସାଧାରଣଙ୍କ ନିକଟରେ କରିପାରିଥିଲା ସବୁଠାରୁ ବେଶି ପ୍ରିୟ । ଦାର୍ଘସମୟ ଧରି ବକ୍ତୃତା ଦେବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ; କାରଣ ଶ୍ରୋତାଙ୍କର ଧୈର୍ଯ୍ୟ ଆକଳନ କରିବା ତାଙ୍କୁ ବେଶ୍ ଜଣାଥିଲା ।

 

ସ୍ଵାଧୀନତା–ସଂଗ୍ରାମ ସମୟରେ ସେ ନିଜ ସମ୍ପାଦିତ ‘ଦେଶ’ ଜରିଆରେ ଅତି ସରଳ ଓ ସ୍ପଷ୍ଟଭାବରେ ନିଜର ମତ ବ୍ୟକ୍ତ କରୁଥିଲେ । ଗ୍ରାମରାଜ୍ୟ ପ୍ରତିଷ୍ଠା ନିମିତ୍ତ କୃଷି, କୁଟୀରଶିଳ୍ପ, ଶିକ୍ଷା, ସାମାଜିକ ସଂହତି ଓ ଅସ୍ପୃଶ୍ୟତା ନିବାରଣ ପାଇଁ ସ୍ଵକୀୟ ସ୍ଵାଧୀନ ମତ ବ୍ୟକ୍ତ କରିବାରେ ତାଙ୍କ ଲେଖନୀ ଥିଲା ନିର୍ଭୀକ । ପରେ ଅବଶ୍ୟ ବିଧାନ ପରିଷଦର ନେତା ଓ ରାଷ୍ଟ୍ରପତି ହେବାରୁ ତାଙ୍କର ଲୋକସମ୍ପର୍କ କ୍ରମେ ସଂକୁଚିତ ହୋଇ ଆସିଥିଲା । ଶିକ୍ଷା-ଅନୁଷ୍ଠାନମାନଙ୍କରେ ବକ୍ତୃତା ଦେବାକୁ ସେ ଅଗ୍ରାଧିକାର ଦେଉଥିଲେ । ମୌଳିକ ଶିକ୍ଷା ଉପରେ ତାଙ୍କର ଥିଲା ଅତୁଟ ବିଶ୍ୱାସ । ଆଧୁନିକ ବିଶ୍ୱବିଦ୍ୟାଳୟ–ଶିକ୍ଷା ଦେଇ ଦେଶର ବେକାର ସମସ୍ୟା ବୃଦ୍ଧି କରିବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ବହୁ ବିଶ୍ୱବିଦ୍ୟାଳୟରେ ଦୀକ୍ଷାନ୍ତ ଭାଷଣ ଦେଇ ସେ ଆଧୁନିକ ଶିକ୍ଷାପଦ୍ଧତିର ସମାଲୋଚନା କରୁଥିଲେ । ସେ କହୁଥିଲେ–‘‘ଦପ୍ତରମାନଙ୍କରେ କିରାନୀ କିମ୍ବା ଅଫିସର ସୃଷ୍ଟି ଶିକ୍ଷାର ଲକ୍ଷ୍ୟ ନୁହେଁ । ମାନବଜୀବନ ଓ ସମାଜର ପୂର୍ଣ୍ଣ ବିକାଶ ହିଁ ଏହାର ଲକ୍ଷ୍ୟ ହେବା ଉଚିତ । ମୌଳିକ ଶିକ୍ଷା ଯଦି ବିସ୍ତୃତଭାବେ କାର୍ଯ୍ୟକାରୀ କରାଯାନ୍ତା, ତାହାହେଲେ ଗ୍ରାମାଞ୍ଚଳର ଶିକ୍ଷିତ ଯୁବକମାନେ ଅନ୍ନସଂସ୍ଥାନ ପାଇଁ ଆଉ ସହରକୁ ଧାଆନ୍ତେ ନାହିଁ । ନିଜ ଗ୍ରାମର ସାମୂହିକ ବିକାଶ ସାଧନ କରି ସେମାନେ ବେଶ୍‍ ଦି’ପଇସା ରୋଜଗାର କରିବା ସଙ୍ଗେ ସଙ୍ଗେ ଦେଶସେବା କରିପାରନ୍ତେ । ଆଧୁନିକ ଶିକ୍ଷାର ଅବନତି ପାଇଁ ପରିପ୍ରେକ୍ଷୀ ଓ ଶିକ୍ଷକ ସମାଜ-ଉଭୟ ଦାୟୀ ।’’

 

‘ଭାରତୀୟ ଆଦିମଜାତି ସେବକ ସଂଘ’ର ସେ ଥିଲେ ଜନୈକ ସକ୍ରିୟ ସଭ୍ୟ । ଆଦିବାସୀମାନଙ୍କ ସମସ୍ୟାଗୁଡ଼ିକର ବିହିତ ବିଚାର କରି ସେମାନଙ୍କର ଆଶୁ ଅଭିବୃଦ୍ଧି ନିମନ୍ତେ ସେ ଥିଲେ ସର୍ବଦା ଚେଷ୍ଟିତ । ଆଦିବାସୀଙ୍କ ପରମ୍ପରା ଉପରେ ହସ୍ତକ୍ଷେପ କରିବାକୁ ସେ ସର୍ବଦା ସଂଘର କର୍ମୀମାନଙ୍କୁ ଉପଦେଶ ଦେଉଥିଲେ । ଏତଦ୍‍ଭିନ୍ନ ହରିଜନମାନଙ୍କର ଆର୍ଥନୀତିକ ବିକାଶ ପାଇଁ ସେ ତତ୍ପରତା ଅବଲମ୍ବନ କରୁଥିଲେ । ଗାଁଗହଳରେ ବେକାର ସମସ୍ୟା ସମାଧାନ ପାଇଁ ଗ୍ରାମ୍ୟ ଓ କୁଟୀରଶିଳ୍ପର ପୁନର୍ବିକାଶ ଉପରେ ସେ ଅଧିକ ଗୁରୁତ୍ୱ ଦେଉଥିଲେ । କୁଟୀରଶିଳ୍ପଜାତ ଜିନିଷ ପ୍ରତି ତାଙ୍କର ବ୍ୟକ୍ତିଗତ ଶ୍ରଦ୍ଧା ଥିଲା । ତାଙ୍କରି ଅମଳରେ ରାଷ୍ଟ୍ରପତି–ଭବନରେ କାଶ୍ମୀର ଗାଲିଚା, ମଣିପୁରୀ ପରଦା ଇତ୍ୟାଦିର ବ୍ୟବହାର କରାଯାଇଥିଲା ।

 

ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କଠାରେ ପ୍ରାଚୀନ ଓ ନୂତନ ସଂସ୍କୃତିର ହୋଇଥିଲା ଅପରୂପ ସମାହାର । ଆଧୁନିକ ବୈଜ୍ଞାନିକ ପଦ୍ଧତି ପ୍ରତି ସେ ଆକୃଷ୍ଟ ଥିଲେ ମଧ୍ୟ ପ୍ରାଚୀନ ପଦ୍ଧତି ପ୍ରତି ଅନାସକ୍ତଭାବ ସେ ପ୍ରକାଶ କରୁ ନ ଥିଲେ । ଉଦାହରଣ ସ୍ଵରୁପ, ଭେଷଜ ବିଜ୍ଞାନ ଯଥେଷ୍ଟ ବିକାଶ ଲାଭ କରିଥିଲେ ମଧ୍ୟ ଆୟୁର୍ବେଦ ଓ ୟୁନାନି ଔଷଧ ପ୍ରତି ଅବହେଳାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ସେ କହୁଥିଲେ–“ବିଦେଶୀ ସରକାରଙ୍କ ଅବହେଳା ସତ୍ତ୍ୱେ ଗ୍ରାମାଞ୍ଚଳରେ ଏହି ଭେଷଜ ବିଜ୍ଞାନ ବଞ୍ଚିରହିଛି । ତେଣୁ ଆମ ପ୍ରାଚୀନ ସଂସ୍ମୃତିର ସୁରକ୍ଷା ପାଇଁ ଏ ବିଜ୍ଞାନକୁ ବଞ୍ଚାଇବାକୁ ପଡ଼ିବ ଓ ଗବେଷଣା ଜରିଆରେ ଏହି ଔଷଧର ନୂତନ ପ୍ରସ୍ତୁତି ପ୍ରଣାଳୀ ଆବିଷ୍କାର କରିବାକୁ ପଡ଼ିବ ।’’ ସଭାସମିତିରେ ସେ ବୈଜ୍ଞାନିକମାନଙ୍କୁ ଅଭିଭାଷଣ-କ୍ରମରେ କହୁଥିଲେ ଯେ, ବିଜ୍ଞାନକୁ ମଣିଷସେବାରେ ଲଗାଇବା ପାଇଁ ବୈଜ୍ଞାନିକମାନେ ଅଦମ୍ୟ ଉଦ୍ୟମ କରିବା ଉଚିତ । ଏହି ବିଜ୍ଞାନବଳରେ ଆଜି ଦେଶ ଦେଶ ମଧ୍ୟରେ ଦୂରତା କମିଯାଇଛି ସତ; କିନ୍ତୁ ମଣିଷର ଆଧ୍ୟାତ୍ମିକ ଚିନ୍ତାଧାରା ବିଜ୍ଞାନର ଅଗ୍ରଗତି ସହିତ ସମସ୍କନ୍ଧ ହୋଇ ଗତିକରି ପାରୁନାହିଁ । ତେଣୁ ବୈଜ୍ଞାନିକମାନଙ୍କ ପ୍ରଚେଷ୍ଟାରେ ଆଜି ସମଗ୍ର ବିଶ୍ୱରେ ସୃଷ୍ଟି ହେଉଛି ଅଗଣିତ କୃତ୍ରିମ ଆଗ୍ନେୟଗିରି-। ଯେ କୌଣସି ମୁହୂର୍ତ୍ତରେ ସେଗୁଡ଼ିକର, ବିସ୍ଫୋରଣ ଅବଶ୍ୟମ୍ଭାବୀ । ତେଣୁ ବୈଜ୍ଞାନିକମାନେ ଧ୍ୱଂସମୂଳକ ଆବିଷ୍କାରରୁ ଦୂରେଇ ରହିବା ଉଚିତ ।

 

ଶାସନ ସଂକ୍ରାନ୍ତରେ ସେ ମତ ଦେଇ କହୁଥିଲେ ଯେ, ଲୋକେ ଯେ ପର୍ଯ୍ୟନ୍ତ ନିଜ ନିଜ ଦାୟିତ୍ଵ ସଂପାଦନ କରିବାରେ ଅକ୍ଷମ, ସେ ପର୍ଯ୍ୟନ୍ତ ଦେଶରେ ଗଣତନ୍ତ୍ରର ସୁଫଳ ହାସଲ କରିବା ଅସମ୍ଭବ । ପୁନଶ୍ଚ କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ଲୋକଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟଜ୍ଞାନ ନ ଆସିଲେ ବିଭିନ୍ନ ପ୍ରକାର ଦୁର୍ନୀତି ଜନ୍ମଲାଭ କରିବା ଅବଶ୍ୟମ୍ଭାବୀ । ଗଣତନ୍ତ୍ରର ସମ୍ମାନ ବଜାୟ ରଖିବାକୁ ହେଲେ ବ୍ୟକ୍ତିଗତ ନିଷ୍ଠା ଓ ତ୍ୟାଗ ଦରକାର ।

 

ବୌଦ୍ଧଧର୍ମ ପ୍ରତି ରାଜେନ୍ଦ୍ର ପ୍ରସାଦଙ୍କର ଥିଲା ଅପରିସୀମ ଅନୁରକ୍ତି । ତାଙ୍କ ମତରେ ବୌଦ୍ଧଧର୍ମ ଦେଶରୁ ପୂର୍ଣ୍ଣମାତ୍ରାରେ ନିରୀକୃତ ହୋଇନାହିଁ । ସେହି ଧର୍ମର ନିର୍ଯାସ ସନାତନ ଧର୍ମରେ ବିଜଡ଼ିତ ହୋଇଯାଇଛି । ଆଜି ହିନ୍ଦୁମାନେ ବୁଦ୍ଧଦେବଙ୍କୁ ସେମାନଙ୍କର ଅବତାରରୂପେ ମାନୁଛନ୍ତି ।

 

ବାପୁଜୀଙ୍କର ନିକଟତମ ସମ୍ପର୍କରେ ଆସିବାଦ୍ଵାରା ରାଜେନ୍ଦ୍ର ପ୍ରସାଦଙ୍କ ହୃଦୟରେ ବହୁପୂର୍ବରୁ ଅହିଂସାର ବୀଜ ବପିତ ହୋଇଥିଲା ଏବଂ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ଥିଲେ ଅହିଂସାର ପୂଜାରୀ । କର୍ତ୍ତବ୍ୟ ଥିଲା ତାଙ୍କ ଜୀବନର ପ୍ରଧାନ ନିୟାମକ । ସେ ସର୍ବଦା କହୁଥିଲେ, ‘‘ଅହିଂସା ଅଭ୍ୟାସ ମାନସିକ ଦୃଢ଼ତା ବଳରେ ସମୃଦ୍ଧ ହେବା ଉଚିତ–ଦୁର୍ବଳତାଦ୍ୱାରା ନୁହେଁ । ପୁନଶ୍ଚ ଅହିଂସା ଅଭ୍ୟାସ କରୁଥବା କଷ୍ଟ ସହ୍ୟ କରିବା ଉଚିତ । ଆତ୍ମସଂଯମ ତାହାର ଅମୋଘଅସ୍ତ୍ର । ଅନେକେ ମତ ଦେଇଥାନ୍ତି ଯେ, ଅହିଂସା ଲୋକଙ୍କୁ ଭୀରୁ କରିପକାଏ; କିନ୍ତୁ ଏହା ଆଦୌ ସତ୍ୟ ନୁହେଁ । ବରଂ ଅହିଂସା ବଳରେ ଲୋକ ହୁଏ ନିର୍ଭୟମନା । ଭାରତ ପରି ବିଭିନ୍ନ ଧର୍ମ, ଭାଷା ଓ ଆଦର୍ଶବାଦସମ୍ୱଳିତ ଦେଶରେ ଗୋଷ୍ଠୀଗତ ସଂଗ୍ରାମ ଓ ଦ୍ୱନ୍ଦ୍ୱ ହ୍ରାସ କରିବା ପାଇଁ ଅହିଂସା ମୁଖ୍ୟତଃ ଅନୁସରଣୀୟ । ଏହାଦ୍ୱାରା ଲୋକଙ୍କ ମଧ୍ୟରେ ସହନଶୀଳତା ବୃଦ୍ଧିପାଇବ ଓ ଅଧିକାରଠାରୁ କର୍ତ୍ତବ୍ୟ ପ୍ରତି ସେମାନେ ବେଶି ଦୃଷ୍ଟିଦେବେ ।

 

ଅହିଂସା ନୀତି ବିଶ୍ୱବ୍ୟାପାରରେ ମଧ୍ୟ ପ୍ରୟୋଗ କରାଯାଇପାରେ । ୧୯୫୮ ମସିହା ଡିସେମ୍ବର ୧୦ ତାରିଖରେ ଓ ୧୯୫୯ ମସିହା ମାର୍ଚ୍ଚ ୨୩ ତାରିଖରେ ଯଥାକ୍ରମେ ସେ ଭେଟ୍‍ନାମ ବିଶ୍ୱବିଦ୍ୟାଳୟ ଓ ଜାକର୍ତ୍ତା ବିଶ୍ୱବିଦ୍ୟାଳୟରେ ତାଙ୍କର ନୀତିଦୀର୍ଘ ବକ୍ତୃତା ଜରିଆରେ ଏହା ପ୍ରମାଣ କରିବାକୁ ଯାଇ ବିଶ୍ୱନିରସ୍ତ୍ରୀକରଣ ଏକାନ୍ତ ପ୍ରୟୋଜନୀୟ ବୋଲି ସେ ଦର୍ଶାଇଥିଲେ-। ବକ୍ତୃତା ଛଳରେ ସେ କହିଥିଲେ ଯେ, ବିଜ୍ଞାନ ଖୁବ୍ ଅଳ୍ପ ସମୟ ମଧ୍ୟରେ ମାନବଜାତିକୁ ଧରାପୃଷ୍ଠରୁ ନିଶ୍ଚିହ୍ନ କରିଦେଇପାରେ । କେବଳ ବିଶ୍ଵ-ନିରସ୍ତ୍ରୀକରଣ ପାଇଁ ଡକାପକାଇଲେ କିଛି ସୁଫଳ ହେବନାହିଁ; ଏଥିପାଇଁ ବାପୁଜୀଙ୍କ ଆଦର୍ଶ ଓ ସଂଘବଦ୍ଧ ପ୍ରଚେଷ୍ଟା ଦରକାର ।

 

ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କର ପାଣ୍ଡିତ୍ୟ ଓ ଗଭୀର ଅନୁଭୂତି ବଳରେ ତାଙ୍କ ମନ୍ତ୍ରୀପରିଷଦର ସଭ୍ୟମାନଙ୍କୁ ସର୍ବଦା ସନ୍ମାଗଗାମୀ ହେବାକୁ ନିର୍ଦ୍ଦେଶ ଦେଉଥିଲେ । ସେ ଥିଲେ ନିର୍ଭୟମନା । ଯାହା ନ୍ୟାୟସଙ୍ଗତ ବୋଲି ଅନୁଭବ କରୁଥିଲେ, ସେଥିରୁ ତିଳେ ହେଲେ ଓହରିବା ତାଙ୍କ ପକ୍ଷରେ ସମ୍ଭବପର ହେଉ ନ ଥିଲା । ଦେଶର କେତେକ କଠିନ ସମସ୍ୟା ଉପରେ ନିଜର ସ୍ଵାଧୀନ ମତ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀଙ୍କୁ ଗୋପନ ଚିଠିମାନ ଲେଖୁଥିଲେ । ଆବ୍ରାହମ୍‍ ଲିଙ୍କନ୍‍ଙ୍କ ପରି ସେ ଥିଲେ ବାସ୍ତବବାଦୀ । ଯୋଜନା ଓ ପରିକଳ୍ପନାଠାରୁ ତା’ର କାର୍ଯ୍ୟକାରିତା ଉପରେ ସେ ଅଧିକ ଜୋର ଦେଉଥିଲେ । ଭାରତର ଖାଦ୍ୟ ଉତ୍ପାଦନ ବୃଦ୍ଧି ତାଙ୍କ ନିକଟରେ ଥିଲା ‘ସବୁଠାରୁ ବଡ଼ ସମସ୍ୟା’ । ସମବାୟ ଚାଷ-ପଦ୍ଧତିର ସେ ଥିଲେ ବିରୋଧୀ । ଏହାଦ୍ୱାରା ଜମି ପ୍ରତି ଅତିରିକ୍ତ ଅନୁରକ୍ତ ଭାରତୀୟ କୃଷକର ଜମିରୁ ଆସକ୍ତି କମିଯିବ ବୋଲି ସେ କହୁଥିଲେ । ବଡ଼ ବଡ଼ ନଦୀବନ୍ଧ ଯୋଜନାକୁ ଅଗ୍ରାଧିକାର ନ ଦେଇ ଅଧିକ ସଂଖ୍ୟକ କ୍ଷୁଦ୍ର ଜଳସେଚନ ଯୋଜନା କାର୍ଯ୍ୟକାରୀ କରିବାକୁ ସେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦେଶକୁ ଶିଳ୍ପସମୃଦ୍ଧ ନ କରି ପ୍ରଥମେ କୃଷିସମୃଦ୍ଧ କରିବା ଥିଲା ତାଙ୍କର ଏକାନ୍ତ ପ୍ରୟାସ । ସେ କହୁଥିଲେ, କୃଷି ହିଁ ହେଉଛି ଦେଶର ଆର୍ଥନୀତିକ ମେରୁଦଣ୍ଡ । ଭାରତ ପରି ଜନବହୁଳ ଦେଶରେ କୃଷିର ଉନ୍ନତି ସାଧିତ ନ ହେଲେ ଅନ୍ୟ ଯୋଜନାଗୁଡ଼ିକ ପୂର୍ଣ୍ଣମାତ୍ରାରେ ଫଳପ୍ରଦ ହୋଇପାରିବ ନାହିଁ । ଦେଶସାରା ସେବାସମବାୟ ସମିତି ଗଢ଼ିବା ପାଇଁ ଏକ ଯୋଜନା ତିଆରି କରାଇବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ; ଯାହା କି ବର୍ତ୍ତମାନ କାର୍ଯ୍ୟକାରୀ ହେବାଦ୍ୱାରା ଦେଶର କୃଷକକୁଳ ଉପକୃତ ହେଉଅଛନ୍ତି । ସମବାୟ ଆନ୍ଦୋଳନରେ ସରକାରୀ କର୍ତ୍ତୁତ୍ଵକୁ ସେ ଆଦୌ ସ୍ୱୀକାର କରୁ ନ ଥିଲେ-। ସମବାୟ ଏକ ଗଣତାନ୍ତ୍ରିକ ଆନ୍ଦୋଳନ ଓ ଏହାକୁ ଶୀଘ୍ର ସରକାରୀ କର୍ତ୍ତୁତ୍ଵରୁ ମୁକ୍ତ କରାଯାଉ, ଏହା ହିଁ ଥିଲା ତାଙ୍କର ନିର୍ଦ୍ଦେଶନା । ଏହି ଆନ୍ଦୋଳନର ଅଗ୍ରଗତି କାର୍ଯ୍ୟକ୍ଷେତ୍ରରେ ନ ହୋଇ ପରିସଂଖ୍ୟାନରେ ଅଧିକ ପରିଦୃଷ୍ଟ ହେଉଛି ବୋଲି ସେ ସମାଲୋଚନା କରୁଥିଲେ ।

 

ରାଜେନ୍ଦ୍ର ପ୍ରସାଦଙ୍କ ଚରିତ୍ର ଥିଲା ନିଷ୍କଳଙ୍କ । ସମାଜ ଓ ଶାସନ କ୍ଷେତ୍ରରେ ଦୁର୍ନୀତି ରୂପକ ବ୍ରଣର ଅସ୍ତ୍ରୋପଚାର କରିବାକୁ ସେ କେବେହେଲେ ପଛଉ ନ ଥିଲେ । ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ସି. ଡ଼ି. ଦେଶମୁଖ ଯେତେବେଳେ କେତେ ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୁର୍ନୀତିର ଅଭିଯୋଗ ଆଗତ କଲେ, ରାଜେନ୍ଦ୍ର ପ୍ରସାଦ ବିନାଦ୍ୱିଧାରେ ତାର ଅନୁସନ୍ଧାନ କରିବା ପାଇଁ ଏକ ଶକ୍ତିଶାଳୀ କମିଶନ ବସାଇବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

 

ଲୋକ ହିସାବରେ ସେ ଥିଲେ ସ୍ଥିତପ୍ରଜ୍ଞ । ତାଙ୍କର ହୃଦୟ ଥିଲା କୁସୁମଠାରୁ କୋମଳ ଓ ବଜ୍ରଠାରୁ କଠିନ । କୌଣସି ବ୍ୟକ୍ତି ସ୍ୱ-ଇଚ୍ଛାରେ ନୀତି ଓ ଶୃଙ୍ଖଳାର ବହିର୍ଭୂତ ହେଲେ, ସେ ତାକୁ ଆଦୌ କ୍ଷମା ଦେଉ ନ ଥିଲେ । କଂଗ୍ରେସ ସଭାପତି ଥିଲାବେଳେ ସୁଭାଷ ବୋଷଙ୍କ ପ୍ରତି କରିଥିବା କାର୍ଯ୍ୟାନୁଷ୍ଠାନ ତାହାର ଏକ ଉଦାହରଣ । ନିଜର ବ୍ୟକ୍ତିଗତ ସ୍ଵାର୍ଥସାଧନ ପାଇଁ, ସେ କାହା ମନରେ ଦୁଃଖ ଦେଉ ନ ଥିଲେ । ତାଙ୍କର ଶତ୍ରୁ କେହି ନ ଥିଲେ କହିଲେ ଚଳେ । ତେଣୁ ଗାନ୍ଧିଜୀ ତାଙ୍କୁ ଡାକୁଥିଲେ ‘ଅଜାତଶତ୍ରୁ’ ବୋଲି । କ୍ଷମତାର ମୋହ ତାଙ୍କୁ ସ୍ପର୍ଶ କରି ନ ଥିଲା । ସମ୍ମାନ ଓ ପଦବୀ ପ୍ରତି ସେ ଆସକ୍ତ ନ ଥିଲେ । ଧନଲୋଭଠାରୁ ସେ ଥିଲେ ଖୁବ୍ ଦୂରରେ । ପାଟନାରେ ଓକିଲାତି କଲାବେଳେ ସେ ମାସିକ ପାଞ୍ଚହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ; କିନ୍ତୁ ନିଜର ଭବିଷ୍ୟତ ପାଇଁ ସେ ଗୋଟିଏ ପଇସା ବି ସଞ୍ଚୟ କରୁ ନ ଥିଲେ । ଯେତେବେଳେ ସେ ଓକିଲାତି ଛାଡ଼ି କଂଗ୍ରେସରେ ଯୋଗଦେଲେ, ସେତେବେଳେ ତାଙ୍କର ବ୍ୟାଙ୍କ୍‍ରେ ଅମାନତ ଥିଲା ମାତ୍ର ୧୫ଟି ଟଙ୍କା । ୧୯୫୫ ମସିହା ମାର୍ଚ୍ଚ ମାସରେ ‘ସର୍ବୋଦୟ ସମ୍ମିଳନୀ’ ରେ ନିଜର ଆଦର୍ଶବାଦ ବାଢ଼ିବାକୁ ଯାଇ ସେ କହିଥିଲେ– ‘Happiness lies in giving up the weakness for property by renouncing attachment to it.’

 

ଅତିରିକ୍ତ ଧର୍ମବିଶ୍ୱାସ ଥିଲା ରାଜେନ୍ଦ୍ର ପ୍ରସାଦଙ୍କର ଅନ୍ୟ ଏକ ଚାରିତ୍ରିକ ମହତ୍ଵ । ଏହାରି ଯୋଗୁ ହିଁ ସେ ଜୀବନକୁ ନିରାମୟ ରଖିପାରିଥିଲେ । ରାମାୟଣ ଥିଲା ତାଙ୍କର ସବୁଠାରୁ ପ୍ରିୟଗ୍ରନ୍ଥ । ଧର୍ମ କେବଳ ତାଙ୍କର ବିଶ୍ୱାସଗତ ନ ଥିଲା–ଏହା ଥିଲା ତାଙ୍କ ଜୀବନର ନିୟାମକ । ଧାର୍ମିକ ହିସାବରେ ସେ ଉଗ୍ରପନ୍ଥୀ ନ ଥିଲେ । ଅନ୍ୟ ଧର୍ମ ପ୍ରତି ମଧ୍ୟ ସେ ସମ୍ମାନ ପ୍ରଦର୍ଶନ କରୁଥିଲେ । ପୋଷାକ-ପରିପାଟିରେ ତାଙ୍କର ଅଭିଜାତ୍ୟର ଚିହ୍ନ ନଥିଲା । ପାଟନା ହାଇକୋର୍ଟର ଆଡ଼୍‍ ଭୋକେଟ ଥିଲାବେଳେ ସେଥିଯୋଗୁଁ ବନ୍ଧୁମହଲରୁ ତାଙ୍କୁ ବହୁ ଥଟ୍ଟା-ପରିହାସ ସହିବାକୁ ପଡ଼ିଥିଲା ।

 

ବ୍ୟକ୍ତିଗତ ଜୀବନ ଦୃଷ୍ଟିରୁ ବିଚାର କଲେ ଜଣାଯାଏ ଯେ, ରାଜେନ୍ଦ୍ର ପ୍ରସାଦ ଥିଲେ ଶାନ୍ତିକର୍ମୀ । ଜଣକର ଆଦର୍ଶବାଦ ଅନ୍ୟ ଜଣକ ଉପରେ ବାଧ୍ୟ କରି ଲଦିଦେବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ଧୀରମତି, ସ୍ଥିରଚିତ୍ତରେ ସେ ସବୁକାମ କରୁଥିଲେ । ଆବେଗପରାୟଣ ହୋଇ ସେ କୌଣସି ସିଦ୍ଧାନ୍ତ ଗ୍ରହଣ କରୁ ନ ଥିଲେ । ତାଙ୍କର ଦୂରଦୃଷ୍ଟି ଥିଲା ତୀକ୍ଷ୍‍ ଣ; ତେଣୁ ତାଙ୍କ କାର୍ଯ୍ୟପନ୍ଥାରେ ଆଦୌ ତ୍ରୁଟି ପରିଲକ୍ଷିତ ହେଉ ନ ଥିଲା । ତାଙ୍କର ସେହି ଗୁଣ ପ୍ରଖ୍ୟାପନ କରି ରାମଗଡ଼ କଂଗ୍ରେସ ଅଧିବେଶନରେ ଜବାହରଲାଲ ନେହରୁ କହିଥିଲେ–‘‘We often make mistakes. Our steps falter. Our tongues falter and slip. But here is a man (Rajendra Prasad), who never makes a mistake, whose steps do not falter or slip, and who has had no occasion to withdraw what he once said or wish undone what he once did.’’ ତ୍ରୁଟି ଲୁଚାଇବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ଏପରି କି ଶାସନକ୍ଷେତ୍ରରେ ତ୍ରୁଟି ପରିଲକ୍ଷିତ ହେଲେ ସେ ସରକାରଙ୍କୁ ମଧ୍ୟ ଘଣ୍ଟ ଘୋଡ଼ାଇବାକୁ ଚାହୁଁ ନ ଥିଲେ । କଂଗ୍ରେସଦଳର ସୁବିଧାବାଦୀ ସଭ୍ୟମାନଙ୍କୁ ମଧ୍ୟ ଲକ୍ଷ୍ୟ କରି କହୁଥିଲେ–‘‘ମୁଁ ଜାଣେ ଯେ, କେତେକ ବ୍ୟକ୍ତି ସ୍ଵାର୍ଥସିଦ୍ଧି ଆଶାରେ ଏହି ସଂଗଠନର ସଭ୍ୟଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଅଛନ୍ତି । ଉଚ୍ଚାକାଙ୍‍କ୍ଷା ଆଜି ସେବା ଓ ଶିଷ୍ଟାଚାରର ସ୍ଥାନ ଅଧିକାର କରୁଛି । ବ୍ୟକ୍ତିଗତ ସ୍ଵାର୍ଥ ଏବେ କଂଗ୍ରେସ ସଂଗଠନରେ କ୍ରମେ ପୁଞ୍ଜୀଭୂତ ହେଉଛି । ଏହା ଦେଶ ଓ ଜାତି ପକ୍ଷରେ ଏକ ପ୍ରଧାନ ଅନ୍ତରାୟ ।’’

 

ରାଷ୍ଟ୍ରପତି ହେଲା ପରେ ଅବଶ୍ୟ ସେ କଂଗ୍ରେସଦଳ ସଂକ୍ରାନ୍ତରେ ମୁକ୍ତଭାବରେ କୌଣସି ବିବୃତି ଦେଇ ପାରୁ ନ ଥିଲେ ସତ; କିନ୍ତୁ ଲକ୍ଷ୍ୟ କରିଥିଲେ ଯେ, ପବିତ୍ର କଂଗ୍ରେସ ଅନୁଷ୍ଠାନ କ୍ରମେ କ୍ଷମତାଲୋଭୀ ତଥା ସୁବିଧାବାଦୀଙ୍କର ଲୀଳାଭୂମି ହୋଇପଡ଼ିଛି ।

 

ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତିଭା ଥିଲା ବହୁ ରଶ୍ମିଯୁକ୍ତ । ସେ ଥିଲେ ଜନତାଜନାର୍ଦ୍ଦନର ନେତା । ଶିକ୍ଷା-ଦୀକ୍ଷାରହିତ ଲୋକଙ୍କୁ ଆଦୌ ହୀନଦୃଷ୍ଟିରେ ସେ ଦେଖୁ ନ ଥିଲେ । ସେଥିପାଇଁ ବିହାର ଭୂମିକମ୍ପର ଅବ୍ୟବହିତ ପରେ ଲୋକେ ତାଙ୍କୁ ରିଲିଫ୍‍ ଦାୟିତ୍ଵ ନେବାକୁ ଅନୁରୋଧ କରିଥିଲେ; କାରଣ ଶ୍ରେଣୀ, ଶିକ୍ଷା ଓ ବୟସ ନିର୍ବିଶେଷରେ ସମସ୍ତ ଥିଲେ ତାଙ୍କର ପ୍ରିୟ । ପୁନଶ୍ଚ ନିଃସହାୟ ଲୋକଙ୍କୁ ଦାନ ପାଇଁ ଉଦ୍ଦିଷ୍ଟ ଅର୍ଥର ଅପବ୍ୟୟ ସେ ଆଦୌ ବରଦାସ୍ତ କରୁ ନ ଥିଲେ ।

 

ସାଧୁମାନଙ୍କ ପ୍ରତି ତାଙ୍କର ଗଭୀର ଭକ୍ତି ଥିଲା । ସେ ସେହିମାନଙ୍କ ଜରିଆରେ ମୁନି-ଋଷି ଯୁଗର ପ୍ରତିବିମ୍ବ ଦେଖିପାରୁଥିଲେ । ୧୯୫୨ ମସିହା ନଭେମ୍ବର ମାସରେ ବନାରସଠାରେ ଦୁଇ ଶହ ବିଜ୍ଞାନୀ ସାଧୁଙ୍କୁ ସେ ଭକ୍ତିପୂତ ଅଭିନନ୍ଦନ ଜଣାଇଥିଲେ । ୧୯୫୭ ମସିହା ନଭେମ୍ବର ମାସରେ ଅହମଦାବାଦଠାରେ ସାଧୁସମାଜର ଏକ ସମ୍ମିଳନୀରେ ଭାଷଣ ଦେଇ ସେ କହିଥିଲେ–“ଆପଣମାନେ ସାଧାରଣ ସ୍ତରର ଲୋକଙ୍କ ତୁଳନାରେ ଅଧିକ ଚିନ୍ତାଶୀଳ ଓ ଜ୍ଞାନୀ । ପରଜନ୍ମରେ ଗୋଲକପୁରୀର ଚିନ୍ତା ନ କରି ଏଇ ଜନ୍ମରେ ପୃଥିବୀକୁ ଗୋଲକପୁରୀରେ ପରିଣତ କରିବାକୁ ଆପଣମାନେ ଚେଷ୍ଟା କରନ୍ତୁ । ସାଧାରଣ ଲୋକର ନୈତିକ ମାନ କିପରି ବୃଦ୍ଧିପାଇବ, ତାହାହିଁ ଆପଣଙ୍କ ସମାଜର ଧ୍ୟେୟ ହେଉ ।’’

 

ହିନ୍ଦୀ ଭାଷା ଓ ସାହିତ୍ୟ ପ୍ରତି ରାଜେନ୍ଦ୍ର ପ୍ରସାଦଙ୍କର ଅନୁରାଗ ଥିଲା ଯଥେଷ୍ଟ । ସମଗ୍ର ଦେଶର ଐକ୍ୟ ଓ ସଂହତି ପାଇଁ ସେ ହିନ୍ଦୀକୁ ରାଷ୍ଟ୍ରଭାଷା କରିବାର ଚିନ୍ତା କରୁଥିଲେ । ହିନ୍ଦୀ ଭାଷାର ବିକାଶ ଓ ସରଳୀକରଣ ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ । ନିଖିଳ ଭାରତ ସାହିତ୍ୟ ସମ୍ମେଳନର ସେ ଥିଲେ ପ୍ରତିଷ୍ଠାତା । ହିନ୍ଦୀ ସାପ୍ତାହିକ ‘‘ଦେଶ’’ର ସେ ଥିଲେ ପ୍ରତିଷ୍ଠାତା–ସମ୍ପାଦକ-। ତାଙ୍କଦ୍ଵାରା ସରଳ ଭାଷାରେ ଲିଖିତ ସେହି ପତ୍ରିକା ଖୁବ୍ ଲୋକପ୍ରିୟ ହୋଇପାରିଥିଲା-

 

ଡକ୍ଟର ରାଜେନ୍ଦ୍ର ପ୍ରସାଦ କେବଳ ଜନୈକ ଆଇନଜୀବୀ କିମ୍ବା ରାଜନୀତିଜ୍ଞ ନ ଥିଲେ । ହିନ୍ଦୀ ଓ ଇଂରାଜୀ ଭାଷାରେ ସେ ଥିଲେ ଜଣେ ଉଚ୍ଚକୋଟୀର ଲେଖକ । ଭାରତୀୟ ଭାଷାରେ ରାଜନୀତିକ ସାହିତ୍ୟର ଅଭାବ ସେ ବହୁପୂର୍ବରୁ ଉପଲବ୍‍ଧି କରିଥିଲେ । ବାରମ୍ବାର କାରାଦଣ୍ଡ ତାଙ୍କ ସ୍ଵାସ୍ଥ୍ୟପ୍ରତି ପ୍ରତିକୂଳ ହେଲେ ମଧ୍ୟ ଅଧ୍ୟୟନ ଓ ଜ୍ଞାନ ଆହରଣ ପାଇଁ ହୋଇଥିଲା ଯଥେଷ୍ଟ ଅନୁକୂଳ । ଜେଲଜୀବନରେ ସେ ବହୁ ପୁସ୍ତକ ଓ ପତ୍ରପତ୍ରିକା ପଢ଼ିବାର ସୁଯୋଗ ପାଇଥିଲେ । ତାଙ୍କ ସାହିତ୍ୟକୃତି ସୀମିତ ହେଲେ ମଧ୍ୟ ସେଗୁଡ଼ିକ ଉଚ୍ଚକୋଟିସମ୍ପନ୍ନ । ଭାରତୀୟ ନେତାମାନଙ୍କ ମଧ୍ୟରୁ ଯେଉଁ କେତେ କଣ ଗାନ୍ଧିଜୀଙ୍କର ସାନ୍ନିଧ୍ୟ ପାଇବାର ସୁଯୋଗ ପାଇଥିଲେ, ସେମାନଙ୍କ ମଧ୍ୟରୁ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଅନ୍ୟତମ । ତାଙ୍କ ମତରେ ‘‘ମହାତ୍ମା ଗାନ୍ଧୀ ପବିତ୍ର ମାନବିକତାର ପ୍ରତିବିମ୍ବ ।’’ ଗାନ୍ଧିଜୀଙ୍କର ମହନୀୟ ଆଦର୍ଶ ଓ ସତ୍‍ସଙ୍ଗକୁ ଭିତ୍ତି କରି ସେ ଲେଖିଥିଲେ, ‘ବାପୁଜୀଙ୍କ ପଦତଳେ’ (ବାପୁକୀ କଦମ୍‍ ମେ) ନାମକ ଏକ ପ୍ରାମାଣିକ ପୁସ୍ତକ । ତାହା ଅଧ୍ୟାପକ ଏମ୍. ଏ. ଗିଦ୍‍ୱାନିଙ୍କ ଦ୍ୱାରା ଇଂରାଜୀ ଭାଷାରେ ଅନୂଦିତ ହୋଇ ‘At the feet of Mahatma Gandhi’ ନାମରେ ପ୍ରକାଶ ଲାଭ କରିଛି । ଏହି ପୁସ୍ତକଟିର ଶିରୋନାମା ଦେଖି ଅନେକେ ତାହାକୁ ବାପୁଜୀଙ୍କର ଲିପିବଦ୍ଧ ପ୍ରଶସ୍ତି ବୋଲି ଭାବିଥାନ୍ତି; କିନ୍ତୁ ତାହା ଠିକ୍ ନୁହେଁ–ବରଂ ଏହି ପୁସ୍ତକଟି ହେଉଛି ଜାତୀୟ ମୁକ୍ତି-ସଂଗ୍ରାମ ଓ ରାଜନୀତିକ ଘଟଣାପ୍ରବାହର ଏକ ପୂର୍ଣ୍ଣାଙ୍ଗ ଇତିହାସ-। ଏତଦ୍‍ଭିନ୍ନ ତାଙ୍କ ଲିଖିତ ‘‘ଆତ୍ମକଥା’’ ହିନ୍ଦୀ ସାହିତ୍ୟର ଏକ ଉତ୍କୃଷ୍ଟ ଆତ୍ମଜୀବନୀ । ଅନ୍ୟାନ୍ୟ ପୁସ୍ତକମାନଙ୍କ ମଧ୍ୟରେ ତାଙ୍କର ‘ଗାନ୍ଧିଜୀ କୀ ଦେନ୍’, ‘ଚମ୍ପାରନ୍‍ ସତ୍ୟାଗ୍ରହ’, ‘ସାହିତ୍ୟ ଶିକ୍ଷା ଆଉର୍ ସଂସ୍କୃତି’, ‘ଭାରତୀୟ ଶିକ୍ଷା’ ଇତ୍ୟାଦି ପ୍ରଧାନ ।

 

ସଂସ୍କୃତ ଓ ବଙ୍ଗଳା ଭାଷାରେ ମଧ୍ୟ ରାଜେନ୍ଦ୍ର ପ୍ରସାଦଙ୍କର ଗଭୀର ଅନୁପ୍ରବେଶ ଥିଲା । ନିଜର ପୁସ୍ତକଲବ୍‍ଧ ଧନକୁ ସେ ଆଦୌ ବ୍ୟକ୍ତିଗତ ଖର୍ଚ୍ଚରେ ଲଗାଉ ନ ଥିଲେ । ଏହି ଧନ ‘ରାଜେନ୍ଦ୍ର ପ୍ରସାଦ ଗ୍ରନ୍ଥାବଳୀ ଟ୍ରଷ୍ଟ’ ନାମକ ଏକ ଜାତୀୟ ଅନୁଷ୍ଠାନକୁ ଦେଇଦେଉଥିଲେ । ପ୍ରତିବର୍ଷ ତାଙ୍କ ପୁସ୍ତକର ବିକ୍ରିଲବ୍‍ଧ ଧନ ବାବଦକୁ ସେ ଅନ୍ୟୁନ ୨୫ ହଜାର ଟଙ୍କା ପାଉଥିଲେ । ଏହି ସମସ୍ତ ଧନ ଭାରତୀୟ ମହିଳାମାନଙ୍କ ଉନ୍ନତିକଳ୍ପେ ଖର୍ଚ୍ଚ କରାଯାଉଥିଲା । ତାଙ୍କର ‘ଆତ୍ମଜୀବନୀ’ ଓ ‘ବିଚ୍ଛିନ୍ନ ଭାରତର ବହୁ ଅଂଶ’ ସେ ଜେଲଜୀବନରେ ଲେଖିଥିଲେ ।

 

ଜନତାର ସେବା ପାଇଁ ନିଜର ପରିବାରବର୍ଗଙ୍କୁ ସେ ସାମୟିକ ଅବହେଳା କରୁଥିଲେ । ଏଥିପାଇଁ ଘରର ମୁରବୀ ଭଉଣୀ ଭଗବତୀଙ୍କଠାରୁ ବହୁ କଟୁକଥା ତାଙ୍କୁ ସହିବାକୁ ପଡ଼ୁଥିଲା । ପୁଅ ମୃତ୍ୟୁଞ୍ଜୟ ଓ ଧନଞ୍ଜୟର ଭବିଷ୍ୟତ ଶିକ୍ଷା ଓ କର୍ମସଂସ୍ଥାନ ପ୍ରତି ସେ ଆଦୌ ଦୃଷ୍ଟି ଦେଇ ନ ଥିଲେ । ତାଙ୍କ ସ୍ତ୍ରୀ ରାଜବଂଶୀ ଦେବୀ ମଧ୍ୟ ଖୁବ୍‌ ସରଳ ଓ ଅମାୟିକ ଜୀବନଯାପନ କରୁଥିଲେ । ଦିନର ବହୁ ସମୟ ଧର୍ମଗ୍ରନ୍ଥ ପାଠରେ ସେ ଅତିବାହିତ କରୁଥିଲେ ।

 

ବ୍ୟକ୍ତିଗତ ଦୁଃଖଠାରୁ ସମଷ୍ଟିର ଦୁଃଖ ରାଜେନ୍ଦ୍ର ପ୍ରସାଦଙ୍କୁ ବେଶି ଆଘାତ ଦେଉଥିଲା । ଉଦାହରଣ ସ୍ଵରୂପ, ୧୯୪୭ ମସିହାରେ ପାଟନାରେ ସାଂପ୍ରଦାୟିକ ଗଣ୍ଡଗୋଳଯୋଗୁଁ ବହୁ ଲୋକ ପ୍ରାଣ ହରାଇଥିଲେ । ଠିକ୍‍ ସେହି ସମୟରେ ତାଙ୍କ ପୁତ୍ରବଧୂଙ୍କର ଅକାଳବିୟୋଗ ଘଟିଲା । ପାଟନାରେ ଥାଇ ମଧ୍ୟ ସେ କ୍ଷତିଗ୍ରସ୍ତ ଜନତାକୁ ଅବହେଳା କରି ନିଜର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେବାକୁ ଯାଇପାରି ନ ଥିଲେ । ୧୯୬୦ ମସିହା ଜାନୁଆରୀ ୨୫ତାରିଖ ରାତିରେ ତାଙ୍କର ପ୍ରାଣପ୍ରିୟା ଭଗିନୀ ଭଗବତୀଙ୍କର ମୃତ୍ୟୁ ତାଙ୍କ ମନରେ ଅକଳନ ଦୁଃଖ ଦେଇଥିଲା; କିନ୍ତୁ ରାତି ପାହିଲେ ଗଣତନ୍ତ୍ର ଦିବସ । କର୍ମର ଅବହେଳା ତାଙ୍କ ପକ୍ଷରେ ଥିଲା ମହାପାପ । ଭଉଣୀର ଶବସଂସ୍କାର ନ କରି କର୍ତ୍ତବ୍ୟ ଅନୁରୋଧରେ ସେ ସୈନ୍ୟବାହିନୀର ଅଭିବାଦନ ଗ୍ରହଣ କରିଥିଲେ ଓ ପରେ ଯମୁନାନଦୀ କୂଳକୁ ଯାଇ ଭଉଣୀର ଶବସଂସ୍କାର କରିଥିଲେ । ଏହିପରି ଡକ୍ଟର ପ୍ରସାଦଙ୍କ କର୍ତ୍ତବ୍ୟନିଷ୍ଠାର ବହୁ ଉଦାହରଣ ଦିଆଯାଇପାରେ ।

 

ପ୍ରଥମେ ଗାନ୍ଧିଜୀଙ୍କର ନୀତି ପ୍ରତି ତାଙ୍କର ବିଶ୍ୱାସ ନ ଥିଲା; କିନ୍ତୁ ପରେ ବାପୁଜୀଙ୍କର ସାନ୍ନିଧ୍ୟ ଓ ବାସ୍ତବଧର୍ମୀ କାର୍ଯ୍ୟକଳାପ ତାଙ୍କୁ କରିଥିଲା ମନ୍ତ୍ରମୁଗ୍‍ଧ । ତେଣୁ ସେ ବାପୁଜୀଙ୍କର ହୋଇଥିଲେ ବିଶ୍ୱସ୍ତ ଅନୁଚର । ଉଭୟଙ୍କର ନୀତି ଓ ଆଦର୍ଶରେ ବହୁ ସାମ୍ୟ ଥିଲା । ଧର୍ମ ଉଭୟଙ୍କର ଥିଲା ଜୀବନର ନିର୍ଦ୍ଧାରିତ ପନ୍ଥା । ରାଜନୀତିରେ ମଧ୍ୟ ସେ ଦୁହେଁ ଧର୍ମକୁ ଉଚ୍ଚସ୍ଥାନ ଦେଉଥିଲେ । ବାପୁଜୀଙ୍କ ପରି ପ୍ରେମ, ସତ୍ୟ ଓ ଅହିଂସା ତାଙ୍କର ଥିଲା ଅନୁସରଣୀୟ । ସମସ୍ୟା ସମାଧାନ କଲାବେଳେ ସେ ନିର୍ଦ୍ଧାରିତ ନୀତିକୁ ବିଚାର ନ କରି ବାସ୍ତବ ବିଚାରବୁଦ୍ଧି ଆରୋପ କରୁଥିଲେ । ବାପୁଜୀଙ୍କ ପରି ଜୀବନଯାତ୍ରାରେ ସେ ଥିଲେ କଠୋର ସଂଯମୀ ।

 

ସ୍ୱାଧୀନତା ପୂର୍ବରୁ ରାଜେନ୍ଦ୍ର ପ୍ରସାଦ ଓ ନେହରୁଙ୍କ ମଧ୍ୟରେ କେତେକ ସମସ୍ୟା ସମାଧାନ ନେଇ ମନୋମାଳିନ୍ୟ ଥିଲା; କିନ୍ତୁ କ୍ରମେ ସେଗୁଡ଼ିକ ଦୁରୀଭୂତ ହୋଇଯାଇଥିଲା । ଉଭୟଙ୍କର ପାରିବାରିକ ପରିପ୍ରେକ୍ଷୀ ଭବିଷ୍ୟତ ଜୀବନଗଠନରେ ହୋଇଥିଲା ସହାୟକ । ନେହରୁ ଜନ୍ମଗ୍ରହଣ କରିଥିଲେ ଏକ ସଂଭ୍ରାନ୍ତ ପରିବାରରେ । ତାଙ୍କର ଜୀବନ ପାଶ୍ଚାତ୍ୟ ଶିକ୍ଷା ଓ ସଭ୍ୟତାଦ୍ଵାରା ହୋଇଥିଲା ପ୍ରଭାବିତ; କିନ୍ତୁ ରାଜେନ୍ଦ୍ର ପ୍ରସାଦଙ୍କ ଜୀବନଯାତ୍ରା ଥିଲା ବିପରୀତମୁଖୀ-। ଏକ ନୈଷ୍ଠିକ ଗ୍ରାମ୍ୟ ପରିବାରରେ ତାଙ୍କର ଜନ୍ମ । ଭାରତୀୟ ଦୃଗ୍‍ଭଙ୍ଗୀ ଓ ଧର୍ମଗତ ପରମ୍ପରାକୁ ସେ ଆଦୌ ଅବମାନନା କରୁ ନ ଥିଲେ । ମୋଟ ଉପରେ ରାଜେନ୍ଦ୍ର ପ୍ରସାଦଙ୍କର ଜୀବନନିର୍ବାହ ପଦ୍ଧତି ଥିଲା ପୂର୍ଣ୍ଣମାତ୍ରାରେ ଭାରତୀୟ । ନେହରୁ ଥିଲେ ଅତିମାତ୍ରାରେ ସ୍ଵପ୍ନଭିଳାଷୀ ତଥା ଆବେଗପରାୟଣ । ଶ୍ରୋତାମାନଙ୍କୁ ବକ୍ତୃତା ଜରିଆରେ ମନ୍ତ୍ରମୁଗ୍‍ଧ କରିବାର ଯାଦୁବିଦ୍ୟାରେ ସେ ଥିଲେ ଅଭିଜ୍ଞ । ତାଙ୍କର ଚିନ୍ତାଧାରା ଓ ମନୋବୃତ୍ତି ଥିଲା ଖୁବ୍ ଉଚ୍ଚରେ; କିନ୍ତୁ ରାଜେନ୍ଦ୍ର ପ୍ରସାଦ ଆବେଗସର୍ବସ୍ୱ ନ ଥିଲେ । ତାଙ୍କର ଅହିଂସା ପ୍ରତି ଅତୁଟ ବିଶ୍ୱାସ ଓ ନିର୍ମୋହ ଚିନ୍ତାଧାରା ନିକଟରେ ସମସ୍ତ ବ୍ୟକ୍ତିଗତ ସ୍ଵାର୍ଥ ହାର ମାନିଥିଲା । ନେହରୁ ବ୍ରାହ୍ମଣକୁଳରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ କର୍ମଦୃଷ୍ଟିରୁ ସେ ଥିଲେ କାୟସ୍ଥ; କିନ୍ତୁ ରାଜେନ୍ଦ୍ର ପ୍ରସାଦ କାୟସ୍ଥ କୁଳରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ କର୍ମଦୃଷ୍ଟିରୁ ସେ ଥିଲେ ବ୍ରାହ୍ମଣ । ନେହରୁଙ୍କର ନିସ୍ୱାର୍ଥପର ନୀତି ସାମୟିକ ଦୁର୍ବଳ ହୋଇପଡ଼ିଥିଲା । ସେ କେବଳ ତାଙ୍କର ଅନୁରକ୍ତମାନଙ୍କୁ ପୁରସ୍କୃତ କରୁଥିଲେ । ଯେହେତୁ ନିସ୍ୱାର୍ଥପର ରାଜେନ୍ଦ୍ର ପ୍ରସାଦଙ୍କର ମାନସିକ ସିଦ୍ଧି ବା ପରିପୂର୍ଣ୍ଣତା ଥିଲା କାମ୍ୟ; ତେଣୁ ତାଙ୍କର ପବିତ୍ର କର୍ମକ୍ଷେତ୍ରରେ ସଂକୀର୍ଣ୍ଣତା ଅନୁପ୍ରବେଶ କରିପାରି ନ ଥିଲା ।

 

ଏହା ସତ୍ତ୍ୱେ ଭାରତର ମୁକ୍ତିସଂଗ୍ରାମ ଓ ଶାସନକ୍ଷେତ୍ରରେ ନେହରୁ ଓ ରାଜେନ୍ଦ୍ର ପ୍ରସାଦ ସମୁଦାୟ ୩୯ ବର୍ଷ ସହଯୋଗୀଭାବେ କାର୍ଯ୍ୟ କରିଥିଲେ ଓ ପରସ୍ପର ପ୍ରତି ସ୍ନେହ ଓ ସମ୍ମାନ ଅତୁଟ ରଖିଥିଲେ । ରାଜନୀତିକ ସହକର୍ମୀମାନଙ୍କ ମଧ୍ୟରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ରାଜେନ୍ଦ୍ର ପ୍ରସାଦଙ୍କର ନିକଟତମ ବନ୍ଧୁ । ରାଜନୀତି କ୍ଷେତ୍ରରେ ପ୍ରବେଶ କଲାଦିନୁ ସେ ପଟେଲଙ୍କ କାର୍ଯ୍ୟକଳାପଗତ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ପଡ଼ିଥିଲେ । କାରଣ ଉଭୟଙ୍କ ଜୀବନରେ ବହୁ ସାମ୍ୟ ପରିଲକ୍ଷିତ ହୋଇଥିଲା । ଉଭୟ ଥିଲେ ମାଟିର ସନ୍ତାନ । ଗ୍ରାମ୍ୟ ପଟ୍ଟଭୂମି ଉପରେ ଉଭୟଙ୍କର ଜୀବନ ପ୍ରାଥମିକ ପ୍ରତିଷ୍ଠା ଲାଭ କରିଥିଲା । ଆଇନଜ୍ଞ ହିସାବରେ ଉଭୟେ ଥିଲେ ଧୂରୀଣ । ବାସ୍ତବ ଦୃଷ୍ଟିକୋଣ ନେଇ ସମସ୍ୟା ସମାଧାନ ପାଇଁ ସେ ଦୁହେଁ ସର୍ବଦା ହେଉଥଲେ ଆଗୁସାର । ପଟେଲଙ୍କ ମୃତ୍ୟୁ ସମ୍ବାଦ ପାଇ ଶୋକାକୁଳ ରାଜେନ୍ଦ୍ର ପ୍ରସାଦ କହିଥିଲେ–‘‘ପଟେଲଙ୍କ ସହିତ ବନ୍ଧୁତା ମୋ ଜୀବନରେ ଏକ ଉଲ୍ଲେଖଯୋଗ୍ୟ ଘଟଣା; ଯାହାକୁ ଭୁଲିଯିବା ମୋ ପକ୍ଷରେ ଅସମ୍ଭବ । ତାଙ୍କର ଗାମ୍ଭୀର୍ଯ୍ୟ, କର୍ତ୍ତବ୍ୟନିଷ୍ଠା, ନେତୃତ୍ଵ ଓ ସାମୟିକ ସାନ୍ନିଧ୍ୟ ମୋତେ ଯଥେଷ୍ଟ ପ୍ରେରଣା ଦେଉଥିଲା । ମୁଁ ତାଙ୍କର ସର୍ବଦା ସ୍ନେହ ଓ ବିଶ୍ୱାସଭାଜନ ହୋଇପାରିଥିଲି ।’’

 

ଆଜି କର୍ମବୀର ଡକ୍ଟର ରାଜେନ୍ଦ୍ର ପ୍ରସାଦ ନାହାନ୍ତି ସତ; କିନ୍ତୁ ରାଜନୀତି କ୍ଷେତ୍ରରେ ସେ ଯେଉଁ ସ୍ୱର୍ଣ୍ଣାଭ ସରଣୀ କାଟି ଯାଇଅଛନ୍ତି, ତାହା ଅନବରତ ଅନୁସରଣୀୟ ।

Image